ଦସ୍ୟୁ ରାଜକୁମାର

ଅତ୍ୟାଚାରୀ ବୀରସିଂହ ବାରମ୍ବାର ହିନସ୍ତା ହେବାକୁ ଲାଗିଲା । ଜୟନଗରରୁ ସେ ଜବର୍ଦସ୍ତ୍ ନେଇଯାଇଥିବା କନକ ଦୁର୍ଗାଙ୍କ ପ୍ରତିମା ଅଦ୍ଭୁତ ଭାବରେ ଜୟନଗର ଫେରିଗଲା । ରାଜକୁମାରୀ ସୁକନ୍ୟା ମାଙ୍କଡ ପାଲଟିଗଲେ! ନଅରର ଐଶ୍ୱର୍ଯ୍ୟର ମୂଲ୍ୟାୟନ ପାଇଁ ଆସିଥିବା ବିଶେଷଜ୍ଞମାନେ ଦେଖିବାବେଳକୁ ବିଦ୍ରୋହୀ ଦଳର ଲୋକେ । ସେମାନେ ସବୁ ସମ୍ପତ୍ତି ଧରି ପଳାଇ ଗଲେ ।

ଅମୃତପୁର ରାଜପ୍ରାସାଦରେ ରାଜା ପବିତ୍ର ଉତ୍କଣ୍ଠିତ ଭାବରେ କହିଲେ, “ମୋ ନାତିକୁ ଦେଖିବାକୁ ମୁଁ ଅଥୟ ହେଲିଣି ।”

                ରାଜା ପବିତ୍ର ସୁମେଧର ରାଜା ଶାନ୍ତିଦେବଙ୍କ ଶ୍ୱଶୁର । ସେ ବିଦ୍ରୋହୀ ନେତା ବସନ୍ତ ସହ କଥାବାର୍ତ୍ତା କରୁଥିଲେ ।

                ବସନ୍ତ କହିଲା “ମଣିମା! ରାଜକୁମାର ସନ୍ଦୀପ ପ୍ରଥମେ ତାଙ୍କ ପିତାଙ୍କ ରାଜ୍ୟ, ସେ ବିଶ୍ୱାସଘାତକ ବୀରସିଂହଠୁଁ ମୁକ୍ତ କରିବା ପରେ ଯାଇ ଆପଣଙ୍କୁ ଆସି ସମ୍ମାନ ଜଣାଇବେ ବୋଲି ପ୍ରତିଜ୍ଞାବଦ୍ଧ ହୋଇଛନ୍ତି । ମଣିମା, ଆପଣ ତାଙ୍କୁ ଦେଖିଲେ ଭାରି ଖୁସି ହେବେ । ସେ ଆମମାନଙ୍କ ନୟନପିତୁଳା । ତାଙ୍କ ବୀରତ୍ୱ ଓ ମହତ୍ତ୍ୱରେ ଉଦ୍ବୁଦ୍ଧ ହୋଇ ବର୍ତ୍ତମାନ ଆମେମାନେ ସିଧାସଳଖ ବୀରସିଂହର ସୈନ୍ୟବାହିନୀକୁ ସାମ୍ନା କରିବାକୁ ପ୍ରସ୍ତୁତ ।”

                ରାଜା ପବିତ୍ର ପ୍ରଶ୍ନ କଲେ “ବସନ୍ତ! ମୋ ନାତି ପାଇଁ ମୁଁ ଗର୍ବିତ, କିନ୍ତୁ ତା’ପ୍ରତି ତଥା ତମେ ଯେଉଁମାନେ ସୁମେଧ ରାଜ୍ୟ ପୁନରୁଦ୍ଧାର ପାଇଁ ପ୍ରସ୍ତୁତ, ତମମାନଙ୍କ ପାଇଁ କ’ଣ ମୋର କିଛି କର୍ତ୍ତବ୍ୟ ନାହିଁ?”

                ବସନ୍ତ କହିଲା “ମହାରାଜ! ଆପଣ କ’ଣ ଆପଣଙ୍କ କର୍ତ୍ତବ୍ୟ ଯଥାର୍ଥ ଭାବରେ ତୁଲାଇ ନାହାଁନ୍ତି? କିଏ ବିଦ୍ରୋହୀ ଯୁବକମାନଙ୍କୁ ତାଲିମ୍ ଦେଲା? ଅମୃତପୁରର ସୈନ୍ୟଦଳ ବିପଦବେଳେ ଆମ ପଛରେ ଠିଆ ହେବେ, ଏହି ଭରସାରେ ତ ଆମେ ବିଦ୍ରୋହ ଚାଲୁ ରଖିଛୁ! ତେବେ, ମଣିମା, ଆପଣଙ୍କ ସୈନ୍ୟଦଳକୁ ବର୍ତ୍ତମାନ ଗୋଟିଏ ବିଶେଷ କାମ କରିବାକୁ ହେବ ।” ଏହାପରେ ରାଜା, ବସନ୍ତ, ମନ୍ତ୍ରୀ ଓ ସେନାପତି କିଛି ପରାମର୍ଶ କଲେ ।

                ବୀରସିଂହର ମୁଖ୍ୟ ଗୁପ୍ତଚର ଦୌଡି ଆସି ତାକୁ କହିଲା, “ମହାରାଜ! ପୁଣି ଗୋଟାଏ ଅଦ୍ଭୁତ କାଣ୍ଡ ଘଟିଗଲାଣି ।”

ବୀରସିଂହ ଗମ୍ଭୀର ଭାବରେ ପଚାରିଲା “କ’ଣ?”

