ପରନ୍ତପ ଜାତକ

       ରାଜା ବନ ମଧ୍ୟରେ ଏକ ନଦୀ ତୀରରେ ଗୋଟିଏ କୁଟୀର ନିର୍ମାଣ କରି ପାଟରାଣୀ, ପୁରୋହିତ ଓ ପରନ୍ତପ ସହିତ ବାସ କରୁଥାନ୍ତି । ବନରୁ ଫଳମୂଳ ସଂଗ୍ରହ କରି ସେମାନେ ଜୀବନଯାତ୍ରା ନିର୍ବାହ କରୁଥାନ୍ତି । ରାଜା ରାଣୀଙ୍କୁ ଜଗିବାପାଇଁ ପରନ୍ତପକୁ କୁଟୀରରେ ଛାଡିଦେଇ ପୁରୋହିତଙ୍କ ସହିତ ବନରୁ ଫଳମୂଳ ସଂଗ୍ରହ କରିବାକୁ ପ୍ରତ୍ୟହ ଯାଉଥିଲେ । ଏଥିମଧ୍ୟରେ ରାଣୀଙ୍କର ଗର୍ଭୋଦୟ ହେଲା ।

       ପରନ୍ତପ ସହିତ ଏକୁଟିଆ ରହିବା ଫଳରେ କ୍ରମେ ରାଣୀ ତାହାପ୍ରତି ଆସକ୍ତ ହେଲେ ଓ ଦୁହିଁଙ୍କ ମଧ୍ୟରେ ପାପପ୍ରଣୟ ଜାତ ହେଲା । ଦିନେ ରାଣୀ ପରନ୍ତପକୁ କହିଲେ, “ଦେଖ, ଆମ ଦୁହିଁଙ୍କ ଭିତରେ ଗୁପ୍ତପ୍ରଣୟ ଅଛି ବୋଲି ଆଜିଯାଏଁ ରାଜା ଜାଣିପାରି ନାହାଁନ୍ତି; କିନ୍ତୁ ଯେଉଁଦିନ ସେ ଏହା ଜାଣିବେ, ସେଦିନ ମୋର ଜୀବନ ରହିବନାହିଁ କି ତୁମର ଜୀବନ ରହିବନାହିଁ । ଏତିକିବେଳୁ ସେଥିର ପ୍ରତିକାର କରିବା ଦରକାର ।”

       ପରନ୍ତପ ପଚାରିଲେ, “କି ପ୍ରତିକାର କରାଯାଇପାରେ?”

       ରାଣୀ ବୁଝାଇ କହିଲେ, “ଏହାର ଏକମାତ୍ର ପ୍ରତିକାର ହେଉଛି, ରାଜାଙ୍କୁ ବଧ କରିବା । ତାଙ୍କୁ ହତ୍ୟା କରିବା ସେପରି କଷ୍ଟକର ହେବନାହିଁ । ରାଜା ପ୍ରତିଦିନ ନଦୀକୁ ସ୍ନାନ କରିବାକୁ ଗଲାବେଳେ ତୁମେ ତାଙ୍କର ପୋଷାକ ଓ ତରବାରି ଘେନି ତାଙ୍କ ସଙ୍ଗରେ ନଦୀକୂଳକୁ ଯାଅ । ରାଜା ଅସାବଧାନ ଥିଲାବେଳେ ତୁମେ ସହଜରେ ତରବାରି ସାହାଯ୍ୟରେ ତାଙ୍କୁ ହତ୍ୟା କରିପାରିବ ।”

       ଏହି ପ୍ରସ୍ତାବଟି ପରନ୍ତପର ମନକୁ ପାଇଲା । ଦିନେ ରାଜପୁରୋହିତ ଫଳ ସଂଗ୍ରହ କରିବାପାଇଁ ବନକୁ ଯାଇଥିଲେ । ଏଥିମଧ୍ୟରେ ରାଜା ସ୍ନାନ କରିବାକୁ ବାହାରିଲେ । ପରନ୍ତପ ରାଜାଙ୍କ ପୋଷାକ ଓ ତରବାରି ଧରି ତାଙ୍କ ସଙ୍ଗରେ ଚାଲିଲା । ରାଜା ସ୍ନାନ କରିବା ନିମନ୍ତେ ନଦୀଜଳରେ ପ୍ରବେଶ କଲାମାତ୍ରେ ପରନ୍ତପ ହଠାତ୍ ତାଙ୍କ ମୁଣ୍ଡକୁ ଧରି ହାଣିବାକୁ ଉଦ୍ୟତ ହେଲା । ରାଜା ପ୍ରାଣଭୟରେ ଚିତ୍କାର କରିଉଠିଲେ । କିନ୍ତୁ କ୍ଷଣକ ମଧ୍ୟରେ ପରନ୍ତପର ଆଘାତରେ ରାଜାଙ୍କର ମୁଣ୍ଡଟି ଦେହରୁ ଅଲଗା ହୋଇଗଲା ।

       ପୁରୋହିତ ନିକଟରେ ଗୋଟିଏ ବୃକ୍ଷରେ ଚଢି ଫଳ ତୋଳୁଥିଲେ । ସେ ରାଜାଙ୍କର ଚିତ୍କାର ଶୁଣି ନଦୀ ଆଡକୁ ଚାହିଁ ଦେଖିଲେ ଯେ ପରନ୍ତପ ତାଙ୍କୁ ହତ୍ୟା କରୁଅଛି । ଏହି ଅଦ୍ଭୁତ ଓ ଭୀଷଣ ବ୍ୟାପାର ଦେଖି ସେ ମଧ୍ୟ ଚିତ୍କାର କରି ଗଛଡାଳରୁ ତଳକୁ ଖସିପଡିଲେ । ପରନ୍ତପ ଏହି ଚିତ୍କାର ଶୁଣିପାରିଲା; କିନ୍ତୁ କାହାରିକୁ ଦେଖିପାରିଲା ନାହିଁ; କାରଣ ସେତେବେଳକୁ ପୁରୋହିତ ଭୟରେ ଗୋଟିଏ ବୁଦା ଭିତରେ ଲୁଚି ଯାଇଥିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