ଅଧର୍ମ ବିତ୍ତ

ବୌଦ ଇଲାକା ହରିହରପୁର ଗୋଟିଏ ବଡ ମହାଜନୀ ଗାଁ – ଠିକ୍ ମହାନଦୀ କୂଳରେ । ସେ ଗ୍ରାମର ସମସ୍ତେ ପ୍ରାୟ କାରବାରିଆ ବେପାରୀ । ସେଠିକା ପ୍ରଧାନ ମହାଜନଙ୍କ ନାମ ଯୁଧିଷ୍ଠିର ସାହୁ । ନାମର ଉପଯୁକ୍ତ ମଧ୍ୟ ଗୁଣ । ଲୋକଟି ବଡ ଧାର୍ମିକ, ସତ୍ୟବନ୍ତ । ପାଂଚ ସାତ ଲକ୍ଷ ଟଙ୍କାର ବିଷୟ, ଘରେ ଠାକୁରବାଡି, ସଦାବର୍ତ । ସାହୁ ବୁଢା ହୋଇପଡିଲାଣି, ଆଉ ଏବେ ବେପାର ବଣିଜରେ ତା ମନ ମୋଟେ ନାହିଁ । ସବୁବେଳେ ଖାଲି ପୂଜାପଟଳ, ହରିନାମ ଭଜନରେ ସେ ଲାଗିଥାଏ । ସାହୁ ଅପୁତ୍ରକ; ଗୋଟିଏ ବୋଲି ଝିଅ, ତା’ର ନାମ ପଦ୍ମାବତୀ – ବୟସ ପନ୍ଦର ଯାଇ ଷୋଳ ପଶିଛି । ପାଟକି ଜାତିରେ ଏତେ ବଡ ଅଭିଆଡୀ କନ୍ୟାକୁ ଘରେ ରଖିବାକୁ ମନା । ତେଣୁ ସେ ସାହୁର ଭାରି ଇଚ୍ଛା ଗୋଟିଏ ଘରଜୁଆଁଇ ରଖିବ । ପାତ୍ର ଖୋଜୁ ଖୋଜୁ ଦିନ ଚାଲିଗଲା, ଏଣେ କନ୍ୟା ଘରେ ରହିଛି । କନ୍ୟାଟି ସମସ୍ତ ସମ୍ପତ୍ତିର ଉତ୍ତରାଧିକାରିଣୀ । କୁବେରର ନଜର ପଡିଲା ଯୁଧିଷ୍ଠିରର ଧନଟା କିମିତି ତା’ ଘରେ ପଶେ । ସେ ତ ଭଲକରି ଜାଣେ, ଯୁଧିଷ୍ଠିର ଘରଜୁଆଁଇ ରଖିବ, ଅନ୍ୟଆଡେ ନିଜ କନ୍ୟାକୁ ମୋଟେ ବିଭା ଦେବ ନାହିଁ ସେ । ତା ମନକଥା ମନରେ ଥାଏ ।

କୁବେର ତ ବର୍ଷକୁ ଥରେ ସୋନପୁର ଦିଗକୁ କୋଠି ତନଖି କରିବାକୁ ଯାଏ । ଦୁଇବର୍ଷ ହେଲା ବର୍ଷକ ଭିତରେ ଦୁଇ ତିନି ଥର କରି ସେ ଯା’ଆସ କରୁଛି । ସୋନପୁର ଯିବାବେଳେ ନାଆ ହରିହରପୁର ଗାଁ ତଳଦେଇ ଯାଏ । ଦୈବାତ୍ ସେହି ଗାଁ ପାଖରେ ସଞ୍ଜ ହୋଇପଡେ । କୁବେର ଗାଁ ପାଖ ନଦୀର ଆରକୂଳରେ ନାଆ ଖଟାଇ ରୋଷେଇବାସ କରେ । କୁବେର ଘରେ କେବେ ସଂନ୍ଧ୍ୟା କି ହରିନାମ କରିବା କେହି ବି ଦେଖି ନାହିଁ । ଗୋଟାଏ ବଡ କୋଥଳି ସାଙ୍ଗରେ ଘେନି ଯାଇଥାଏ, ନଦୀକୂଳରେ ତାକୁ ସେ ମେଲାଇ ଦେଇ ରାତି ଛ’ ଘଡିଯାଏଁ ଆଖିବୁଜି ବସି ଜପକରେ । ସେତିକିବେଳେ ଚାରିଆଡକୁ ଅନାଇ ତୁନି ତୁନି କାରବାରିଆଙ୍କ ସଙ୍ଗରେ ମାଲ କିଣାବିକା କଥା ଚଳେ । ହରିହରପୁରକୁ ଶୁଭୁ, ଏଥିପାଇଁ କୁବେର ବେଳେ ବେଳେ ବଳରେ ଘଂଟା ବଜାଉଥାଏ ।

