ଅନେକ ବର୍ଷ ତଳେ ଜଣେ ଗୁରୁଥିଲେ । ତାଙ୍କ ନାମ ଗୁରୁ ଶିବଯୋଗୀ । ତାଙ୍କର ଅଳ୍ପ କେତେଜଣ ଖୁବ୍ ବାଧ୍ୟ ଛାତ୍ର ଥିଲେ । ସେମାନେ ଗୁରୁଙ୍କ ସହିତ ଗୋଟେ ପାହାଡ ଉପରେ ଥିବା ତାଙ୍କ ଆଶ୍ରମରେ ରହନ୍ତି । ଗୁରୁଙ୍କ ସହିତ ଏକାଠି ଖିଆପିଆ କରନ୍ତି ଓ ସେହି ଆଶ୍ରମରେ ରହି ବିଦ୍ୟା ଅଧ୍ୟୟନ ମଧ୍ୟ କରନ୍ତି ।
ଦିନେ ଗୁରୁ ତାଙ୍କର ସବୁଠାରୁ ପ୍ରିୟ ନିର୍ଭୀକ ଛାତ୍ରଟିକୁ ଡାକି କହିଲେ “ଭୀରନ୍, ଜଙ୍ଗଲ ଭିତରକୁ ଯାଅ । ଗୋଟେ ମୋଟା ସୋଟା ଠେକୁଆ ଧରି ତାକୁ ପୋଡି ଆଜିର ଖାଦ୍ୟ ପ୍ରସ୍ତୁତ କରି ଆଣିବ ।” ତା’ପରେ ସେ ଭୀରନ୍ ଗୁରୁଙ୍କ ଆଜ୍ଞାମାନି ଜଙ୍ଗଲ ଭିତରକୁ ଗଲା, ଜାଲ ପକାଇ ଏକ ମୋଟା ଥାକୁଲା ଠେକୁଆ ଧରିଲା । ଗୁରୁ ଯେମିତି କହିଥିଲେ ସେମିତି ତାକୁ ପୋଡିବାର ବ୍ୟବସ୍ଥା କଲା । ମାଂସ ପୋଡାର ବାସ୍ନାରେ ତା କରଡି ଖାଲି ଜଳିଲା । ସେ ଆଉ ଲୋଭ ସମ୍ବରଣ କରି ପାରିଲା ନାହିଁ । କିନ୍ତୁ ମନରେ କୌଣସି ଦ୍ୱିଧା ନ ରଖି ଗୋଟିଏ ଗୋଡ ସେଥିରୁ କାଢି ଖାଇଲା । ତା’ପରେ ତିନି ଗୋଡ ଥିବା ରନ୍ଧା ଠେକୁଆକୁ ଧରି ସେ ଭୀରନ୍ ଗୁରୁଙ୍କ ପାଖରେ ଆସି ପହଁଚିଲା ।
ଠେକୁଆର ତିନୋଟି ଗୋଡ ଦେଖି ଗୁରୁଙ୍କର କାହିଁ ଟିକେ ଅବିଶ୍ୱାସ ହେଲା । ତେଣୁ ସେ ଭୀରନ୍କୁ ଡାକି ପଚାରିଲେ ।
ଭୀରନ୍ କହିଲା, “ଗୁରୁଦେବ! ଆଜି ଧରାପଡିଥିବା ଠେକୁଆର ମାତ୍ର ତିନୋଟି ଗୋଡ ହିଁ ଥିଲା ।”
ଗୁରୁ ଜାଣିଲେ ସେ ମିଛ କଥା କହୁଛି । ତେଣୁ ସେ ତାକୁ ବାରମ୍ବାର ସେଇ କଥା ପଚାରିଲେ । କିନ୍ତୁ ପ୍ରତିଥର ଭୀରନ୍ ସେଇ ଏକା ଉତ୍ତର ହିଁ ଦେଲା । ଗୁରୁ ଏଥର ଭୀରନ୍ର ଇଚ୍ଛା ଶକ୍ତି ବା ସଂକଳ୍ପ ପରୀକ୍ଷା କରିବାକୁ ଏକ ଉପାୟ ପାଂଚିଲେ ।