ଶ୍ୟାମସୁନ୍ଦର ନାୟକ ଜଣେ ଅତି ଧର୍ମପରାୟଣ ବ୍ୟକ୍ତି ଥିଲେ । ମୁଣ୍ଡଝାଳ ତୁଣ୍ଡରେ ମାରି ବିଲ ବାଡିରେ କଠିନ ପରିଶ୍ରମ କରନ୍ତି । ଚାଷରୁ ଯାହା ଆୟ କରନ୍ତି, ନିଜର ପରିବାର ପ୍ରତିପୋଷଣ କରନ୍ତି । ଶ୍ୟାମସୁନ୍ଦର ଅତ୍ୟନ୍ତ ସାଧୁ ସ୍ୱଭାବର ମଣିଷ । ନୀତି ନିୟମର ମଣିଷ । ସେ ସମସ୍ତଙ୍କୁ ହୃଦୟର ସହିତ ଅତ୍ୟନ୍ତ ଭଲ ପାଉଥିଲେ ।
ଦିନକର ଘଟଣା । ଶ୍ୟାମସୁନ୍ଦର ଶାନ୍ତିରେ ଶୋଇଥିବା ଅବସ୍ଥାରେ ସେ ଗୋଟିଏ ସ୍ୱପ୍ନ ଦେଖିଲେ । ହଠାତ୍ ତାଙ୍କ ଶୋଇବା କୋଠରିଟି ଆଲୋକମୟ ହୋଇଗଲା । ସେହି ଆଲୋକମୟ କୋଠରି ଶ୍ୟାମସୁନ୍ଦରଙ୍କୁ ଲାଗିଲା ଯେମିତି ସେ କୋଠରି ସ୍ୱର୍ଗର ବୈକୁଣ୍ଠପୁର । ଚାରିଆଡ ଅନ୍ଧାର ଅଥଚ ତାଙ୍କ ଶୟନ କୋଠରିଟି ଆଲୋକରେ ପରିପୂର୍ଣ୍ଣ । ଶ୍ୟାମସୁନ୍ଦର ଆଖି ଖୋଲି ଚାରି ଆଡକୁ ଚାହିଁଲେ । ଦେଖିଲେ ତାଙ୍କ ଶୋଇବା କୋଠରିର ଚାରିଆଡ ଜହ୍ନିଫୁଲ ପରି ସୁନ୍ଦର ଆଲୋକ । ତାଙ୍କ କୋଠରିର ଗୋଟିଏ କୋଣରେ ଜଣେ ଦେବଦୂତ ତାଳପତ୍ର ଓ ଲେଖନୀରେ କ’ଣ ସବୁ ଲେଖି ଚାଲିଛନ୍ତି ।
ସେ ଦେବଦୂତ ଦେଖିବାକୁ ସୁନ୍ଦର ଓ ଅତ୍ୟନ୍ତ କମନୀୟ ରୂପ ତାଙ୍କର । ଦେବଦୂତଙ୍କୁ ଦେଖି କାହାକୁ ବା କାହିଁକି ଭୟ ଲାଗିବ? ଶ୍ୟାମସୁନ୍ଦର ନିର୍ଭୟରେ ଦେବଦୂତଙ୍କ ନିକଟକୁ ଗଲେ । ମନେ ମନେ ଚିନ୍ତା କଲେ ଏ ତ ନିଶ୍ଚୟ ଦେବଦୂତ, ଆଜି ମୋର ସୌଭାଗ୍ୟ, ମୋର ଏ ମାଟି ଝାଟି ଛପର ଘରେ ଦେବଦୂତଙ୍କର ଆବିର୍ଭାବ ।