ଯୁଧିଷ୍ଠିର ସାହୁ ତ କୁବେର ସାହୁର ନାମ ବହୁ ଆଗରୁ ଶୁଣିଥିଲେ, ମାତ୍ର କେବେବି ସେମାନଙ୍କର ଦେଖାସାକ୍ଷାତ୍ ହୋଇ ନ ଥିଲା । କୁବେର ସାହୁ ନଦୀକୂଳରେ ଅଛନ୍ତି ଶୁଣି ଯୁଧିଷ୍ଠିର ଡଙ୍ଗା ଖଣ୍ଡିକରେ ବସି ନଦୀ ପାରହୋଇ ଗଲେ । ଏଣେ କୁବେର ଏସବୁର ଖବର ନେଉଥାଏ! ଯୁଧିଷ୍ଠିରଙ୍କ ପହଁଚିଲାବେଳକୁ କୁବେର ସାହୁଏ ଧ୍ୟାନରେ ବସିଛନ୍ତି । ଘଂଟାଏ ଦି’ଘଂଟା ବିତିଗଲା, ହେଲେ ଧ୍ୟାନ ତାଙ୍କର ଆଦୌ ଭାଙ୍ଗୁ ନାହିଁ । ଏଭଳି ଧ୍ୟାନ ଦେଖି ଯୁଧିଷ୍ଠିର ତ ପୂରା ତରଳି ଗଲେଣି । ଧ୍ୟାନ ଭାଙ୍ଗିଲା । କୁବେର ସାହୁ ଯିମିତି ଏ ଖବର ପାଇଛି, ଧାଇଁଯାଇ ସେ ଯୁଧିଷ୍ଠିରଙ୍କ ଗୋଡତଳେ ପଡିବାକୁ ଯାଉଥିଲା, ଏହା ଦେଖି ସେ ଯୁଧିଷ୍ଠିର କହିଲେ, ‘ହାଁ ହାଁ! ଏ କ’ଣ କରୁଛନ୍ତି – ଏ କ’ଣ କରୁଛନ୍ତି? ଆପଣ ଧର୍ମପରାୟଣ । ମୁଁ ପାପୀ, ମୋ ଗୋଡତଳେ କଣ ଆପଣ ପଡିବେ?’ କୁବେର କହୁଥାଏ, ‘ଏ କଣ, ଆପଣ ତ ସ୍ୱଜାତିର ମଉଡମଣି । ଘଂଟାଏ ହେଲା ବସିଲେଣି, ମୋର ଅପରାଧ କ୍ଷମା କରନ୍ତୁ ।’ ଯୁଧିଷ୍ଠିର କହିଲେ ‘ନାହିଁ ନାହିଁ, ମୁଁ ଆପଣଙ୍କର ଧ୍ୟାନଭଙ୍ଗ କରାଇଲି ପରା? ତେଣୁ ମୋତେ କ୍ଷମା କରନ୍ତୁ ।’ ତା’ପରେ ସେ ଦୁଇଜଣ କୁଣ୍ଢିଆକୁଣ୍ଢେଇ ହୋଇ ଏ କହୁଛି ମୋତେ କ୍ଷମା କରନ୍ତୁ ସେ କହୁଛି ମୋତେ କ୍ଷମା କରନ୍ତୁ । ଏଥୁଅନ୍ତେ ସେ ଦୁଇଜଣ ସାଷ୍ଟାମ ହୋଇ ଖଣ୍ଡିଏ କମ୍ବଳରେ ବସିଲେ । ଯୁଧିଷ୍ଠିର ପ୍ରସ୍ତାବ କଲେ, “ଆଜ୍ଞା, ଆପଣ ହେଲେ ଆମ ଜାତିର ମଉଡମଣି । ମୋ କୁଡିଆ ପାଖରେ ପଦାରେ ନୀତି ବଢାଇବେ, ମୋର ଯେ ମହାପାପ ହେବ । ଯୁଧିଷ୍ଠିର ଉଠି କହିଲେ ଆଜ୍ଞା ହେଉ – ବିଜେ କରନ୍ତୁ – ମୋ’ କୁଡିଆରେ ପାଦଧୂଳି ଦିଅନ୍ତୁ । ମୋ କୁଡିଆ ଖଣ୍ଡ ପବିତ୍ର ହେଉ ।”

