କିନ୍ତୁ କିଛି ଦୂର ଯିବାପରେ ସେ ଦେଖିଲେ, ବୃଦ୍ଧମୁନି ତାଙ୍କ ଆଡକୁ ଆସୁଛନ୍ତି । ତାଙ୍କର ପକ୍ୱକେଶ, ପକ୍ୱଶ୍ମଶ୍ରୁ, ଜ୍ଞାନ- ଦୀପ୍ତ ଚକ୍ଷୁର ଜ୍ୟୋତି ତାଙ୍କର ମହାନତା ପ୍ରକଟ କରୁଥାଏ । ମୋହନକୃଷ୍ଣ ଗଭୀର ଭକ୍ତିର ସହ ତାଙ୍କୁ ସାଷ୍ଟାଙ୍ଗ ପ୍ରଣାମ କଲେ । ମୁନିପ୍ରସନ୍ନତାପୂର୍ବକ ତାଙ୍କୁ ଭୂମିରୁ ଉଠେଇ କହିଲେ, “ମୁଁ ସମସ୍ତ ବିଷୟ ଜାଣେ । ଏଠାକୁ ତୁମେ କେଉଁ ମୁନିଙ୍କର ଆଶୀର୍ବାଦ ପ୍ରାପ୍ତି ଉଦ୍ଧେଶ୍ୟରେ ଆସିଛ ଓ ତୁମ ହାତରେ ଏବେ ଯେଉଁ ବଂଶୀଟି ତୁମେ ଧରିଛ ତାହାଏକ ସାଧାରଣ ବଂଶୀ ନୁହେଁ । ଏହା ବହୁତ ମହତପୂର୍ଣ୍ଣ ଓ ମହିମାବାନ ବଂଶୀ ଅଟେ । କେବଳ ବାଦକକୁ ଛାଡି, ଏହାର ସ୍ୱର ଯାହାର ବି ଶ୍ରୁତି ଗୋଚର ହେବ, ସେ ସେହିକ୍ଷଣି ନିଦ୍ରାଭିଭୂତ ହେବ । ପଶୁ ପକ୍ଷୀ ରାକ୍ଷସ ସମସ୍ତେ ଏହା ଦ୍ୱାରା ପ୍ରଭାବିତ ହେବେ । ହଁ, ଆଉ ଏକ କଥା ମଣିଷର ଆଶା, ତା’ର ଶକ୍ତି, ସାମର୍ଥ୍ୟ ବୁଦ୍ଧି ବିବେକର ଅନୁରୂପ ହେବା ଆବଶ୍ୟକ । ଅନ୍ୟଥା, ଅପମାନ, ନିରାଶା ହିଁ ପ୍ରାପ୍ତି ହେବ । ମୁଁ ତୁମକୁ ଏହି ଚେତାବନୀ ଦେଉଛି ।” ଏତିକି କହି ମୁନି ସେଠାରୁ ହଠାତ୍ ଅର୍ନ୍ତହିତ ହୋଇ ଗଲେ ।
ମୋହନକୃଷ୍ଣ ମୁନିଙ୍କ ବଚନରେ ଆତ୍ମ ସନ୍ତୋଷ ଅନୁଭବ କଲା । ସେ ପୁନଶ୍ଚ ଗ୍ରାମାଭିମୁଖେ ଯାତ୍ରା ଆରମ୍ଭ କଲା । ଦଶକୋଶ ପଥ ଅତିକ୍ରମ କରିଛି କି ନାହିଁ, ସିଂହ ଭାଲୁଙ୍କର ଗର୍ଜନ ସେ ଶୁଣିଲା । ଗୋଟିଏ ହରିଣ ପଛରେ ସିଂହ ଗୋଡାଇ ଥାଏ ମୋହନକୃଷ୍ଣ ଭୟଭୀତ ହୋଇ ଗଛ ଉପରକୁ ଚଢିଗଲେ । ଠିକ୍ ଏହି ସମୟରେ ମହିମାମୟ ବଂଶୀର କଥା ତାଙ୍କର ମନେ ପଡିଲା ଓ ସେ ବଂଶୀ ବାଦନ ଆରମ୍ଭ କଲେ । ଫଳରେ ସିଂହ ଓ ହରିଣ ଉଭୟେ ଗାଢ ନିଦ୍ରାରେ ଶୋଇପଡିଲେ । କିଛି ସମୟ ବଂଶୀ ବାଦନ କଲା ପରେ ସେ କ୍ଳାନ୍ତ ଅନୁଭବ କରି ବଂଶୀ ବାଦନ ବନ୍ଦ କଲେ । ବଂଶୀସ୍ୱର ବନ୍ଦ ହେବା ମାତ୍ରେ ସିଂହ ଓ ହରିଣ ଉଭୟ ପୁଣି ଜାଗ୍ରତ ହେଲେ । ଦୌଡି ପଳାଉ ଥିବା ହରିଣ ପଛରେ ସିଂହ ଅନୁଧାବନ କରି ଚାଲିଗଲା ।
ଏହି ସମୟରେ ପାଖରେ ଥିବା ଏକ ବୃକ୍ଷରୁ ଏକ ରାକ୍ଷସ ମୋହନକୃଷ୍ଣଙ୍କ ଆଗରେ ଆସି ଉଭା ହେଲା । ତାକୁ ଦେଖି ମୋହନକୃଷ୍ଣ ଭୟରେ ଖାଲି ଥରିବାକୁ ଲାଗିଲେ । ରାକ୍ଷସ କହିଲା, “ମତେ ଖୁବ୍ ଭୋକ ଲାଗୁଛି । ଏମିତି ଥରି ଥରି ସମୟ ନଷ୍ଟ ନ କରି ଶୀଘ୍ର ବେହୋସ ହୋଇଯା, ତେବେ ସିନା ମୁଁ ତୋତେ ଖାଇ ମୋର ଭୋକ ମେଂଟାଇବି ।”
ମୋହନକୃଷ୍ଣ ଅନୁମାନ କରି ନେଲେ, ଏହା ପଛରେ ନିଶ୍ଚୟ କିଛି ରହସ୍ୟ ଅଛି । ସାହସ ବାନ୍ଧି ପଚାରିଲେ, “ମୁଁ ବେହୋସ ନ ହେଲେ ତୁମେ କଣ ମୋତେ ଖାଇ ପାରିବନି?”
