ନାରଦ ମନେ ମନେ ବିରକ୍ତ ହୋଇ ଭାବିଲେ ଏଠି ଅଯଥା ସମୟ ନଷ୍ଟକରି କିଛି ଲାଭ ନାହିଁ । ବର୍ତ୍ତମାନ ଯାଇ ବିଷ୍ଣୁଙ୍କୁ ଭେଟି ତାଙ୍କର ଉଦ୍ଧେଶ୍ୟ ସମ୍ପର୍କରେ ପଚାରିବାକୁ ପଡିବ । ନାରଦ ମର୍ତ୍ତ୍ୟପୁର ତ୍ୟାଗକରି ସ୍ୱର୍ଗକୁ ଯାଇ ସିଧା ସଳଖ ଚାଲିଲେ ବିଷ୍ଣୁଙ୍କ ପୁରକୁ । ନାରଦଙ୍କ ଏ ଅବସ୍ଥା ଦେଖି ବିଷ୍ଣୁ ଖୁବ୍ ହସିଲେ ଏବଂ କହିଲେ – “ମୋ ଉପରେ ତ ତୁମେ ବହୁତ ରାଗି ଥିବାର ଜଣା ପଡୁଛ । ତେବେ ମୋର ଆଉ ଗୋଟିଏ ଛୋଟ କାମ କରିଦିଅ । ତା’ପରେ ବୁଝିବା ତୁମ ରାଗିବାର କାରଣ ।”
ଏକଥା କହି ବିଷ୍ଣୁ ନାରଦଙ୍କୁ ଗୋଟିଏ ଗୋଟିଏ ପାଣି ଭର୍ତ୍ତି ହୋଇଥିବା ମାଠିଆ ଦେଖାଇ ଦେଲେ ଏବଂ ମାଠିଆଟିକୁ ମୁଣ୍ଡରେ ରଖି ଗୋଟିଏ ଚକା ଚାରିପଟେ ବୁଲିବାକୁ କହିଲେ । ସେ ନାରଦଙ୍କୁ ସାବଧାନ କରି ଦେଲେଯେ, ଯେପରି ମାଠିଆରୁ ଟୋପେ ହେଲେ ପାଣି ତଳେ ନପଡେ । ନାରଦ ବିଷ୍ଣୁଙ୍କ କଥା ଶୁଣି ଆଶ୍ଚର୍ଯ୍ୟ ହେଲେ ମଧ୍ୟ କିଛି ନକହି ମାଠିଆକୁ ମଣ୍ଡରେ ମୁଣ୍ଡେଇ ବୁଲିବାକୁ ଲାଗିଲେ ।
ଅଳ୍ପ କେତେଥର ବୁଲିବା ପରେ ବିଷ୍ଣୁ ନାରଦଙ୍କୁ କହିଲେ ଆଉ ବୁଲିବା ଦରକାର ନାହିଁ । ତା’ପରେ ବିଷ୍ଣୁ ହସି ହସି କହିଲେ ନାରଦ, ମାଠିଆକୁ ମୁଣ୍ଡରେ ମୁଣ୍ଡେଇ ବୁଲୁଥିବା ସମୟରେ ମୋର ନାମ ତୁମେ କେତେଥର ସ୍ମରଣ କରିଛ?
ନାରଦ ବଡ ଅଡୁଆରେ ପଡିଗଲେ । ସେ ମାଠିଆକୁ ମୁଣ୍ଡରେ ମୁଣ୍ଡେଇ ବୁଲୁଥିବା ସମୟରେ ଥରେ ହେଲେ ମଧ୍ୟ ବିଷ୍ଣୁଙ୍କ ନାମ ସ୍ମରଣ କରିନଥିଲେ । ବିଷ୍ଣୁଙ୍କ ପ୍ରଶ୍ନରେ ନାରଦ ଉତ୍ତର ଦେଲେ ପ୍ରଭୁ ଆପଣ କହିଥିଲେ ମାଠିଆକୁ ମୁଣ୍ଡେଇ ବୁଲିବା ସମୟରେ ମାଠିଆରୁ ଯେମିତି ଟୋପାଏ ପାଣି ତଳେ ନପଡେ, ତେଣୁ ମୁଁ ମାଠିଆକୁ ମୁଣ୍ଡରେ ମୁଣ୍ଡେଇବା ସମୟରେ ମୁଁ ଧ୍ୟାନ ଦେଲି ଯେପରି ମାଠିଆରୁ ଟୋପାଏ ହେଲେ ପାଣି ତଳେ ନପଡୁ । ସେଇକଥାକୁ ଲକ୍ଷ୍ୟରଖି ମୁଁ ଆପଣଙ୍କ ନାମ ସ୍ମରଣ କରିବା କଥା ପୁରାପୁରି ଭୁଲି ଯାଇଥିଲି ।
ବିଷ୍ଣୁ ହସି ହସି କହିଲେ – ନାରଦ! ତୁମେ ମନ ଦୁଃଖ କରୁଥିଲଯେ, ଚାଷୀଟି ଦିନକୁ ମାତ୍ର ତିନିଥର ମୋ ନାମ ନେଇ କିପରି ତମ ଠାରୁ ଶ୍ରେଷ୍ଠ ହୋଇଗଲା । ବିଚାରୀ ଚାଷୀଟିର ଦାୟିତ୍ୱ ଅନେକ, ତା’ ମୁଣ୍ଡରେ ବହୁତ ବୋଝ । ଏତେ ବୋଝ ବୋହିବା ସତ୍ତ୍ୱେ ମଧ୍ୟ ସେ ତ ମୋ ନାମ ଦିନକୁ ତିନିଥର ନେବାକୁ ଭୁଲୁ ନାହିଁ । ସେଇଟା କ’ଣ ଯଥେଷ୍ଟ ନୁହେଁ । ନିଜର କର୍ମକୁ ଈଶ୍ୱରଙ୍କୁ ସମର୍ପି ଦେଲେ କର୍ମର ବୋଝ ହାଲୁକା ହୋଇଯାଏ । ଦୁଃଖ ଓ ଶୋକ ସବୁବେଳେ ରହିଛି ଓ ରହିଥିବ । ମଣିଷକୁ ପ୍ରତ୍ୟେକ ଅବସ୍ଥାରେ ତାକୁ ସାମ୍ନା କରିବାକୁ ହେବ । ସବୁ କିଛିର କାରଣ ଭାବେ ଭଗବାନଙ୍କୁ ଗ୍ରହଣ କରିନେଲେ ସୁରୁଖୁରୁରେ ସମୟ ଏବଂ ଜୀବନ କଟିଯାଇ ପାରିବ । ନାରଦ ଏଥର ତାଙ୍କ ଭୁଲ୍ ବୁଝିଗଲେ ।