ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ପ୍ରକୃତ ବନ୍ଧୁ

ନିଶା ଗରଜୁଥାଏ । ସେହି ସମୟରେ ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପିଝିପି ବର୍ଷା ମଧ୍ୟ ହେଉଥାଏ । ଆଖ ପାଖର ବଣବୁଦା ଭିତରୁ ସାଇଁ ସାଇଁ ପବନର ଶବ୍ଦ ବି ଭାସି ଆସୁଥାଏ । ଘଡଘଡି ଓ ଶ୍ୱାନ ଶ୍ୱାପଦଙ୍କ ରଡି ସହିତ ମଝିରେ ମଝିରେ ଅଶରୀରୀ ମାନଙ୍କର ଅଟ୍ଟହାସ୍ୟ ମଧ୍ୟ ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ ।

                କିନ୍ତୁ ସେ ରାଜା ବିକ୍ରମାର୍କ ଟିକିଏ ହେଲେ ମଧ୍ୟ ବିଚଳିତ ବୋଧ ନକରି ପୁନର୍ବାର ସେହି ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ ବୃକ୍ଷାରୋହଣ କରି ଉକ୍ତ ଶବଟିକୁ ଉତାରି ଆଣିଲେ । ତା’ପରେ ତାକୁ ସେ ନିଜ କାନ୍ଧରେ ପକାଇ ସେହି ଶୁନ୍ଶାନ୍ ଶ୍ମଶାନ ପଥ ଅତିକ୍ରମ କରିବାକୁ ଆରମ୍ଭ କରିବା ମାତ୍ରେ ଶବସ୍ଥିତ ସେହି ବେତାଳ ଜଣକ କହିଲା, “ରାଜନ୍, ଅର୍ଦ୍ଧରାତ୍ରିରେ ତୁମେ ଏତେ କଷ୍ଟ କରି ଶ୍ମଶାନରେ ବୁଲୁଛ, ମୁଁ ଜାଣିବାକୁ ଚାହେଁ ଯେ ଏତେ କଷ୍ଟ ତୁମେ ନିଜ ପାଇଁ ନା ପରପାଇଁ କରୁଛ? ଯଦି ତମେ ଏସବୁ ନିଜ ପାଇଁ କରୁଛ ତେବେ ତ ମୋର କିଛି ହେଲେ ମଧ୍ୟ କହିବାର ନାହିଁ । ଆଉ ଯଦି ତୁମେ ଅନ୍ୟ କହାର ନିର୍ଦେଶରେ ଏପରି କରୁଛ, ତେବେ ମୁଁ ତୁମକୁ ସଚେତ କରିବାପାଇଁ କିଛି କହିବାକୁ ଚାହେଁ । ବେଳେବେଳେ ମଣିଷ ବଡମାନଙ୍କ ନିର୍ଦେଶ ପାଳନ କରିବା ଉଚିତ୍ ଭାବି ବ୍ୟର୍ଥ କଷ୍ଟ କରିଥା’ନ୍ତି; କିନ୍ତୁ କାର୍ଯ୍ୟରେ ସଫଳତା ହେଲେ ସେମାନେ ବାହାଦୂରୀ ନେବେ, ନହେଲେ ନିନ୍ଦା କରିବେ । ଉଦାହରଣ ସ୍ୱରୂପ ତୁମକୁ ମୁଁ ଧନଦତ ବିଷୟରେ କହୁଛି, ମନ ଦେଇ ତାହା ଶୁଣ, ଶୁଣିଲେ ତୁମ ଶ୍ରମଭାର ଅବଶ୍ୟ ଲାଘବ ମନେହେବ ।” ଏତିକି କହିସାରି ସେ ବେତାଳ ଗପିଲା –

