ଅନେକ ଦିନ ତଳର କଥା । ଚୀନ୍ର ଗୋଟିଏ ଗାଁରେ ପାବମ୍ ନାମକ ଜଣେ ଗରୀବ ଯୁବକ ଥାଏ । ସେ ତା’ ନିଜ ଚେଷ୍ଟାରେ ଅନେକ ପାଠ ପଢିଥାଏ, କିନ୍ତୁ ଜଣେ ଗରୀବ ଗାଉଁଲି ଯେତେ ପାଠ ପଢିଲେ ବା ତାକୁ କିଏ ଆଦର କରିବ? ତା’ କଥା କିଏ ବା କିପରି ଜାଣିବ?
ଦିନେ ସେ ଶୁଣିଲା କି ରାଜଧାନୀରେ ରାଜସରକାରରେ ଗୋଟିଏ ବଡ ପଦ ଖାଲି ପଡିଛି । ଯିଏ ଗୋଟିଏ ପରୀକ୍ଷାରେ ଉତୀର୍ଣ୍ଣ ହେବ, ସିଏ ସେହି ପଦଟି ପାଇବ ।
ପାବମ୍ ବହୁତ ଆଶା କରି ସହର ଅଭିମୁଖେ ଚାଲିଲା । ପ୍ରାୟ ଦୁଇଦିନର ବାଟ । ଘୋଡା ଗାଡି ଭଡା କରି ଯିବାଭଳି କ୍ଷମତା ତା’ର ନଥାଏ । ତେବେ ପରୀକ୍ଷା ପୂର୍ବରୁ ରାଜଧାନୀରେ ପହଁଚି ଯାଇ ପାରିବ ଏ ଆଶା ତା’ର ଥାଏ ।
ଆଉ ପ୍ରାୟ ଓଳିକର ବାଟ ଅଛି, ପାବମ୍ ଦେଖିଲା, ନିର୍ଜନ ରାସ୍ତାରେ ଗୋଟିଏ ଯୁବକ ନିଜ ଛାତିରେ ହାତ ଦେଇ ବସିଛି । ପାବମ୍ ତା’ ପାଖକୁ ଯାଇ ବୁଝିଲା, ଯୁବକଟି ତା’ର ଛାତିରେ ଭୀଷଣ ଯନ୍ତ୍ରଣା ଅନୁଭବ କରୁଥିଲା । ପାବମ୍ ତା’ ପାଖରେ ବସି ପଡିଲା ଓ ତାକୁ ସାହାସ ଦେଲା । କିନ୍ତୁ କାହିଁରେ କିଛି ହେଲା ନାହିଁ । ଘଣ୍ଟାଏ ପରେ ସେହି ଯୁବକଟି ମୃତ୍ୟୁ ବରଣ କଲା ।
ପାବମ୍ ଏବେ କ’ଣ କରିବ? ଆଖପାଖରେ ଜଣେ ବି ଲୋକ ତା’ ଆଖିରେ କେହି ପଡିଲେ ନାହିଁ । ସେ ଦେଖିଲା, ମୃତ ଯୁବକର ପୋଷାକ ମୁଣିରେ ବହୁତ ସ୍ୱର୍ଣ୍ଣମୁଦ୍ରା ରହିଛି । ସେ ସେଥିରୁ ମାତ୍ର ଗୋଟିଏ ବାହାର କରିନେଇ ପାଖ ଗାଁକୁ ଯାଇ ସେଠାରୁ ଗୋଟିଏ କବର ବାକ୍ସ କିଣିଲା ଓ ତାକୁ ଧରି ପୁଣି ରାସ୍ତା ପାଖକୁ ଲେଉଟି ଆସି ଯୁବକକୁ ସେହି ବାକ୍ସରେ ଭର୍ତ୍ତି କରି ମାଟି ଖୋଳି ତାକୁ ସମାଧି ଦେଲା । ସେ ସମାଧି ଉପରେ ଗୋଟିଏ ଫୁଲତୋଡା ରଖି କହିଲା, “ହେ ବିଦାୟୀ ଆତ୍ମା, ମୋ ଦେଇ ଯାହାବି କିଛି ହୋଇ ପାରିଲା, ମୁଁ ଏବେ ତ ତାହା କଲି । ତ୍ରୁଟି ଥିଲେ କ୍ଷମା କର ।” ଏହା ପରେ ସେ ସହରରେ ଯାଇ ପହଁଚିଲା । କିନ୍ତୁ ସେତେବେଳକୁ ପରୀକ୍ଷା ଆରମ୍ଭ ହୋଇଗଲାଣି ।
