ତ୍ରିକୂଟ ନାମକ ଏକ ପର୍ବତରେ ଏକ ବିଶାଳ ଉଦ୍ୟାନ ଥିଲା । ଏହା ଯେତିକି ସୁନ୍ଦର ସେତିକି ମନ ମୁଗ୍ଧକର ମଧ୍ୟ ଥିଲା । ଫଳରେ ସେଠାକୁ ସବୁଦିନ ସ୍ୱର୍ଗରୁ ଅପ୍ସରା ଓ ଅପ୍ସରୀ ମାନେ ଆସି କିଛି ସମୟ ଅତିବାହିତ କରୁଥିଲେ । ପୁନଃଶ୍ଚ ସେହି ଉଦ୍ୟାନ ମଧ୍ୟରେ ଏକ ବିଶାଳ ପୁଷ୍କରିଣୀ ବି ଥିଲା । ଯେଉଁଠି ସେହି ଅପ୍ସରା, ଅପ୍ସରୀମାନେ ସମୟେ ସମୟେ ଜଳକ୍ରୀଡା କରି ଆନନ୍ଦରେ ନିଜ ନିଜ ସ୍ଥାନକୁ ଫେରି ଯାଉଥିଲେ ।
ଦିନକର କଥା । ଗୋଟିଏ ବଡ ହାତୀ ତା’ର କେତେକ ସାଙ୍ଗମାନଙ୍କ ସହିତ ସେହି ରାଜ ଦଣ୍ଡରେ ଯିବା ସମୟରେ ଉଦ୍ୟାନସ୍ଥିତ ସେହି ପୁଷ୍କରିଣୀଟିକୁ ଦେଖି ସେଥିରୁ ପାଣି ପିଇବା ପାଇଁ ମନ କଲା । ମାତ୍ର ସେ ପୁଷ୍କରିଣୀ ପାଖକୁ ଯାଇ ସେହି ପାଣିର ସ୍ୱଚ୍ଛତାରେ ମୁଗ୍ଧ ହୋଇ ହାତୀ ସେଥିରେ ପଶି ଗାଧୋଇବାକୁ ଖୁବ୍ ଇଚ୍ଛା କଲା । ପରେ ସେ ବି ସେଥିରୁ ପାଣି ପିଇଲା ଆଉ ସେଥିରେ ଗାଧୋଇବାକୁ ମଧ୍ୟ ଲାଗିଲା । ଗାଧୋଇବା ସମୟରେ ଟିକିଏ ଗଭୀର ପାଣିକୁ ଯାଇ ସେ ହାତୀ ଜଳକୀଡାରେ ଲାଗିଗଲା । ଜଳକ୍ରୀଡାରେ ସେ ହାତୀ ଅତ୍ୟନ୍ତ ଆନନ୍ଦିତ ହେଉଥିବା ସମୟରେ ପାଣି ଭିତରେ ଥିବା କୁମ୍ଭୀରଟିଏ ଏ ହାତୀର ଗୋଟିଏ ଗୋଡକୁ ଧରି ଗଭୀର ଜଳ ଭିତରକୁ ନେଇ ଯିବା ପାଇଁ ଟଣାଓଟରା କଲା । ମାତ୍ର ସେ ହାତୀ ଥିଲା ଖୁବ୍ ବଳଶାଳୀ । ତେଣୁ ସେ ହାତୀଟି ତା’ର ସମସ୍ତ ଶକ୍ତି ଲଗାଇ କୁମ୍ଭୀରଟିକୁ ପୁଷ୍କରିଣୀର କୂଳ ଆଡକୁ ଟାଣି ନେଇ ଆସୁଥାଏ ତ କୁମ୍ଭୀର ପାଣି ଭିତରେ ଥାଇ ନିଜସ୍ୱ ଶକ୍ତି ବଳରେ ଏ ହାତୀକୁ ଗଭୀର ପାଣି ଭିତରକୁ ଭିଡି ନେଉଥାଏ । ଏମିତି ଅବସ୍ଥା ଭିତରେ ହାତୀ ତା’ର ସମସ୍ତ ଯନ୍ତ୍ରଣାକୁ ସହି ନେଇ କୁମ୍ଭୀର କବଳରୁ ରକ୍ଷା ପାଇବା ଲାଗି ଆପ୍ରାଣ ଉଦ୍ୟମ କରୁଥାଏ । କିନ୍ତୁ ଶେଷରେ ସେ ନିରାଶ ହୋଇ ପଡିଲା । ସେ ହାତୀଟି ସେହି ବିପଦ ଭିତରେ ଭଗବାନଙ୍କ କଥା ହିଁ ଚିନ୍ତା କଲା । ସେ ବୁଝି ପାରି ଚିନ୍ତା କଲା ଯେ, ‘ହେ ପ୍ରଭୁ ! ଏବେ ତୋ ବିହୁନେ ମୋର ତ ଅନ୍ୟ ଗତି କିଛିବି ନାହିଁ ।’ ଅବଶ୍ୟ ଏହି ଭଗବତ୍ ଚିନ୍ତା କଥା ଥିଲା ତା’ର ପୂର୍ବ ଜନ୍ମର ଅର୍ଜିତ ଫଳ ।