ଧୂସର ଦୁର୍ଗ

                ସୁବାହୁ କହିଲେ “ମୋ ନାମ…ମୋ ନାମ…ଆରେ ଭାଇ, ବାପା ମା ଯେଉଁ ନାମ ରଖିଥିଲେ, ସେ ନାମ ସେମାନେ କେଉଁ କୁକ୍ଷଣରେ ଦେଇଥିଲେ କେଜାଣି, ସେଥିପାଇଁ ମୋର ଦୁର୍ଭାଗ୍ୟର ସୀମା ନାହିଁ । ସନ୍ନ୍ୟାସୀ କହିଛନ୍ତି, ସେନାମ ନ ଧରି ଏଣିକି ମୁଁ ଏକ ନୂଆ ନାମ ଗ୍ରହଣ କରିବା ହିଁ ଠିକ୍ ହେବ । ତେବେ ନୂଆ ନାମ କ’ଣ ହେବ, ସେକଥା ମୁଁ ଏ ପର୍ଯ୍ୟନ୍ତ ସ୍ଥିର କରିନାହିଁ ।”

                ଜଣେ କେହି ପ୍ରସ୍ତାବ ଦେଲା “ତୁମ ଯୋଗୁଁ ଆମେ ସମସ୍ତେ ଶନିଦଶାରୁ ମୁକ୍ତ ହେବୁଁ । ତେଣୁ ଆଜିଠାରୁ ତମ ନାମ ଶନିମର୍ଦ୍ଦନ ହେଉ ।”

                “ଶନିମର୍ଦ୍ଦନର ଜୟ!” ଏହି ଧ୍ୱନିରେ ସଙ୍ଗେ ସଙ୍ଗେ ସେ ନିର୍ଜନ ମୁଲକ କମ୍ପି ଉଠିଲା ।

                ମଶାଲ ଆଲୁଅରେ ବାଟ ଦେଖି ସମସ୍ତେ ରାକ୍ଷସୀଢିଲା ଆଡେ ଚାଲିଲେ । ସୁବାହୁ ସେମାନଙ୍କ କଥାବାର୍ତ୍ତାରୁ ବୁଝିପାରିଲେ କି ସେମାନେ ଦରିଦ୍ର । ସର୍ପକେତୁ ସେମାନଙ୍କୁ ବହୁ ଧନର ଲୋଭ ଦେଖାଇଛି । ସେହି ଲୋଭରେ ସେମାନେ ବୀରପୁର ଦଖଲ କରିବାକୁ ଅଗ୍ରସର ହେଉଛନ୍ତି ।

                ସୁବାହୁ ଜଣକୁ ପଚାରିଲେ “ମୁଁ ବୀରପୁର କଥା ତ କିଛି ବି ଜାଣେ ନାହିଁ । ବୀରପୁରର ସାମନ୍ତ ରଜା ସୂର୍ଯ୍ୟବର୍ମା କ’ଣ ଜଣେ ଖରାପ ଲୋକ?”

                ଏଭଳି କଥା ଶୁଣି ସମସ୍ତେ ଅଳ୍ପ ସମୟ ନୀରବ ରହିଲେ । ଜଣେ ହସି ପକାଇ କହିଲେ, “ଆରେ ଭାଇ, ସୂର୍ଯ୍ୟବର୍ମା କାହିଁକି ଖରାପ ଲୋକ ହେବେ? ବରଂ ସେ ଦୟାଳୁ ଓ ନ୍ୟାୟପରାୟଣ ବୋଲି ଆମେ ଶୁଣିଛୁଁ । ଯଦି ଖରାପ ଲୋକ କେହି ଥାଏ, ତେବେ ସିଏ ହେଲା ସର୍ପକେତୁ । ତାହାଠୁଁ ବଳି ଦୁଷ୍ଟ ଆମେ ଆଉ କାହାରିକୁ ବି ଦେଖି ନାହୁଁ ।”

                ସୁବାହୁ ପ୍ରଶ୍ନ କଲେ “ତେବେ ତୁମେମାନେ ବୀରପୁର ଲୁଣ୍ଠନ କରିବାକୁ ଯାଉଛ କାହିଁକି? ଏଭଳି କରିବା ଦ୍ୱାରା ଦୁଷ୍ଟ ସର୍ପକେତୁକୁ ସାହାଯ୍ୟ କରିବାହିଁ ସାର ହେବ ନାହିଁକି?”

