ଭବିଷ୍ୟତ ବାଣୀ

ମନ୍ତ୍ରୀମାନେ କହିଲେ “ନିଶ୍ଚୟ । ଆପଣଙ୍କର ଯାହା ଇଚ୍ଛା ।” ତା’ପରେ ମନ୍ତ୍ରୀମାନେ ରାଜାଙ୍କର ଜାତକ ସନ୍ନ୍ୟାସୀଙ୍କୁ ଦେଲେ । ସନ୍ନ୍ୟାସୀ ଜାତକ ପରୀକ୍ଷା କରି କହିଲେ, “ରାଜାଙ୍କର ଚିକିତ୍ସା କରିବାର କୌଣସି ପ୍ରୟୋଜନ ନାହିଁ । କାରଣ ଆଜିଠାରୁ ଠିକ୍ ଏକମାସ ପରେ ତାଙ୍କର ମୃତ୍ୟୁଯୋଗ ଅଛି ।” ମନ୍ତ୍ରୀମାନେ କହିଲେ, “ମହାଶୟ, ଆପଣଙ୍କର ବୋଧହୁଏ ଗ୍ରହନକ୍ଷତ୍ର ସମ୍ପର୍କରେ କୌଣସି ଜ୍ଞାନ ନାହିଁ । କାହିଁ ଏପର୍ଯ୍ୟନ୍ତ କୌଣସି ଜ୍ୟୋତିଷ ତ ଏପରି କଥା କହି ନାହାଁନ୍ତି!”

ତହୁଁ ସେ ସନ୍ନ୍ୟାସୀ ବୁଝାଇ କହିଲେ “ଦେଖନ୍ତୁ, ଭବିଷ୍ୟତ ବିଷୟରେ ସମ୍ପୂର୍ଣ୍ଣ ନିଶ୍ଚିତ କେହି ନ କହିଲେ ମଧ୍ୟ ଯାହା ଘଟିବାର ଅଛି ତା’ତ ଅବଶ୍ୟ ଘଟିବ । ସେ ଯାହାବି ହେଉ ଆପଣମାନଙ୍କର ବିଶ୍ୱାସ ନ ହେଉଛି ତ ମୋତେ ମାସେ ପର୍ଯ୍ୟନ୍ତ କାରାଗାରରେ ରଖନ୍ତୁ ।”

ମନ୍ତ୍ରୀମାନେ ସନ୍ୟାସୀଙ୍କ କଥା ଅନୁସାରେ ତାଙ୍କୁ କାରାଗାରରେ ରଖିଲେ । ତାଙ୍କର ସେବା ପାଇଁ ଲୋକ ରଖାଗଲା । ଏଣେ ସନ୍ନ୍ୟାସୀଙ୍କ କଥା ଉପରେ ରାଜାଙ୍କର ପୂର୍ଣ୍ଣ ବିଶ୍ୱାସ ଥିଲା ତେଣୁ ତାଙ୍କ ମନର ଅବସ୍ଥା ଅତି ଶୋଚନୀୟ ହୋଇ ପଡିଲା ।

ଏବେ ରାଜାଙ୍କ ମନରେ ସେଇ ଗୋଟିଏ ଚିନ୍ତା । ମୃତ୍ୟୁ ଏତେ ଶୀଘ୍ର ଆସିଯିବ ଅଥଚ ସିଏ କିଛି କରିପାରିଲେ ନାହିଁ, ଭୋଗବିଳାସରେ ରହି ସମୟ ବିତାଇଲେ । ଏହିପରି ନାନାଦି ଚିନ୍ତାରେ ସେ ଖୁବ୍ ଅସ୍ଥିର ହୋଇ ପଡିଲେ । କ୍ରମେ ସେ ଚିନ୍ତା ଏକ ମାନସିକ ବ୍ୟାଧିର ରୂପ ନେଲା । ନା ସେ ଠିକ୍ସେ ଖାଇ ପାରିଲେ ନା ଶୋଇ ପାରିଲେ । ଶୟନ ଭୋଜନ ବିନା ରାଜା କ୍ରମେ ଶଯ୍ୟାଶାୟୀ ହୋଇ ରହିଲେ । ମନ୍ତ୍ରୀମାନେ ଯେତେ ବୁଝାଇଲେ ମଧ୍ୟ ରାଜା କିଛି ବୁଝିଲେ ନାହିଁ । କ୍ରମେ ସେ ଅନ୍ୟମାନଙ୍କ ସହିତ କଥା କହିବା ମଧ୍ୟ ବନ୍ଦ କରିଦେଲେ । ଏହିପରି ଭାବରେ ଅଣତିରିଶ ଦିନ କଟିଗଲା । ତିରିଶ ଦିନ ସଂଧ୍ୟାବେଳକୁ ରାଜା କ୍ରମେ ପ୍ରଫୁଲ୍ଲ ଦେଖାଗଲେ । ତିରିଶ ଦିନ କଟିଯିବା ପରେ ପରଦିନ ରାଜା ଯେପରି ମନ୍ତ୍ର ଦ୍ୱାରା କିଛି ଶକ୍ତି ପାଇଲେ । ତା’ପରେ ସେ ସିଂହ ପରି ଗର୍ଜ୍ଜି ଉଠି ତାଙ୍କ ମନ୍ତ୍ରୀମାନଙ୍କୁ କହିଲେ, “ସେ ଦୁଷ୍ଟ ସନ୍ନ୍ୟାସୀ କାହାଁନ୍ତି? ତାଙ୍କୁ କାରାଗାରରୁ ଏହି ମୁହୂର୍ତ୍ତରେ ନେଇ ଆସ । ତାଙ୍କୁ ଫାଶୀ ଦିଆଯିବ ।”

