ପ୍ରତିଶୋଧ

                କିନ୍ତୁ ଚାକରଟି ସଂଗେ ସଂଗେ ଫେରିଆସି ତେନାଲୀରାମାଙ୍କୁ କହିଲା, ରାଜଗୁରୁ ଏପରି ନାମଧାରୀ କାହାକୁ ବି ଚିହ୍ନି ନାହାଁନ୍ତି । ଏପରି କଥା ଶୁଣି ତେନାଲୀରାମା ପୁରାପୁରି ହତାଶ୍ ହୋଇପଡିଲେ । ଆଗ ପଛ ବିଚାର ନକରି ସିଧା ଯାଇ ସେ ରାଜଗୁରୁଙ୍କ ପାଖରେ ପହଁଚିଗଲେ ଏବଂ କହିଲେ, “ରାଜଗୁରୁ ମହାଶୟ! ଆପଣ କ’ଣ ମୋତେ ଜାଣିପାରୁ ନାହାଁନ୍ତି । ମୁଁ ପରା ‘ରାମଲିଙ୍ଗ’ । ମୁଁ ଆପଣଙ୍କୁ ମଙ୍ଗଳଗିରିରେ ଦେଖା କରିନଥିଲି? ସେହି ସମୟରେ ମଧ୍ୟ ମୋତେ ଆପଣଙ୍କ ସେବା କରିବାର ସୁଯୋଗ ମିଳିଥିଲା ।

                ପ୍ରକୃତରେ ସେତେବେଳେ ରାଜଗୁରୁ ତେନାଲୀରାମାଙ୍କୁ ନ ଚିହ୍ନିବାର ଅଭିନୟ କରୁଥିଲେ । ତେଣୁ ସେ ରାଜଗୁରୁ ସଂଗେ ସଂଗେ କର୍ମଚାରୀମାନଙ୍କୁ ଆଦେଶ ଦେଲେ ତେନାଲୀରାମାଙ୍କୁ ସେଠାରୁ ବାହାର କରିଦେବାକୁ । ରାଜଗୁରୁଙ୍କ ଆଦେଶାନୁସାରେ କର୍ମଚାରୀମାନେ ମଧ୍ୟ ସେହିକ୍ଷଣି ତେନାଲୀରାମାଙ୍କୁ ଗଳାଧକ୍କା ଦେଇ ସେଠାରୁ ବାହାର କରିଦେଲେ । ସେତେବେଳେ ସେ ରାଜ ପ୍ରାସାଦରେ ତ ସମସ୍ତ କର୍ମଚାରୀ ଏହି ଦୃଶ୍ୟ ଦେଖୁଥାଆନ୍ତି । ତେନାଲୀରାମା ତ ଏପରି କାହାଠାରୁ କେବେବି ଅପମାନିତ ହୋଇନଥିଲେ । ତେଣୁ ତେନାଲୀରାମା ମନକୁ ମନ ଠିକ୍ କଲେ ରାଜଗୁରୁ ଅପମାନିତ କରିଥିବାରୁ ଯାହା ହେଲେ ମଧ୍ୟ ସେ ତାଙ୍କ ପ୍ରତି ପ୍ରତିଶୋଧ ନିଶ୍ଚୟ ନେବେ । ହେଲେ ଏସବୁ ସମ୍ଭବ ହେବ କିପରି? ଏଥିପାଇଁ ରାଜାଙ୍କ ପ୍ରିୟଭାଜନ ହେବା ତ ଏକାନ୍ତ ଆବଶ୍ୟକ ।

                ଏପରି ଭାବି ତାପରଦିନ ତେନାଲୀରାମା ଯାଇ ରାଜ ଦରବାରରେ ପହଁଚିଲେ । ସେଠାରେ ପହଁଚି ସେ ଦେଖିଲେ, କୌଣସି ଏକ କଥାକୁ ନେଇ ତୁମୂଳ ପାଟିତୁଣ୍ଡ ଲାଗି ରହିଛି । ସଂସାର କ’ଣ? ଜୀବନ କ’ଣ? ଏହିପରି ବଡ ବଡ କଥାକୁ ନେଇ ଯୁକ୍ତି ତର୍କ ଲାଗି ରହିଥାଏ । ଜଣେ ପଣ୍ଡିତ ନିଜ ଯୁକ୍ତିକୁ ଉପସ୍ଥାପନ କରିବାକୁ ଯାଇ କହିଲେ, “ଏ ସଂସାର ତ ମାୟାରେ ପୂର୍ଣ୍ଣ । ଯାହା ଆମେ ଦେଖୁଛେ, ଶୁଣୁଛେ, ଅନୁଭବ କରୁଛେ ତାହା କେବଳ ଆମର ଏକ ଚିନ୍ତାଧାରା । ପ୍ରକୃତରେ ଏସବୁର କୌଣସି ବି ବାସ୍ତବତା ନାହିଁ । ଆମେ ଯାହା ଚିନ୍ତା କରୁ ତାକୁ ହିଁ ଅନୁଭବ କରୁ ।”