                ତା’ପରେ ସେମାନେ କହିଲେ, “ଆରେ ଭାଇ, ଆମେ ସର୍ପକେତୁକୁ ସାହାଯ୍ୟ କରିବାକୁ ଯାଉନାହୁଁ । ବୀରପୁର ଲୁଣ୍ଠନ କରିବାର ସୁଯୋଗ ଯେତେବେଳେ ଆମକୁ ଦିଆଯାଉଛି, ସେତେବେଳେ ଆମେ ସେ ସୁଯୋଗ ବା କେମିତି ଗ୍ରହଣ ନ କରିବୁ? ଆମେ କ’ଣ ବୋକା? ତେବେ, ଜାଣିଥାଅ, ସର୍ପକେତୁ ବା ତା’ ଲୋକକୁ ଆମେ ଆମ ଲୁଣ୍ଠନରୁ ଭାଗ ମୋଟେ ଦେବୁ ନାହିଁ!”

                ସୁବାହୁ ବୁଝିଲେ, ଏ ମୂର୍ଖଙ୍କୁ କିଛି ନୀତି ଜ୍ଞାନ ଦେବା ଏତେ ସହଜ କଥା ନୁହେଁ । ଏମାନେ ଯେତିକି ସରଳ, ସେତିକି ଲୋଭୀ ମଧ୍ୟ । ଲୁଣ୍ଠନ କରି ଲାଭବାନ ହେବାର ନିଶା ଏମାନଙ୍କୁ ପ୍ରବଳ ମାତ୍ରାରେ ଘାରିଛି । ବୀରପୁର ନ ହୋଇ ଅନ୍ୟ କୌଣସି ସ୍ଥାନରେ ସୁଯୋଗ ପାଇଲେ ବି ଏମାନେ ଏକା କାମ କରିବେ ।

                କିଛି ସମୟ ପରେ ସେମାନେ ରାକ୍ଷସଢିଲା ପାଖରେ ଯାଇ ପହଁଚିଲେ । ସେଠି ସେତେବେଳକୁ ବହୁତ ଲୋକ ଜମା ହୋଇଥାନ୍ତି । ସେମାନଙ୍କ ଦଳପତିମାନଙ୍କ ହାତରେ ମଶାଲ୍ ଥାଏ । ସୁବାହୁ ଯେଉଁ ଦଳ ସହିତ ଯାଇଥାଏ, ସେ ଦଳକୁ ଗୋଟାଏ ସ୍ଥାନରେ ଠିଆ କରାଇ ରଖାହେଲା ।

