ତହୁଁ ସୁଗ୍ରୀବ କହିଲେ “ଯଦି ଶ୍ରୀରାମ ଶାଳବୃକ୍ଷରୁ ଗୋଟିକୁ ତୀର ବିନ୍ଧି ଫୁଟାଇ ପାରିବେ ଓ ଦୁନ୍ଦୁଭିର ଅସ୍ଥିକୁ ଦୁଇଶହ ହାତ ଦୂରକୁ ଫିଙ୍ଗି ପାରିବେ ତେବେ ହୁଏତ ଶ୍ରୀରାମଙ୍କ ସାମର୍ଥ୍ୟ ବିଷୟରେ ମୁଁ ନିଃସନ୍ଦେହ ହୋଇ ପାରିବି ।”
ପୁଣି ରାମଙ୍କୁ ଚାହିଁ ସୁଗ୍ରୀବ କହିଲେ “ହେ ମିତ୍ର, ବାଳୀଙ୍କର ପ୍ରତାପ ଓ ସାମର୍ଥ୍ୟ ମୁଁ ନିଜ ଆଖିରେ ଦେଖିଛି । ତାଙ୍କ ପରି ବୀର ମୁଁ ଏପର୍ଯ୍ୟନ୍ତ ଦ୍ୱିତୀୟ ଆଉ କାହାକୁ ବି ଦେଖିନାହିଁ । ସେ ତାଙ୍କ ଜୀବନରେ କେବେ ବି ପରାଜୟ ପାଇ ନାହାଁନ୍ତି । ଆପଣଙ୍କ ପରାକ୍ରମ ମୁଁ ଦେଖି ନଥିବାରୁ ମୋ ମନରେ ସନ୍ଦେହ ହେଉଛି । ମୁଁ ଭୟ ଦେଖାଉ ନାହିଁ ।”
ସବୁଶୁଣି ଶ୍ରୀରାମ ମନ୍ଦହାସ କରି କହିଲେ, “ମୁଁ ମଧ୍ୟ ତୁମ ମନରେ ବିଶ୍ୱାସ ଆଣିବା ପାଇଁ ମୋର ପରାକ୍ରମ ନିଶ୍ଚୟ ଦେଖାଇବି ।” ଏତିକି କହି ଶ୍ରୀରାମ ନିଜର ପାଦାଗୁଂଷ୍ଠି ଦ୍ୱାରା ଦୁନ୍ଦୁଭିର ଅସ୍ଥିକୁ ଦଶଯୋଜନ ଦୂରକୁ ଫିଙ୍ଗି ଦେଲେ । ଏକଥା ଦେଖି ସୁଗ୍ରୀବ କହିଲେ, “ହେ ରାମ, ଏହା ତ ଦୁନ୍ଦୁଭିର ଅସ୍ଥି ମାତ୍ର ଥିଲା । ସେତେବେଳେ ରକ୍ତମାଂସ ଶରୀର ବହୁତ ଓଜନ ଥିଲା । ଆପଣ ଯେବେ ଗୋଟିଏ ଶାଳବୃକ୍ଷକୁ ତୀର ମାରି ଫୁଟାଇ ଦେବେ ତେବେ ଜାଣିବି ଯେ ବାଳୀଙ୍କ ପରାକ୍ରମ ଓ ଆପଣଙ୍କ ପରାକ୍ରମ ଯଥାର୍ଥରେ ଏକ । ସୁଗ୍ରୀବଙ୍କ ମନରେ ବିଶ୍ୱାସ ଆଣିବା ପାଇଁ ରାମ ଗୋଟିଏ ମାତ୍ର ବାଣ ମାରିଲେ । ତାହା ଗୋଟିଏ ଶାଳବୃକ୍ଷ କ’ଣ ସାତଟିଯାକ ବୃକ୍ଷକୁ ଭେଦକରି ଶେଷରେ ପାହାଡଟିଏ ଭେଦକରି ଭୂମିରେ ପଡିଲା । ଏକଥା ଦେଖି ସୁଗ୍ରୀବ ବହୁତ ଆଶ୍ଚର୍ଯ୍ୟ ହୋଇଗଲେ ଓ ଶ୍ରୀରାମଙ୍କ ନିକଟକୁ ଆସି ହାତଯୋଡି କହିଲେ, “ହେ ଶ୍ରୀରାମ, ଆପଣ ଇନ୍ଦ୍ରାଦି ଦେବତାଙ୍କୁ ମଧ୍ୟ ହରାଇ ପାରିବେ । ଆପଣଙ୍କ ସହାୟତା ନିମନ୍ତେ ମୁଁ ନିଜକୁ ଧନ୍ୟ ମନେ କରୁଛି ।”
ତା’ପରେ ଲକ୍ଷ୍ମଣ କହିଲେ, “ମହାରାଜ ସୁଗ୍ରୀବ, ଆମେ ସବୁ ଆପଣଙ୍କ ପଛେ ପଛେ କିସ୍କିନ୍ଧ୍ୟା ଯାଉଛୁ । ଆପଣ ପ୍ରଥମେ ଯାଇ ବାଳୀକୁ ଯୁଦ୍ଧ ପାଇଁ ଆହ୍ୱାନ କରନ୍ତୁ ।”
