ଯଦୁମଣି ରହସ୍ୟ

ଠାକୁର ପୂଜା

ମାଘ ମାସ । ହାଡ ଭଙ୍ଗା ଶୀତରେ କେହି ବିଛଣା ଛାଡିବା ପାଇଁ ମନ କରୁ ନଥାନ୍ତି । ଦେହ ହାତ କୋଲ ମାରି ଯାଉ ଥାଏ । ସାଧାରଣତଃ ବଡ ଲୋକ ମାନେ ଯେତେ ଘୋଡାଇ ହେଲେ ମଧ୍ୟ ସେମାନଙ୍କୁ ବେଶୀ ଶୀତ ହେଉ ଥାଏ ।

ଦିନକର ଘଟଣା । ମକର ସଂକ୍ରାନ୍ତି ହୋଇ ଥାଏ । ସେଦିନ ମଧ୍ୟ ଜୋର୍ରେ ଶୀତ ହେଉ ଥାଏ । ରାଜା ଖୁବ୍ ଶୀଘ୍ର ଉଠିବାର ଥିଲେ ମଧ୍ୟ ଅସହ୍ୟ ଶୀତ ପାଇଁ ଉଠି ପାରି ନଥିଲେ । ରାଜା ବିଛଣା ତ୍ୟାଗ କରି ନିତ୍ୟ କର୍ମ ସାରିଲା ବେଳକୁ କବି ଯଦୁମଣି ଆସି ହାଜର୍ । କବି ମହାଶୟ ପହଁଚିବା ପରେ ରାଜା ଓ କବି ଯଦୁମଣି ଉଭୟ ମିଶି ଏକ ମନ୍ଦିରକୁ ଯିବା ପାଇଁ ଚିନ୍ତା କଲେ । କବି ଯଦୁମଣି ମଧ୍ୟ ରାଜାଙ୍କ କଥାରେ ସମ୍ମତି ଜଣାଇଲେ । ତହିଁ ଆର ଦିନ ଯିବା ପାଇଁ ମନସ୍ଥ କଲେ ।

ପର ଦିନ ରାଜା ସଅଳ ସଅଳ ଶଯ୍ୟା ତ୍ୟାଗ କରି ନିତ୍ୟ କର୍ମ ସାରି ଠାକୁର ପୂଜା କରିବା ପାଇଁ ବାହାରି ଗଲେ । ଏଣେ କବି ଯଦୁମଣି ଆସି ପହଁଚି ଗଲେଣି । ରାଜା ସେତେବେଳେ ପୂଜାରେ ବ୍ୟସ୍ତ ଥାଆନ୍ତି । ରାଜାଙ୍କ ସାମ୍ନାରେଏକ ଧାତୁ ବିଗ୍ରହ ପ୍ରତିମା ଦେଖି କବି ଆଶ୍ଚର୍ଯ୍ୟ ହୋଇ ଗଲେ । କବି ଥଟ୍ଟା କରିବାକୁ ଯାଇ କହିଲେ –

“କେଉଁଠାରେ ଖଡୁ କେଉଁଠାରେ ଗାଡୁ

କେଉଁଠାରେ ପୁଣି ମୁଦି

କେଉଁଠାରେ ତୁମେ ପୁଣି ବୁଲାଉଛ

ପ୍ରଭୁ କରୁଣା ବାରିଧି ।”

ରାଜା ଏହାର ଅର୍ଥ ପଚାରନ୍ତେ, କବି କହିଲେ ମୂର୍ତ୍ତିଟି ଯେଉଁ ଧାତୁରେ ନିର୍ମିତ ସେଥିରେ ଖଡୁ ମୁଦି ଆଦି ଅଳଙ୍କାର ତିଆରି ହୋଇ ଥାଏ । ତେଣୁ ଏହି ଧାତୁରେ ମୂର୍ତ୍ତିଟି ତିଆରି ହୋଇ ଥିବାର ଦେଖୁ ଦେଖୁ ମୋର ତାହା ମନେ ପଡିଲା । କବି ଯଦୁମଣିଙ୍କ ଚତୁରତା ପୂର୍ଣ୍ଣ ଉତ୍ତରରେ ରାଜା ସେଦିନ ମୁଗ୍ଧ ହୋଇ ଯାଇ ଥିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