ରାଜା ଓ ବିଦ୍ୱାନ

                ସେଠିକା ରାଜଦରବାରରେ ବିଶ୍ୱେଶ୍ୱର ଭଟ୍ଟ ନାମକ ଜଣେ ବିଶିଷ୍ଟ ପଣ୍ଡିତ ଥିଲେ  । ନୂଆ ରାଜା ଯେଉଁଦିନ ପ୍ରଥମ ଥର ପାଇଁ ଦରବାରକୁ ଆସିଲେ, ସେଦିନ ପରମ୍ପରା ଅନୁସାରେ ପଣ୍ଡିତ ବିଶ୍ୱେଶ୍ୱର ଭଟ୍ଟ ତାଙ୍କର ସ୍ତୁତିଗାନ କରି କହିଲେ, “ହେ ବୀରେନ୍ଦ୍ର ବୀରଭଦ୍ର! ଆପଣ ବୀରତ୍ୱରେ ଅର୍ଜୁନଙ୍କ ଭଳି, ସାହସରେ ବିକ୍ରମାଦିତ୍ୟଙ୍କ ଭଳି । ଆପଣଙ୍କର ମଙ୍ଗଳ ହେଉ!”

                ଏସବୁ ଶୁଣି ରାଜା ବୀରେନ୍ଦ୍ର ହସିଦେଲେ । ପଣ୍ଡିତ ଭଟ୍ଟ ଆଶ୍ଚର୍ଯ୍ୟ ହୋଇ ତାଙ୍କୁ ପଚାରିଲେ, “ମଣିମା! ଆପଣଙ୍କର ହସିବାର କାରଣ ମୁଁ କିଛି ଜାଣିପାରେ କି?”

                ରାଜା କହିଲେ, “କାରଣ କହିବି । କିନ୍ତୁ ପ୍ରଥମେ ତୁମେ କିପରି ଏ ରାଜସଭାରେ ପଣ୍ଡିତ ଆସନ ପାଇଲ, ସେକଥା କୁହ!”

ପଣ୍ଡିତେ କହିଲେ, “ଗୋଟିଏ ପଣ୍ଡିତ ପରିବାରରେ ମୋର ଜନ୍ମ । ମୋ ପିତା ତଥା ପିତାମହ ଜୟପୁର ରାଜସଭାରେ ପଣ୍ଡିତ ଥିଲେ । ମୋତେ ଯେତେବେଳେ ମାତ୍ର ବାରବର୍ଷ ବୟସ ହୋଇଥିଲା, ସେତେବେଳେ ମୋ ପିତା ମୋତେ ପୁରୀର ଗୋଟିଏ ଶାସ୍ତ୍ରବିଦ୍ୟାଳୟକୁ ପଠାଇଦେଲେ । ସେଠାରେ ମୁଁ କୋଡିଏ ବର୍ଷ ଶିକ୍ଷାଲାଭ କରିବା ପରେ ମୋତେ ମୋ ଗୁରୁଦେବ ଏଠାକାର ପୂର୍ବତନ ରାଜାଙ୍କ ନିକଟକୁ ପଠାଇଦେଲେ । ସେତେବେଳେ ଏ ଦରବାରରେ ଦୁଇଜଣ ବିଶିଷ୍ଟ ବିଦ୍ୱାନ ଥିଲେ । ସେ ଦୁହେଁ ମୋତେ ପରୀକ୍ଷା କଲେ । ତା’ପରେ ଯାଇ ରାଜା ମୋ ଉପରେ ସନ୍ତୁଷ୍ଟ ହୋଇ ମୋତେ ସଭା ପଣ୍ଡିତର ମର୍ଯ୍ୟାଦା ଦେଲେ ।

