କୃଷ୍ଣାବତାର

ଇତିମଧ୍ୟରେ ନାରଦ ସିଧା ଶ୍ରୀବିଷ୍ଣୁଙ୍କ ପାଖରେ ପହଁଚି ତାଙ୍କୁ କହିଲେ ସେ କଂସକୁ ସାବଧାନ କଲେ । ପୁଣି ନାରଦ କହିଲେ ଯେ କଂସର ନିଧନ ପାଇଁ ତା’ର ପାପଭାର ବଢିବା ଆବଶ୍ୟକ । ଏବେ ଖବର ଦେବା ଯୋଗୁଁ ସେ ଅନେକ ଶିଶୁହତ୍ୟା କରିବା ଦ୍ୱାରା ତା’ର ପାପଭାର ଦିନକୁ ଦିନ ବଢିବ ଓ ତା’କୁ ମାରିବା ଅତ୍ୟନ୍ତ ସହଜ ହେବ ।

ନାରଦ ଯିବା ପରେ ଶ୍ରୀବିଷ୍ଣୁ ମହାମାୟାଙ୍କୁ ଡାକି କହିଲେ, “ମହାମାୟା, ତୁମ ଦ୍ୱାରା ଏକ ମହାନ୍ କାର୍ଯ୍ୟ ସଂପନ୍ନ ହେବ । ତମେ ଦେବକୀଙ୍କ ଗର୍ଭରେ ଛଟି ପୁତ୍ର ରୂପେ କାଳନେମୀର ଛ ପୁତ୍ରଙ୍କୁ ରଖିବ । ପୂର୍ବରୁ ହିରଣ୍ୟକଶିପୁ ସମୟରେ ଥରେ କାଳନେମୀର ଛ ପୁତ୍ର ଅମର ହେବା ଅଭିପ୍ରାୟରେ ତପସ୍ୟା କରୁଥିଲେ । ଏକଥା ହିରଣ୍ୟକଶିପୁ ଜାଣିବା ମାତ୍ରେ ସେମାନଙ୍କୁ ସେ ଅଭିଶାପ ଦେଇ କହିଲା, “ମୁଁ ଅସୁରକୁଳ ଶ୍ରେଷ୍ଠ ବଂଚି ଥାଉ ଥାଉ ତମେମାନେ ପୁଣି ତପସ୍ୟା କରୁଛ? ଯାଅ ତୁମେ ନିଜ ପିତା ହାତରେହିଁ ପ୍ରାଣ ଦେବ ।” ଏବେ ହିରଣ୍ୟକଶିପୁର ଶାପ ମଧ୍ୟ ଫଳିବ, ସେମାନେ ମଧ୍ୟ ଦିନକ ପାଇଁ ଏହି ପୃଥିବୀରେ ଜନ୍ମ ନେବେ । ତମେ ସେହି ଛ ପୁତ୍ରଙ୍କୁ ଦେବକୀଙ୍କ ଗର୍ଭରେ ରଖିବ । ତା’ପରେ ସପ୍ତମ ପୁତ୍ର ନିଜେ ଶେଷ ନାଗ ହିଁ ହେବେ । ତାଙ୍କୁ ଦେବକୀଙ୍କ ଗର୍ଭରୁ ହରଣ କରି ତମେ ନେଇ ବସୁଦେବଙ୍କର ଅନ୍ୟ ପତ୍ନୀ ରୋହିଣୀଙ୍କ ଗର୍ଭରେ ରଖିବ । ତା’ପରେ ଦେବକୀଙ୍କ ଗର୍ଭରେ ମୁଁ ଆସିବି । ତମେ ନିଜେ ମଧ୍ୟ ଯଶୋଦାଙ୍କ ଗର୍ଭରେ ସଂଚାର ହେବ । ତମେ ଜନ୍ମ ହେବା ପରେ ବସୁଦେବ ମୋତେ ଯଶୋଦାଙ୍କ ପାଖରେ ରଖି ତୁମକୁ ବଦଳାଇ ଆଣିବେ । କଂସ ତୁମକୁ ମାରିବାକୁ ଯିବାବେଳେ ତୁମେ ଆକାଶ ମାର୍ଗରେ ଥାଇ ସବୁକଥା କଂସକୁ କହିବା ପରେ ନିଜ ପୁରକୁ ପୁନଃ ଗମନ କରିବ । ଏଥୁଅନ୍ତେ ତୁମେ ମୋର ଭଗିନୀ ରୂପରେ ତିନିଲୋକରେ ମର୍ଯ୍ୟାଦା ପାଇବ ।

