ଶକ୍ତି-ଯୁକ୍ତି

ତା’ପରେ ସେ ଏକ ସୁନ୍ଦର ପୁସ୍ତକାଳୟ ତିଆରି କରିବାକୁ ମନସ୍ଥ କଲେ । ଏକଥା ସେ ଘୋଷଣା କରିବା ପରେ ପରେହିଁ ରାଜାଙ୍କ ଲୋକ ଆସି ସେଠାରେ ଏକ ପୁସ୍ତକାଳୟ ତିଆରି କରିଦେଲେ । ଶମ୍ଭୁଦତ ପୁଣି ହତାଶ ହେଲେ ।

ଏଥର ଛ ମାସ ଧରି ଶମ୍ଭୁଦତ ଆଉ କୌଣସି ନୂଆ ଯୋଜନା ପ୍ରସ୍ତୁତ କଲେ ନାହିଁ । ଦିନେ ରାଜା ତାଙ୍କୁ ରାଜଧାନୀକୁ ଡକାଇଲେ । ଶମ୍ଭୁଦତ ଯାଇ ରାଜାଙ୍କୁ ଦେଖାକଲେ । ସେଠାରେ ମନ୍ତ୍ରୀ ଧର୍ମକୀର୍ତ୍ତି ଉପସ୍ଥିତ ଥିଲେ । ମନ୍ତ୍ରୀ ଅଳ୍ପ ହସି କହିଲେ, “ଶମ୍ଭୁଦତ, ମୋଟେ ଆଶ୍ଚର୍ଯ୍ୟ ହୁଅ ନାହିଁ; ମୁଁ ଏବେ ତୁମକୁ ଏକ ସମ୍ବାଦ ଦେବି । ଦିନେ ଦୁଇଜଣ ଯାତ୍ରୀ ତୁମ ଘରେ ରାତିରେ ଅତିଥି ଭାବରେ ରହିଥିଲେ, ସେକଥା ତୁମର ମନେ ଅଛି ତ? ସେମାନେ ଆଉ କେହି ନୁହଁନ୍ତି ମୁଁ ଓ ଆମର ରାଜା । କଥାବାର୍ତ୍ତା ମଧ୍ୟରେ ଆମେ ଜାଣିଲୁ ଯଶପ୍ରାପ୍ତ କରିବା ପାଇଁ ତୁମର ବହୁତ ଆଗ୍ରହ ଅଛି । ତୁମ ପିତାଙ୍କର ଯୋଗ୍ୟପୁତ୍ର ପ୍ରମାଣିତ କରିବାର ଇଚ୍ଛା ରହିବାତ ତୁମର ସ୍ୱାଭାବିକ୍ । କିନ୍ତୁ ସେଥିପାଇଁ ପ୍ରଜାମାନେ ଅସୁବିଧାରେ ପଡନ୍ତୁ ସେଇଟା ମୁଁ ଆଦୌ ପସନ୍ଦ କରୁନାହିଁ । ସେହି ବିଷୟରେ ତୁମକୁ ଏକ ଉଚିତ୍ ଶିକ୍ଷା ଦେବାପାଇଁ ପ୍ରତ୍ୟେକ ପଦକ୍ଷେପରେ ତୁମ ଯୋଜନାକୁ ବିଫଳ କରାଯାଇଛି । କାରଣ ଆମ ପାଇଁ ଯଶ ବେଶି ମୂଲ୍ୟବାନ୍ ନୁହେଁ, ମୂଲ୍ୟବାନ୍ ହେଉଛି ପ୍ରଜାଙ୍କର ମଙ୍ଗଳ । ଏବେ କୁହ ଆମ ମହାରାଜାଙ୍କ ଯୋଜନା ତୁମକୁ କିପରି ଲାଗିଲା?”

ଶମ୍ଭୁଦତ ବିନମ୍ରତାର ସହିତ କହିଲେ “ମହାରାଜ, ମୋତେ କ୍ଷମା କରନ୍ତୁ; ଆପଣ ଦୁହେଁ ଯେତେବେଳେ ମୋର ଆତିଥ୍ୟ ସ୍ୱୀକାର କରିଥିଲେ ମୁଁ ସେତେବେଳେ ଆପଣମାନଙ୍କୁ ରାଜା ଓ ମନ୍ତ୍ରୀ ବୋଲି ଭଲ ଭାବରେ ଜାଣିଥିଲି । କାରଣ ଆପଣମାନେ ଆତିଥ୍ୟସ୍ୱୀକାର କରିବା ପରେ ଯେଉଁ ସବୁ ଆଲୋଚନା କରଥିଲେ ତାହା ଆପଣ ଦୁଇଜଣଙ୍କ ବ୍ୟତୀତ ଅନ୍ୟ କାହା କ୍ଷେତ୍ରରେ ବି ସମ୍ଭବ ନୁହେଁ । ପୁଣି ମୁଁ ଯେଉଁ କାର୍ଯ୍ୟ କରିବା ପାଇଁ ଯୋଜନା କରୁଛି ତାହା ରାଜାଙ୍କ ଦ୍ୱାରା ତତ୍କ୍ଷଣାତ୍ କାର୍ଯ୍ୟକାରୀ ହେଉଛି; ଏସବୁ ଅନୁଧ୍ୟାନ କରି ମୁଁ ସବୁ କିଛି ବୁଝି ପାରିଥିଲି ।”

ମନ୍ତ୍ରୀ ଧର୍ମକୀର୍ତ୍ତି ଅଳ୍ପ ରାଗିଯାଇ କହିଲେ, “ଅର୍ଥାତ୍ ତମେ ଜାଣି ମଧ୍ୟ ନିଜର ଆସ୍ପର୍ଦ୍ଧାକୁ କାର୍ଯ୍ୟକାରୀ କରିବା ପାଇଁ ମହାରାଜଙ୍କ ସହିତ ପ୍ରତିଯୋଗୀତା କରୁଥିଲ?”