ଦୀର୍ଘନିଃଶ୍ୱାସ ଛାଡି ସେ ପୁଣି ତା’ ଗାଁ ଅଭିମୁଖେ ଫେରିଲା । ସେ ଲକ୍ଷ୍ୟ କଲା, ଗୋଟିଏ ଘୋଡା ତା’ ପଛେ ପଛେ ଚାଲିଛି । ଜନହୀନ ପ୍ରାନ୍ତର ଭିତରେ ସେ ସେହି ଘୋଡା ଉପରେ ବସି ପଡିବା ମାତ୍ରେ ଘୋଡା ତାକୁ ନେଇଯାଇ ଗୋଟିଏ ବିରାଟ ଘର ଆଗରେ ପହଁଚାଇ ଦେଲା । ସେ ଘରର ଲୋକମାନେ ଦୌଡି ଆସିଲେ ।
ସେମାନେ ସନ୍ଦେହପୂର୍ଣ୍ଣ କଣ୍ଠରେ ପ୍ରଶ୍ନ କଲେ “ତମେ ଏ ଘୋଡା କେଉଁଠାରୁ ପାଇଲ?” ତା’ପରେ ସେ ପାବମ୍ ସବୁ କହିଗଲା । ସେମାନଙ୍କ କଥାବାର୍ତ୍ତାରୁ ସେ ଏତିକି ବୁଝିଲା, ଏ ଘୋଡା ସେହି ମୃତ ଯୁବକର । ଘୋଡାଟି ନିଶ୍ଚୟ ପାବମ୍କୁ ଅନୁସରଣ କରି ସହର ଭିତରକୁ ଯାଇଥିଲା ଓ ପୁଣି ସହର ଭିତରୁ ବାହାରି ଆସିଥିଲା । ହେଲେ ପାବମ୍ ତାକୁ ଲକ୍ଷ୍ୟ କରି ନଥିଲା । ଯୁବକର ପରିବାର ଓ ଗ୍ରାମବାସୀମାନେ ଧରିନେଇଥିଲେ ଯେ ଯୁବକକୁ କେହି ଟଙ୍କା ଲୋଭରେ ହତ୍ୟା କରିଛି । ସେମାନେ ପାବମ୍କୁ ନେଇ ପଡିଆ ଭିତରକୁ ଗଲେ ଓ ଯଥା ସ୍ଥାନରେ ଖୋଳି ଯୁବକର ମୃତ ଦେହ ପାଇଲେ । ପାବମ୍ ଯାହା କହିଥିଲା, ସେହି ଅନୁସାରେ ଦେଖାଗଲା ବାସ୍ତବିକ ଯୁବକ ସାଥିରେ ନେଇଯାଇଥିବା ଅର୍ଥରୁ ମାତ୍ର ଗୋଟିଏ ମୁଦ୍ରା କମ୍ ଅଛି ।
ପାବମ୍ର ସାଧୁତାରେ ସମସ୍ତେ ବିସ୍ମିତ ହେଲେ । ଯୁବକର ପିତାମାତା କହିଲେ, “ତମେ ଆମ ପୁଅର ଶେଷ ସମୟର ସାଥି । ଏଣିକି ତମେହିଁ ଆମର ପୁଅ ।”
ପାବମ୍ ତାହା ସ୍ୱୀକାର କଲା । କାଳକ୍ରମେ ପାବମ୍ ଜଣେ ମହତ୍ ଓ ଜ୍ଞାନୀ ବ୍ୟକ୍ତି ଭାବରେ ଚୀନ୍ର ସେ ପ୍ରଦେଶରେ ଖ୍ୟାତି ଲାଭ କଲା ।