ରାକ୍ଷସ ଦୀର୍ଘଶ୍ୱାସ ପକେଇ କହିଲା, “କଣ କହିବି, ଥରେ ଜଙ୍ଗଲରେ ଗୋଟିଏ ମଇଁଷି ଖାଇ, ତାର ହାଡ ଦୂରକୁ ମୁଁ ଫୋପାଡି ଦେଲି । ତାହା ଯାଇ ଜଣେ ମୁନିଙ୍କ ଆଶ୍ରମରେ ପଡିଲା । ତା’ପରେ ସେ ମୁନି ଅଗ୍ନିଶର୍ମା ହୋଇ ମୋତେ ଅଭିଶାପ ଦେଲେ । ହୋସ୍ରେ ଥିବା କୌଣସି ପ୍ରାଣୀକୁ ଯଦି ମୁଁ କେବେବି ଖାଏ, ତାହେଲେ ମୋର ଶିର ଖଣ୍ଡ ଖଣ୍ଡ ହୋଇ ଯିବ । ମୋହନକୃଷ୍ଣଙ୍କର ଏବେ ନିଜ ବଂଶୀ କଥା ମନେ ପଡିଲା । ସେ ତାକୁ ଓଠରେ ଲଗାଇ ଫୁଙ୍କିବାକୁ ଯାଉଛନ୍ତି ତ, ରାକ୍ଷସ ତାଙ୍କ ହାତରୁ ତାହା ଛଡେଇ ନେଲା । ଏପଟ ସେପଟ କରି ବଂଶୀଟିକୁ ଦେଖିବାକୁ ଲାଗିଲା । “ଆରେ, ଏଥିରେ ବି ତ ରୂପାର ଆବରଣ ଲାଗିଛି ।” – ଏହା କହି ତାହା ବଜାଇବାକୁ ସେ ଆରମ୍ଭ କଲା ।
ମୋହନକୃଷ୍ଣ ସେ ବଂଶୀର ସ୍ୱର ନ ଶୁଣି ପାରିବା ପାଇଁ ଦୁଇ କାନରେ ହାତ ଦେଇଦେଲେ । ରାକ୍ଷସ ଏହା ଦେଖି କ୍ରୁଧ ହୋଇ କହିଲା, “ମୁଁ ବଂଶୀଟିକୁ ବଜେଇଲା ବେଳେ ତୁ କାନ ବନ୍ଦ କରିଛୁ । ଅପମାନ, ଘୋର ଅପମାନ, ମୁଁ ଏବେ ଦେଖିବି ତୁ କେତେ ଭଲ ବଜାଇ ପାରୁ” – ଏତିକି କହି ବଂଶୀଟି ମୋହନକୃଷ୍ଣ ଉପରକୁ ସେ ଫିଙ୍ଗି ଦେଲା ।
ପ୍ରାଣରକ୍ଷାହୋଇଗଲା ଭାବି, ମୋହନକୃଷ୍ଣ ଭଗବାନଙ୍କୁ କୃତଜ୍ଞତା ଜଣେଇଲେ । ବଂଶୀଟି ବଜାଇବା ମାତ୍ରେ, ରାକ୍ଷସ ଅଚେତ ହୋଇ ଭୂମିରେ ଶୋଇଗଲା ।
ଏଇ ସୁଯୋଗରେ ସେ ସେଠାରୁ ଧାଇଁ ପଳାଇଲେ । ରାକ୍ଷସ ତୁରନ୍ତ ଉଠିପଡି, ଚିତ୍କାର କରି ତାଙ୍କ ପଛରେ ଗୋଡାଇଲା । ଲମ୍ବା ଲମ୍ବା ପାହୁଣ୍ଡ ପକେଇ ରାକ୍ଷସ ତାଙ୍କର ପିଛାକଲା ।
