ବହୁତଦିନ ତଳର କଥା । ସେତେବେଳକୁ ମଟରଗାଡି, ରେଳଗାଡି, ବିଜୁଳିବତୀ କିଛି ବି ବାହାରି ନ ଥାଏ । ତେଣୁ ଦୂର ଦୂରାନ୍ତ ଜାଗାକୁ ଲୋକମାନେ ପାଦରେ ଚାଲି ଚାଲି ଯିବା ଆସିବା କରୁଥାଆନ୍ତି । ଘରେ ଘରେ ତେଲ ଦୀପ ଜଳେ । ସେଇଥିରେ ଲୋକମାନେ କାରବାର ହୁଅନ୍ତି । ଏହା ସେଇ ଯୁଗର କଥା । ସେତେବେଳେ କାଶୀକୁ ସଂସ୍କୃତ ବିଦ୍ୟାନଗରୀ ବୋଲି କୁହାଯାଉଥାଏ । ଯେତେ ବଡ ବଡ ସଂସ୍କୃତ ବିଦ୍ୱାନ ସେଇଠି ରହି ଶାସ୍ତ୍ର ଅଧ୍ୟୟନ କରୁଥାଆନ୍ତି । ଏହି କାରଣରୁ କାଶୀରେ ଅନେକ ସଂସ୍କୃତ ବିଦ୍ୟାପୀଠ ଥାଏ । ଇଣ୍ଡିଆର ଅନେକ ପ୍ରଦେଶରୁ ସଂସ୍କୃତରେ ରୁଚି ରଖୁଥିବା ବିଦ୍ୟାର୍ଥୀମାନେ ଆସି ସେଠାରେ ପାଠ ପଢୁଥାନ୍ତି ।
ଆମ କଳିଙ୍ଗ ସହିତ କୋଶଳ ବୋଲି ଗୋଟିଏ ରାଜ୍ୟ ଥିଲା । ସେହି ରାଜ୍ୟରେ ଶ୍ରୀଧର ବୋଲି ଜଣେ ବ୍ରାହ୍ମଣ ବାହାର ପ୍ରଦେଶରୁ ଆସି ବସବାସ କରୁଥିଲା । ତାର ପଦ୍ମନାଭ ବୋଲି ଗୋଟିଏ ପୁଅ ଥିଲା । ସେହି ପୁଅଟି ସଂସ୍କୃତ ବିଦ୍ୟାରେ ବେଶ୍ ଧୁରନ୍ଦର । ଅଧିକ ଜ୍ଞାନ ଆହରଣ କରିବା ପାଇଁ ସେ କାଶୀରେ ଯାଇ ପଢୁଥିଲା । କିଛି ବର୍ଷ ପରେ ତାର ପାଠ ପଢା ଶେଷ ହୋଇଗଲା । ତେଣୁ ସେ ଚାଲି ଚାଲି ଘରକୁ ଫେରୁଥିଲା । ମଝି ବାଟରେ ଦଳେ ତୀର୍ଥଯାତ୍ରୀଙ୍କ ସହ ତାର ସାକ୍ଷାତ ହେଲା । ସେମାନଙ୍କ ଠାରୁ ଖବର ମିଳିଲା ଯେ ତାର ପିତାମାତା ବୃଦ୍ଧାବସ୍ଥା ଯୋଗୁ ମୃତ୍ୟୁବରଣ କରିଛନ୍ତି । ଏବେ ତାଙ୍କ ଘରେ ଆଉ କେହି ବି ନାହାଁନ୍ତି । ଏ ଖବର ଶୁଣି ପଦ୍ମନାଭ ଆଉ ନିଜ ଗ୍ରାମକୁ ଫେରିବା ପାଇଁ ଇଚ୍ଛା କଲା ନାହିଁ । ନିଜର ଜୀବୀକା ଅନ୍ୱେଷଣରେ ଶେଷରେ ସେ ଅନ୍ୟରାଜ୍ୟକୁ ଯିବା ପାଇଁ ସ୍ଥିର କଲା । କାଶୀ ସହରଠାରୁ ସେ ସେତେବେଳକୁ ତ ଅନେକ ବାଟ ଛାଡି ଆସିଲାଣି । କେଉଁ ରାଜ୍ୟ ସେଟା ତାକୁ ଜଣା ନାହିଁ । ସଂଧ୍ୟା ସମୟରେ ସେ ରାଜଉଆସ ସାମନା ଦେଇ ଚାଲି ଚାଲି ଯାଉଛି ଏହି ସମୟରେ ସେଠିକାର ରାଜା ସାନ୍ଧ୍ୟ ଭ୍ରମଣରୁ ଫେରୁଥିଲେ । ପଦ୍ମନାଭର ଚେହେରା ଖୁବ୍ ସୁନ୍ଦର ଥିଲା । ଅନ୍ୟ ଲୋକଙ୍କୁ ସେ ଆକର୍ଷଣ କରି ପାରୁଥିଲା । ରାଜା ତା ଆଡେ ଅନାଇବାରୁ ସେ ରାଜାଙ୍କୁ କହିଲା ମହାରାଜ ମୁଁ ଜଣେ ଭ୍ରମଣକାରୀ । ଆପଣଙ୍କ ରାଜ୍ୟରେ ଆଜି ପହଁଚିଲି । ବର୍ତ୍ତମାନ ତ ସଂଧ୍ୟା ହୋଇଗଲାଣି । ରାତିକ ପାଇଁ ଆପଣଙ୍କ ଉଆସ ଅତିଥିଶାଳାରେ ବିଶ୍ରାମ ନେବାକୁ ଚାହୁଁଛି । ସ୍ଥାନ ମିଳିଲେ ମୁଁ ଅତ୍ୟନ୍ତ ଖୁସି ହୁଅନ୍ତି ।