ମହାମାୟା ଶ୍ରୀବିଷ୍ଣୁଙ୍କ ଆଦେଶ ଅନୁସାରେ ସବୁ କିଛି କରିବାର ନିର୍ଭରଯୋଗ୍ୟ ପ୍ରତିଶୃତି ଦେଲେ । ତା’ପରେ ଦେବକୀଙ୍କର ପ୍ରଥମ ଗର୍ଭରେ ଏକ ବାଳକ ଜନ୍ମ ହେଲା । ବସୁଦେବ ତତ୍କ୍ଷଣାତ୍ ତାକୁ ନେଇ କଂସକୁ ସମର୍ପଣ କଲେ । କଂସ ଭାବିଲା, “ଏ ବାଳକ ତ ମୋର ଶତ୍ରୁ ନୁହେଁ ତେଣୁ ମୁଁ କାହିଁକି ଏହାକୁ ହତ୍ୟା କରିବି?” ଏହିପରି ଭାବି ସେ ବସୁଦେବଙ୍କୁ କହିଲା, “ତୁମର ସତ୍ୟ ତୁମେ ରକ୍ଷା କରିଛ । ଏବେ ଏ ପିଲାକୁ ନେଇଯାଅ ।” ଏହାପରେ ବସୁଦେବ ଖୁସି ହୋଇ ଶିଶୁକୁ ଫେରାଇ ଆଣିଲେ । ଇତିମଧ୍ୟରେ ନାରଦ ଆସି କଂସକୁ ମନ୍ତ୍ରଣା ଦେଲେ, “ଅଷ୍ଟମ ଗର୍ଭରେ ଜନ୍ମ ନେବାକୁ ଯାଉଥିବା ତୁମର ଶତ୍ରୁ ସହିତ ଏହି ଭାଇମାନେ ବି ଯୋଗ ଦେବେ ।” ଏକଥା ଶୁଣି କଂସ ହୁଙ୍କାର କରି ଦୌଡିଲା ଓ ଦେବକୀଙ୍କ କୋଳରୁ ତାଙ୍କ ଶିଶୁଟିକୁ ଛଡାଇ ଆଣି ତାକୁ ସେ ପଥରରେ ଛେଚି ମାରିଲା । ଏହିପରି ଭାବେ କାଳକ୍ରମେ ଛ ପୁତ୍ରଙ୍କୁ ସେ କଂସ ଅତି ନିର୍ଦ୍ଦୟ ଭାବରେ ପଥରରେ ଛେଚି ମାରିଲା ।

ତା’ପରେ ଦେବକୀଙ୍କର ସପ୍ତମ ଗର୍ଭର ଲକ୍ଷଣ ଦେଖାଦେଲା । ମହାମାୟା ସେହି ଗର୍ଭକୁ ହରଣ କରି ତାକୁ ରୋହିଣୀଙ୍କ ଗର୍ଭରେ ନେଇ ରଖିଲେ । ଯଥା ସମୟରେ ରୋହିଣୀଙ୍କର ଏକ ଦିବ୍ୟ ସୁନ୍ଦର ପୁତ୍ର ଜନ୍ମ ହେଲା । ଗର୍ଭ ଆକର୍ଷଣ କରାଯାଇଥିବାରୁ ତା’ର ନାମ ସଂକର୍ଷଣ ରଖାଗଲା । ବଳରାମ ବା ବଳଭଦ୍ର ତା’ର ଅନ୍ୟ ନାମ ଥିଲା ।

ତା’ପରେ ଦେବକୀଙ୍କର ଅଷ୍ଟମ ଗର୍ଭର ଲକ୍ଷଣ ସବୁ ଦେଖାଗଲା । ଶ୍ରୀ ଭଗବାନଙ୍କୁ ଗର୍ଭରେ ଧାରଣ କରି ଦେବକୀ ଅତି ସୁନ୍ଦର ଦେଖାଗଲେ । ଭାଦ୍ରବମାସ କୃଷ୍ଣ ଅଷ୍ଟମୀ ଦିନ ଅର୍ଦ୍ଧ ରାତ୍ରିରେ, ଯେତେବେଳେ ଚନ୍ଦ୍ର ପ୍ରକାଶିତ ହୋଇଥିଲେ, ଠିକ୍ ସେତେବେଳେ ଭଗବାନ ଶ୍ରୀକୃଷ୍ଣ ଜନ୍ମ ହେଲେ ।