ଦୁଇ ସାହୁ ଯାଇ ଠାକୁର ମେଲାରେ ବସିଲେ । ଠାକୁର ଆଗରେ ଆସନରେ ବସିବାକୁ ମନା, ତେଣୁ ସେ ଦୁହେଁଯାକ ଭୂଇଁରେ ବସିଲେ । ରାତି ଅଧଯାଏଁ ଦୁଇ ସାହୁଙ୍କ ମଧ୍ୟରେ କଥାଭାଷା ଚାଲିଲା । ଏ କଥା, ସେ କଥା, ବେପାର ବଣିଜ କଥା ହେଉଁ ହେଉଁ ବିଭା ପ୍ରସଙ୍ଗ ପଡିଗଲା । କୁବେର କହିଲେ, “ମୁଁ ତ ମୋ ବାପାଙ୍କ ମୁହଁରୁ ଢେର୍ ଥର ଶୁଣିଛି, ଆଗେ ଗଡଜାତ ମୋଗଲବନ୍ଦ ମଧ୍ୟରେ ବିଭା, ନେଶଦେଶ ଚଳୁଥିଲା । ଦୁଇ କି ତିନି ବୋଡି ସରିକି ଗଡଜାତ କନ୍ୟା ମୋଗଲବନ୍ଦରେ ଥିଲେ, ମୋଗଲବନ୍ଦ କନ୍ୟା ବି ଗଡଜାତରେ ଥିଲେ । ନିହାତି ଦୂରଦୂରାନ୍ତ ବୋଲି ଊଣାଅଧିକ ପଚାଶ ବର୍ଷ ହେଲା ବିଭା, ନେଣଦେଣ ବନ୍ଦ ।” କଥା ଚଳୁ ଚଳୁ ପଦ୍ମାବତୀ ସାଙ୍ଗରେ ବିଦ୍ୟାଧରର ବିଭାପ୍ରସଙ୍ଗ ସ୍ଥିର ହୋଇଗଲା । କୁବେର କହିଲା, “ଆଜ୍ଞା, ମୁଁ ମୋଗଲବନ୍ଦ କାମ ଚଳାଇବି, ବିଦ୍ୟାଧର ବର୍ଷଯାକ ଏହିଠାରେ ରହି କାମ ଚଳାଇବ । ଏଥର ବିଦେଇ ତ ଆପଣଙ୍କ ପୁଅ ହେଲା । ପିଲାଲୋକ, ଜାତି ବେଉସା ବୁଝି ନାହିଁ – ଆପଣଙ୍କ ଚରଣ ଧୂଳି ତା ମୁଣ୍ଡରେ ଲାଗିଲେ ସେ ଯେ ସବୁକିଛି ଶିଖିଯିବ ।”

ବିଭା ବିଷୟରେ ଆଉ କିଛି ବି ସନ୍ଦେହ ନାହିଁ । ଏକାବେଳକେ ଦିନ ଠିକ୍ ହୋଇଗଲା, ଆସନ୍ତା ମକର ଶୁକ୍ଳ ସପ୍ତମୀ ।

ବଡ ଘର କଥା ବଡ ବାଜେ, ତେଣୁ ଦିନକ ମଧ୍ୟରେ ସେ କିଲାର ଅଧାଅଧି ଲୋକ ଏହା ଜାଣିଗଲେ, କୁବେର ସାହୁ ପୁଅ ବିଦ୍ୟାଧର ସାଙ୍ଗରେ ଯୁଧିଷ୍ଠିର ସାହୁ ଝିଅ ପଦ୍ମାବତୀର ବିଭା ।

