ସାହସୀ

ତେଣୁ ସେ ଅନୁନୟ କଲା ପରି ସ୍ୱରରେ କହିଲା, “ଭାଇ, ଏବେ ଆମ ପାଖରେ ଫଟା କଉଡିଟିଏ ବି ନାହିଁ । ଦୟାକରି ମୋତେ ଓ ମୋର ଭାଇକୁ ଭିତରକୁ ଯିବାକୁ ଦିଅ । ମୋ ପାଖରେ କେବଳ ଏଇ ସୁନାମୁଦିଟି ଅଛି । ଯଦି ରାଜା କୃପା କରି ମୋତେ ଓ ମୋ ଭାଇକୁ କିଛି ଉପହାର ଦିଅନ୍ତି, ତେବେ ଆମେ ଗଲାବେଳେ ତୁମକୁ ଏହି ମୁଦିଟି ଭେଟି ସ୍ୱରୂପ ଦେଇଦେବୁ ।”

“ଭେଟି ଦେବାକୁ ଚାହୁଁଛ ଯଦି, ତେବେ ଏବେଠାରୁ ଦେଇଯାଅ ।” ଏପରି କହି ଦ୍ୱାରପାଳ ବଳପୂର୍ବକ ସେମାନଙ୍କ ହାତରୁ ମୁଦିଟିକୁ ଛଡାଇ ଆଣିଲା ।

ଭିତରେ ପ୍ରବେଶ କରିବା କ୍ଷଣି ରାଜା ସେ ଦୁଇଭାଇଙ୍କୁ ହଠାତ୍ ଚିହ୍ନି ପକାଇଲେ ଓ କଠୋର ସ୍ୱରରେ ସେମାନଙ୍କୁ ପ୍ରଶ୍ନ କଲେ, “ପୁଣି କେଉଁ କାମରେ ତୁମେ ଦୁହେଁ ଏଠାକୁ ଆସିଲ?”

ସୋମଦେବ ଅତ୍ୟନ୍ତ ବିନୀତ ଭାବେ ସବୁ ଘଟଣା ବର୍ଣ୍ଣନା କଲା ଓ ଶେଷକୁ କହିଲା, “ମହାରାଜ! ଲାଂଚ ରୋଗ ବାଘଠାରୁ ମଧ୍ୟ ଖୁବ୍ ଭୟଙ୍କର ଅଟେ, ଯଦି ଆପଣ ଭାବୁଛନ୍ତି ଯେ, ମୁଁ ମିଛ କହୁଛି, ତେବେ ଦ୍ୱାରପାଳକୁ ପାଖକୁ ଡାକି ପରୀକ୍ଷା କରନ୍ତୁ । ତା’ ହାତରେ ମୋର ନୀଳ ପଥରବସା ମୁଦି ନିଶ୍ଚୟ ରହିଥିବ ।”

ସୋମଦେବର କଥା ଶୁଣି ରାଜାଙ୍କ ମୁଖମଣ୍ଡଳରେ ହଠାତ୍ ଆନନ୍ଦର ଭାବ ସଂଚାର ହେଲା । ସେ ସୋମଦେବଙ୍କୁ ପ୍ରଶଂସା-ପୂର୍ଣ୍ଣ ନେତ୍ରରେ ଚାହିଁ କହିଲେ, “ତୁମେ ଠିକ୍ କହୁଛ, ଲାଂଚ ନେବା ବାଘଠାରୁ ମଧ୍ୟ ଭୟଙ୍କର ଅଟେ । କିଛି ଦିନ ହେଲା ମୋତେ ଏହାର ସୁରାକ୍ ମିଳିଥିଲା । ଏହା ଏକ ଭୟାବହ ସଂକ୍ରାମକ ବ୍ୟାଧିର ରୂପ ଧାରଣ କରିଛି । କିନ୍ତୁ କେତେଜଣ ସଚ୍ଚୋଟ ଲୋକଙ୍କ ସାହାଯ୍ୟ ବିନା ଏହାର ନିରାକରଣ ମୋଟେ ସମ୍ଭବ ନୁହେଁ । ମୁଁ ଅପେକ୍ଷା କରିଥିଲି ଯେ, କେଉଁଦିନ ମୋ ରାଜ୍ୟର କୌଣସି ସାଧୁଲୋକ ସତ୍ସାହସ ପ୍ରକାଶ କରି ଏହା ବିରୁଦ୍ଧରେ ଅଭିଯୋଗ ଆଣି ମୋ ପାଖରେ ପହଁଚିବ । ଆଜି ସେହି ସୁଦିନ ଆସିଛି । ତୁମେ ଦୁଇଜଣ ଦେବଦୂତଙ୍କ ପରି ମୋ ସମ୍ମୁଖରେ ଉପସ୍ଥିତ ହୋଇଛ ।”

ରାଜାଙ୍କ ଠାରୁ ଏପରି ବାଣୀ ଶୁଣି ସୋମଦେବ ଭାବବିହ୍ୱଳ ହୋଇ ଉଠିଲା ଓ ରାଜାଙ୍କୁ ବାରମ୍ବାର ପ୍ରଣାମ ଜଣାଇଲା ।

ଗୋଟିଏ କ୍ଷଣ ପରେ ରାଜା କହିଲେ, “ସୋମଦେବ! ଆଜିଠାରୁ ତୁମକୁ ରାଜକର୍ମଚାରୀଙ୍କ ଉପରେ ଅଧ୍ୟକ୍ଷକ ପଦବୀରେ ନିଯୁକ୍ତ କରାଗଲା । ତୁମେ ସେମାନଙ୍କର କାର୍ଯ୍ୟ ଉପରେ ସତର୍କ ଦୃଷ୍ଟି ରଖିବ । ଯେତେ ବଡ ପଦାଧିକାରୀ ହେଉନା କାହିଁକି, ସେ ଲାଂଚଖୋର ହୋଇଥିଲେ ତାକୁ ନ୍ୟାୟାଳୟରେ ଠିଆ କରାଇପାରିବାର କ୍ଷମତା ତୁମକୁ ପ୍ରଦାନ କରାଗଲା ।”

ତା’ପରେ ରାଜା ରଙ୍ଗଦେବଙ୍କୁ କହିଲେ, “ମନେ ହେଉଛି, ତୁମେ ତୁମ ସାନଭାଇଙ୍କ ପରି ଏତେଟା ବାକ୍ପଟୁ ନୁହଁ । କିନ୍ତୁ ବାଘ ମାରିବା କାମ ହେଉ କି ଲାଂଚଖୋରଙ୍କୁ ଧରିବା କାମହେଉ, ତୁମେ ତାଙ୍କପରି ସମାନ ସାହସ ପ୍ରଦର୍ଶନ କରି ଆସିଛ । ତେଣୁ ମୁଁ ତୁମକୁ ନୂତନ ନଗରପାଳ ଭାବେ ନିଯୁକ୍ତ କରୁଛି ।”

ଏହିପରି ଭାବେ ସେ ଦୁଇଭାଇ ରାଜ-ଦରବାରରେ ଉକ୍ତ ଆସନର ଅଧିକାରୀ ହେଲେ । ଅନ୍ୟାୟ, ଅନୀତି ବିରୁଦ୍ଧରେ ସଂଗ୍ରାମ ଚଳାଇ ସେମାନେ ରାଜ୍ୟରେ ସ୍ୱଚ୍ଛ, ନିର୍ମଳ ଶାସନ ପ୍ରତିଷ୍ଠା କରିବା ପାଇଁ ରାଜାଙ୍କୁ ପୂର୍ଣ୍ଣପ୍ରାଣରେ ସହଯୋଗ କଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