ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଦରିଦ୍ର ବର

ଦୂରଦେଶରେ ଏକ ଛୋଟ ରାଜ୍ୟର ଜଣେ ରାଜାଥିଲେ । ତାଙ୍କ ରାଜ୍ୟ ଏତେ ବେଶି ସମୃଦ୍ଧିଶାଳୀ ନଥିଲା; ବରଂ ଅଭାବ ଅନାଟନ ଲାଗିରହିଥାଏ । ସେହି ରାଜାଙ୍କର ଏକ ସୁନ୍ଦରୀ ଝିଅ ଥିଲେ । ତାଙ୍କ ନାମ ଗୁଣବତୀ ଥିଲା । ସେ ମଧ୍ୟ ତାଙ୍କ ନାମକୁ ସାର୍ଥକ କରିଥିଲେ । ପ୍ରଥା ଅନୁସାରେ ସ୍ୱୟମ୍ବର ହେଲା । କିନ୍ତୁ ସର୍ତ୍ତ ଥିଲା ରାଜକୁମାରମାନେ ରାଜକୁମାରୀ ଗୁଣବତୀଙ୍କୁ ନାନା ପ୍ରକାର ଉପହାରମାନ ଦେବେ । ତା’ପରେ ଗୁଣବତୀ ଯାହାକୁ ପସନ୍ଦ କରିବେ ତାକୁ ସେ ନିଜ ବରଣମାଳା ଦେବେ ।

                ସ୍ୱୟମ୍ବରକୁ ଆସିଥିବା ରାଜକୁମାରମାନଙ୍କ ମଧ୍ୟରେ ଭଦ୍ର ଥିଲେ ଅନ୍ୟତମ । ତାଙ୍କ ପିତା ଦୁର୍ଜୟ କ୍ରୁର, ନିଷ୍ଠୁର ଓ ଭାରି ଅତ୍ୟାଚାରୀ ଥିଲେ । ତାଙ୍କ ଅତ୍ୟାଚାରରେ ପଡୋଶୀ ରାଜାମାନେ ମଧ୍ୟ ବିବ୍ରତ ଥିଲେ । ତେଣୁ ଦଶଟି ରାଜ୍ୟର ରାଜାମାନେ ଏକ ସମ୍ମିଳନୀ ବସାଇ ତାଙ୍କୁ ଦବାଇବା ପାଇଁ ଆଲୋଚନା କରୁଥା’ନ୍ତି । ହେଲେ ଦୁର୍ଜୟ ବହୁ ଚତୁରତାର ସହିତ ରାସ୍ତାରେ ଆସୁଥିବା ବେଳେ ସେହି ରାଜାମାନଙ୍କ ମଧ୍ୟରୁ ପାଂଚଜଣଙ୍କ ଉପରେ ଆକ୍ରମଣ କରି ସେମାନଙ୍କୁ ବନ୍ଦୀ କଲେ । ପରେ ବହୁତ ଧନ ପାଇବା ପରେ ଯାଇ ସେମାନଙ୍କୁ ସେ ଛାଡିଲେ ।

