ବଗଲା-ବଗୁଲୀଞ୍ଚ

                ସପ୍ନା- ନାହିଁ ଲୋ ବୋଉ- ହରି ଯେ ବଡ ଠାକୁର, ସେ ଖାଇବାକୁ ପିଇବାକୁ ସବୁ ଦେଉଛନ୍ତି, ଆମର ସବୁ କାମ ଦେଖୁଛନ୍ତି, ମନକଥା ବି ଜାଣୁଛନ୍ତି । ଆମେ ଭଲ କାମ କରିବା, ତାଙ୍କୁ ଭଜିବା, ସେ ସୁଖ ଦେବେ । ମନ୍ଦ କାମ କଲେ, ତାଙ୍କୁ ଅମାନ୍ୟ ହେଲେ, ସେ ଦୁଃଖ ଦେବେ ।

                ଚେମୀ- ସବୁକଥା ତ ହରି ଦେଖିବ, ଅଳିଆ କାମ କଲେ ଦୁଃଖ ଦବ, ବାପ ଲୋ! ମୁଁ ସିମିତି କାମ କେବେବି କରିବି ନାହିଁ, ସବୁବେଳେ ତମ ପରି ମୁଁ ମଧ୍ୟ ହରିଙ୍କୁ ଡାକିବି । ଏ ଖାଉନ୍ଦ! ମୋତେ ଭଲ ପାଇଟି ଶିଖାଇଦିଅ । ମା’ ପରା କହିଛି ତମ କଥା ମାନିବି- ତେମେ ଯା କହିବ, ସବୁ ଶୁଣିବି ।

                ଗେରସ୍ତ ଭାରିଯା ଦୁଇଟି ପ୍ରାଣୀ ସବୁବେଳେ ଏକ ସାଙ୍ଗରେ ଥା’ନ୍ତି, ଛାଡବାଡ ନ ଥାଏ, ଜଣକୁ ନ ପଚାରି ଆରଜଣକ କିଛି ବି ପାଇଟି କରେ ନାହିଁ । ଜଣକ ମନରେ ଦେହରେ ଦୁଃଖ ହେଲେ ଆଉଜଣକ କାନ୍ଦି ପକାଏ । ସପ୍ନା ସାଆନ୍ତଘର ପାଇଟିକୁ ଗଲେ ଚେମୀ ଟୋକେଇଟିଏ କାଖେଇ ତାଙ୍କ ପଛେ ପଛେ ଯାଏ । ସପ୍ନା ବିଲରେ କାମ କରୁଥିବାବେଳେ ଚେମୀ ଘଷି ସାଉଁଟେ । ହିଡତଳୁ ପିତାଶାଗ, ମଦରଙ୍ଗା ଶାଗ ତୋଳେ, ଗାତରୁ କଙ୍କଡା ଧରେ ।

                ସପ୍ନା ଏକୁଟିଆ ଅଲଗା ପାଇଟି କରେ, ପାଂଚଜଣ ମୂଲିଆଙ୍କ ସାଙ୍ଗରେ ସେ କେବେବି ନ ଥାଏ । କାଳେ କେହି ଦୁଷ୍ଟଲୋକ ଟାହି ଟାପରା କରି କଥା ପଦେ କହିଦେବ ପରା! ଆଉ ଦୁଇଜଣ ମନଫିଟେଇ କଥାଭାଷା ହୋଇପାରିବେ ନାହିଁ ।

