ଶ୍ରେଣୀ କକ୍ଷକୁ ଗୁରୁଜୀ ପ୍ରବେଶ କଲେ । ହାତରେ ମୁଣାଧରି ଆସି ଟେବୁଲ୍ ପାଖରେ ଥୋଇଦେଲେ । ଗୁରୁଜୀଙ୍କ ଆଗମନରେ ସବୁ ପିଲାଏ ଗୁରୁଜୀଙ୍କୁ ଠିଆହୋଇ ଅଭିବାଦନ ଜଣାଇଲେ । ଗୁରୁଜୀ ମଧ୍ୟ ପ୍ରତି ଅଭିବାଦନ ଜଣାଇ ସମସ୍ତ ପିଲାମାନଙ୍କୁ ବସିବାକୁ କହିଲେ । ପିଲାମାନେ ବସିଲେ ସିନା ହେଲେ ସମସ୍ତଙ୍କ ନଜର କିନ୍ତୁ ଲାଗି ରହିଥାଏ ସେ ଗୁରୁଜୀଙ୍କ ମୁଣା ଉପରେ । ଗୁରୁଜୀ କ’ଣ ଆଣିଛନ୍ତି? ସେଥିରେ କ’ଣ ଅଛି? ଏହିଭଳି କେତେ ଉତ୍କଣ୍ଠା ପିଲାଙ୍କ ଭିତରେ ଆସିଥାଏ ।
ହଠାତ୍ ସେ ଗୁରୁଜୀ ସବୁ ପିଲାମାନଙ୍କୁ ନିଜ ନିଜ ହାତ ଟେକିବାକୁ କହିଲେ, ପୁଣି ହାତ ପକାଇବାକୁ ବି ସୂଚନା ଦେଲେ । ତା’ପରେ ଜଣକପରେ ଜଣକୁ ଗୋଟିଏ ଗୋଟିଏ ଗୃହପାଳିତ ପଶୁର ନାମ ପଚାରି ଚାଲିଲେ । ସେ ପିଲାମାନଙ୍କ ମଧ୍ୟରୁ କିଏ କହିଲା ଛେଳି, ପୁଣି କିଏ କହିଲା ମେଣ୍ଢା, ପୁଣି କେହି କୁକୁର କହିଲା ତ’ ତା ପାଖ ପିଲା ବହୁ ଭାବିଭାବି କହିଲା ବିରାଡି । ପୁଣି କିଏ ବଳଦ କହିଲା ତ ଆଉ କିଏ ମଇଁଷି କହିଲା । ଏସବୁ କଥା ଶୁଣି ସେ ଗୁରୁଜୀ ଟିକେ ଚିନ୍ତିତ ହୋଇପଡିଲେ, ଏ କି ଅଜବ କଥା? ସବୁଠାରୁ ଶ୍ରେଷ୍ଠ ଗୃହପାଳିତ ଜୀବର ନାମ କ’ଣ କେହି କହୁନାହାଁନ୍ତି କଥା କ’ଣ? ତାହେଲେ ମୁଁ କେମିତି ଏବେ ‘ଗାଈ’ ବିଷୟରେ ପାଠ ପଢାଇବି? ଏହା ଭାବି ଗୁରୁଜୀ କହିଲେ ଆଚ୍ଛା ପିଲାମାନେ! ତୁମେମାନେ ତ ସବୁ ଜୀବଙ୍କର ନାମ କହିଲ କାହିଁ ଗାଈର ନାମ କେହିତ ଆଦୌ କହିଲ ନାହିଁ? ଆଗ ଧାଡିରେ ଗୌରବ ବସିଥିଲା, ସେ ଠିଆ ହୋଇ କହିଲା ଗୁରୁଜୀ ମୁଁ କହିବି ଏହା ଶୁଣି ଗୁରୁଜୀ ବି ତାକୁ କହିବାକୁ ଆଦେଶ ଦେଲେ । ଗୌରବ କହିଲା, ଗୁରୁଜୀ ‘ଆପଣ ପରା ନିଜେ ସେ ଦିନ ବାର୍ଷିକ ଉତ୍ସବର ଅଭିଭାଷଣରେ କହିଲେ, ଗାଈ ଏକ ପଶୁ ନୁହେଁ ସେ ଆମର ମାଆ ବୋଲି’ । ମାଆ ଯେପରି ନିଜେ କଷ୍ଟରେ ରହି ତା ଶିଶୁଙ୍କର ଠିକ୍ ଭାବରେ ଯତ୍ନ ନିଏ ‘ଗାଈ’ ବି ଠିକ୍ ସେପରି ଅଭାବ ଅସୁବିଧାରେ ରହି ଆମକୁ କ୍ଷୀର ଦେଇଥାଏ । ତାକୁ ଆମେ ଖାଇ ପୃଷ୍ଟ ହେଉ । ଏଣୁ ସେ ଆମର ମାଆ । ଏହା ଶୁଣି ଗୁରୁଜୀ କହିଲେ ବାଃ କି ଚମତ୍କାର । ମୁଁ ତୁମକୁ ପରୀକ୍ଷା କରୁଥିଲି ମନେ ରଖିଛ ନା ନାହିଁ । ତାପରେ ପିଲାଏ କହିଲେ ମନେ ରଖୁଛୁ ସାର୍, ଆପଣଙ୍କ ବାଣୀ ପରା ଆମ ପାଇଁ ବେଦର ଗାର ।