ବିଭାପ୍ରସଙ୍ଗ ଛିଡିବା ବାସିଦିନ ସଂନ୍ଧ୍ୟାବେଳେ ଦୁଇ ସମ୍ବନ୍ଧୀ ଦେବତାଙ୍କ ନାଟମନ୍ଦିରରେ ବସିଛନ୍ତି । କୁବେର ସାହୁ ଏକଥା ସେକଥା ଉତାରେ କହିଲେ, “ସମୁଧିଏ! ସୋନପୁରରେ ମୋର ଢେର୍ କାମ ଥିଲା, ହେଲେ ଏବେ ଦେଖୁଛି ମୋର ଯିବାର ହେଉ ନାହିଁ । ଏଇ ବୁଝନ୍ତୁ, ମକର ମାସ ତ ମକର ମାସ ଛାଡି ଦିଅନ୍ତୁ, କକଡାଟା ଚଳୁଛି, ଏଇଟା ବି ଧରୋଟ ଭିତରେ ନୁହେଁ । ବାକି ରହିଲା ସିଂହ କତିରୁ ଧନୁଯାଏଁ ମଝିରେ ପାଂଚଟା ମାସ । ଏଥି ମଧ୍ୟରେ ସବୁ ଆୟୋଜନ, ଠିକ୍-ଠିକଣା କରିବାକୁ ହେବ । ତା ପୁଣି ନାଆ ଉଠାଣି ଆସିବ, ବାଟରେ ଊଣା ପୂରା ମାସେ କାଳ ଛାଡି ଦିଅନ୍ତୁ । ବାକି ମାସ ଚାରିଟା ରହିଲା ହାତରେ । ମୁଁ କହୁଛି, କାଲି ସକାଳେ ଚାଲିଯାଏ ଆଜ୍ଞା! କଣ ଆଜ୍ଞା ହେଉଛି?” ଯୁଧିଷ୍ଠିର ସାହୁଏ ଦଣ୍ଡେ ଆଖିବୁଜି ବସି କହିଲେ, “ଆଉ ଯୋଡାଏ ଦିନ ରହିଗଲେ ଭଲ ହୁଅନ୍ତା ପରା! ହେଉ, ଆପଣ ଯେପରି ଭଲ ବୁଝନ୍ତି, କରନ୍ତୁ ।”