                ଏବେ ‘ଭଦ୍ର’ ପହଁଚିବା ପରେ “ବୀର” ମଧ୍ୟ ଆସି ସେଠାରେ ପହଁଚିଲେ । ସେ ଗୋଟିଏ ବୁଢା ଘୋଡା ଉପରେ ବସିଥିଲେ । ତାଙ୍କ କବଚରେ ମଧ୍ୟ ଅନେକ ଛିଦ୍ର, ସେ ଦେଖିବାକୁ ମଧ୍ୟ ଦରିଦ୍ର ଲାଗୁଥିଲେ । ଯେଉଁ ପାଂଚଜଣ ରାଜା ବନ୍ଦୀ ହୋଇଥିଲେ ସେଥିମଧ୍ୟରୁ ବୀରଙ୍କ ପିତା ମଧ୍ୟ ଅନ୍ୟତମ । ଦୁହେଁ ଘୋଡାରେ ଯାଉଥିବା ବେଳେ ଭଦ୍ରଙ୍କ ଘୋଡା ଆଗକୁ ଟପିଗଲା । ପଛରେ ଥାଇ ବୀର କହିଲେ, “ରାଜାମାନଙ୍କ ସାମନାରେ ସେମାନଙ୍କ ପରିଚାରକହିଁ ଯା’ନ୍ତି ।” ଏକଥା ଶୁଣି ସେ ଭଦ୍ର ମନେ ମନେ ଖୁବ୍ ରାଗିଲେ । କିନ୍ତୁ ବାହାରେ ଏହି ବିଷୟରେ କୌଣସି ଉଚ୍ଚବାଚ୍ୟ ମଧ୍ୟ କଲେ ନାହିଁ । ଭାବିଲେ “ସୁବିଧା ପାଇଲେ ଭଲ କରି ଥରେ ଶିଖେଇବି, ନିଜକୁ ନିଜେ ସେ ଏମିତି କ’ଣ ବୋଲି ଭାବୁଛି କି?”

                ସ୍ୱୟଂବରର ପ୍ରଥମ ଅଂଶ ରାଜକୁମାରମାନେ ନିଜ ନିଜର ବଳ ପ୍ରଦର୍ଶନ କରିବା ଥିଲା । ବଡ ଏକ ପ୍ରାନ୍ତରରେ ପ୍ରତିଯୋଗିତାର ଆୟୋଜନ ହୋଇଥିଲା । ରାଜକୁମାର ଭଦ୍ର ତାରାମାନଙ୍କ ମଧ୍ୟରେ ଚନ୍ଦ୍ର ପରି ଶୋଭା ପାଉଥିଲେ ଓ ସମସ୍ତ ପ୍ରତିଯୋଗିତାରେ ସେ ବିଜୟ ଲାଭ କରୁଥିଲେ । ବୀର ମଧ୍ୟ ଦ୍ୱନ୍ଦଯୁଦ୍ଧରେ ବହୁଲୋକଙ୍କୁ ହରାଇଲେ । କିନ୍ତୁ ବୀର ଓ ଭଦ୍ରଙ୍କ ମଧ୍ୟରେ ଯେଉଁ ଦ୍ୱନ୍ଦଯୁଦ୍ଧ ହେଲା ସେଥିରେ ଭଦ୍ରହିଁ ଜିତିଲେ । ବୀରଙ୍କ ଘୋଡା କ୍ଳାନ୍ତ ହୋଇଥିଲା ଓ ତା’ର ବୟସ ଅଧିକ ଥିଲା, ତେଣୁ ସେ ଭଲକରି ଧାଇଁପାରୁ ନଥିଲା । କେବଳ ସେଇଥିପାଇଁ ବୀର ହାରିଗଲେ ।

                ସୂର୍ଯ୍ୟାସ୍ତ ହେବାମାତ୍ରେ ସମସ୍ତେ ଆସି ଦରବାରରେ ବସିଲେ । ଜଣ ଜଣ କରି ନିଜ ନିଜର ଉପହାର ଗୁଣବତୀଙ୍କୁ ଦେଲେ । ଭଦ୍ର ସବୁଠାରୁ ମୂଲ୍ୟବାନ ଜିନିଷ ଦେଲେ । ବୀର ନିଜର ତରବାରୀ ବାହାର କରି ଗୁଣବତୀଙ୍କ ସାମନାରେ ତାହା ରଖି କହିଲେ, “ମୁଁ ଗରୀବ ଲୋକ । ଖାଲି ଏହି ଏକମାତ୍ର ମୂଲ୍ୟବାନ୍ ଉପହାର ମୁଁ ତୁମକୁ ଦେଇପାରିବି ।”


ଗପ ସାରଣୀ

ତାଲିକାଭୁକ୍ତ ଗପ