                ଗୋଟିଏ ସହରରେ ଧନଦତ ନାମକ ଜଣେ ବ୍ୟବସାୟୀ ଥିଲେ । ସେ ବିଦେଶରେ ବାଣିଜ୍ୟ କରୁଥିଲେ । ସେ ବହୁତ ଧନ ରୋଜଗାର କଲେ । ତେଣୁ ସେ ନିଜେ ଗୋଟିଏ ଜାହାଜ କିଣିଲେ । ଏବେ ତାଙ୍କରି ଜାହାଜରେ ନିଜର ଓ ଅନ୍ୟମାନଙ୍କର ଜିନିଷ ମଧ୍ୟ ବିଦେଶକୁ ଯାଉଥାଏ । ହଠାତ୍ ଦିନେ ଖବର ମିଳିଲା ଯେ ସବୁ ମାଲପତ୍ର ସହ ତାଙ୍କ ଜାହାଜ ଠିକ୍ ମଝି ଦରିଆରେ ଡୁବିଗଲା । କେତେକ ବ୍ୟବସାୟୀ ତାଙ୍କୁ ଇର୍ଷ୍ୟା କରୁଥିଲେ । ଯୋଗକୁ ଏବେ ସେମାନଙ୍କୁ ଏକ ସୁଯୋଗ ମିଳିଗଲା । ସେମାନେ ତାଙ୍କ ନିଜ ଜିନିଷ ଯୋଗୁ ଧନଦତଙ୍କୁ ବହୁତ ପ୍ରକାର ଅପମାନିତ କଲେ । ସେମାନେ ଏକାଠି ହୋଇ, ଧନଦତଙ୍କ ପାଖରେ ନିଜ ଜିନିଷର ଉଚିତ ମୂଲ୍ୟ ଦାବୀ କଲେ । ଧନଦତ ସେସବୁ ଅବଶ୍ୟ ଦେଲେ । କିନ୍ତୁ ସତକୁ ସତ ସେ ଦରିଦ୍ର ହୋଇଗଲେ । ଶେଷରେ ତାଙ୍କର କେବଳ ଏକ ବଡ ପ୍ରାସାଦ ରହିଲା । ସେଥିରେ ଅନେକ ଚାକରବାକରଙ୍କୁ ବାଧ୍ୟହୋଇ ସେ କାର୍ଯ୍ୟରୁ ଛୁଟି ଦେଲେ ଓ ଘରଟି ମଧ୍ୟ ଦୁଇମାସ ପାଇଁ ବନ୍ଧକ ରଖିଲେ ।

                ଦିନେ ସେ ତାଙ୍କ ପୁଅକୁ ଡାକି କହିଲେ, “ପୁଅ ଏବେ ତୁ ତ ଯଥେଷ୍ଟ ବଡ ହୋଇଗଲୁଣି । ଏଣିକି ତୁ ମୋତେ କାମରେ ଟିକେ ସାହାଯ୍ୟ କର । ତୁ ଏ ପର୍ଯ୍ୟନ୍ତ ଆମର ବୈଭବ ଓ ଐଶ୍ୱର୍ଯ୍ୟ ଦେଖି ଆସିଛୁ । ଏଣିକି ଦାରିଦ୍ର୍ୟ ଦେଖିବାର ସମୟ ଆସିଛି । ମୁଁ ଯେତେବେଳେ ବ୍ୟବସାୟର ଦାଇତ୍ତ୍ଵ ତୋତେ ଦେବି ବୋଲି ଭାବିଲି ସେତେବେଳେ ସମୟ ଖରାପ, ସମସ୍ତ ସମ୍ପତ୍ତି ନଷ୍ଟଭ୍ରଷ୍ଟ ହୋଇଗଲା । ଏପରି ବିପଦ ସମୟରେହିଁ ମଣିଷର ବିବେକ୍ ଓ ଧୈର୍ଯ୍ୟର ପରୀକ୍ଷା ହୁଏ । ଆମେ ଧୈର୍ଯ୍ୟର ସହିତ ଏହି ସମସ୍ୟାର ସମ୍ମୁଖୀନ ହେବା ଉଚିତ୍ । ଏବେ ଆମକୁ ଅଳ୍ପ କିଛି ଧନ ମିଳିଗଲେ ତଦ୍ୱାରା କୌଣସି ନୂଆ ବ୍ୟବସାୟ ଆରମ୍ଭ କରାଯାଇ ପାରିବ । କିନ୍ତୁ ଏହି ସହରରେ ଆମକୁ ସାହାଯ୍ୟ ଦେବା ବାଲା ଆଉ କେହି ମଧ୍ୟ ନାହାଁନ୍ତି । ଏବେ ତୁ ଆମର ନିଜ ଗ୍ରାମ ରତ୍ନପୁରକୁ ଯାଇ, ଆମର ଦୂର ସମ୍ପର୍କୀୟ ବନ୍ଧୁ ଚନ୍ଦ୍ରଶେଖରଙ୍କ ସହ ଦେଖା କରି ତାଙ୍କଠାରୁ ପଚିଶ ହଜାର ମୋହର ଆଣିବୁ । ସେ ଜଣେ କୋଟିପତି । ତଦ୍ୱାରା ମୁଁ ଏଠାକାର କରଜ ଶୁଝି ଦେବି ଓ ବଳକା ଧନରେ ପୁଣି ଆଉ ଏକ ନୂଆ ବ୍ୟବସାୟ ଆରମ୍ଭ କରିବି ଓ ତୋତେ ମଧ୍ୟ ବ୍ୟବସାୟ ଶିଖାଇ ଦେବି ।”