                ଏହା ଶୁଣି ତେନାଲୀରାମା ଆଶ୍ଚର୍ଯ୍ୟର ସହିତ କହିଲେ, “କ’ଣ ଏହା ସତ୍ୟ?”ଏହି କଥା ମୁଁ କହୁନି ଆମର ଶାସ୍ତ୍ର, ପୁରାଣରେ ମଧ୍ୟ ଏହି କଥା ଲେଖାଯାଇଛି । ପଣ୍ଡିତ ମହାଶୟ ଖୁବ୍ ଗର୍ବର ସହିତ ଏକଥା କହୁଥାଆନ୍ତି । ସେତେବେଳେ ତ ସଭାରେ ସମସ୍ତେ ଚୁପ୍ ଚାପ୍ ହୋଇ ବସିଥାଆନ୍ତି । ଶାସ୍ତ୍ରରେ ଯେଉଁ କଥା କୁହାଯାଇଛି, ତାହାକୁ ବା କିଏ ଅସ୍ୱୀକାର କରିବ?”

                କିନ୍ତୁ ତେନାଲୀରାମା ତ ଶାସ୍ତ୍ର ପୁରାଣର ତତ୍ୱ ଅପେକ୍ଷା ନିଜ ପାଣ୍ଡିତ୍ୟ ଓ ବୁଦ୍ଧି ଉପରେ ପୂର୍ଣ୍ଣ ମାତ୍ରାରେ ବିଶ୍ୱାସ କରୁଥାଆନ୍ତି । ତେଣୁ ସେ ସେଠାରେ ଉପସ୍ଥିତ ଥିବା ସମସ୍ତ ଥିବା ସମସ୍ତ ଜନତାଙ୍କୁ କହିଲେ, “ଯଦି ପଣ୍ଡିତ ମହାଶୟ କହୁଥିବା କଥା ସତ୍ୟ ହୋଇଥାଏ, ତା’ହେଲେ ଆମେ କାହିଁକି ଏହି କଥାର ସତ୍ୟାସତ୍ୟ ପରୀକ୍ଷା ନ କରିବା । ତା’ହେଲେ ଆଜି ମହାରାଜଙ୍କ ତରଫରୁ ଯେଉଁ ସୁସ୍ୱାଦୁ ଖାଦ୍ୟ ଖାଇବା ପାଇଁ ଦିଆଯାଉଛି, ଆମେ ସମସ୍ତେ ଖାଇବା । ପଣ୍ଡିତ ମହାଶୟ ଏଠାରେ ବସି ଭାବିବେ ଯେ ସେ ମଧ୍ୟ ଖାଉଛନ୍ତି ।

                ତେନାଲୀରାମାଙ୍କ କଥା ସମସ୍ତଙ୍କ ମନକୁ ବେଶ୍ ପାଇଲା । ତେନାଲୀରାମାଙ୍କ ଏପ୍ରକାର କଥା ଶୁଣି ପଣ୍ଡିତଙ୍କ ମୁହଁ ହଠାତ୍ ଶୁଖିଗଲା । ତାଙ୍କ ପାଟିରୁ ଆଉ କଥା ବାହାରିଲା ନାହିଁ । ମହାରାଜ ତେନାଲୀରାମାଙ୍କ ଚତୁରତା ପୂର୍ଣ୍ଣ କଥା ଶୁଣି ତାଙ୍କୁ ସଂଗେ ସଂଗେ ଏକ ଥାଳୀରେ କିଛି ସ୍ୱର୍ଣ୍ଣ ମୁଦ୍ରା ଆଣି ଉପହାର ଦେଲେ । ଦରବାରରେ ଉପସ୍ଥିତ ଜନତା ମଧ୍ୟ କରତାଳି ଦେଇ ମହାରାଜଙ୍କ ଘୋଷଣାର ସ୍ୱାଗତ କଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