“ମାଙ୍କଡ ପୁନର୍ବାର ରାଜକୁମାରୀ ସୁକନ୍ୟାରେ ପରିଣତ ହୋଇଗଲାଣି!”

“ଏହା ସତ?” ଏତିକି କହି ବୀରସିଂହ ଆସନ ଛାଡି କୁଦି ପଡିଲା ।

“ସେ ତାଙ୍କ ବାପା ମା’ଙ୍କ ପାଖରେ, ମହାରାଜ!”

ବୀରସିଂହ ଉତ୍ତେଜିତ ଭାବରେ ପ୍ରଶ୍ନ କଲା “ଜୟନଗରରେ? ଶଙ୍କର ବର୍ମା କିପରି ମୋତେ ଏଯାଏଁ ଏ ଖବର ଦେଇନାହିଁ? ତା’ପରେ ଜଣେ ପୁରୁଖା ଅମାତ୍ୟଙ୍କୁ ଡାକି ତାଙ୍କୁ ଦୂତ ରୂପେ ସେ ଜୟନଗର ଯିବାକୁ ନିର୍ଦେଶ ଦେଇ କହିଲା, “ଶଙ୍କର ବର୍ମାଙ୍କ ପ୍ରତି ରୁକ୍ଷ ଆଚରଣ କରିବା ମୋର ଉଦ୍ଧେଶ୍ୟ ନୁହେଁ । ମୁଁ ତାଙ୍କ ଜାମାତା ହେବାକୁ ଯାଉଛି । ତାଙ୍କୁ କହିଦେବ, ମୁଁ ନିଜେ ଯାଇ ସୁକନ୍ୟାଙ୍କୁ ନେଇ ଆସିବି । ଏଥର ମୁଁ ସୁକନ୍ୟାଙ୍କୁ ଧରି ନିଜେ ହାତୀରେ ବସିବି । ଦେଖିବି କେମିତି କେଉଁ ତାନ୍ତ୍ରିକ ତାଙ୍କୁ ପୁଣି ମାଙ୍କଡ ବନାଇବ!”

ଏହା ଭିତରେ ଯାଦୁକର ବୋଲାଉଥିବା ଜଣେ ବ୍ୟକ୍ତି ଆସି ବୀରସିଂହ ଉପରେ ଖୁବ୍ ପ୍ରଭାବ ବିସ୍ତାର କରିଥାଏ ।

ଦୂତ କିନ୍ତୁ ଶଙ୍କର ବର୍ମାଙ୍କ ଦରବାରରୁ ତିନ୍ତୁଳି ଖାଇଲା ଭଳି ମୁହଁ କରି ଫେରି ଆସିଲା ଓ କହିଲା, “ମହାରାଜ! ଖାଲି ମୋତେ ଯେ ଅପମାନ ମିଳିଲା ତାହା ନୁହେଁ, ଆପଣଙ୍କୁ ମଧ୍ୟ ଅପମାନ କରାଗଲା!”

“କାହାର ସେ ଦୁଃସାହସ ହେଲା? କିଭଳି ଅପମାନ?” ଏହା କହି ବୀରସିଂହ ସେ ବାବଦରେ ଜାଣିବାକୁ ଚାହିଁଲା ।

“ଶଙ୍କର ବର୍ମା ମୋତେ ସାକ୍ଷାତ ଦେବାକୁ ନାସ୍ତି କରିଦେଲେ । ତାଙ୍କର ଉପଦେଷ୍ଟା ବୋଲାଉଥିବା ଜଣେ ଯୁବକ ମୋତେ କହିଲା କି…”

ସେ ଭୟରେ ବାକ୍ୟ ଆଉ ପୁରା କରିପାରିଲା ନାହିଁ ।

“କ’ଣ କହିଲା?”

“କହିଲା କି ରାଜକୁମାରୀ ସୁକନ୍ୟା ମାଙ୍କଡ ପାଲଟିବା କଥା ଯେଉଁ ବୀରସିଂହ ବିଶ୍ୱାସ କରିଗଲା, ସେ ନିଜେ ଗୋଟେ ନିପଟ ମାଙ୍କଡ! ରାଜକୁମାରୀ ଆରାମ୍ରେ ଖସି ଆସିଲେ । ତାଙ୍କ ତରଫରୁ ମାଙ୍କଡ ବୀରସିଂହକୁ ଚାପୁଡା ମାରିଛି! ବୀରସିଂହକୁ ଯାଇ କହିଦିଅ, ଆଉ ବେଶି କିଛି ଜଣାଇବାର ନାହିଁ ।” ଏହିପରି ଭାବେ ଦୂତ କୌଣସି ମତେ କହିଗଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