                ଏଥିଉତାରେ ପୁତ୍ର ଦେବଦତ ତାଙ୍କ ପିତାଙ୍କ ଆଦେଶ ଶିରୋଧାର୍ଯ୍ୟ କରି ରତ୍ନପୁର ଅଭିମୁଖେ ଯାତ୍ରା କଲା । ବାହାରିବା ବେଳେ ଧନଦତ ତାକୁ କହିଲେ, “ସଂଧ୍ୟା ହେଉ ହେଉ ତୁ ଯାଇ ମୋତିପୁରରେ ପହଁଚିବୁ । ସେଠାରେ ମୋର ବନ୍ଧୁ ରମାକାନ୍ତର ଘରେ ରାତିଟା ତୁ ରହିଯିବୁ । ସକାଳୁ ପୁଣି ଯାତ୍ରା ଆରମ୍ଭ କଲେ ଖରା ବେଶି ହେବା ପୂର୍ବରୁ ରତ୍ନପୁରରେ ତୁ ଯାଇ ପହଁଚିଯିବୁ । ଯଦି କୌଣସି କାରଣରୁ ଚନ୍ଦ୍ରଶେଖର ଗ୍ରାମରେ ନଥାଏ ତେବେ ମୋର ବାଲ୍ୟବନ୍ଧୁ ବିନୟସେନଙ୍କ ଘରେ ତୁ ରହିଯିବୁ । କିନ୍ତୁ ଭୁଲ୍ରେ ମଧ୍ୟ ତୁ ଯେମିତି ତାକୁ ବା ରମାକାନ୍ତକୁ ଏ ପଇସା କଥା କିଛି ହେଲେ ବି କହିବୁ ନାହିଁ ।”

                ପିତାଙ୍କ କହିବା ଅନୁସାରେ ଦେବଦତ ପ୍ରଥମେ ମୋତିପୁରରେ ଯାଇ ପହଁଚି ରମାକାନ୍ତଙ୍କ ଘରେ ରହିଲା । ସେମାନେ ଦେବଦତର ଖୁବ୍ ଆଦର ସତ୍କାର କଲେ । ଦେବଦତ ପାଖରୁ ତାଙ୍କ ଘରର ସମସ୍ତ ଖବର ଶୁଣି ସେ କହିଲେ, “ମୋତେ ଧନ କଥା ନ କହି ତୋ ବାପା ଚନ୍ଦ୍ରଶେଖର ପାଖକୁ ତୋତେ ପଠାଇଛି କାହିଁକି? ତୋ ବାପା ଯେତେବେଳେ ପିଲା ହୋଇଥିଲା ତା’ର ବାପମା’ ଏକାଠି ମରିଗଲେ । ସେତେବେଳେ ଚନ୍ଦ୍ରଶେଖର ତୁମ ଘରେ ଆସି ରହିଲା ଓ ତୁମର ସମସ୍ତ ସମ୍ପତ୍ତି ଠକି ନେଇଗଲା । ତୋ ବାପା କୌଣସିମତେ ଏ ଗ୍ରାମରୁ ପଳାଇ ଯାଇ ସହରରେ ବ୍ୟବସାୟ କରି ସେ ତା’ ନିଜେ ନିଜ ଗୋଡରେ ଠିଆ ହେଲା । କିନ୍ତୁ ଚନ୍ଦ୍ରଶେଖର ତୋ ବାପାକୁ ପଇସା ସାହାଯ୍ୟ ଦେବାକଥା କେବେହେଲେ ମଧ୍ୟ ଭାବିନାହିଁ । ରମାକାନ୍ତ ପଚାରିଲେ ଏପରି କଞ୍ଜୁସ୍ ଲୋକ ତୋ ବାପାକୁ ଏବେ କାହିଁକି ଭଲା ପଇସା ଦେବ?”

                ଦେବଦତ କହିଲା “ଆପଣଙ୍କ ପାଖରୁ ପଇସା ଧାର ନେବାକୁ ତ ବାପା ମୋତେ ମନା କରିଛନ୍ତି ।”


ଗପ ସାରଣୀ

ତାଲିକାଭୁକ୍ତ ଗପ