ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଶିବ କୃପା

ନନ୍ଦୀପୁର ଗ୍ରାମରେ ନୃସିଂହ ନାମକ ଜଣେ ନଡିଆ ବ୍ୟବସାୟୀ ତା’ର ନବବିବାହିତା ପତ୍ନୀ ନର୍ମଦା ସହିତ ରହୁଥାଏ । ତା’ର ଏକ ଅଜବ ଧାରଣା ଥାଏ ଯେ ସ୍ତ୍ରୀକୁ ସେ କେବେବି କୋମଳ ବ୍ୟବହାର କରିବ ନାହିଁ କାହିଁକିନା କଲେ ସେ ଆରମ୍ଭରୁ ତା’ ମୁଣ୍ଡ ଉପରେ ବସିବ ।

      ଦିନେ ନର୍ମଦା ତା’ ସ୍ୱାମୀକୁ କହିଲା, “ଶୁଣ, ଆଜି ସଂଧ୍ୟାରେ ଟିକିଏ ଶିଘ୍ର ଆସିଯିବ । ଆମେ ଶିବ ମନ୍ଦିରକୁ ଯାଇ ପୂଜା ଦେଇ ଫେରି ଆସିବା ।”

      ବାସ୍ ଏତିକି କଥା ଶୁଣି ସେ ରାଗିଯାଇ କହିଲା, “ମୁଁ କେତେବେଳେ ଆସିବି ତୁମର ସେଥିରେ କ’ଣ ଯାଏ ଆସେ? ତମେ କିଏ ଯେ ମୋର ଫେରିବାର ସମୟ ଧାର୍ଯ୍ୟ କରିବ?” ତା’ପରେ ସେ ସେଠାରୁ ରାଗିଯାଇ ଗୋଡ କଚାଡି ଚାଲିଗଲା । ବିଚାରା କୋମଳମତି ନର୍ମଦା ବହୁତ କାନ୍ଦିଲା, କାରଣ ତା କଥାରେ ଏତେ ବେଶି ରାଗିବାର ତ କିଛି କାରଣ ହିଁ ନଥିଲା । ଯାହା ହେଉ ଚୁପ୍ଚାପ୍ ସେ ସହି ନେଲା । ଗୋଟିଏ ସପ୍ତାହ ଲକ୍ଷ୍ୟ କରି ସେ ଦେଖିଲା, ରାଗିବାଟା ହେଉଛି ନୃସିଂହର ଅଭ୍ୟାସ । ସୁବିଧା ପାଇଲେ ନୃସିଂହ ରାଗେ ଓ ନର୍ମଦା କୌଣସିମତେ କଥା ଚଳାଇ ନିଏ ।

      ଦିନେ ସଂଧ୍ୟା ସମୟରେ ନର୍ମଦାର ବାପାଙ୍କ ମିତ୍ର ଶଙ୍କର ମଉସା ଆସିଲେ । ସେ ଶିବ ମନ୍ଦିରର ପୂଜକ ମଧ୍ୟ ଥିଲେ । ନର୍ମଦାର ବିବାହ ସମୟରେ ତାଙ୍କ ପତ୍ନୀଙ୍କ ଅସୁସ୍ଥତା ହେତୁ ସେ ଆସିପାରି ନଥିଲେ । ଏ ଗାଁକୁ ସେ କୌଣସି କାମରେ ଆସିଥିଲେ; କାମ ସରିବା ପରେ ଭାବିଲେ ଥରେ ନର୍ମଦାକୁ ଦେଖିଯିବେ ।

      ନର୍ମଦା ତ ସବୁବେଳେ ଘର ଭିତରେ କାମରେ ଲାଗିଥାଏ; ତା’ସଙ୍ଗେ କଥା କହିବାକୁ ତ କେହି ନାହିଁ, ସ୍ୱାମୀ ତ କଥାବାର୍ତ୍ତା ବେଶି କରିବାକୁ ପସନ୍ଦ କରନ୍ତି ନାହିଁ । ଶଙ୍କର ମଉସାଙ୍କୁ ଦେଖି ନର୍ମଦା ଖୁସି ହୋଇ ତାଙ୍କୁ ଘର ଭିତରକୁ ଡାକିନେଲା ଓ ବାପ ଘରର ସମସ୍ତିଙ୍କ ବିଷୟରେ ଭଲ ମନ୍ଦ ପଚାରି ବୁଝିଲା । ତା’ପରେ ସେ ନୃସିଂହକୁ ଖବର ଦେବାକୁ ଘର ଭିତରକୁ ଗଲା । ସେତେବେଳେ ତ ସେ ନୃସିଂହ ହିସାବ ଖାତା ଧରି କାମରେ ଲାଗିଥାଏ । ଏ ଖବର ଶୁଣି ରାଗରେ ଜଳି ଉଠି ଚିତ୍କାର କରି ସେ କହିଲା, “କ’ଣ କହିଲ? ତାକୁ ଖାଇବାକୁ ଦେଇସାରି ପଠାଇବ? କ’ଣ ମୋ ଘରେ ମାଗଣା ଧନ କେଉଁଠୁ ଆସୁଛି କି? ତୁମେ ଯାଇ କୌଣସି ବାହାର ଲୋକଙ୍କ ସହିତ ମିଳାମିଶା କରିବାଟା ମୁଁ ଆଦୌ ପସନ୍ଦ କରେନାହିଁ, ଭବିଷ୍ୟତରେ ଏ ଘର ଭିତରକୁ ଯେପରି ତମେ ଆଉ କାହାକୁ ବି ନ ଡାକ । ଡାକିଲେ ଦେଖିବ ତା’ର ଫଳ କ’ଣ ହେବ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