ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଝିଅର ବିବେକ

ସିପ୍ରା ନଦୀ କୂଳରେ ଛୋଟ ଗାଁଟିଏ ଥାଏ । ସେହି ଗାଁଟିର ନାଁ ରାୟପୁର । ଅନେକ ପୁରାକାଳରୁ ସେ ଗାଁରେ ଗୋଟିଏ ମହାଦେବ ମନ୍ଦିର ଥାଏ । ଶିବରାତ୍ରୀବେଳେ ସେଠାରେ ଗୋଟାଏ ବଡ ମେଳା ବସୁଥାଏ । ତେଣୁ ପ୍ରାୟ ଆଠ ଦଶଦିନ କାଳ ଗାଁ ଲୋକେ ନିଜ ନିଜ ସୁଖ ଦୁଃଖ ସବୁ ଭୁଲିଯାଇ ସେହି ମେଳାରେ ମଶ୍ଗୁଲ୍ ରହୁଥାନ୍ତି । ମେଳା ଦେଖିବା ଲାଗି ଦୂର ଗାଁ ଗଣ୍ଡାରୁ ବହୁତ ଲୋକ ଆସୁଥାନ୍ତି । ସହରର ବେପାରୀମାନେ ବି ଆସି ସେହି ମନ୍ଦିର ପାଖରେ ଦୋକାନ ବସାଉଥାନ୍ତି ।

                ଗଙ୍ଗାଧର ସେ ଗାଁରେ ଜଣେ ସାଧାରଣ ଗୃହସ୍ଥ । ସେ, ତା’ସ୍ତ୍ରୀ  ଓ ଝିଅ କୁମଦିନୀ ମେଳାକୁ ଯାଇଥାନ୍ତି । ଘରେ ଅବଶ୍ୟ ସେମାନେ ତାଲା ପକାଇ ଯାଇଥାନ୍ତି, ତଥାପି ଗଙ୍ଗାଧର ମନରେ ଟିକେ ଦକ ଥାଏ । ଗାଁର ସବୁ ଲୋକ ତ ମେଳାରେ; ଚୋର କାହାରି ଘରେ ପଶି ସବୁ କିଛି ନେଇଗଲେ ବି ତାକୁ କେହି କିଛି ହେଲେ କହିବାକୁ ନାହିଁ । ସେ ମେଳାରେ ଗୋଟାଏ ଯାତ୍ରାଭିନୟ ହେଉଥାଏ । କୁମଦିନୀ ଓ ତା’ ବୋଉ ମୁଗ୍ଧ ହୋଇ ସେ ଯାତ୍ରା ଦେଖୁଥାନ୍ତି । ମାତ୍ର ଗଙ୍ଗାଧରକୁ ସେ ଯାତ୍ରା ବିଶେଷ ଭଲ ଲାଗୁ ନଥାଏ । ତେଣୁ ସେ ସହଳ ତା’ ଘରକୁ ଫେରି ଆସିଲା ।

                ଜହ୍ନ ଆଲୁଅରେ ସେ ଦେଖିଲା, ତା’ଘର ବାରାନ୍ଦାରୁ ତଳକୁ ପିଲାଟାଏ ଡେଇଁପଡି ଚାଲି ଯାଉଛି । ଗଙ୍ଗାଧର ଦୌଡିଯାଇ ତା’ ଜାମା ଟାଣି ତାକୁ ଧରିଲା । ଦେଖିଲା; ସେ ପିଲା ଅପରିଚିତ । ସେ ଯେ ଚୋର, ଏଥିରେ ତା’ର ଆଉ କୌଣସି ସନ୍ଦେହ ରହିଲା ନାହିଁ ।

                ତେଣୁ ଗଙ୍ଗାଧର ଚିତ୍କାର କରି ସେ ପିଲାଟିକୁ ପଚାରିଲା, “ହଇରେ ଟୋକା! ତୁ କ’ଣ ଚୋରି କରିଛୁ?”

                ଏକଥା ଶୁଣି ସେ ପିଲାଟିର ମୁହଁରେ ହଠାତ୍ ବିକଳ ଭାବ ଫୁଟି ଉଠିଲା । ଫଳରେ ସେ ଆଉ କିଛି ବି କହିପାରିଲା ନାହିଁ । ସେଥିରେ ଗଙ୍ଗାଧରର ସନ୍ଦେହ ଆହୁରି ଦୃଢ ହୋଇଗଲା । ତା’ପରେ ସେ ପିଲାଟିର ପିଠିରେ ଗୋଟିଏ ଧକ୍କା ବସାଇ ଗଙ୍ଗାଧର ତାକୁ ପଚାରିଲା, “ମାନି ଯାଉଛୁ ନା ମାଡ ଖାଇ ବେଦମ୍ ହେବୁ?”

                ତଥାପି ବି ସେ ପିଲାଟିର ମୁହଁରୁ ଆଦୌ କିଛି ବି କଥା ବାହାରିଲା ନାହିଁ । ଗଙ୍ଗାଧରର ପାଟି ଶୁଣି ସେଠାରେ ଲୋକ ଆସି ଜମିଗଲେ । ଜଣେ ବଡପାଟିଆ ଲୋକ ଭୀଡ ଠେଲି ଆଗକୁ ଆସି ପିଲାଟି ଗାଲରେ ଗୋଟାଏ ଚଟକଣି ଥୋଇଲା ଓ ଧମକ ଦେଇ ତାକୁ କହିଲା, “ନିଜକୁ ବୋକା ବୋଲି ଦେଖାଇଲେ କ’ଣ ଆମେ ତୋତେ ଛାଡିଦେବା? ଆମମାନଙ୍କୁ ତୁ ଓଲୁ ବୋଲି ଭାବିଛୁ ନାଇଁ?” ଏତିକି କହି ସେ ଆହୁରି ଗୋଟାଏ ମାଡ ବସାଇବାକୁ ଯାଉଥିଲା, ଠିକ୍ ସେତିକିବେଳେ ଟିକି ଝିଅଟିଏ ବାହାରି ଆସି ତାଙ୍କ ହାତ ଧରି ପକାଇ କହିଲା, “ଆରେ ବାବୁ, ମାଡ ଦେବା ପୂର୍ବରୁ ସେ କ’ଣ ଚୋରି କରିଛି, ସେତକ ତ ଆଗେ ଦେଖ!” ସେ ଝିଅଟି ଆଉ କେହି ବି ନୁହେଁ, ସିଏ ହେଉଛି କୁମଦିନୀ । ଇତି ମଧ୍ୟରେ ସେ ମା ଝିଅ କେତେବେଳେ ଆସି ଭୀଡ ପଛରେ ଠିଆ ହୋଇଥିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