ପଣ୍ଡିତଙ୍କ ସମସ୍ତ କଥା ଶୁଣି ସେ ନୂଆ ରାଜା ପୁଣି ହସିଲେ ଓ କହିଲେ, “ମୁଁ ସେହିକଥା ପାଇଁ ହସୁଥିଲି । ତୁମେ କୋଡିଏ ବର୍ଷ ସାଧନା କରି ଏ ପଦ ପାଇଛ । ମୁଁ ମାତ୍ର ପାଞ୍ଚବର୍ଷ କୁସ୍ତି ଓ ସାମରିକ ବିଦ୍ୟା ଶିଖି ରାଜା ହେଲି । ପାଞ୍ଚବର୍ଷ ତଳେ ଆମ ଗାଁକୁ କଳିଙ୍ଗରୁ ଜଣେ ବିଖ୍ୟାତ କୁସ୍ତିବିଦ୍ ଆସିଥିଲେ । ସେ ସମସ୍ତଙ୍କୁ ହରାଇଦେଲେ । କୁସ୍ତି ଶିଖିବାରେ ମୋର ଆଗ୍ରହ ଦେଖି ସେ ମୋତେ ତାଙ୍କ ଶିଷ୍ୟ କରି ନେଇଗଲେ । ଦୁଇବର୍ଷ କୁସ୍ତି ଶିଖିବା ପରେ ଆଉ ତିନିବର୍ଷ ଜଣେ ଅବସରପ୍ରାପ୍ତ ସେନାପତିଙ୍କଠାରୁ ଅସ୍ତ୍ର ଶସ୍ତ୍ର ବିଦ୍ୟା ଶିଖିଲି । ଏହିପରି ଭାବେ ମୋର ସର୍ବମୋଟ ସାଧନା ପାଞ୍ଚ ବର୍ଷ । ତମର କୋଡିଏ ବର୍ଷ । ତଥାପି ତମେ ମୋର ପ୍ରଶସ୍ତି ଗାନ କରୁଛ । ଏହା ବିଡମ୍ବନା ନୁହେଁ କି?”

ନୂଆ ରାଜାଙ୍କ ଏଭଳି ମନ୍ତବ୍ୟ ଶୁଣି ସେ ପଣ୍ଡିତ ଗମ୍ଭୀର ହୋଇ କହିଲେ, “ମଣିମା! ମୋର ଧୃଷ୍ଟତା ମାର୍ଜନା କରିବେ । ଜଣେ ଯେତେବେଳେ ରାଜାଙ୍କୁ ସମ୍ବୋଧନ କରେ, ସେତେବେଳେ ତା’ଆଗରେ କେବଳ ଜଣେ ବ୍ୟକ୍ତି ନଥାନ୍ତି । ରାଜପଦର ଏକ ମହାନ୍ ପରମ୍ପରା ରହିଛି । ରାଜା କହିବା ମାତ୍ରେ ଆମେ ରାଜା ଭରତ, ରାଜା ରାମଚନ୍ଦ୍ରଙ୍କଠୁଁ ଆରମ୍ଭ କରି ରାଜା ହରିଶ୍ଚନ୍ଦ୍ର, ରାଜା ଶିବି– ଏ ସମସ୍ତଙ୍କ ସ୍ମୃତିକୁ ମନରେ ବହନ କରିଥାଉଁ । ତା’ଛଡା ରାଜାଙ୍କ କାମ ପ୍ରଜାଙ୍କୁ ରକ୍ଷା କରିବା । ସୁରକ୍ଷିତ ରହିଥିଲେ ସିନା ଜଣେ ପାଣ୍ଡିତ୍ୟ ଅର୍ଜନ କରିବ! ତେଣୁ ପାଣ୍ଡିତ୍ୟ ଅର୍ଜନ କାଠିକର ହେଲେ ବି ସ୍ଥୁଳ ଓ ବାସ୍ତବ କ୍ଷେତ୍ରରେ ରାଜାଙ୍କ ପାଖରେ ପଣ୍ଡିତକୁ ନମ୍ର ରହିବାକୁ ପଡେ । କିନ୍ତୁ ଏକଥା ଠିକ୍ ଯେ ରାଜାଙ୍କୁ କେବଳ ତାଙ୍କରି ପ୍ରଜାଏଁ ହିଁ ମାନ୍ୟ କରନ୍ତି । ମାତ୍ର ପଣ୍ଡିତଙ୍କୁ ସମସ୍ତେ ମାନ୍ୟ କରନ୍ତି ।”


ଗପ ସାରଣୀ

ତାଲିକାଭୁକ୍ତ ଗପ