ଏକଥା ଶୁଣି ଶମ୍ଭୁଦତ ବିନୟ ହୋଇ କହିଲେ, “ମୁଁ ପୁଣି ଅନୁରୋଧ କରୁଛି ଯେ ଆପଣମାନେ ମୋତେ କ୍ଷମା କରନ୍ତୁ । ସେହିଦିନ ମୁଁ ବୁଝିଥିଲି ଯେ ମୋର ଯଶ ଅପେକ୍ଷା ପ୍ରଜାଙ୍କର କଲ୍ୟାଣହିଁ ଶ୍ରେୟ । ମୁଁ ଯେଉଁ ସବୁ ଯୋଜନା ବନାଇଥିଲି ସେସବୁ ମୁଁ ହୁଏତ କାର୍ଯ୍ୟକାରୀ ମଧ୍ୟ କରିପାରି ନଥା’ନ୍ତି । ଅଥଚ ପ୍ରତିଯୋଗିତା ଭାବ ଯୋଗୁଁ ସେସବୁ ମହାରାଜାଙ୍କ ଦ୍ୱାରା କାର୍ଯ୍ୟକାରୀ ହେଲା । ମୋ ପରି ଏକ ସାଧାରଣ ବ୍ୟକ୍ତି ପକ୍ଷରେ ଧର୍ମଶାଳା ଓ ପୁସ୍ତକାଳୟ ସ୍ଥାପନ କରିବା ସମ୍ପୂର୍ଣ୍ଣ ଅସମ୍ଭବ ଥିଲା, ସେସବୁ ଯଦି ରାଜକୋଷର ଧନରେ ହେଲା ତେବେ ତ ପ୍ରଜାଙ୍କ ପାଇଁ ତାହା ଅତି ଉତ୍ତମ କାର୍ଯ୍ୟ ହେଲା । କେବଳ ସେତିକି ନୁହେଁ ପ୍ରଜାମାନଙ୍କର କିଛି ଦରକାର ହେଲେ ସେମାନେ କୁହନ୍ତି, “ଶମ୍ଭୁଦତ, ତୁମେ ସଂକଳ୍ପ କର; କାର୍ଯ୍ୟ ଆପଣା ଛାଏଁ ହୋଇଯିବ ।”

ଏକଥା ଶୁଣି ରାଜା ରାଗିଯାଇ କହିଲେ, “ତୁମ କଥାର ଅର୍ଥ ଏହି ଯେ ଆମର ଧନ ଓ ଶ୍ରମର ଉପଯୋଗ ତୁମର ଯଶପ୍ରାପ୍ତି ପାଇଁ ହେଲା?”

ଶମ୍ଭୁଦତ ନମ୍ର ଭାବରେ କହିଲେ, “ମହାରାଜ, ସେପରି କିଛି ନୁହେଁ । ମୁଁ ଯଦି କହିଥା’ନ୍ତି କି ତୁମର ଆବଶ୍ୟକୀୟ ସବୁକିଛି ଜିନିଷ ମୁଁ ମହାରାଜଙ୍କୁ ନିବେଦନ କରି ଆଣିଛି ତେବେ ଆପଣଙ୍କ ଧନ ଓ ଶ୍ରମ ଉପରେହିଁ ମୋର ଯଶ ପ୍ରାପ୍ତ ହୋଇଥା’ନ୍ତା । କିନ୍ତୁ ମୁଁ ଯାହା କରିଛି ତାହା ଲୋକକଲ୍ୟାଣ ପାଇଁ । ମୋର କେବେ କୌଣସି ସ୍ୱାର୍ଥ ନଥିଲା, କି ଏବେ ମଧ୍ୟ ନାହିଁ । କୃପାକରି ଆପଣ ଏକଥା ଭଲଭାବରେ ବୁଝି ରଖନ୍ତୁ ।”

ଏକଥା ଶୁଣି ରାଜା ବିଜୟବର୍ମା ଅତି ପ୍ରଶନ୍ନ ହୋଇ କହିଲେ, “ସାବାସ୍ ଶମ୍ଭୁଦତ, ମୁଁ ତୁମକୁ ଭୁଲ୍ ଭାବିଥିଲି । ତୁମେ ପ୍ରକୃତରେ ତୁମ ପିତାଙ୍କ ଯୋଗ୍ୟ ପୁତ୍ର । ତୁମ ପିତା ନିଜର ଶକ୍ତି ଅନୁସାରେ ପ୍ରଜାଙ୍କର ସେବା କରୁଥିଲେ ଆଉ ତୁମେ ତୁମର ଯୁକ୍ତିବଳରେ ସବୁକିଛି କରି ପାରୁଛ ।”

ରାଜା ଶମ୍ଭୁଦତଙ୍କୁ ଯଥୋଚିତ ସମ୍ମାନ କଲେ ଓ ତାଙ୍କୁ ଜନତା-ସେବକ ଭାବରେ ସୁନାମ ଅର୍ଜ୍ଜନ କରିବା ପାଇଁ ସୁବିଧା ସୁଯୋଗ ମଧ୍ୟ ଦେଲେ । ଏବେ ଶମ୍ଭୁଦତଙ୍କ ଜୀବନ ସୁଖମୟ ହେଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