ସେହି ଗ୍ରାମରେ କନକ ଦାସ ନାମରେ ଜଣେ ଧନ୍ୟ ବ୍ୟକ୍ତି ଥା’ନ୍ତି ତାଙ୍କର ବାସନ୍ତୀ ନାମରେ ଝିଅଟିଏ ଥାଏ । ବାସନ୍ତୀର ବିନୟ ପ୍ରତି ଭାରି ଦୟା ହେଲା । ସେ ତ ତା’ ବିଷୟରେ ସବୁ ଜାଣିଥାଏ । ବିନୟର ଭୋକରେ ଏଠି ସେଠି ଘୁରି ବୁଲିବା ଏସବୁ ତାକୁ ମୋଟେ ଭଲ ଲାଗୁ ନଥାଏ । ସେ ତାକୁ ଲୁଚାଇ ଲୁଚାଇ କିଛି ଖାଦ୍ୟ ସବୁଦିନେ ଦେଇଯାଏ । ଦିନେ ସେ ବିନୟକୁ କହିଲା, “ତୁମର କଷ୍ଟ ଦେଖି ମୁଁ ଆଉ ସହି ପାରୁନି । ତୁମପରି ଭଲ ମଣିଷକୁ ଏପରି ଦଣ୍ଡ କାହିଁକି? କେତେଦିନ ମୁଁ ଆଉ ଏପରି ଲୁଚି ଲୁଚି ଆସିବି? ତୁମର କୌଣସି ଆପତ୍ତି ନଥିଲେ ମୋର ତୁମ ସହିତ ବିବାହ ପ୍ରସ୍ତାବ ବାପାଙ୍କୁ କହିଲେ ହୁଅନ୍ତା । ବିବାହ ପରେ ତୁମକୁ ମୁଁ ପାଖରେ ରଖି ସେବା କରନ୍ତି ।”
ବାସନ୍ତୀର କଥା ଶୁଣି ବିନୟ ଖୁବ୍ ଖୁସି ହୋଇଗଲା ଓ ଶୀଘ୍ର ଯାଇ କନକ ଦାସ ପାଖରେ ପ୍ରସ୍ତାବ ଦେଲା । କନକ ଦାସଙ୍କ ପାଇଁ ଏହା କଳ୍ପନାତୀତ ଥିଲା । ଏକଥା ଶୁଣିବା ମାତ୍ରେ ସେ ରାଗରେ ଜଳିଗଲା ଓ ବିନୟକୁ ଖୁବ୍ ପିଟିଲା । ବିନୟର ମନ ବଡ ଦୁଃଖ ହେଲା ଓ ସେ ବିବ୍ରତ କଷ୍ଟ ପାଇଲା ଭାବିଲା, “ଏ ଜୀବନରେ ଆଉ ମୋର କ’ଣ ବା ଅଛି, ମରିଗଲେ ଭଲ ।” ଏଇକଥା ଭାବି ସେ ଗ୍ରାମ ଛାଡି ଜଙ୍ଗଲକୁ ଗଲା । ମନରେ ଭାବୁଥାଏ ଯେ ଜଙ୍ଗଲରେ କୌଣସି ଜନ୍ତୁ ତାକୁ ଖାଇଗଲେ ସେ ଏ ଯନ୍ତ୍ରଣାକ୍ଳିଷ୍ଟ ଜୀବନରୁ ତ୍ରାହି ପାଇବ । ଏମିତି ଯାଉ ଯାଉ ଘୋର ଜଙ୍ଗଲ ଭିତରେ ସେ ଦେଖିଲା ସାଧୁଟିଏ ତପସ୍ୟା କରୁଛନ୍ତି । ବିନୟ ସେଠାରେ ଯାଇ ପହଁଚିଲା ଓ ନୀରବରେ ସାଧୁଙ୍କ ପାଖରେ ଯାଇ ଠିଆ ହେଲା । ସାଧୁଙ୍କ ତପସ୍ୟା ଭାଙ୍ଗିବାରୁ ତାଙ୍କ ପାଦତଳେ ପଡି ବିନୟ ପ୍ରଣାମ କଲା ଓ କହିଲା, “ସାଧୁ ମହାରାଜ, ମୁଁ ବଡ ଦୁଃଖୀଟିଏ । ଆଜନ୍ମ ଦୁଃଖୀ କହିଲେ ବି ହେବ; ମା’ବାପା ମରିଯିବାରୁ ମାମୁଁ ମୋ ବାପାର ସବୁ ସମ୍ପତ୍ତି ରଖିଲା ଓ ମୋତେ ବି ସେ ରଖିଲା । ଖାଇବାକୁ ଦିଏନାହିଁ ସେ ମୋତେ ପିଟେ । ତା’ର ଉଦ୍ଧେଶ୍ୟ ହେଉଛି ଏମିତି ଏମିତି ହୋଇ ମୁଁ ମରିଗଲେ ସେ ମୋର ସମସ୍ତ ଜମିବାଡି ପାଇବ । ମୋର ଚେହେରା ଓ ଅସୁସ୍ଥତା ଦେଖି ଆପଣ ମୋକଥା ଠିକ୍ ବୁଝିପାରୁଥିବେ । ମୁଁ ଆଉ ଅଧିକ କ’ଣ ବା କହିବି? ଗାଁର ଦୟାଳୁ ଝିଅଟିଏ ବାସନ୍ତୀ । ତା’ରି ଦୟା ଯୋଗୁଁ ତା’ ବାପା ମୋତେ ପିଟି ପିଟି ବେଦମ୍ କରିଦେଲା । ଏହି ଅବସ୍ଥାରେ ପଡି ମୁଁ ଜଙ୍ଗଲକୁ ଚାଲି ଆସିଲି ଯଦି କେହି ହିଂସ୍ରଜନ୍ତୁ ମୋତେ ଖାଇଦିଏ ତ ଭଲ । ବୁଲୁ ବୁଲୁ ଆପଣଙ୍କୁ ଦେଖି ଏଠାକୁ ମୁଁ ଆସିଲି । ଆପଣ ମୋତେ ଶରଣ ଦିଅନ୍ତୁ; ମୁଁ ଆପଣଙ୍କର ସେବା କରି ଏଇଠି ରହିବି ।”
ଦୟାଳୁ ସାଧୁ କହିଲେ, “ବତ୍ସ, ପିଲାଟିଦିନରୁ ତୁ ତ ବହୁତ କଷ୍ଟ ସହିଛୁ ଆଉ ତୋତେ କଷ୍ଟ ଭୋଗିବାକୁ ପଡିବ ନାହିଁ । ତୁ ଏହି ଘୋର୍ ଜଙ୍ଗଲରେ ମୋ ପାଖରେ ରହିବାକୁ ଚାହୁଁଛୁ ସେକଥା ଅସମ୍ଭବ । ଏବେ ତୋର କଷ୍ଟ ହରଣ କରିବାକୁ ମୁଁ ତୋତେ କିଛି ମନ୍ତ୍ରର ସାହାଯ୍ୟ ଦେବି ତଦ୍ୱାରା ତୁ ବହୁତ କିଛି କରି ପାରିବୁ । ଏବେ ମୋ ପାଖରେ କେବଳ ଦୁଇଟି ମନ୍ତ୍ର ଅଛି । ଗୋଟିଏ ତୁ ଉଚ୍ଚାରଣ କଲେ ତୋତେ ଦେଖି ସମସ୍ତେ ଡରିବେ ଆଉ ଦ୍ୱିତୀୟଟି ତୁ ଉଚ୍ଚାରଣ କଲେ ସମସ୍ତେ ତୋତେ ଭଲ ପାଇବେ; ଏବେ ତୁ କହ ତୁ କେଉଁଟି ଚାହୁଁ?”
ତହୁଁ ବିନୟ କହିଲା “ପ୍ରଭୁ ମୋତେ ପ୍ରଥମଟି ଦିଅନ୍ତୁ ।” ସାଧୁ ତାକୁ “ତଥାସ୍ତୁ” କହିଲେ ।
ବିନୟ ସେଇଠାରୁ ସିଧା ଯାଇ ମାମୁଁଙ୍କ ପାଖରେ ପହଁଚିଲା ଓ ମନ୍ତ୍ରଟି ମନେ ମନେ ବୋଲିଦେଲା । ଏବେ ଦେଖ ମଜା । ମାମୁଁ ତାକୁ ଗାଳିଦେବାକୁ ଯାଉଥିଲେ ହଠାତ୍ ସେ ଦେଖିଲେ ଏକ ବିରାଟକାୟ ଜନ୍ତୁ ତାଙ୍କୁ ମୁଖବ୍ୟାଦାନ କରି ଖାଇବାକୁ ଗୋଡାଇଛି । ଏସବୁ ଦେଖି ସେ ସେଠୁ ଚିତ୍କାର କରି ଦୌଡି ପଳାଇଲେ । ଦ୍ୱିତୀୟ ହେଉଛି ସରପଞ୍ଚ । ସେଠାକୁ ସେ ତାଙ୍କୁ ଦେଖା କରିବାକୁ ଗଲା । ସରପଞ୍ଚ ଦେଖିଲା ଗୋଟାଏ ବାଘ ବିନୟଠାରୁ ବାହାରି