ମକ୍ରାମପୁରରେ ଚହଳ ପଡିଯାଇଛି; ସାହୁଙ୍କ ପୁଅ ବିଦ୍ୟାଧରର ବିଭା । ହେଲେ, ଗୋଟାଏ ଶ୍ରେଣୀ ଲୋକଙ୍କ ଘରେ ରଡି ପଡିଛି; କୋଡିଏ ଖଣ୍ଡ ଗାଁରେ ସାହୁର ଦୁଇ ତିନି ଶ’ ଭଳି ଖାତକ । ଧାନ ବୋଲ, କି ଟଙ୍କା ବୋଲ, ତା ଘରୁ ନ ଖାଇଛି ବା କିଏ? ସାହୁ ସମସ୍ତଙ୍କୁ ଧରି ବସିଛି; ପୁଅର ବିଭା, ନ ଦେଲେ ନଚଳେ । ନୋହିଲେ ମୂଳଟା ଥାଉ, କଳନ୍ତରଟା ଛିଡାଇ ଦିଅ । ପଇସାଟିଏ ବି କଳନ୍ତର ରଖିବି ନାହିଁ । ଆଜି ଭୋଦୁଅ ମାସ, ଲୋକଙ୍କ ଘରେ ଟଙ୍କା ତ ଟଙ୍କା, ପତାନଳିତା ମଞ୍ଜି ନାହିଁ ଯେ ଦେବେ । ଜଣ ଜଣକ ଘରେ ଯୋଡା ଯୋଡା ପିଆଦା । ସମସ୍ତେ ସାହୁ ଦୁଆରେ ଓପାସ ଭୋକରେ ପଡି ଡକା ଛାଡିଛନ୍ତି, ହେଲେ ସେମାନଙ୍କ ଗୁହାରୀ ଶୁଣୁଛି ବା ଆଉ କିଏ? ଥୋକେ ଖାତକ ଦଶବାର ବରଷର ପୁରୁଣା କରଜାର ମୂଳକଳନ୍ତର ହିସାବ କରି ତମସୁକ ରେଜିଷ୍ଟରୀ କରାଇ ଦେଇ ରିହାଇ ପାଇଲେ । ତମସୁକରେ ବିଲ ବାଡି ଘରଦୁଆର ସବୁ କିଛି ବନ୍ଧା ରହିଲା । ସାହୁଆଣୀ ତ ଏସବୁ ଶୁଣୁଥିଲେ । ଦୁଇଦିନ ହେଲା ଅନ୍ନ ଛାଡି ବସିଲେଣି ସେମାନେ । ଗୋଟିଏ ବୋଲି ପୁଅ, ତାଙ୍କ ଇଚ୍ଛା, ଏହି ଶୁଭକାର୍ଯ୍ୟଟି ମଙ୍ଗଳରେ ହେଉ । ନା, କିଛି ନୋହୁଣୁ ଶହକୁ ଶହ ଲୋକ ରଡି ଛାଡିଛନ୍ତି, ଧର୍ମ ମତେ ସହିବ କିଆଁ? ବେକରେ ପଟକା ପକାଇ ସାହୁ ଗୋଡତଳେ ପଡି, ଢେର୍ କାକୁତି କଲେ, ଢେର୍ କାନ୍ଦିଲେ, ମାତ୍ର ଫଳ ହେଲା କ’ଣ ନା ସ୍ୱାମୀ ପାଖରୁ କଟୁ କଥାରେ ଗାଳିଗୁଡାଏ ସେ ଶୁଣିଲେ । ମାଇପିଲୋକ କଣ କରିବେ, ମାତ୍ର ସେ ତୁନି ହେଲେ ନାହିଁ । କରଣମାନଙ୍କୁ ଡାକି ମାଏପୋଏ କଅଁଳରେ, କେତେ ହାକିମି ବୋଲରେ ବୁଝାଇଦେଲେ, “ଖବରଦାର! କାହାକୁ କଷ୍ଠ ଦେଇ ଟଙ୍କା ଅସୁଲ କର ନାହିଁ ।” ସାହୁ କରଣକୁ ଗାଳିଫଜିତ କରୁଛି; କାହିଁକି ଟଙ୍କା ଅସୁଲ ହେଉ ନାହିଁ? ହଁ ହିସାବ ହେଉଛି; ହଁ ଟିପା ଲେଖାଯାଉଛି – ଏମିତି କରି ଦିନ କାଟିଲେ । ଯେଉଁ ଜାଗାରେ ସାହୁ ନିତାନ୍ତ ଆସିବସେ, ସାହୁଆଣୀ ତୁନି ତୁନି ଟଙ୍କା ଗଣି ଦିଅନ୍ତି ।

ଏଣେ ବିଭା ସରଞ୍ଜାମ କିଣାକିଣି ଧୁମ୍ ଲାଗିଛି । ବାଣବାଲା ଆଗତୁରା ବଇନା ଧଇଲା, ଲୁଗା ମୋଟକୁ ମୋଟ କଚେରିଘରେ ଜମା; ମସଲାମସଲି କିଣିବାଲାଗି ଯୋଡାଏ କରଣ କଟକ ଧାଇଁଲେ । ହେଲେ ସେ ସାହୁକୁ ଏଟା ମୋଟେ ଭଲ ଲାଗୁ ନାହିଁ । ତାହାର ଇଚ୍ଛା, ପୁଅ ବିଭା ବାହାନାରେ ଖାତକଙ୍କ ପାଖରୁ ଟଙ୍କା ରୁଣ୍ଡାଇ ନେବ । ସାହୁଆଣୀ ବାପ ଜଣେ ଧନବନ୍ତ ଲୋକ ଥିଲା । ହେଲେ ସେ ଥିଲା ନିର୍ବଂଶ; ତାହାର ସବୁ ସମ୍ପତ୍ତି ସାହୁଆଣୀ ପାଇଛନ୍ତି । ସାହୁଆଣୀଙ୍କର ଇଚ୍ଛା – ନିର୍ବଂଶିଆ ଧନ ଘରେ ରଖିବେ ନାହିଁ; ଦାନପୁଣ୍ୟରେ ଖରଚ କରିବେ । ତାଙ୍କ ଦିଆନିଆ ପୁଅ ବି ଜାଣେ ନାହିଁ । ସାହୁଆଣୀଙ୍କର ଇଚ୍ଛା, ପୁଅର ମଙ୍ଗଳକୃତ୍ୟ ଖୁବ୍ ଆଡମ୍ବରରେ ହେଉ; ସମସ୍ତେ ଖାଇପିଇ ଆନନ୍ଦ ଉତ୍ସବ କରନ୍ତୁ । ବାକ୍ସ ଏକାବେଳକେ ଉଦୁଆଁ । ସାହୁ ଏ କଥା ସବୁ ଜାଣେ । ମାତ୍ର ପୁଅ ବିଭା ହେବାକୁ ପଇସାଟିଏ ବି ଛାଡୁ ନାହିଁ ସେ, ପୁଣି ବଳକା ଖରଚ ଦେଖି ସେ ଭାରି ଦିକ୍ଦାର ।