ସେତେବେଳେ ତ ଦେବକୀ ଓ ବସୁଦେବଙ୍କ ବ୍ୟତୀତ ସେ ବନ୍ଦୀଶାଳାର ସମସ୍ତ ପ୍ରହରୀ ଗଭୀର ନିଦ୍ରାମଗ୍ନ ଥିଲେ । ସେ ପୁତ୍ରକୁ ଦେଖି ବସୁଦେବ ଭାରି ଆଶ୍ଚର୍ଯ୍ୟ ହେଲେ । ଶିଶୁର ସୌନ୍ଦର୍ଯ୍ୟ ଥିଲା ଦିବ୍ୟ ଓ ଅଲୌକିକ । ତା’ ଶରୀରର କାନ୍ତି ନୀଳମେଘବର୍ଣ୍ଣ ସଦୃଶ ଥିଲା । ସେ ନିଜର ବିଶାଳ ଚକ୍ଷୁ ଖୋଲି ଚାରିଦିଗକୁ ଚାହୁଁଥିଲା । ତା’ର ସୌନ୍ଦର୍ଯ୍ୟରେ ଏତେ ଆକର୍ଷଣ ଥିଲା ଯେ ଆଖି ଥରେ ଲାଗିଯିବା ପରେ ତା’ପାଖରୁ ଆଉ ଆଖି ଫେରାଇବା ଅତ୍ୟନ୍ତ କଷ୍ଟ ହେଉଥିଲା । ବସୁଦେବ ଭାବିଲେ, “ଏ ଦିବ୍ୟଶିଶୁକୁ ମୁଁ ନିଶ୍ଚୟ ସେ ଦୁଷ୍ଟ କଂସ ହାତରୁ ରକ୍ଷା କରିବି । ହେଲେ ମୁଁ ଏହା କିପରି କରିବି?” ସେ ଏପରି ଭାବୁଛନ୍ତି ମନେହେଲା ସତେ ଯେପରି କିଏ ତାଙ୍କୁ କହୁଛି, “ତୁମେ ଶିଘ୍ର ଏ ଶିଶୁକୁ ନନ୍ଦ ଘରକୁ ନେଇ ଯାଇ ତାଙ୍କର ଜନ୍ମ ହୋଇଥିବା କନ୍ୟାକୁ ପାଲଟାଇ ଆଣ । ତୁମେ ଆଉ ମୋଟେ ବିଳମ୍ୱ କର ନାହିଁ ।”

ତା’ପରେ ବସୁଦେବ ଆଉ କିଛି ବିଚାର ନକରି ନବଜାତ ସେ ଦିବ୍ୟଶିଶୁକୁ ଗୋଟିଏ ବଡ ଟୋକେଇରେ ପୁରାଇ ମୁଣ୍ଡାଇ ଧରି ନନ୍ଦଙ୍କ ଘର ଗୋପପୁରକୁ ସେ ଚାଲିଲେ । ପ୍ରହରୀମାନେ ନିଦ୍ରାମଗ୍ନ । ଏଣେ ବାହାରେ ତ ଝଡ ବର୍ଷା ସେମିତି ଲାଗି ରହିଛି । ତଥାପି ବସୁଦେବ ସାହସ ବାନ୍ଧି ଚାଲିଲେ । ବାଟରେ ଉଗ୍ରସେନ ନଗରୀ ରକ୍ଷା କରିବାକୁ ପ୍ରହରା ଦେଉଥିଲେ । ସେ ବସୁଦେବଙ୍କୁ କହିଲେ, “ତୁ ଏ କ’ଣ କରୁଛୁ? ଜାଣୁ ଏହାର ଫଳ କ’ଣ ହେବ? କାଲି ପ୍ରତ୍ୟୁଷରୁ କଂସ ଏକଥା ଜାଣିବା ମାତ୍ରେ ମୋତେ, ତୋତେ ଓ ଦେବକୀକୁ ଶୁଳୀ ଦେବ ।”

ବସୁଦେବ କହିଲେ “କିନ୍ତୁ ଏ ଯେ ନିଜେ ଭଗବାନ ।” ଏପରି କଥା ଶୁଣି ଉଗ୍ରସେନ ହସି ହସି କହିଲେ, “ପ୍ରମାଣ?”