                ସପ୍ନା ପାଂଚମାଣ ଧନ ମୂଲ ପାଏ । ବୁଢା ଅମଳରୁ ଘରେ ଗୋଟାଏ ଭଙ୍ଗା ମାଣ ଅଛି, ଚେମୀ ସେଥରେ ମାପି ପକାଏ । ଆଗ ମାଣେ ମାପି ବୁଢା ଅମଳର ଗୋଟାଏ ଭଙ୍ଗା ମୁଣ୍ଡି ମାଠିଆରେ ପୂରାଇ ରଖିଦିଏ । “ଏ ଖାଉନ୍ଦ! ଦେହ ଅଛି, ପା’ ଅଛି, ଘରେ ବସି ଖାଇବା ।” ମାଣେ ଧାନ ଦେଇ ତେଲ ପାହୁଲାକର, ଲୁଣ ପାହୁଲାକର, ଧୂଆଁପତର ଅଧପାହୁଲାଏ, ହଳଦୀ ଅଧପାହୁଲାଏ ହିସାବ କରିଦେଇ ଶାମ ସାହୁ ତେଲୀ ମହାଜନ ଦୋକାନକୁ ସପ୍ନାକୁ ପଠାଇଦିଏ । ଆଉ ତିନିମାଣ ଧାନ ହାତ ପାହାରଣାରେ କୁଟିପକାଏ । ଚାଉଳ ବାହାର କରି ନେଇ ତଷୁଗୁଡିକ ଗୋଟିଏ ଭଙ୍ଗା ଟୋକେଇରେ ଜମାକରି ରଖିଥାଏ, ଦୁଇ ଚାରିଦିନ ବାଦ୍ ସେଇ ତଷୁ କୁଟି ସେଥିରୁ କୁଣ୍ଡା ବାହାର କରିନିଏ । ମୁଠାଏ ଚାଉଳ ପକାଇ ସେ କୁଣ୍ଡା ମିଶାଇ ପିଠଉ ବାଟି ଦେଇ ଗୋଟାଏ ପୋଡପିଠା କରିଦିଏ । ତଷୁରେ ଗୋବର ଲଗାଇ ସେ ଘଷି ପାରେ । ସପ୍ନା କହେ, “ଚେମୀ ସବୁ ଗୁଣରେ ଫରାକତ୍ । ତା’ପରି ଚାଉଳ କୁଟିବ କିଏ?”

                ସପ୍ନା ଦୋକାନରୁ ବାହୁଡିବା ବେଳକୁ ଚେମୀ ଭାତ ରାନ୍ଧି ରଖିଥାଏ । ଦୋକାନ ସଉଦା ଭଲକରି ଦେଖି ସେ ସାଇତି ରଖେ । ତାହା ବାଦ୍ ଟୋପାଏ ତେଲ ପକାଇ ଶାଗଟା ଖରଡି ପକାଏ, କଙ୍କଡା ଛେଚି ଦେଇ ଟୋପାଏ ତେଲ ଲୁଣ ଗୋଳେଇଦିଏ, ମାଛ ଥିଲେ ଟୋପାଏ ତେଲ ପକାଇ ଅଣ କରିଦିଏ । ବୁଢା ଭଙ୍ଗା ପଥୁରିରେ ସପ୍ନାକୁ ଭାତ ପରଷି ଦେଇ ତା’ ପାଖରେ ଚେମୀ ବସେ । ରାଣନିୟମ ଦେଇ ବଳେଇ ବଳେଇ ଦୁଇଗୁଣ୍ଡା ଅଧିକ ଖୁଆଏ । ଚେମୀ ବଡ ଘରଣୀ । ଝୋଟ ଅମଳବଳେ ସାଆନ୍ତମାନଙ୍କ ଦୁଆରୁ ସଳିତା କାଠି ଆଣି ବିଡାବାନ୍ଧି ସେ ରଖିଛି, ଖାଉନ୍ଦ ଭାତ ଖାଇବାବେଳେ ଗୋଟାଏ କାଠି ଜାଳି ଆଲୁଅ ଦେଖାଏ । ସପ୍ନାର ଖିଆ ହୋଇଗଲେ ସେ ଅଇଁଠା ପଥୁରିରେ ଆପଣା ଭାତ ବାଢି ଖାଏ । ଭଲମନ୍ଦ ଯେ ପଦାର୍ଥ ଘରକୁ ଆସୁ, ସପ୍ନା ଆଗେ ନ ଖାଇଲେ ଚେମୀ ଖାଇବ ନାହିଁ । ଦି’ଜଣଙ୍କ ଖିଆପିଆ ହୋଇଗଲେ ବାକି ଭାତଗୁଡିକ ପଖାଳି ତହିଁ ଆର ଦିନକୁ ଚେମୀ ରଖିଦିଏ । ଓଳିଏ ରୋଷେଇ, ଦୁଇ ଓଳିକୁ ଜାଳ କାହିଁ? ଆହୁରି ଗୋଟାଏ କଥା, ସକାଳଓଳି ପାଇଟିରୁ ଆସିବାକୁ ଦିନ ଦି’ପହର, ଭୋକବେଳେ କ’ଣ ରନ୍ଧାକୁ ତର ସହିବ? ବର୍ଷାଦିନେ ଜାଳ ମିଳିବ ନାହିଁ ବୋଲି ଖରାଦିନେ ଘଷିପାରି ଚେମୀ ଓଳି ପନ୍ଦାଡରେ ଟାଙ୍ଗି ରଖିଦେଇଛି ।