ଏହି ସମୟରେ ସେହି ପଥ ଦେଇ ସୁନ୍ଦର ପାଲିଙ୍କିଟିଏ ଯାଉଥିଲା । ଚାରିଜଣ ବାହକ ପାଲିଙ୍କିଟିକୁ ବୋହି ନେଉଥିଲେ । ଦଶଜଣ ସୈନିକ ଅଶ୍ୱାରୋହଣ ପୂର୍ବକ ଏକ ସଙ୍ଗରେ ଯାଉଥାନ୍ତି । ଏସବୁ ଦେଖି ରାକ୍ଷସ ଉଚ୍ଚସ୍ୱରରେ କହିଲା, “ବାଃ ମୁଁ କେଡେ ଭାଗ୍ୟବାନ୍, ଜଣକର ପିଛା କରୁ କରୁ ଏତେ ଗୁଡିଏ ଲୋକ ମିଳିଗଲେ ।” ଏହିପରି ଭାବେ ସେ ରାକ୍ଷସ ଅଟ୍ଟହାସ୍ୟ କରିବାରେ ଲାଗିଲା ।
ରାକ୍ଷସର ବିକଟ ହସ ଶୁଣି, ପାଲିଙ୍କିର ପର୍ଦ୍ଦା ଆଡେଇ ସୁନ୍ଦରୀ ରମଣୀଟିଏ ବାହାରକୁ ଚାହିଁଲା । ମେଘ ଆଢୁଆଳରୁ ଚନ୍ଦ୍ରମାର ଛବି ପରି, ତାର ମୁଖର ଶୋଭା ପ୍ରତୀୟମାନ ହେଲା । ମୋହନକୃଷ୍ଣ ଭାବାବିଷ୍ଟ ହୋଇ କଳ୍ପନା କଲେ, “ଏ ସୌନ୍ଦର୍ଯ୍ୟର କୌଣସି ବି ତୁଳନା ନାହିଁ । ମୁଁ ଯଦି କେବେ ବିବାହ କରିବି ତ, ଏହାକୁ ହିଁ ବିବାହ କରିବି ।”
ରାକ୍ଷସକୁ ଦେଖି ସୈନିକ, ସୁନ୍ଦରୀ ସମସ୍ତେ ଭୟରେ କମ୍ପିବାକୁ ଲାଗିଲେ । ଏକାଥରେ ଏତେ ଲୋକ ଏକ ସଙ୍ଗରେ ମିଳିଗଲେ, ଏହା ଭାବି ସେ ରାକ୍ଷସ ଖୁବ୍ ଖୁସି ହେଉଥାଏ । ଖୁସିରେ ନାଚି ନାଚି ସେ ପାଦପକାଉ ଥାଏ । ଏପରି ଅବସ୍ଥାରେ ପଥ ପ୍ରାନ୍ତରରେ ଥିବା କୂଅଟିର ପାଖକୁ ସମସ୍ତେ ଆସିଯିବା ମାତ୍ରେ ମୋହନକୃଷ୍ଣ ବଂଶୀ ବାଦନ କଲେ । ବଂଶୀସ୍ୱନ ରାକ୍ଷସ ଶୁଣିବା ମାତ୍ରେ, ଅଦ୍ଭୂତ, ଚମତ୍କାର, କହୁ କହୁ ନିଦ୍ରାବସ୍ଥାରେ କୂଅ ଭିତରକୁ ସେ ଗଳିପଡିଲା । ଏହି ସମୟରେ ବାହକ, ସୈନିକ ଓ ସୁନ୍ଦରୀ ବି ଶୋଇପଡିଲେ । ବଂଶୀ ବନ୍ଦ ହେବାମାତ୍ରେ ସମସ୍ତେ ଉଠିଲେ । ହେଲେ କୂଅରେ ପଡିଥିବା ରାକ୍ଷସର ଗୋଡ ଭାଙ୍ଗିଯାଇଥାଏ । ତେଣୁକରି ସେ ଜୋର୍ରେ ଚିତ୍କାର କରୁଥାଏ । ଆଶ୍ଚର୍ଯ୍ୟାନ୍ୱିତ ଭାବେ ସମସ୍ତେ ମୋହନକୃଷ୍ଣଙ୍କୁ ଦେଖୁଥାନ୍ତି । ସେ ପଚାରିଲା “ରାକ୍ଷସ ତ ଆଉ ଏ କୂଅରୁ ବାହାରି ପାରିବନାଇଁ । ମୁଁ ଜାଣିପାରେ କି, ଆପଣଙ୍କ ପରିଚୟ ଓ ଗନ୍ତବ୍ୟସ୍ଥଳୀ?”