ତତ୍କ୍ଷଣାତ୍ ଶ୍ରୀକୃଷ୍ଣ ନିଜର ଭଗବତ୍ ରୂପ ଉଗ୍ରସେନଙ୍କ ସମ୍ମୁଖରେ ପ୍ରକାଶ କଲେ । ଉଗ୍ରସେନ ଭକ୍ତିଭରେ ତାଙ୍କୁ ପ୍ରଣାମ କଲେ । ସେହିଠାରେହିଁ ଶ୍ରୀକୃଷ୍ଣ ଉଗ୍ରସେନଙ୍କୁ ପୁନଃ ରାଜ୍ୟପ୍ରାପ୍ତିର ପ୍ରତିଶୃତି ଦେଇଥିଲେ ।

ତା’ପରେ ବସୁଦେବ ସିଧା ଚାଲିଲେ ଗୋପପୁର । ବାଟରେ ଯମୁନା ଉଚ୍ଛୁଳୁଛି । ଏତେ ବଡ ନଦୀ ସେ କିପରି ପାର ହେବେ । ମଥା ଉପରେ ପୁଣି ତାଙ୍କର ଦିବ୍ୟଶିଶୁ ଶ୍ରୀକୃଷ୍ଣ । ମହାବିଷ୍ଣୁଙ୍କୁ ଧ୍ୟାନ କରି ସେ ଯମୁନାରେ ପଶିଲେ । ଆଶ୍ଚର୍ଯ୍ୟ, ଯମୁନା ଭିତରେ ହଠାତ୍ ଏକ ରାସ୍ତା ହୋଇଗଲା । ବସୁଦେବ ଚାଲି ଚାଲି ଗଲେ । ପୁଣି ସେ ଘୋର ବର୍ଷାରେ ନିଜେ ଅନନ୍ତନାଗ ଶିଶୁ କୃଷ୍ଣଙ୍କୁ ତାଙ୍କର ସମସ୍ତ ଫଣାରେ ରକ୍ଷା କରି ଚାଲିଥା’ନ୍ତି । ବସୁଦେବ ଯାଇ ନନ୍ଦଙ୍କ  ଗୃହରେ ପହଁଚିଲେ । ଏଣେ ଯଶୋଦା ରାଣୀ ଶିଶୁକନ୍ୟାଟି ପ୍ରସବ କରି ମୂର୍ଚ୍ଛା ଯାଇଛନ୍ତି । ବସୁଦେବ ନିମିଷକ ମଧ୍ୟରେ ଶିଶୁପୁତ୍ରକୁ ସେଠାରେ ରଖି କନ୍ୟାକୁ ସେଠାରୁ ନେଇ ଫେରିଲେ । ତଥାପି ମଧ୍ୟ ବନ୍ଦୀଶାଳାରେ ସେ ପର୍ଯ୍ୟନ୍ତ ପ୍ରହରୀମାନେ ଶୁପ୍ତ ଅବସ୍ଥାରେ ଥିଲେ । କନ୍ୟାର କୁଆଁ କୁଆଁ ରାବରେ ସମସ୍ତେ ଉଠି ପଡିଲେ ଓ ତତ୍କ୍ଷଣାତ୍ କଂସ ପାଖକୁ ଯାଇ ତାଙ୍କୁ ଏ ବିଷୟରେ ଖବର ଦେଲେ ।

ଅଷ୍ଟମ ଗର୍ଭର ସନ୍ତାନ ଜନ୍ମ ହୋଇଛି ବୋଲି ଶୁଣି କଂସ ଦୌଡିଲା । ତା’ପରେ ସେ ନିଜେ ସେ ଶିଶୁକୁ ଦେବକୀ ପାଖରୁ ଛଡାଇ ଆଣିବାକୁ ଯିବାରୁ ଦେବକୀ କହିଲେ, “ଭାଇ, ଏ ଶିଶୁଟି ତ କନ୍ୟା, ସେ ବା ତୁମର କ’ଣ କରିପାରିବ । ତେଣୁ ଏଇଟିକୁ ତୁମେ ଦୟାକରି ଛାଡିଦିଅ । ମୁଁ ଏତେ ପିଲା ଜନ୍ମ କଲି ଅନ୍ତତଃ ଗୋଟିଏ ତ ଛାଡିଦିଅ ।”