ପନ୍ଦର ଖଣ୍ଡ ସରିକି ଚକଚକି ନାଆ; ଗୁଡାଏ କାଠୁଆ ସଜ ହେଲା । ପୁରୋହିତ ବ୍ରହ୍ମା, ଜ୍ୟୋତିଷୀ, କରଣ, ଟାଣୁଆ ଟାଣୁଆ କେତେଜଣ ଦେଶ ଲୋକ, ଭଣ୍ଡାରି, ଗଉଡ, ଷାଠିଏ ସତୁରି ଜଣ ସରିକି ଲୋକ ବରଗହଣରେ ଯିବେ । ନଈରେ ଉଛୁଣିକା ପାଣି ଛିନ୍ଛୋଟ – ହରିଣୀ ଖୋଳିବା କାଠୁଆ ହତା ଯନ୍ତ୍ର ଧରି କୋଡିଏ ସରିକି ମୂଲିଆ ବି ଯାଉଛନ୍ତି । ଉଠାଣି ଯିବାକୁ ଚବିଶ ପଚିଶ ଦିନରୁ ମୋଟେ ଊଣା ଲାଗିବ ନାହିଁ । ହେଲେ, ସାହୁଆଣୀ ଦେଢ ମାସର ରୋଷେଇ ସରଞ୍ଜାମ, ଜଳଖିଆ ସରଞ୍ଜାମ ଦେଲେ । ଖଞ୍ଜ ଅଖଞ୍ଜ ଅଛି; କେଜାଣି ବାଟରେ ଯଦି ମଠ ହୋଇଯିବ ।

ସେ ସାହୁଆଣୀ ଯେପରି ଦାନଶୀଳା, ଦୟାବତୀ – ଠିକ୍ ସେହିପରି ସବୁ କାମକୁ ବି ଆଗ । କାଉ କା କତିରୁ ଅଧରାତି ଯାଏଁ ଚରଖି ପରି ସେ ଘୂରୁଥିବେ; ଟିକିଏ ହେଲେ ମଧ୍ୟ ସେ ହାଲିଆ ହୋଇପଡିବେ ନାହିଁ । ଘର ଖନ୍ଦାରେ ଦୁଇଓଳି ଶହେ ଖଣ୍ଡଯାଏଁ ପତ୍ର ପଡେ । ହାଡିଆଣୀ, ପାଲୁଣୀଗୁଡାଏ ପାଛିଆ ଗୋଟିଏ ଗୋଟିଏ ଧରି ବାଡିଦୁଆର ପଟରେ ବସିଥାନ୍ତି । ସାହୁଆଣୀ ସମସ୍ତଙ୍କ କଥା ଠିକ୍ ବୁଝନ୍ତି । ସମସ୍ତଙ୍କୁ ଦେଇଥୋଇ ଆପେ ଖାଆନ୍ତି । ହେଲେ ସେ ସାହୁଆଣୀ କଥା କେହିବି ବୁଝିବାକୁ ନାହିଁ । ମାତ୍ର ପୁଅ ବିଦ୍ୟାଧର, ମା’ ଖାଇଲା କି ନ ଖାଇଲା କଥା ବୁଝେ – ବାଧିକା ପଡିଲେ ପାଖରେ ବସି ଗୋଡ ହାତରେ ତାଙ୍କର ହାତ ବୁଲାଏ ।


ଗପ ସାରଣୀ

ତାଲିକାଭୁକ୍ତ ଗପ