ପୁରୁଣା କାଳର କଥା । ନୁରଶାହ ବାଗଦାଦରେ ସୁଲତାନ୍ ଥା’ନ୍ତି; ସେ ହସଖୁସି ଓ ଥଟ୍ଟାତମସାକୁ ଖୁବ୍ ଭଲ ପାଉଥିଲେ ।
ଥରେ ବାଗଦାଦ୍ ସହରର ଏକ ବଡ ଧନୀ ବ୍ୟବସାୟୀ ରହମତୁଲ୍ଲାଙ୍କର ମୃତ୍ୟୁ ହୋଇଗଲା । ତାଙ୍କର କେହି ବି ଉତ୍ତରାଧିକାରୀ ନ ଥିଲେ । ବାଗଦାଦ୍ରେ ଅବ୍ଦୁଲ୍ଲା ନାମକ ଏକ ଗରୀବ ପ୍ରଜା ରହୁଥାଏ । ସେ ରହମତୁଲ୍ଲାଙ୍କ ସମ୍ପତ୍ତିରୁ କିଛି ପାଇବ ବୋଲି ସ୍ଥିର କରି ମନେ ମନେ କିଛି ଉପାୟ ପାଂଚିଲା ଓ ସୁଲତାନଙ୍କ ପାଖକୁ ଗଲା ।
ସୁଲତାନଙ୍କୁ ସଲାମ୍ କରି ସେ କହିଲେ, “ଜାହାଁପନା, କ୍ଷମା କରନ୍ତୁ, ମୁଁ କଥାଟିଏ କହିବି । ରହମତୁଲ୍ଲାର ଉତ୍ତରାଧିକାରୀ ନଥିବାରୁ ତା’ଧନସବୁ ରାଜକୋଷରେ ଜମା ହେଲା । ସେ ଏକା ରହୁଥିଲା; ମୁଁ ବି ଏ ଦୁନିଆରେ ଏକେଲା । କୁହାଯାଏ ଯାହାର କେହି ବି ନାହିଁ ଆଲ୍ଲା ତା’ର ମା’ ବାପ । ସେହି ଦିଗରୁ ଦେଖିଲେ ରହମତୁଲ୍ଲା ଓ ମୁଁ ଦୁଇଜଣ ଭାଇ । ଏବେ ଆପଣ ମୋର ବଡଭାଇ ରହମତୁଲ୍ଲାର ମୁଁ ଉତ୍ତରାଧିକାରୀ ବୋଲି ଘୋଷଣା କରିଦିଅନ୍ତୁ ଏବଂ ତା’ର ସମସ୍ତ ସମ୍ପତ୍ତି ମୋତେ ଦେଇ ଦିଅନ୍ତୁ ।”
ଏପରି କଥା ଶୁଣି ସୁଲତାନ୍ କହିଲେ “ହଁ ତୁମେ ଠିକ୍ କହିଛ ।” ଏତିକି କହି ସେ ତାଙ୍କ କର୍ମଚାରୀକୁ ଡାକି କହିଲେ, “ରହମତୁଲ୍ଲାଙ୍କ ସମ୍ପତ୍ତିରୁ ଗୋଟିଏ ସୁନା ମୋହର ଏହାଙ୍କୁ ଦେଇଦିଅ ।”
ରାଜାଙ୍କ ଏପରି ଘୋଷଣା ଶୁଣି ଅବଦୁଲ୍ଲା ପଚାରିଲା “ମାତ୍ର ଗୋଟିଏ ସୁନାମୋହର?”
ସୁଲତାନ୍ କହିଲେ “ହଁ କାରଣ ମୋ ରାଜ୍ୟରେ ତୁମ ପରି ରହମତୁଲ୍ଲାର ଅନେକ ଭାଇ ଅଛନ୍ତି । ସେମାନେ ମଧ୍ୟ ପୁଣି ସେମାନଙ୍କର ଭାଗ ପାଇବେ ତ?” ସୁନା ମୋହରଟିଏ ଧରି ବଡ ନିରାଶ ହୋଇ ସେ ଅବ୍ଦୁଲ୍ଲା ତା’ ଘରକୁ ଫେରିଲା । କିନ୍ତୁ ଦୟାଳୁ ସୁଲତାନ୍ ତା’ଘରକୁ ଏକ ହଜାର ମୋହର ତାଙ୍କ କର୍ମଚାରୀଙ୍କ ହାତରେ ଖୁସିରେ ପଠାଇଦେଲେ । ଏଥିରେ ଅବ୍ଦୁଲ୍ଲା ଖୁସି ହୋଇ ଭାବୁଥିଲା, “ଆଲ୍ଲା ପ୍ରକୃତରେ ଯେତେବେଳେ ଦିଅନ୍ତି ଛପର କାଟି କରି ଦିଅନ୍ତି ।” ଏହାପରେ ସାରାଜୀବନ ସେ ଖୁବ୍ ଆନନ୍ଦରେ ରହିଲା ।