ରାଜାଦେଶ ପାଇ ମନ୍ତ୍ରୀମାନେ ଯଥାଶୀଘ୍ର ସେ ସନ୍ନ୍ୟାସୀଙ୍କୁ କାରାଗାରରୁ ନେଇ ଆସିଲେ । ତାଙ୍କୁ ଦେଖୁ ଦେଖୁ ରାଜା ଗର୍ଜ୍ଜନ କରି କହିଲେ, “ହେ ମୂର୍ଖ ସନ୍ନ୍ୟାସୀ, ତୁମେ ମିଥ୍ୟା ଭବିଷ୍ୟତ ବାଣୀ କରି ମୋତେ ଅପାର କଷ୍ଟ ଦେଇଛ । ଏବେ ତୁମେ ଦଣ୍ଡ ପାଇଲେହିଁ ମୋର ସବୁ ଯନ୍ତ୍ରଣା ମୁଁ ଭୁଲିଯିବି ।”

ସନ୍ନ୍ୟାସୀ କହିଲେ “ଦଣ୍ଡ? ମୁଁ ତ ପୁରସ୍କାର ନେବାକୁ ଖୁସି ହୋଇ ଆସିଛି ।”

ରାଜା କହିଲେ “ଓଃ, ପୁରସ୍କାର? ମୋର ମୃତ୍ୟୁ ହେବାର ଭବିଷ୍ୟତବାଣୀ କରି ମୋତେ କଷ୍ଟ ଦେଇ ତୁମେ ପୁଣି ଆହୁରି ପୁରସ୍କାର ଚାହୁଁଛ?”

ସନ୍ନ୍ୟାସୀ ନିର୍ଭୟରେ କହିଲେ “ମହାରାଜ, ଆପଣ ଭୁଲିଯା’ନ୍ତୁ ନାହିଁ ଯେ ମୁଁ ଆପଣଙ୍କର ଚିକିତ୍ସା କରିବାକୁ ଏଠାକୁ ଆସିଥିଲି, ମାତ୍ର ଜାତକ ଦେଖିବାକୁ ନୁହେଁ ।” ମୁଁ ଚିକିତ୍ସା କରିଛି ଓ ପୂର୍ଣ୍ଣ ସାଫଲ୍ୟ ଅର୍ଜ୍ଜନ କରିଛି । ଦର୍ପଣ ପାଖକୁ ଯାଇ ଦେଖନ୍ତୁ, ଆପଣଙ୍କ ଶରୀରର ସବୁ ଚର୍ବି କୁଆଡେ ମିଳି ଯାଇଛି । ଆପଣ ବସିଲେ ଉଠିପାରୁ ନଥିଲେ । ଏବେ ତ ସିଂହ ପରି କୁଦାମାରି ଗର୍ଜ୍ଜନ କରି ମୋତେ ଦଣ୍ଡ ଦେବାକୁ ପ୍ରସ୍ତୁତ ହେଉଛନ୍ତି । ଆପଣଙ୍କର ଆଜି ଏ ପରିବର୍ତ୍ତନ ମୋ ଚିକିତ୍ସା ଯୋଗୁଁ ହୋଇ ନାହିଁ?”

ଏବେ ସନ୍ନ୍ୟାସୀଙ୍କ କଥାର ଅର୍ଥ ସମସ୍ତେ ଉପଲବ୍ଧି କରିପାରିଲେ । ରାଜା ଦର୍ପଣ ଆଗରେ ଠିଆ ହୋଇ ଦେଖିଲେ ସେ ଜଣେ ଯୁବକ ପରି ଦେଖା ଯାଉଛନ୍ତି । ରାଜା ନିଜର ଭୁଲ୍ ବୁଝିପାରିଲେ ଓ କ୍ଷମା ମାଗିଲେ । ତା’ପରେ ରାଜା ସେ ସନ୍ନ୍ୟାସୀଙ୍କୁ ତାଙ୍କ ରାଜ୍ୟରୁ ଅଧେ ଦେବାକୁ ମନ୍ତ୍ରୀମାନଙ୍କୁ ଆଦେଶ ଦେଲେ ।

କିନ୍ତୁ ସନ୍ନ୍ୟାସୀ କହିଲେ, “ମହାରାଜ, ମୁଁ ତ ସନ୍ନ୍ୟାସୀ ଲୋକ, ରାଜ୍ୟ ନେଇ କ’ଣ କରିବି? ଆପଣ ସୁଖରେ ରହନ୍ତୁ ଓ ପ୍ରଜାମାନଙ୍କ ମଙ୍ଗଳ ପାଇଁ କାମ କରନ୍ତୁ ସେଇହିଁ ମୋର ପୁରସ୍କାର ।”

ରାଜା ସନ୍ନ୍ୟାସୀଙ୍କୁ ପ୍ରଣାମ କରି କହିଲେ, “ମହାଶୟ, କୃପା କରି ମଝିରେ ମଝିରେ ରାଜଭବନକୁ ଆସି ମୋତେ ସଦ୍ବୁଦ୍ଧି ଦେଉଥିବେ । ମୋତେ ନିଜର ଶିଷ୍ୟ ପରି ମାନିବେ ।”

ଏହାପରେ ସନ୍ନ୍ୟାସୀ ରାଜାଙ୍କୁ ଆଶିର୍ବାଦ ଦେଇ ସେଠାରୁ ବିଦାୟ ନେଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