                ସେନାଧ୍ୟକ୍ଷର ପୋଷାକ ପିନ୍ଧିଥିବା ଜଣେ ଲୋକ ଘୋଡା ଚଢି ସମସ୍ତଙ୍କ ଆଗକୁ ଆସି ସମସ୍ତଙ୍କୁ ସମ୍ବୋଧନ କରି କହିଲେ, “ଶୁଣ । ବଳବାନ୍ ତଥା ଦୟାଳୁ ରାଜା ସର୍ପକେତୁଙ୍କ ସାହାଯ୍ୟରେ ଆଜି ସେମାନଙ୍କ ଦାରିଦ୍ର୍ୟ ଦୂର ହେବାକୁ ଯାଉଛି । ବର୍ତ୍ତମାନ ସମସ୍ୟା ହେଲା; ବୀରପୁର ଦୁର୍ଗ ଭିତରେ କିପରି ପ୍ରବେଶ କରିବା । ଥରେ ଦୂର୍ଗ ଭିତରେ ଆମେ ପଶିଗଲେ ତେଣିକି ଆମକୁ ଆଉ କେହି ବି ରୋକିପାରିବେ ନାହିଁ । ମୁଁ ଗୋଟାଏ ଉପାୟ କହୁଛି । ତମମାନଙ୍କ ଭିତରୁ ପ୍ରଥମେ ଦଳେ ଲୋକ ଯାଇ ଦୁର୍ଗ ଦ୍ୱାରରେ ଆର୍ତ୍ତନାଦ କରିବ – ସତେ ଅବା ସର୍ପକେତୁର ସୈନ୍ୟମାନେ ତମ ଗାଁ ଉପରେ ଚଢଉ କରିଛନ୍ତି! ତମ ଆର୍ତ୍ତନାଦ ଶୁଣି ନଗରରକ୍ଷୀମାନେ ଦୁର୍ଗଦ୍ୱାର ଖୋଲିଦେବେ । ସଙ୍ଗେ ସଙ୍ଗେ ତମମାନଙ୍କ ସହ ସାଧାରଣ ବେଶ ପକାଇ ରହିଥିବା ଆମ ସୈନ୍ୟମାନେ ଭିତରକୁ ପଶିଯିବେ । ବୀରପୁର ଦୁର୍ଗ ଓ ବୀରପୁର ସହର ଏକା । ଅର୍ଥାତ୍ ଦୁର୍ଗ ଭିତରେହିଁ ସହର । ଏହାପରେ ତମେମାନେ ସଙ୍ଗେ ସଙ୍ଗେ ଲୁଣ୍ଠନ ଆରମ୍ଭ କରିଦେବ । ମହାରାଜା ଯଶୋବର୍ଦ୍ଧନଙ୍କର ଜୟ ହେଉ ବୋଲି ପାଟି କରୁଥିବ । ତାହାହେଲେ ବୀରପୁରର ସୈନିକମାନେ ଭାବିବେ କି ତମେମାନେ ଯଶୋବର୍ଦ୍ଧନଙ୍କ ସମର୍ଥକ । ତେଣୁ ସେମାନେ ଆଉ ତମମାନଙ୍କୁ ବାଧା ଦେବେ ନାହିଁ । ସାଧାରଣ ନାଗରିକମାନେ ବାଧା ଦେଲେ ଛଦ୍ମ ବେଶରେ ଥିବା ଆମର ସଶସ୍ତ୍ର ସୈନିକମାନେ ସେମାନଙ୍କୁ ମାରିଦେବେ । ସାବଧାନ! ସର୍ପକେତୁଙ୍କ ନାମ ମୁହଁରେ ଧରିବ ନାହିଁ ।”

                ସେନାଧ୍ୟକ୍ଷର କଥା ଶୁଣି କେତେକ ଅଭ୍ୟାସ କରିବା ନିମନ୍ତେ “ଯଶୋବର୍ଦ୍ଧନଙ୍କର ଜୟ!” ବୋଲି କହି ଚିତ୍କାର କଲେ ।

ସୁବାହୁ ଏ ଷଡଯନ୍ତ୍ର ଦେଖି ଯେତିକି ଆଶ୍ଚର୍ଯ୍ୟ ହେଲେ, ସେତିକି ଚିନ୍ତିତ ବି ହେଲେ । କୌଣସି ମତେ ଏମାନଙ୍କ ଦୃଷ୍ଟି ଏଡାଇ ବୀରପୁରରେ ପହଁଚି ଚନ୍ଦ୍ରବର୍ମାଙ୍କୁ ସତର୍କ କରିଦେଲେ ବୀରପୁର ଦୁର୍ଗ ରକ୍ଷା ପାଇଯା’ନ୍ତା । କିନ୍ତୁ ଏମାନଙ୍କ ଦୃଷ୍ଟିରୁ ଖସିଯିବାର ଉପାୟ କ’ଣ? ଏବେ ତାଙ୍କପକ୍ଷେ ତାହାହିଁ ହେଲା ମୁଖ୍ୟ ସମସ୍ୟା ।

