ଏକଦା ଜଣେ ଦରିଦ୍ର ବ୍ୟକ୍ତି ନିଜର ଅଧ୍ୟବସାୟ ବଳରେ ବଡ ଶିଳ୍ପପତି ହୋଇଗଲେ । ମାତ୍ର ତାଙ୍କ ମନରେ ଆଦୌ ସୁଖ ନ ଥିଲା । ଏହାର ପ୍ରଧାନ କାରଣ ଥିଲା ତାଙ୍କର ଏକମାତ୍ର ପୁଅ ଧନଗର୍ବରେ ମତ ହୋଇ ସମସ୍ତଙ୍କୁ ଖରାପ ବ୍ୟବହାର ଦେଖାଉଥିଲା । ତାକୁ ଯେତେ ପ୍ରକାର ଶିକ୍ଷା ଦେଲେ ମଧ୍ୟ ସେ ବଦଳିଲା ନାହିଁ ।
ଦିନେ ଶିଳ୍ପପତି ପୁଅର ଏଭଳି ଦୁରାବସ୍ଥା ଜଣେ ସାଧୁବାବାଙ୍କୁ ଜଣାଇଲେ । ତହୁଁ ସାଧୁବାବା କହିଲେ, “ଏଇ ଛାର କଥାକୁ ଏତେ ଚିନ୍ତା କାହିଁକି? ଆସନ୍ତୁ ପୁଅକୁ ସାଥୀରେ ନେଇ ଏକ ଶୈଳନିବାସକୁ ଯିବା । ସେଇଠି ସେ ନିଜର ଭୁଲ୍ ବୁଝି ଠିକ୍ ବାଟକୁ ଆସିଯିବ ବୋଲି ମୋର ବିଶ୍ୱାସ ।”
ତହିଁ ପରଦିନ ଶିଳ୍ପପତି ତାଙ୍କର ପୁଅ ଓ ସାଧୁବାବା ତିନିହେଁ ଚାଲିଲେ ଏକ ଶୈଳନିବାସକୁ । ଚତୁର୍ଦ୍ଧିଗରେ ଜଙ୍ଗଲ ପାହାଡ ଘେରା ଶୈଳନିବାସର ମନୋରମ ଦୃଶ୍ୟ ସେମାନଙ୍କୁ ବିମୋହିତ କରିଦେଲା । ତିନିହେଁ ଦୃଶ୍ୟ ଦେଖି ଚାଲୁଥିବା ବେଳେ ହଠାତ୍ ପୁଅ ଝୁଂଟିପଡିଲା । ସୁତରାଂ ଅଜଣାତରେ ତା’ପାଟିରୁ ବାହାରି ପଡିଲା, ‘ଆଃ!’ ଠିକ୍ ସେତିକିବେଳେ ପୁଅର ‘ଆଃ’ କଥାକୁ ତାଳ ଦେଲା ପରି ଜଙ୍ଗଲ ଭିତରୁ ସେହିପରି ଶବ୍ଦ ଶୁଣାଗଲା ।
ଏହିକଥା ଶିଳ୍ପପତିର ପୁଅ ବୁଝିପାରିଲା ନାହିଁ । ସେ ମନେ ମନେ ଭାବି ବିସ୍ମିତ ହେଲା, ଏଭଳି ଶବ୍ଦ ଆସିଲା କୁଆଡୁ? ସୁତରାଂ ସେ ପୁଣି କହିଲା, “କିଏ ତୁମେ ମୋ କଥାରେ କଥା କହୁଛ?” ଠିକ୍ ଅବିକଳ ଏହି ଶବ୍ଦବି ପାହାଡ ଆଡୁ ପ୍ରତିଧ୍ୱନିତ ହେଲା ।
ଏଥର ଶିଳ୍ପପତିର ପୁଅ ଭାବିଲା କିଏ ବୋଧହୁଏ ତାକୁ ଥଟ୍ଟାକରି ଏଭଳି କହୁଛି । ସୁତରାଂ ସେ ପ୍ରଚଣ୍ଡ ରାଗିଯାଇ ଚିତ୍କାର କରି ପୁଣି କହିଲା, “ଭାରିତ ସାହସ ତୋର?”