ଭଉଣୀର ଏପ୍ରକାର ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିବାପୂର୍ବକ କଂସ ରାଗି କରି କହିଲା, “ଓ ତୁ ତାହାହେଲେ ମୋର ମୃତ୍ୟୁ ପଥକୁ ଚାହିଁଛୁ । ତୁ କ’ଣ ଏକଥା ଜାଣିନାହୁଁ ଯେ, ସତ୍ୟ ଯୁଗରେ ଭଗବାନ ଦୂର୍ଗା ରୂପରେ ମହିଷାସୁରକୁ ବଧ କରିଥିଲେ । ସେ ମହାନ୍ ମାୟାବୀ । କେତେବେଳେ ସେ ଯେ କି ରୂପ ନିଏ ତାହା ମୋଟେ କହି ହେବନାହିଁ । ତେଣୁ ମୂଳରୁ ମାରିଦେଲେ ଜାଣ କଥା ସରିଲା । ପଛକୁ ଆଉ କୌଣସି ବି ଭୟ ନ ଥିବ ।” ଏକଥା କହି କଂସ ସେ ଶିଶୁର ପାଦ ଧରି ତାକୁ ବୁଲାଇ ବୁଲାଇ ପଥର ଉପରେ ନିର୍ଘାତ କଚାଡିଲା । କିନ୍ତୁ ଏ କି ଅଲୌକିକ ଘଟଣା? ସେ ଶିଶୁଟି ହଠାତ୍ କଂସ ହାତରୁ ଖସି ଯାଇ ଆକାଶ ମାର୍ଗରେ ଥାଇ କହିଲା, “ମୂର୍ଖ କଂସ, ତୁ ଶିଶୁହତ୍ୟା କରି କରି ମହା ପାପ ଅର୍ଜିଛୁ । ଏଣୁ ତୋର ମୃତ୍ୟୁ ସୁନିଶ୍ଚିତ । ତୋର ଶତ୍ରୁ ତ ଏ ଧରା ବକ୍ଷରେ ଜନ୍ମ ନେଇ ସାରିଛି । ଯଥା ସମୟରେ ସେ ଆସି ତୋତେ ବଧ କରିବ । ତେଣୁ ସାବଧାନ ।” ଏତିକି କହି ସେ ଶିଶୁରୂପୀ ମହାମାୟା ଅଚାନକ କେଉଁଆଡେ ଅଦୃଶ୍ୟ ହୋଇଗଲେ ।

ହଠାତ୍ କଂସର ମନ ପରିବର୍ତ୍ତନ ହେଲା । ସେ ତା’ ମନ ଭିତରେ ଭୀଷଣ ଭୟ ପାଇଲା । ତା’ପରେ ସେ ତା’ ଭଉଣୀ ଭିଣୋଇଙ୍କୁ କାରାଗାରରୁ ମୁକ୍ତ କଲା । ନିଜର ଏଭଳି ନିନ୍ଦୁକ କର୍ମ ପାଇଁ ସେ ଅନେକ ପଶ୍ଚାତାପ ବି କଲା । ବାହ୍ୟ ଭାବରେ ଏସବୁ କରିବା ପରେ ସେ ତା’ର ବିଶ୍ୱାସୀ ରାକ୍ଷସ ଓ ରାକ୍ଷସୀମାନଙ୍କ ସହିତ ଗୁପ୍ତ ମନ୍ତ୍ରଣା କଲା । ସେମାନଙ୍କ ମଧ୍ୟରେ ପୁତନା, ତୃଣାବର୍ତ, ଶକଟା, ବକାସୁର, ଅଘାସୁର ଇତ୍ୟାଦି ଅଗ୍ରଣୀ ଥିଲେ । ଏବେ ପୁତନାକୁ ଦାୟିତ୍ୱ ଦିଆଗଲା କି ସେ ଯେତେ ଶିଶୁ ପାଇବ ସେମାନଙ୍କୁ ସେ ବିଷଥିବା ଦୁଗ୍ଧପାନ କରାଇ ହତ୍ୟା କରିବ । ତେଣୁ ସେ ଛଦ୍ମବେଶରେ ନଗର ଓ ଗ୍ରାମ ଚାରିଆଡେ ବୁଲିଲା । ତା’ଛଡା ଅନ୍ୟ ରାକ୍ଷସମାନେ ମଧ୍ୟ ବୁଲି ବୁଲି ନବଜାତ ଶିଶୁମାନଙ୍କୁ ଗୁପ୍ତରେ ମାରି ପକାଉଥା’ନ୍ତି ।

ଏଣେ ନନ୍ଦ, ଯଶୋଦା, ଗୋପୀ ଓ ଗୋପାଳ ସହ ମିଳିତ ହୋଇ ନବଜାତ ପୁତ୍ରର ଜନ୍ମୋତ୍ସବ ପାଳନ କଲେ । ବଳରାମ ଓ କୃଷ୍ଣ ଦୁଇ ଭାଇଙ୍କୁ ଦେଖି ସମସ୍ତେ ଅତ୍ୟନ୍ତ ଆନନ୍ଦିତ ହେଉଥା’ନ୍ତି ।


ଗପ ସାରଣୀ

ତାଲିକାଭୁକ୍ତ ଗପ