ସେତେବେଳେ ଭଗବାନ ବିଠଲନାଥ ତାଙ୍କର ପ୍ରକୃତ ପ୍ରିୟଭକ୍ତ ନାମଦେବଙ୍କ ଅଭିମାନ ନିଶା ବାକ୍ୟ ଶୁଣିଲେ । ରାତି ହେଲା । ନାମଦେବ ଶୋଇପଡିଲେ । ବିଠଲନାଥ ତାଙ୍କର ଶେଷ ନିଷ୍ପତି ଶୁଣାଇବାକୁ ଯାଇ ସ୍ୱପ୍ନରେ କହିଲେ – “ନାମଦେବ ! ଅନ୍ୟଥା ଭାବନା କରନାହିଁ । ତୋ ବୁଦ୍ଧି ପାକଳ ହୋଇ ନାହିଁ, ତୋ ମସ୍ତିଷ୍କ ଟାଣ ହୋଇନାହିଁ । ତୋ ମନରେ ଦୃଢତା ଆହୁରି ଆସି ନାହିଁ । ସର୍ବବ୍ୟାପକ ବ୍ରହ୍ମର ସ୍ୱରୂପ ବିଷୟରେ ଏ ପର୍ଯ୍ୟନ୍ତ ତୋର ଅନୁଭୂତି ଆସି ନାହିଁ । ବର୍ତ୍ତମାନ ସୁଦ୍ଧା ତୁ ଶୁଦ୍ଧ ହୋଇପାରି ନାହୁଁ କି ବ୍ରହ୍ମ ସ୍ୱରୂପର ଅନୁଭବ କରିପାରି ନାହୁଁ । ତୁ ମୋର ପରମ ଭକ୍ତ ବିସୋବା ପାଖକୁ ଯା’ । ତାଙ୍କର ସଦୁପଦେଶ ଗ୍ରହଣ କଲେ ତୋର ସଂଶୟ ଦୂର ହୋଇଯିବ । ସେ ହିଁ ତୋର ଗୁରୁ ।”
ବିଠଲନାଥଙ୍କ ଠାରୁ ଏପରି କଥା ଶୁଣିବାକ୍ଷଣି ଭକ୍ତ ନାମଦେବ ମନଦୁଃଖରେ ବିସୋବାଙ୍କୁ ଖୋଜି ବାହାରିଲେ । ଅନେକ ଖୋଜିବା ପରେ ସେ ରାଜସ୍ଥାନରେ କୌଣସି ଏକ ଈଶ୍ୱରଙ୍କ ମନ୍ଦିରରେ ଥିବା କଥା ଜାଣି ସେଠାରେ ପହଁଚିଲେ । ନାମଦେବ ତାଙ୍କ ପାଖକୁ ଯାଇ ଜାଣିବାକୁ ପାଇଲେ ସନ୍ଥ ବିସୋବା ଜଣେ ଜାତିରେ ଧୋବା । ନାମଦେବ ମନ୍ଦିର ଭିତରେ ପଶି ଦେଖିଲେ ବିସୋବା ମନ୍ଦିରର ଦ୍ୱାରବନ୍ଧ ଆଡକୁ ମୁଣ୍ଡ ରଖି, ଶିବଲିଙ୍ଗଙ୍କ ଉପରେ ପାଦ ଦୁଇଟି ରଖି ଶୋଇଛନ୍ତି । ଭଗବାନ୍ ଈଶ୍ୱରଙ୍କ ଉପରେ ପାଦ ଥୋଇ ଶୋଇଥିବା ଦୃଶ୍ୟ ନାମଦେବଙ୍କୁ ଅଟ୍ଟହାସ୍ୟ ବୋଧ ହେଲା । ସେ ମନେ ମନେ ଭାବିଲେ, ‘ଯିଏ ଭଗବାନଙ୍କୁ ଏପରି ଅବମାନନା କରୁଛି ସେ ପୁଣି କିପରି ମୋତେ ଉପଦେଶ-ଶିକ୍ଷା ଦେବେ!’ ଏପରି ମନେମନେ ଭାବି ବିସୋବାଙ୍କୁ କହିଲେ – “ଭଗବାନଙ୍କ ଉପରୁ ଶୀଘ୍ର ପାଦ ଘୁଂଚାଇ ଦିଅ ।”
ଏକଥା ଶୁଣି ବିସୋବା କହିଲେ – “ବାବା ! ତୋତେ ଯଦି ଏହି ଦୃଶ୍ୟ ଖରାପ ଲାଗୁଛି ତେବେ ତୁ ନିଜେ ମୋ ଗୋଡ ଦୁଇଟିକୁ ଏପରି ସ୍ଥାନରେ ଘୁଂଚାଇ ରଖିଦେ ଯେଉଁଠାରେ ଠାକୁର ନଥିବେ । ଅଥବା ଠାକୁରଙ୍କର ଅସ୍ତିତ୍ୱ ନଥିବ ।”
ଏହା ଶୁଣି ନାମଦେବ ପାଦ ଦୁଇଟି ଧରି ଏପଟ ସେପଟ, ଚତୁର୍ଦ୍ଦିଗ ବୁଲାଇବାରେ ଲାଗିଲେ । ସେ ଯେଉଁଠାରେ ବିସୋବାଙ୍କ ପାଦ ରଖୁଥିଲେ ସେଠାରେ ଠାକୁରଙ୍କର ଅସ୍ତିତ୍ୱ ଥିଲା । ନାମଦେବ ଆଶ୍ଚର୍ଯ୍ୟ-ଚକିତ ହୋଇଗଲେ । ସେ କିଂକର୍ତ୍ତବ୍ୟବିମୂଢ ହୋଇ ବିସୋବାଙ୍କୁ ଖାଲି ଚାହିଁ ରହିଲେ ।
ଏଥର ବିସୋବା ନାମଦେବଙ୍କୁ କହିଲେ – “ନାମଦେବ ! ଏବେ ବି ତୋ ବୁଦ୍ଧି କଂଚା ଅଛି । ସବୁ ସ୍ଥାନରେ ତୁ ଆଜି ପର୍ଯ୍ୟନ୍ତ ଈଶ୍ୱର ଦର୍ଶନ କରିପାରିନାହୁଁ । ଭଗବାନ୍ ସୂକ୍ଷ୍ମ ରୂପରେ ବିଶ୍ୱର ସମସ୍ତ ସ୍ଥାନରେ ବିଦ୍ୟମାନ ଅଛନ୍ତି । ତୁ ସମସ୍ତ ଜଡ କଥା ଚେତନାରେ ଈଶ୍ୱରଙ୍କୁ ଦର୍ଶନ କରିବା ପାଇଁ ପ୍ରଥମେ ସାଧନା କର ।” ନାମଦେବ ଜଣେ ଭକ୍ତ ଥିଲେ । ଏବେ ତାଙ୍କୁ ଯଥାର୍ଥ ଜ୍ଞାନ ଗୁରୁଙ୍କ ଠାରୁ ମିଳିଗଲା । ଜ୍ଞାନ ସହିତ ଭକ୍ତିର ମିଳନ ହୋଇଗଲା । ଏହା ପରଠାରୁ ଭକ୍ତ ନାମଦେବଙ୍କର ଆଉ ଅଭିମାନ ରହିଲା ନାହିଁ । ପରବର୍ତ୍ତୀ କାଳରେ ନାମଦେବ ଜଣେ ସର୍ବୋତ୍ତମ ସନ୍ଥ ରୂପେ ଖ୍ୟାତ ହୋଇଗଲେ ।