ଧୈର୍ଯ୍ୟ ମଣିଷର ଶ୍ରେଷ୍ଠ ଗୁଣ

                ଦିନକର କଥା । ଗୁରୁ ରାମଦାସ ଏକ ଜଙ୍ଗଲିଆ ରାସ୍ତାଦେଇ ଏକ ଗାଁକୁ ଯାଉଥାନ୍ତି । ବାଟରେ ଏକ ଖଳ ଲୋକ ତାଙ୍କୁ ଭେଟିଲା । ସାଧାରଣତଃ ଖଳପ୍ରକୃତିର ଲୋକମାନେ ତ ସାଧୁ ସନ୍ଥଙ୍କୁ ମୋଟେ ଭଲ ପାଆନ୍ତି ନାହିଁ । ସୁତରାଂ ସେହି ଖଳଲୋକଟି କୌଣସି କାରଣ ନଥାଇ ବି ଗୁରୁ ରାମଦାସଙ୍କୁ ଗାଳି ଗୁଲଜ କରିବା ଆରମ୍ଭ କରିଦେଲା । ଏଣେ ସେ ଗୁରୁ ରାମଦାସ ନୀରବରେ ଆଗକୁ ମାଡି ଚାଲିଥାନ୍ତି, ଖଳ ଲୋକଟିର ଗାଳିଗୁଲଜକୁ ଭୂକ୍ଷେପ ନକରି । ହେଲେ ଖଳଲୋକଟି ତା’ର ଗାଳି ବର୍ଷଣ କଦାପି ମଧ୍ୟ ବନ୍ଦ କରୁ ନଥାଏ । ସେ ଅତି ଖରାପ ଭାଷାରେ ଗାଳି କରି କରି ତାଙ୍କ ପଛେ ପଛେ ସେମିତି ଚାଲିଥାଏ ।

                ଏହିଭଳି କିଛି ସମୟ ଗଲାପରେ ଜଙ୍ଗଲ ରାସ୍ତା ଶେଷ ହୋଇଗଲା । ଆଉ କିଛି ଦୂରରେ ଗାଁଟିଏ ପଡିବ । ଠିକ୍ ସେଇଠି ବାଟରେ ରାମଦାସ ଠିଆ ହୋଇଗଲେ । ତଥା ସେଇ ଖଳ ଲୋକଟିକୁ କହିଲେ, “ମୁଁ ଏଇଠି ଠିଆ ହେଲି । ତୁମର ଯେତେ ଗାଳି ଦେବାର କଥା ଦେଇଦିଅ । ଆଉ ମୋ’ ପଛେ ପଛେ ଆଗକୁ ଆସ ନାହିଁ ।”

ଏହା ଶୁଣି ଅତି ଚଢାଗଳାରେ ସେ ଖଳ ଲୋକଟି କହିଲା, “କାହିଁକି? ତୁମେ ମୋତେ ମନା କରିବାକୁ କିଏ? ମୋର ଇଚ୍ଛା ଯାହା ମୁଁ ସେଇଆ କରିବି ।”

ଏଥର ଗୁରୁ ଅତି ଧୀର ସ୍ୱରରେ କହିଲେ, “ଭାଇ, ମୁଁ ତ ତୁମର ଭଲ ପାଇଁ ହିଁ କହୁଛି । ମୋ କଥା ଟିକେ ମାନ । ମୁଁ ତୁମକୁ ଏପରି କହିବାର କାରଣ ଏଇ ଗାଁର ଲୋକମାନେ ମୋତେ ବହୁତ ଶ୍ରଦ୍ଧା କରନ୍ତି । ଯଦି ତୁମେ ସେମାନଙ୍କ ଆଗରେ ମୋତେ ଗାଳିଦିଅ, ସେମାନେ ଏସବୁ ଆଦୌ ସହ୍ୟ କରି ପାରିବେ ନାହିଁ । ଅଯଥାରେ ତୁମକୁ ମାଡମାରି ସେମାନେ ହଇରାଣ କରିବେ ।”

ତଥାପି ବି ସେ ଲୋକଟି ଜମା ଡରିଲାନି । ଅତ୍ୟନ୍ତ ବେପରୱା ଭାବରେ ସେ କହିଲା, “ସେଥିରେ ତୁମର କ’ଣ ଅଛି? ବେଳ ଆସିଲେ ଦେଖାଯିବ?”

ଏଥର ଗୁରୁ ରାମଦାସ ଟିକିଏ ହସିଦେଇ କହିଲେ, “ତୁମେ ମୋତେ ଭୁଲ ବୁଝୁଛ । ତୁମେ ଯଦି ମୋ’ ଆଗରେ ମାଡଗାଳି ଖାଇବ କି ତୁମର କିଛି ଅଘଟଣ ଘଟିବ ତେବେ ମୋତେ ତ ବଡ କଷ୍ଟ ଲାଗିବ । କାରଣ ମୋ’ ସହିତ ସାଥୀ ହୋଇ ତୁମେ ଅନେକ ବାଟ ଆସିଲଣି; ତୁମ ପ୍ରତି ମୋ’ ମନରେ କେଜାଣି କାହିଁକି ଏକ ଅଜଣା ମାୟା ଆସିଯାଇଛି ।”

ଗୁରୁ ରାମଦାସଙ୍କର ଏଭଳି କଥାରୁ ଜଣା ପଡୁଥିଲା ସତେଯେପରି ତାଙ୍କଠାରେ ଅସୀମ ଧୈର୍ଯ୍ୟ ଭରି ରହିଥିଲା । ଲୋକଟି ଖଳ ପ୍ରକୃତିର ହେଲେ ମଧ୍ୟ ଗୁରୁ ରାମଦାସ ତାକୁ ଅତି ଆପଣାର କରି ନେଇଥିଲେ । ସେଦିନ ଗୁରୁ ରାମଦାସ ତାଙ୍କର ସହନଶୀଳତା ଗୁଣରେ ସେହି ଖଳଲୋକଟିର ସ୍ୱଭାବକୁ ସମ୍ପୂର୍ଣ୍ଣ ଭାବରେ ବଦଳାଇ ଦେଇଥିଲେ ।

ଶେଷରେ ସେ ଖଳ ଲୋକଟି ଗୁରୁ ରାମଦାସଙ୍କ ପାଦତଳେ ପଡି ତାଙ୍କଠାରୁ କ୍ଷମା ପ୍ରାର୍ଥନା ମାଗିବା ସହିତ ତାଙ୍କର ଶିଷ୍ୟତ୍ୱ ମଧ୍ୟ ଗ୍ରହଣ କଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