ବିଟପି ରାଜକୁମାରୀ କାହାଣୀ

ଆମ୍ଭେ ସମସ୍ତେ ରାଣୀମାନେ ବିଧବା ହୋଇଥାନ୍ତୁ । ବିକ୍ରମାଦିତ୍ୟ କୋପ ମନରେ ଶୁକ ନିକଟକୁ ଗଲେ । ସାମାନ୍ୟ ପକ୍ଷୀଟିଏ ହୋଇ ତୁ ଏଡେ ଅବିଶ୍ୱାସୀ । ଯେଉଁ ଫଳ ତୁ ଦେଇଥିଲୁ ତାହା ବିଷଫଳ । ସେ ଫଳ କାକ ଖାଇ ଜୀବନ ତ୍ୟାଗ କଲା । ମୁଁ ଖାଇଥିଲେ ପ୍ରାଣ ହାରିଥାନ୍ତି । ତୁ ମନରେ ଭାବିଥିଲୁ ମୋତେ ବିଷଫଳ ଖୁଆଇ ନାଶ କଲାପରେ ତୁ ରାଜ୍ୟରେ ରାଜା ହୋଇଥାଆନ୍ତୁ । ଏପରି କହୁ କହୁ ରାଜା ବିକ୍ରମାଦିତ୍ୟ କ୍ରୋଧହୋଇ ଖଡ୍ଗରେ ଶୁକର ଗଳା କାଟି ମାରି ଦେଲେ । ରାଜା ବିକ୍ରମାଦିତ୍ୟ ନିଜର ରାଣୀ କଥାରେ ଅନ୍ଧ ହୋଇ ଶୁକକୁ ବଧିଲେ କିନ୍ତୁ ପ୍ରକୃତ ରହସ୍ୟ ସେ ଜାଣି ପାରିଲେ ନାହିଁ । କିଛି ସମୟ ପରେ ସଭାରେ ଯେତେ ଲୋକ ବସିଥିଲେ ସମସ୍ତେ ନୀରବ । ରାଜାଙ୍କର ଶୁକ କଥା ମନେ ପଡିଗଲା । ଶୁକ କଥା ଚିନ୍ତାକରି ନୃପ କ୍ରନ୍ଦନ କଲେ । କ୍ରୋଧ ପରମ ଚଣ୍ଡାଳ । ଏଣୁ ଯାହା କରିବ ଟିକେ ଭାବି ଚିନ୍ତି କରିବ । ସେହିଦିନଠାରୁ ଶୁକକୁ ରାଜା ବିକ୍ରମାଦିତ୍ୟ ଝୁରି ହେଲେ । ହେଲେ ପାଣି ତ’ ବହିଗଲା । ସେ କ’ଣ ଆଉ ଫେରିବ ।