ସେ କୌଣସି ଉପାୟ ପାଇଲେ ନାହିଁ । ଜନତା କ୍ରମେ ବୀରପୁର ଆଡେ ଅଗ୍ରସର ହେବାକୁ ଲାଗିଲା । ଅଳ୍ପ ସମୟ ଭିତରେ ଆଗୁଆ ଦଳ ଯାଇ ଦୁର୍ଗ ଦ୍ୱାରରେ ପହଁଚିଗଲେ ଓ ପାଟିକରି କହିଲେ, “ଦୁର୍ଗ ଦ୍ୱାର ଖୋଲି ଆମ କଥା ଶୁଣନ୍ତୁ । ସର୍ପକେତୁର ସୈନିକମାନେ ଆମ ଗ୍ରାମ ଲୁଣ୍ଠନ କରୁଛନ୍ତି, ଆମକୁ ହଇରାଣ କରୁଛନ୍ତି । ତେଣୁ ଆମର ସାହାଯ୍ୟ ଲୋଡା ।”

ଦ୍ୱାରରକ୍ଷୀମାନେ ଏଭଳି ପରିସ୍ଥିତିରେ କ’ଣ ଯେ କରିବେ କିଛିବି ଠଉରାଇପାରୁ ନଥାନ୍ତି । କେତେଜଣ ପ୍ରତାରକ ପୁଣି କହିଲେ, “ଆଜ୍ଞା, ଆମେମାନେ ରାଜା ସୂର୍ଯ୍ୟବର୍ମାଙ୍କ ଶରଣକୁ ଆସିଛୁଁ । ଦ୍ୱାର ଖୋଲନ୍ତୁ ।”

ଏଥର ସେ ଦ୍ୱାରରକ୍ଷୀମାନେ ଦ୍ୱାର ଖୋଲିଦେଲେ । ସଙ୍ଗେ ସଙ୍ଗେ ଲୁଣ୍ଠନ ଲୋଭରେ ଆସିଥିବା ଜନତା ବାଟ ଛାଡିଦେଲେ; ସର୍ପକେତୁର ଛଦ୍ମବେଶୀ ସୈନିକମାନେ ଆଗକୁ ମାଡି ଆସି ଦ୍ୱାରପକ୍ଷୀମାନଙ୍କୁ ହତ୍ୟା ବା ଆହତ କରି ଭିତରକୁ ପଶି ଆସିଲେ ।

ପ୍ରବଳ ବେଗରେ ସୁବାହୁ ଦୁର୍ଗ ଭିତରେ ଥିବା ରାଜମହଲ ଆଡେ ଦୌଡିବାକୁ ଲାଗିଲେ । ପଛରୁ ଜଣେ ପାଟିକରି କହିଲା, “ଏକୁଟିଆ ସେମିତି ଆଗକୁ କିଏ ଯାଉଛି? ତାକୁ ରୋକିଦିଅ ।”

ସଙ୍ଗେ ସଙ୍ଗେ ଦୁଇ ତିନିଜଣ ସୈନିକ “ରହ, ରହ” ବୋଲି ପାଟି କରି ସୁବାହୁ ଆଡେ ଦୌଡି ଆସିଲେ । ତା’ପରେ ସୁବାହୁ ଜଣକ ଛାତିରେ ପଦାଘାତ କରି ତାକୁ ତଳେ ପକାଇଦେଇ ତା’ ତରବାରୀ ଛଡାଇ ନେଲା । ଅନ୍ୟ ଦୁଇଜଣ ତା’ ପାଖକୁ ଆସିବା ମାତ୍ରେ ସେ ତରବାରୀ ସାହାଯ୍ୟରେ ସେମାନଙ୍କୁ ମାରି ତା’ପରେ ତୀର ଗତିରେ ଆଗକୁ ଛୁଟି ଚାଲିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