ସପ୍ନା-ଚେମୀ ଦୁଇଟି ପ୍ରାଣୀ ଖୁବ୍ ମନ ଆନନ୍ଦରେ ଅଛନ୍ତି । ସାହୁର ଦେଣା ନାହିଁ କି ରଜାର ଖଜଣା ନାହିଁ । ଦିନେ ସୁଦ୍ଧା ଘରେ ଅନ୍ନ ଛୁଟଣ ନାହିଁ । ମନରେ କିଛି ଭାବନା ନାହିଁ, ଖାଇବା କଥା ପଡିଲେ ଦୁଇଜଣଯାକ କହନ୍ତି, ମୁଲକରେ ଏତେ ବିଲ, ଗଡିଆ ପୋଖରୀ ଥାଉଁ ଥାଉଁ କ’ଣ ଦି’ଟା ପ୍ରାଣୀ ପେଟ ପୂରିବ ନାହିଁ । ଚେମୀ କହେ, “ଏ ଖାଉନ୍ଦ! ତେମେ କାହିଁକି ପର ପାଇଟିକି ଯିବ । ବାଳୁଙ୍ଗା ଝାଡି ଆଣିଲେ ତ ଆମର ଛ’ ମାସ ମେଂଟିଯିବ ।” ବେଳ ଜାଣି ଚେମୀ କୁଲାଟାରେ କାଠି ଖଣ୍ଡେ ବାନ୍ଧି ଢେର୍ ବାଳୁଙ୍ଗା ଝାଡିଆଣି ଘରେ ରଖେ । ଖାଉନ୍ଦକୁ ବାଧିବ ବୋଲି ଚେମୀ ରୋଜ ରୋଜ ତାକୁ ପାଇଟିକୁ ପଠାଏ ନାହିଁ, ବାଳୁଙ୍ଗାରେ ଅନ୍ନ ଚଳାଏ । ଯେଉଁଦିନ ସପ୍ନା ସାଆନ୍ତଘର ପାଇଟିକୁ ନ ଯାଏ, ସେଦିନ ଦୁଇଜଣ ପୋଖରୀ ପୋଖରୀ ବୁଲି ବୁଲି କଛିମ, କଙ୍କଡା, ମାଛ ଧରି ଆଣନ୍ତି । ସେଦିନ ଚେମୀ ଢେର୍ ରକମ ତିଅଣ ରାନ୍ଧେ, ଦୁଇଜଣଙ୍କର ଭାରି ଆନନ୍ଦ । ରାତିରେ ଚେମୀ ରନ୍ଧାବଢା କରୁଥିବାବେଳେ ସପ୍ନା ହରିଣୀ ସ୍ତୁତି, ଗଜସ୍ତୁତି ଗାଏ । ଭାଗବତରୁ ବି ଢେର୍ ପଦ ସେ ଶିଖିଛି, ତେଣୁ ଏଠୁ ସେଠୁ ସେ ଢେର୍ ପଦ ଗାଏ । ଚେମୀ ସେସବୁ କାନଡେରି ଶୁଣୁଥାଏ । ପଢାପଢି ସରିଲେ, ‘ଠାକୁର-ହରି, ଦୟାକର’ କହି ସପ୍ନା ହାତଯୋଡି ଭୂମିରେ ଢପ ଢପ କରି ତିନିଥର ମୁଣ୍ଡିଆ ମାରେ, ତା’ ବାଦ୍ ଚେମୀ ସପ୍ନା ଗୋଡତଳେ ତିନିଥର