ରାମ ଲକ୍ଷ୍ମଣଙ୍କ କଥା ଅନୁସାରେ ସୁଗ୍ରୀବ ପ୍ରଥମେ ଗଲେ । ତାଙ୍କ ପଛେ ପଛେ ରାମ ଲକ୍ଷ୍ମଣ ଓ ସୁଗ୍ରୀବଙ୍କ ଅନୁଚରବର୍ଗ ଯାଇ ଗଛମାନଙ୍କ ପଛରେ ଲୁଚି ରହିଲେ ।
ସୁଗ୍ରୀବ ସେଠାରେ ପହଁଚି ବାଳୀଙ୍କୁ ଯୁଦ୍ଧ ନିମନ୍ତେ ଆହ୍ୱାନ କଲେ । ତତ୍କ୍ଷଣାତ୍ ବାଳୀ ବାହାରକୁ ଆସିଲେ ଓ ଦୁଇଭାଇଙ୍କ ମଧ୍ୟରେ ଭୟଙ୍କର ଦ୍ୱନ୍ଦଯୁଦ୍ଧ ହେଲା । ଶ୍ରୀରାମ ଦୁଇଭାଇଙ୍କୁ ଦେଖିଲେ ଦୁହେଁ ଏକାପରି । ଦୂରରୁ ଜାଣିପାରିଲେ ନାହିଁ କିଏ ବାଳୀ ଓ କିଏ ସୁଗ୍ରୀବ । ତେଣୁ ସେ ତୀର ଚଳାଇ ପାରିଲେ ନାହିଁ । ଦ୍ୱନ୍ଦଯୁଦ୍ଧରେ ହାରିଯାଇ ସୁଗ୍ରୀବ କୌଣସି ମତେ ନିଜ ପ୍ରାଣ ବଂଚାଇ ପଳାଇ ଆସିଲେ । ତା’ପରେ ବାଳୀ ନିଜ ଭବନକୁ ଫେରିଗଲେ ।
ସୁଗ୍ରୀବ ମାତଙ୍ଗ ମୁନିଙ୍କ ଆଶ୍ରମ ପାଖରେ ପହଁଚିଲେ ଯେଉଁଠାକୁ ବାଳୀ ଯାଇପାରିବେ ନାହିଁ । ହନୁମାନ ଓ ଲକ୍ଷ୍ମଣଙ୍କୁ ନେଇ ରାମ ମଧ୍ୟ ସେଠାରେ ପହଁଚିଲେ । ରାମଙ୍କୁ ଦେଖି ମୁଣ୍ଡ ତଳକୁ କରି ସୁଗ୍ରୀବ କହିଲେ, “ମୋତେ ନିଜର ପରାକ୍ରମର ପରାକାଷ୍ଠା ଦେଖାଇ ମୋ ମନରେ ବିଶ୍ୱାସ ଆଣିଦେବା ପରେ ମୋତେ ଏତେ କଷ୍ଟ ଦେଲେ କାହିଁକି? ମୁଁ ମୃତ୍ୟୁ ମୁଖରୁ କୌଣସି ମତେ ବଂଚି ଫେରି ଆସିଛି । ମୋତେ ବାଳୀ କଷ୍ଟ ଦେବାବେଳେ ଆପଣ ସେସବୁ କିପରି ସହ୍ୟ କଲେ?”
ସୁଗ୍ରୀବଙ୍କ କଥା ଶୁଣି ଶ୍ରୀରାମ ଦୁଃଖପୂର୍ଣ୍ଣ ସ୍ୱରରେ ଉତ୍ତର ଦେଲେ, “ହେ ମିତ୍ର, ଆଜି ଯାହା ସବୁ ଘଟିଲା ସେଥିରେ ମୋତେ ବି ଗଭୀର ଦୁଃଖ ଲାଗୁଛି । ବାଳୀକୁ ତୀର ନ ମାରିବାର କାରଣ ମୋ ପାଖରେ ତୁମେ ଦୁହେଁ ଏକା ଭଳିଆ ଲାଗୁଥିଲ । ସୁତରାଂ ମୁଁ ଠିକ୍ ଭାବରେ ଚିହ୍ନି ପାରିଲି ନାହିଁ । ଯଦି ଭୁଲ୍ ବଶତଃ ତୁମ ଉପରେ ତୀର ମାରିଥା’ନ୍ତି ତେବେ? ତୁମକୁ ମୁଁ ଅଭୟଦାନ ଦେଇଛି । ଆଉ ଯଦି ଭ୍ରମରେ ପଡି ମୁଁ ତୁମକୁ ମାରିଥା’ନ୍ତି ତେବେ ତା’ଠାରୁ ବଡ ଅପରାଧ ଆଉ କ’ଣ ବା ହୋଇପାରେ? ଏଥର ଯାଅ ପୁଣି ବାଳୀକୁ ଯୁଦ୍ଧକୁ ଆହ୍ୱାନ କର । ଏଥର ତୁମକୁ ଚିହ୍ନିବା ପାଇଁ ଲକ୍ଷ୍ମଣ ତୁମକୁ ବଣମଲ୍ଲୀର ଏକ ହାର ପିନ୍ଧାଇବେ । ମୁଁ ଏଥର ଠିକ୍ ଚିହ୍ନିଦେବି ।”
ରାମଙ୍କ କଥା ସୁଗ୍ରୀବ ପୂର୍ଣ୍ଣ ରୂପେ ବିଶ୍ୱାସ କଲେ । ଏଥର ବଣମଲ୍ଲୀର ହାର ପକାଇ ସୁଗ୍ରୀବ ପୁଣି କିସ୍କିନ୍ଧ୍ୟା ଅଭିମୁଖେ ଚାଲିଲେ ।