ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ବଲ୍ଲଭ ଓ ବନଦେବୀ

କୌଣସି ଏକ ଗ୍ରାମରେ ବଲ୍ଲଭ ନାମକ ଏକ କାଠୁରିଆଟିଏ ଥାଏ । ଦିନେ ଭୋର୍ରୁ ଉଠି ସେ କାଠ କାଟିବାକୁ ଯିବ ବୋଲି ବାହାରିଛି । ଠିକ୍ ସେହି ସମୟରେ ତା’ ସ୍ତ୍ରୀ ତାକୁ କହିଲା, “କାଲି ଆମ ଝିଅର ଜନ୍ମଦିନ, ଏହା ଜାଣିଛ ତ? ତେଣୁ ଆଜି ବେଶି କାଠ କାଟି ବଜାରରେ ବିକ୍ରିକଲେ ହାତକୁ କିଛି ଟଙ୍କା ଆସିବ । ଝିଅ ପାଇଁ ନୂଆ ପୋଷାକ ଅଣା ହେବ; ପୁଣି ପଡୋଶୀମାନଙ୍କୁ ବି ଆମେ ଖାଇବାକୁ ଡାକିବା । ତୁମ ଅପେକ୍ଷାରେ ମୁଁ ଥିବି ।”

ସ୍ତ୍ରୀ କଥାରେ ବଲ୍ଲଭ ସ୍ୱୀକୃତି ସୂଚକ ମଥା ହଲାଇ ଜଙ୍ଗଲକୁ ଚାଲିଗଲା । କିନ୍ତୁ ସେ ଦିନସାରା ଜଙ୍ଗଲରେ ବୁଲି ବୁଲି ଗୋଟିଏ ହେଲେବି ଶୁଖିଲା ଗଛ ପାଇଲା ନାହିଁ । ଭାବିଲା ଝିଅର ଜନ୍ମଦିନ କିପରି ହେବ । ଏଣେ ବେଳ ତ ଗଡିବାକୁ ହେଲାଣି । ଶେଷରେ ସେ ବାଧ୍ୟ ହୋଇ ଗୋଟିଏ କଂଚାଗଛ କାଟିବାକୁ ବାହରିଲା ।

ସେ ଦେଖିଲା, ସେ ମନୋନୀତ କରିଥିବା ଗଛଟି ଅସାଧାରଣ ସୁନ୍ଦର । ସେପରି ଗଛ ତ ସେ ପୂର୍ବରୁ ମୋଟେ ବି ଦେଖି ନଥିଲା । ସେ ପ୍ରଥମେ ଟିକିଏ ଦ୍ୱିଧା କରି ତା’ପରେ ଭାବିଲା, “ମୁଁ ଯଦି ଏ ଗଛଟିକୁ କାଟି ନେଇଯିବି ଓ ସହରରେ ବିକ୍ରି କରିବି ତେବେ ବହୁତ ଟଙ୍କା ମୋତେ ମିଳିଯିବ । ତତ୍ସହିତ ମୋ ସମସ୍ୟାର ସମାଧାନ ବି ହୋଇଯିବ । ଗଛଟି ସୁନ୍ଦର । ତେଣୁ କାଟିବାକୁ ମୋର ମନ ମୋଟେ ହେଉନାହିଁ । କିନ୍ତୁ ମୋର ଏବେ ଯାହା ବି ଅବସ୍ଥା, ସେଥିରେ ମୁଁ ବା ଆଉ କ’ଣ କରିବି? ମୋତେ ତ କାଟିବାକୁ ହିଁ ହେବ ।”

ହଠାତ୍ ତା’ର ଆଖି ଝଲସାଇ ସ୍ୱୟଂ ବନଦେବୀ ତା’ ସାମନାରେ ପ୍ରକଟ ହୋଇ କହିଲେ, “ଆରେ ପୁଅ, ରହିଯାଆ ଟିକିଏ; ଏଇଟି ସାରା ବଣକୁ ଶୋଭାୟମାନ କରୁଥିବା ଏକମାତ୍ର ଜୀବନ୍ତ ଚନ୍ଦନ ବୃକ୍ଷ । ତୋତେ କ’ଣ ଆଉ କୋଉ ଶୁଖିଲା ଗଛ ମିଳିଲା ନାହିଁ ଯେ ଶେଷରେ ତୁ ଏଇଟିକୁ କାଟୁଛୁ?”

ଏହା ଶୁଣି ଖୁବ୍ ବ୍ୟସ୍ତ ହୋଇ ବଲ୍ଲଭ କହିଲା, “ମା’ ଆଜି ମୋ ସାମନାରେ ସବୁ ଗଛ ଏକ । କାଲି ମୋ ଝିଅର ଜନ୍ମଦିନ । ସେଥିଲାଗି ତ ଅନେକ ଜିନିଷ ଦରକାର – ପୋଷାକ, ଖେଳନା ଓ ଭୋଜିପାଇଁ ପଇସା । ତା’ଛଡା କାଠ କାଟିବା ତ ମୋର ପେଷା । କାଠ ନ କାଟିଲେ ମୁଁ କେମିତି ବଂଚିବି?”

“ଆଚ୍ଛା, ମୁଁ ତୋ ଝିଅ ପାଇଁ ଖେଳନା ଶୁଆ ବଦଳରେ ଏକ ଜୀବନ୍ତ କଥାକୁହା ଶୁଆ ଦେବି । କିନ୍ତୁ ଏ ଚନ୍ଦନ ବୃକ୍ଷକୁ ତୁ କାଟିବୁ ନାହିଁ ।” ଏତିକି କହି ବନଦେବୀ ବଲ୍ଲଭକୁ ଗୋଟିଏ ପଂଚରଙ୍ଗୀ ଶୁଆ ଦେଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