ଲକ୍ଷ୍ମୀପୁର ଗ୍ରାମରେ ଅନ୍ନପୂର୍ଣ୍ଣା ଗୋଟିଏ ଛୋଟ ଭୋଜନାଳୟ ଖୋଲି ନିଜର ଜୀବିକା ଅର୍ଜନ କରେ । ଦିନେ ରାତି ଅଧବେଳ ଯାଏଁ ଅନ୍ନପୂର୍ଣ୍ଣା ଯାତ୍ରୀମାନଙ୍କୁ ବିଦା କରି ବିଶ୍ରାମ ନେବାକୁ ବାହାରିଥାଏ । ଠିକ୍ ଏତିକି ବେଳକୁ ଜଣେ ବୃଦ୍ଧ ଲୋକ କେଉଁଠାରୁ ଆସି ସେଠାରେ ହାଜର ହେଲେ ।
ଅନ୍ନପୂର୍ଣ୍ଣା ତାଙ୍କୁ ଦେଖୁ ଦେଖୁ କହିଲା, “କି ଅବେଳରେ ଆସି ଆପଣ ପହଁଚିଲେ! ରାତି କେତେ ହେଲାଣି, ମାତ୍ର ମୋତେ ଟିକେ ଶୋଇବାକୁ ବି ଫୁରୁସତ୍ ମିଳୁନାହିଁ । ଠିକ୍ ଅଛି, କ’ଣ ଖାଇବ ଚଂଚଳ କୁହ । ମୁଁ ତାହା ଏଇ ସାଙ୍ଗେ ସାଙ୍ଗେ ପ୍ରସ୍ତୁତ କରିଦେବି ।”
ସେହି ବୃଦ୍ଧ ନିଜ କାନ୍ଧରେ ଝୁଲଥିବା ଝୁଲାଟିକୁ ବାହାର କରୁ କରୁ କହିଲେ, “ମା’ ଅନ୍ନପୂର୍ଣ୍ଣାଙ୍କ କରୁଣାରୁ ମୋତେ ଭୋକ-ଶୋଷ ଯମା ହୁଏ ନାହିଁ । ମୁଁ କେବଳ ଏଇ ବାରଣ୍ଡାରେ କିଛି ସମୟ ଶୋଇବାକୁ ଚାହେଁ ।”
ତା କଥା ଶୁଣି ଅନ୍ନପୂର୍ଣ୍ଣା ଖୁବ୍ ବିସ୍ମିତ ହେଲା, ତା’ପରେ ସେ କହିଲା “ଭୋକ-ଶୋଷ ହୁଏ ନାହିଁ? ତାହେଲେ ତୁମେ କ’ଣ ଜଣେ ଯୋଗୀ?”
ଏଭଳି କଥା ଶୁଣି ବୃଦ୍ଧ ହସି ଦେଇ କହିଲେ, “ହଁ, ତୁମେ ମୋତେ ଏକପ୍ରକାର ଯୋଗୀ ବୋଲି ମନେ କରିପାର । ମୋର ନାମ ରାମେଶ୍ୱର । ମୁଁ ମଧ୍ୟ ଦିନେ ଏହି ଲକ୍ଷ୍ମୀପୁରର ବାସିନ୍ଦା ଥିଲି । ମୁଁ ଯେତେବେଳେ ଯୁବକ ଥିଲି, ସେତେବେଳେ ମୋ ଘରେ ନିଆଁ ଲାଗିଗଲା । ଆଉ ସେହି ନିଆଁରେ ମୋର ପିତା, ମାତା, ପତ୍ନୀ, ଭଉଣୀ ଆଦି ସମସ୍ତେ ପୋଡିହୋଇ ପ୍ରାଣ ହରାଇଲେ । ଏହାପରେ ମୁଁ ମୋ ଜୀବନ ପ୍ରତି ଉଦାସୀନ ହୋଇ ଏହି ଗ୍ରାମ ପରିତ୍ୟାଗ କରି ଅନ୍ୟତ୍ର ଚାଲିଗଲି । ସେତେବେଳେ ତୁମ ମା’ ସରସ୍ୱତୀ ଏହି