ମହାଭାରତ

ମଣିମନ୍ତ ନଗରୀରେ ଇଲ୍ଲ୍ଳ ଓ ବାତାପି ନାମକ ଦୁଇଭାଇ ରହୁଥିଲେ । ସେମାନେ ବ୍ରାହ୍ମଣଙ୍କୁ ଅତିଥି ରୂପେ ବରଣ କରି, ସେମାନଙ୍କୁ ହତ୍ୟା କରୁଥିଲେ । ବାତାପି, ଛାଗ ରୂପ ଧାରଣ କରୁଥିଲା । ଇଲ୍ଲ୍ଳ ଏହି ଛାଗକୁ ବଧ କରି ଅତିଥି-ବ୍ରାହ୍ମଣଙ୍କୁ ଭୋଜନ ରୂପେ ଦେଇ କହୁଥିଲା ଯେ ବାତାପି ବାହାରକୁ ଆ । ବାତାପି, ସେହି ବ୍ରାହ୍ମଣଙ୍କର ପେଟ ଚିରି ବାହାରକୁ ଆସୁଥିଲା । ଫଳରେ ସେ ବ୍ରାହ୍ମଣଙ୍କର ମୃତ୍ୟୁ ଘଟୁଥିଲା ।

ଅଗସ୍ତ୍ୟ ମହାମୁନି ବିଦର୍ଭ ରାଜନନ୍ଦିନୀ ଲୋପାମୁଦ୍ରାଙ୍କୁ ବିବାହ କରିଥିଲେ । ତାଙ୍କ ଇଚ୍ଛା ପୂରଣ କରିବା ପାଇଁ, ଅଗସ୍ତ୍ୟଙ୍କୁ ଧନର ଆବଶ୍ୟକତା ପଡିଲା । ତିନି ଜଣ ରାଜାଙ୍କ ପାଖକୁ ଯାଇ, ସେ ନିରାଶ ହେଲେ । କାରଣ ରାଜ-ଆୟରୁ ସେତିକି ଧନ ଦାନ କରିବାର ସାମର୍ଥ୍ୟ ସେମାନଙ୍କର ନ ଥିଲା । ଅଗସ୍ତ୍ୟ ଜାଣିବାକୁ ପାଇଲେ ମଣିମନ୍ତର ନାଗରିକ ବାତାପୀ ଓ ଇଲ୍ଲ୍ଳ ଙ୍କ ପାଖରେ ଅପାର ଧନ ରହିଛି । ସେମାନଙ୍କୁ ଧନ ମାଗିବା ଉଦ୍ଧେଶ୍ୟରେ ସେଠାରେ ସେ ଯାଇ ପହଁଚିଲେ ।

ପୂର୍ବ ଅଭ୍ୟାସ ଅନୁସାରେ ଇଲ୍ଲ୍ଳ ବାତାପୀକୁ ଏକ ଛାଗରେ ପରିଣତ କରି, ତାହାର ମାଂସ ଅଗସ୍ତ୍ୟଙ୍କୁ ଖାଦ୍ୟ ରୂପେ ପରଷିଲା । ଅଗସ୍ତ୍ୟ ମାଂସ ଖାଇ, ହାକୁଟି ମାରି ଜୀର୍ଣ୍ଣ କରିଦେଲେ । ଇଲ୍ଲ୍ଳ ଚିତ୍କାର କଲା, “ବାତାପୀ, ବାହାରକୁ ଆ ।”

ଅଗସ୍ତ୍ୟ କହିଲେ, “ବାତାପୀର ଆଉ ଅସ୍ତିତ୍ୱ ନାହିଁ । ମୁଁ ତ ତାକୁ ଜୀର୍ଣ୍ଣ କରି ସାରିଲିଣି ।” ଏହା ଶୁଣି ଇଲ୍ଲ୍ଳ ଭୟରେ ଶେତା ପଡିଗଲା । ଅଗସ୍ତ୍ୟ ଓ ତାଙ୍କ ସହିତ ଆସିଥିବା ତିନି ରାଜାଙ୍କୁ, ସେମାନଙ୍କ ଇଚ୍ଛା ମୁତାବକ ଧନ ଦେଇ ସେ ବିଦା କଲା ।

ଧର୍ମରାଜ ଅଗସ୍ତ୍ୟଙ୍କ ସମ୍ବନ୍ଧରେ ଆଉ କେତେଗୁଡିଏ କାହାଣୀ ଶୁଣିଲେ । ଏକଦା ବିନ୍ଧ୍ୟ ପର୍ବତ ସୂର୍ଯ୍ୟ ଦେବଙ୍କୁ ଗର୍ବରେ କହିଲେ, “ତୁମେ ସର୍ବଦା ମେରୁ ପର୍ବତ ଚତୁର୍ଦ୍ଦିଗରେ ପ୍ରଦକ୍ଷିଣ କରୁଛ । ମୁଁ ତ ତାଙ୍କଠାରୁ ବି ଉଚ୍ଚ ଅଟେ । ମୋର ଚତୁର୍ଦ୍ଦିଗରେ ମଧ୍ୟ ପ୍ରଦକ୍ଷିଣ କର ।”