ଜୁହାର ହୋଇ ତା’ ପାଦରୁ ଧୂଳି ନେଇ ମୁଣ୍ଡରେ ମାରେ । ଚେମୀ ପ୍ରତିଦିନ ସଞ୍ଜବେଳେ ଏହିପରି କରେ । ଯେଉଁଦିନ ହାତରେ କିଛି ପାଇଟି ନାହିଁ, ଦୁଇଜଣ ଦୁଇଜଣଙ୍କୁ ଅନାଇ ପିଣ୍ଡାଟାରେ ବସିଥା’ନ୍ତି । ବୁଢା ରାମ ପରିଡାକୁ ସପ୍ନା ଅଜାସାଆନ୍ତ ବୋଲି ଡାକେ, ତାଙ୍କରି ଘରେ ଢେର୍ ଦିନ ପାଇଟି କରେ । ପରିଡା ବୁଢା ଦିନେ ଦିନେ ସପ୍ନାକୁ ଡାକିବାକୁ ଆସି ଦେଖେ, ଦୁଇଜଣ ଏକା ଜାଗାରେ ବସିଛନ୍ତି- ତେଣୁ ସେ ଟାପରା କରି କହେ, “କିରେ ସପ୍ନା, ତୁମେ ଦୁଇଟା ଯେ ବଗଲା-ବଗଲୀ ପରି ବସିଛ!” ରୋଜ ରୋଜ ଟାପରା କରି ବଗଲା-ବଗଲୀ ବୋଲି କହୁଁ କହୁଁ ପରିଡାର ଅଭ୍ୟାସ ହୋଇଗଲାଣି । ସବୁବେଳେ ଡାକେ, “ଆରେ ବଗଲା, ଆଲୋ ବଗୁଲୀ!” ତା’ ଶୁଣାଶୁଣି ଗାଁଲୋକେ ବି ଏମାନଙ୍କୁ ଡାକିଲେଣି ବଗଲା ପାତ୍ର । ଗାଁ ମାଇକିନିଆମାନେ ବି ଚେମୀକୁ ଟାପରା କରି କହନ୍ତି, “ଆଲୋ ବଗୁଲୀ, ତୋ’ ବଗଲା ଲାଗି କ’ଣ ରାନ୍ଧିଥିଲୁ?” ସତକୁ ସତ ସମସ୍ତେ ଦେଖୁଛନ୍ତି, ସବୁଦିନେ, ସବୁବେଳେ ବଗଲା ବଗୁଲୀ ପରି ଦୁଇଜଣ ଏକା ସାଙ୍ଗରେ ଅଛନ୍ତି । ଶେଷକୁ ଗାଁରେ ନାମ ହୋଇଗଲାଣି- ବଗୁଲା-ବଗୁଲୀ ।

ବର୍ଷାଦିନରେ ବଗଲା-ବଗୁଲୀର ଭାରି ଆନନ୍ଦ । ବିଲ ବଛାବେଳେ ଦୁଇଜଣଙ୍କୁ ପାଇଟି ମିଳେ । ସପ୍ନାର ମୂଳ ପାଂଚମାଣ, ଚେମୀର ଚାରିମାଣ, ଖାଇପିଇ ତାଙ୍କର ପାଂଚମାଣ ଧାନ ବଳିପଡେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