ଭୋଜନାଳୟରେ ବସୁଥିଲେ । ଆଉ ତୁମେ ବି ସେତେବେଳେ ଖୁବ୍ ଛୋଟ ଥିଲ । ଏପର୍ଯ୍ୟନ୍ତ ତୁମର ନାମ ମଧ୍ୟ ମୋର ମନେ ଅଛି । ଗ୍ରାମ ତ୍ୟାଗ କରିବା ପରେ ମୁଁ ଅନେକ ତୀର୍ଥକ୍ଷେତ୍ର ଭ୍ରମଣ କଲି । ଜଣେ ଯୋଗୀଙ୍କ ଦୟାରୁ ମୋତେ କିଛି ଦିବ୍ୟଶକ୍ତି ପ୍ରାପ୍ତ ହେଲା । କେବଳ ସେହି କାରଣରୁ ମୋତେ ଭୋକ କି ଶୋଷ ମୋଟେ ହୁଏ ନାହିଁ । ମୁଁ ମଧ୍ୟ ଜଣେ ଜ୍ୟୋତିଷ । ମୁଁ ସମସ୍ତଙ୍କ ଭବିଷ୍ୟତ କଥା କହିପାରିବି ।”
ଏହା ଶୁଣି ଅନ୍ନପୂର୍ଣ୍ଣା ଆଗ୍ରହ ପ୍ରକାଶ କରି କହିଲା, “ମୁଁ ତ ଆପଣଙ୍କୁ ଜଣେ ସାଧାରଣ ଯାତ୍ରୀ ଭାବେ ମନେ କରିଥିଲି । ଏଣୁ ମୋତେ କ୍ଷମା କରନ୍ତୁ । ଦୟାକରି ଆପଣ ମୋର ଭବିଷ୍ୟତ ବିଷୟରେ କିଛି କହି ପାରିବେ କି?”
ରାମେଶ୍ୱର ଅନ୍ନପୂର୍ଣ୍ଣାର ମନକଥା ଜାଣି ପାରି ନିଜ ଚକ୍ଷୁ ବନ୍ଦ କଲେ । ଏଣେ ଅନ୍ନପୂର୍ଣ୍ଣା ତାକୁ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଥାଏ । କିଛି ସମୟ ପରେ ବୃଦ୍ଧ କହିଲେ, “ଅନ୍ନପୂର୍ଣ୍ଣା! ତୁମେ ସାକ୍ଷାତରେ ମା’ ଅନ୍ନପୂର୍ଣ୍ଣା । ଭୋକ – ଶୋଷରେ ଆତୁର ହୋଇଥିବା ଯାତ୍ରୀମାନଙ୍କୁ ଅର୍ଥ ବିନିମୟରେ ତୁମେ ଖାଦ୍ୟ ପ୍ରଦାନ କଲେ କ’ଣ ହେବ, ତୁମ କର୍ମ ପାଇଁ ଈଶ୍ୱର ତୁମ ଉପରେ ଖୁବ୍ ପ୍ରସନ୍ନ ଅଛନ୍ତି । ମୁଁ ଅଳ୍ପଦିନରେ ପ୍ରାଣତ୍ୟାଗ କରିବି । ମାତ୍ର ତା’ପୂର୍ବରୁ ମୁଁ ତୁମକୁ ମୋର ଦିବ୍ୟଶକ୍ତି ପ୍ରଦାନ କରିବି ଓ କାଶୀ ଯାଇ ମହାଦେବଙ୍କ ଶରଣାପନ୍ନ ହୋଇ ସେଠାରେ ପ୍ରାଣତ୍ୟାଗ କରିବି । କାଲି ବଡି ଭୋର୍ ସମୟରେ ଗ୍ରାମର ବାହାରେ ଥିବା ବରଗଛ ପାଖକୁ ତମେ ଆସିବ । ମୁଁ ସେହିଠାରେ ହିଁ ତୁମକୁ ମୋର ଦିବ୍ୟଶକ୍ତି ଅର୍ପଣ କରିବି ।”