ଏକଦା ରାଜା କୃଷ୍ଣଦେବ ରାୟ ଶୁଣିବାକୁ ପାଇଲେ ଯେ- ତାଙ୍କ ରାଜ୍ୟରେ ମୂଷା ମାନଙ୍କର ଉପଦ୍ରବ ବଢିଚାଲିଛି । ମୂଷା ମାନଙ୍କର ଉପଦ୍ରବରୁ ରକ୍ଷା ପାଇବା ପାଇଁ ରାଜା ଏକହଜାର ବିରାଡି ପାଳିବାପାଇଁ ନିଷ୍ପତି ନେଲେ । ସଂଗେ ସଂଗେ ଏକ ହଜାର ବିରାଡି ଧରା ହୋଇ ଆସିଲେ । ସେମାନଙ୍କୁ ରାଜ୍ୟ ବାସୀଙ୍କ ମଧ୍ୟରେ ବାଂଟିଦିଆଗଲା । ଯେଉଁମାନଙ୍କୁ ବିରାଡି ପାଳିବାକୁ ଦିଆଗଲା, ସେମାନଙ୍କୁ ଏକ ଏକ ଗାଈ ମଧ୍ୟ ଦିଆଗଲା । କାରଣ ବିରାଡି ମାନଙ୍କର କ୍ଷୀର ତ ମୁଖ୍ୟ ଖାଦ୍ୟ । ଗାଈ କ୍ଷୀର ନଦେଲେ ବିରାଡିମାନେ ଆଉ ଖାଇବେ କ’ଣ? ସେଥିପାଇଁ ରାଜା ଗାଈ ବି ଦେବାକୁ ଠିକ୍ କଲେ ।
ଏହି ଅବସରରେ ତେନାଲୀରାମା ମଧ୍ୟ ଯାଇ ରାଜାଙ୍କ ସମ୍ମୁଖରେ ଉପସ୍ଥିତ ହେଲେ । ତାଙ୍କୁ ମଧ୍ୟ ଏକ ବିରାଡି ଓ ଗୋଟିଏ ଗାଈ ରାଜା ପ୍ରଦାନ କଲେ । ପ୍ରଥମ ଦିନ ତେନାଲୀରାମା ଗାଈ ଦୁଗ୍ଧକୁ ଗରମ କରି ଏକ ପାତ୍ରରେ ସେ ବିରାଡି ସାମ୍ନାରେ ରଖିଲେ । ବିଚରା ବିରାଡିଟି ସେତେବେଳେ ଏତେ ଭୋକିଲା ଥିଲା ଯେ, ସାମ୍ନାରେ କ୍ଷୀର ଦେଖି ସେ ଆଉ ତା ଲୋଭ ସମ୍ଭାଳି ନପାରି ସଂଗେ ସଂଗେ ସେଥିରେ ମୁହଁ ମାରିଦେଲା । ଫଳରେ ସେ ବିରାଡିର ପାଟି ପୋଡିଗଲା । ଏହାଦ୍ୱାରା ସେ ବିରାଡିଟି ଏତେ ପରିମାଣରେ ଭୟଭୀତ ହୋଇ ପଡିଲା ଯେ ଅନ୍ୟ ଦିନେ ତାକୁ ଥଣ୍ଡା କରି ଯେତେ କ୍ଷୀର ଦେଲେ ମଧ୍ୟ ସେ ବିରାଡିଟି କ୍ଷୀର ପାତ୍ରରେ ଆଦୌ ମୁହଁ ମାରିଲା ନାହିଁ ।