         ଶୁକପକ୍ଷୀ ମୃତ୍ୟୁଯୋଗୁଁ ଭାନୁମତୀ ସେ ଫଳକୁ ତାଙ୍କ ବାଡି ପଟରେ ଫୋପାଡି ଦେଇଥିଲେ । ଜଣେ ବୃଦ୍ଧା ଚଣ୍ଡାଳୁଣୀ ସେ ଫଳକୁ ଦେଖିଥିଲେ । ସେ ସ୍ୱାମୀ ସ୍ତ୍ରୀ ଦୁଇଜଣ ଅତି ବୃଦ୍ଧ ଓ ବୃଦ୍ଧା । ବାଡିଧରି ଚଳପ୍ରଚଳ କରନ୍ତି । ଦୁହେଁ ଦେଖିବାକୁ ଅତି କୁତ୍ସିତ । କୁଲାପରି କର୍ଣ୍ଣ । ନାସା ଅତି ଉଚ୍ଚ । ଗୋଡମାନ ଗୋଦର । ଜହ୍ନି ମଞ୍ଜିଠାରୁ ବଳି ଚେହେରା । ବାର ଦୁଆରୁ ମାଗିଯାଚି ଯାହା ପାଆନ୍ତି ବଂଚନ୍ତି । ଦୈବଯୋଗକୁ ସେଦିନ ଚଣ୍ଡାଳ ବୃଦ୍ଧା ଚଣ୍ଡାଳୁଣୀ ସଙ୍ଗରେ କଳିଗୋଳ କରିଥିଲା । ହାଣ୍ଡିଆ ଖାଇ ବୁଢା ଚେତାଶୂନ୍ୟ । ତା’ର ଚେତା ଫେରିବାପରେ ଚଣ୍ଡାଳୁଣୀକୁ ପ୍ରହାର କଲା । ଚଣ୍ଡାଳୁଣୀ ନିସ୍ତୁକ ମାଡଖାଇ କାନ୍ଦି କାନ୍ଦି ରାଜାଙ୍କ ବାଡିପାଖ ଦୁଆରେ ବସିଲା । ଅଜ୍ରାମର ଫଳରୁ ଫାଳେ ପଡିଥିଲା । ସେ କହିଲା ଯାଉଛି ଏ ବିଷଫଳ ଖାଇ ମୁଁ ମରିଗଲେ ସବୁଦିନପାଇଁ କଷ୍ଟଯିବ । ସେ ଫାଳକ ଫଳ ଚଣ୍ଡାଳୁଣୀ ମରିଯିବଭାବି ଖାଇଦେଲା । ମାତ୍ର ଫଳ ବିପରୀତ ହେଲା । ଅପରୂପ ଯୌବନରେ ତା’ର ଶରୀର ମଣ୍ଡିହେଲା । ସତେକି ସ୍ୱର୍ଗର ଅପ୍ସରୀ । ବିଷଫଳ ଖାଇ ଚଣ୍ଡାଳୁଣୀ ସୁନ୍ଦରୀ ହୋଇ ନବ ଯୌବନ ପାଇଛି । ସେ କଥା ସେ ଜାଣିପାରିଲା ନାହିଁ । କାନ୍ଦି କାନ୍ଦି ଏଆଡିକି ସିଆଡିକି ଚାଲିଗଲା । ଅତ୍ୟନ୍ତ ଦୁଃଖିତ ହୋଇ ସେ ନାରୀ ଯାଉଛି କିନ୍ତୁ ଅନ୍ୟ ଲୋକମାନେ ତା ରୂପ ଦେଖି ମୋହିତ ହୋଇଗଲେ ଏବଂ କିଏ କହିଲା ତୁମ୍ଭେ କେଉଁଠୁ ଅଇଲ, ଅନ୍ୟ କେହୁ ଦେଖି ପ୍ରଶ୍ନ କଲା ତୁମ୍ଭେ କେଉଁଠାକୁ ଯିବ । ତୁମ୍ଭେ ସ୍ୱର୍ଗର ଅପ୍ସରୀ ରମ୍ଭା, ମେନକା କିମ୍ବା ଉର୍ବଶୀ ନୁହଁ ତ । ସ୍ୱର୍ଗପୁର ତ୍ୟାଗକରି ତୁମ୍ଭେ ଏବେ ମର୍ତ୍ୟରେ ଭ୍ରମଣ କରୁଛ । ଲୋକମାନେ ଚିହ୍ନି ନପାରି ତାକୁ ନାନା ପ୍ରକାର କଥା କହିବାରୁ ଚଣ୍ଡାଳୁଣୀ କହିଲା ମୁଁ ପରା ଚଣ୍ଡାଳୁଣୀ । ତୁମ୍ଭେମାନେ ମୋତେ କ’ଣ ଚିହ୍ନିପାରୁନାହଁ । ମୁଁ ତୁମ୍ଭର ବାଡି ତାଟି ଖଟିବା ଲୋକ । ଜାଣି ଶୁଣି ତୁମ୍ଭେମାନେ ମୋତେ ଏପରି କାହିଁକି ଥଟ୍ଟା କରୁଛ । ଚଣ୍ଡାଳୁଣୀର କଥା ଶୁଣି ସମସ୍ତେ କହିଲେ ତୁତ ବୃଦ୍ଧାଥିଲୁ ନବଯୁବତୀ ହେଲୁ କିପରି । ଲୋକମାନଙ୍କ କଥାକୁ ଚଣ୍ଡାଳୁଣୀ  ବିଶ୍ୱାସ କରି ନପାରି ବୋକିଙ୍କପରି ଅନାଇ ରହିଥାଏ ।


ଗପ ସାରଣୀ

ତାଲିକାଭୁକ୍ତ ଗପ