ତହୁଁ ସୂର୍ଯ୍ୟ ବିନମ୍ରରେ ଉତ୍ତର ଦେଲେ “ମୁଁ ମେରୁପର୍ବତ ଚତୁର୍ଦ୍ଦିଗରେ ନିଜ ଇଚ୍ଛାରେ ଘୁରୁନାହିଁ । ମୋ ପାଇଁ ଯେଉଁ ମାର୍ଗ ନିର୍ଦ୍ଧାରିତ ହୋଇଛି, ମୁଁ ସେହି ମାର୍ଗରେ ଯାତାୟତ କରୁଛି ।”

ଏହା ଶୁଣି ବିନ୍ଧ୍ୟ କ୍ରୋଧିତ ହେଲେ । ସୂର୍ଯ୍ୟ, ଚନ୍ଦ୍ର ଓ ଗ୍ରହମାନଙ୍କର ପ୍ରଦକ୍ଷିଣ ମାର୍ଗ ଅବରୋଧ କରିବା ପାଇଁ ବିସ୍ତୃତ କାୟାରେ ଦଣ୍ଡାୟମାନ ହୋଇଗଲେ । ଫଳରେ ଚତୁର୍ଦ୍ଦିଗ ଅନ୍ଧକାରମୟ ହୋଇଗଲା । ଦେବଗଣ ଅଗସ୍ତ୍ୟଙ୍କ ପାଖକୁ ଆସି ବିନତି କଲେ, “ମୁନିଶ୍ୱର, ଆପଣଙ୍କ ଶିଷ୍ୟ ବିନ୍ଧ୍ୟ, ଜୀବଜଗତଙ୍କୁ ପୁରାପୁରି ଅସ୍ତବ୍ୟସ୍ତ କରିଦେଲେଣି । ଆପଣ ତାଙ୍କୁ ନିଜ ନିୟନ୍ତ୍ରଣରେ ରଖି, ଏହି ବିପଦର ଅବସାନ କରାନ୍ତୁ ।”

ଏହା ଶୁଣି, ଅଗସ୍ତ୍ୟ ଓ ଲୋପାମୁଦ୍ରା ବିନ୍ଧ୍ୟ ପର୍ବତ ନିକଟରେ ଯାଇ ପହଁଚିଲେ । ଅଗସ୍ତ୍ୟ ତାଙ୍କୁ କହିଲେ, “ମୋର ଏକ ଜରୁରୀ କାମରେ ଦକ୍ଷିଣକୁ ଯାତ୍ରା କରିବାର ଅଛି । ପଥରୁ ହଟିଯାଅ ।” ବିନ୍ଧ୍ୟ ଅଗସ୍ତ୍ୟଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ କରି, ପଥରୁ ହଟିଗଲେ । ଅଗସ୍ତ୍ୟ ତାଙ୍କୁ ଆଦେଶ ଦେଲେ, “ମୁଁ ଫେରିବା ଯାଏଁ ତୁମେ ଏପରି ଭଙ୍ଗୀରେ ରହିଥାଅ ।” ସେହି ମହାମୁନି ଦକ୍ଷିଣ ଦିଗରୁ ଆଉ ମୋଟେ ଫେରିଲେ ନାହିଁ ଓ ବିନ୍ଧ୍ୟ ମଧ୍ୟ ନିଜ ଶିର ଆଉ ଉପରକୁ ଉଠାଇଲେ ନାହିଁ ।

କାଳକେୟ ନାମକ ଏକ ରାକ୍ଷସ ସମୁଦ୍ରରେ ବାସ କରୁଥିଲା । ରାତ୍ର କାଳରେ ସେ ସ୍ଥଳ ଭାଗକୁ ଆସି ବ୍ରାହ୍ମଣମାନଙ୍କ ଉପରେ ବହୁ ଅତ୍ୟାଚାର କରୁଥିଲା । ଦେବଗଣ ସମୁଦ୍ର ଭିତରେ ଆତ୍ମଗୋପନ କରୁଥିବା ଏହି ରାକ୍ଷସକୁ ଆଦୌ ମାରି ପାରୁ ନ ଥିଲେ । ଶେଷରେ ସେମାନେ ଯାଇ ଅଗସ୍ତ୍ୟଙ୍କ ପାଖରେ ଶରଣ ପଶିଲେ । ଅଗସ୍ତ୍ୟ ଏକ ଢୋକରେ ସମୁଦ୍ରର ଜଳ ରାଶିକୁ ଚଳୁ କରିଦେଲେ । ତଦ୍ୱାରା କାଳକେୟ ଓ ଅନେକ ରାକ୍ଷସ ବାହାରକୁ ଆସିଲେ । ଏହାପରେ ଯାଇ ଦେବତାମାନେ ତାଙ୍କୁ ବଧ କରିବାକୁ ସକ୍ଷମ ହେଲେ । ଏହି ସମୟରେ ଜଳଶୂନ୍ୟ ହୋଇଥିବା ସମୁଦ୍ର, ଭଗୀରଥ ଗଙ୍ଗାଙ୍କୁ ଧରିତ୍ରୀକୁ ଆଣିବା ସମୟରେ ପୁନଃ ଜଳମୟ ହୋଇଥିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