ଆସିଲା – ଏଣୁ ସେ ମଧ୍ୟ ଚିତ୍କାର କରି ଚମ୍ପଟ ଦେଲା । ଶେଷରେ କନକ ଦାସ ଦେଖିଲା ବିନୟ ହଠାତ୍ ଏକ ବିରାଟ ବିଷଧର ସର୍ପ ହୋଇ ତାକୁ ଦଂଶିବାକୁ ଆସୁଛି । ସେ ମଧ୍ୟ ରଡି ଚିତ୍କାର କରି ସେଠୁ ଅନ୍ୟତ୍ର ପଳାଇଲା । ତା’ପରେ ସମସ୍ତେ ମିଶି ତା’ ପାଖକୁ ଆସିଲେ ଯେତେବେଳେ ସେ ଭଲ ରୂପରେ ଥାଏ । ସେମାନେ ତା’ ପାଖକୁ ଆସି କ୍ଷମା ମାଗିଲେ ଓ ମାମୁଁ ତା’ର ଟଙ୍କା ଜମି ସବୁ ଫେରାଇ ଦେଲେ । କିନ୍ତୁ କନକ ଦାସ ସେଠାକୁ ଆସି ନଥିଲା କାରଣ ତା’ର ବାକ୍ଶକ୍ତି ଭୟରେ ନଷ୍ଟ ହୋଇ ଯାଇଥିଲା ।
ଇତିମଧ୍ୟରେ ଗୋଟିଏ ବଗିଚାରେ ପିଲାଗୁଡିଏ ଖେଳୁଥିଲେ; ସେଠିକି ବିନୟ ଗଲା । ଦେଖିଲା ଛୁଆଟିଏ ପିଜୁଳି ଗଛରୁ ପଡି ଯାଉଛି । ସେ ଯାଇ ତାକୁ ଧରିପକାଇ ରକ୍ଷା କଲା । କିନ୍ତୁ ସେ ପିଲାଟି ଖାଲି କାନ୍ଦି କାନ୍ଦି କହୁଥାଏ, “ମୋତେ ଛାଡିଦିଅ, ତୁମେ ବାଘ ହୋଇ ମୋତେ ଖାଇ ପକାଇବ ।” ଏ କଥାରେ ବିନୟ ବଡ ଦୁଃଖିତ ଓ ବିବ୍ରତ ବୋଧ କଲା ଜାଣିଲା ସାରା ଗାଁରେ ଏହିକଥା ପ୍ରଚାର ହୋଇ ଯାଇଛି ଯେ ସେ କିଛି ଗୋଟାଏ ଜନ୍ତୁର ରୂପ ନେଇ ଯାହାକୁ ଇଚ୍ଛା ତାକୁ ଖାଇଯିବ ଏପରି ଅବସ୍ଥା ହେଲା ଯେ ଯିଏ ତାକୁ ଦେଖିଲା ଭୟରେ ତା’ଠାରୁ ଦୂରେଇ ଗଲା । ସେ ଆଉ ସେହି ମନ୍ତ୍ରଟି ରଖିବାକୁ ଚାହିଁଲା ନାହିଁ । ଏଣୁ ସେ ପୁଣି ସାଧୁଙ୍କ ପାଖକୁ ଯାଇ ତାଙ୍କୁ ସବୁକଥା କହିଲା । ସାଧୁ ତାକୁ ଆର ମନ୍ତ୍ରଟି ଦେଲେ ଓ ପ୍ରଥମ ମନ୍ତ୍ରଟି ଅକାମୀ କରିଦେଲେ । ଏବେ ବିନୟ ଖୁବ୍ ଖୁସି ହୋଇ ସେଠାରୁ ଫେରିଲା । ଗ୍ରାମକୁ ଆସି ଶୁଣିଲା ବାସନ୍ତୀ ତାକୁ ଖୁବ୍ ଖୋଜୁଛି; ସୁତରାଂ ସେ ବାସନ୍ତୀର ଘରକୁ ଗଲା । ଘର ଭିତରୁ ବାସନ୍ତୀ ବାହାରି ଆସି କହିଲା, “ତୁମ ଗୋଡ ଧରୁଛି ମୋ ବାପାକୁ ଭଲ କରିଦିଅ । ସେ ତ କଥାବି କହିପାରୁ ନାହାଁନ୍ତି ।”
ବିନୟ ଅଳ୍ପ ହସି କହିଲା, “ଏବେ ତୁମ ବାପାଙ୍କ ପାଖକୁ ଚାଲ । ସେ ମୋତେ ଦେଖି ନିଶ୍ଚୟ ଭଲ ହୋଇଯିବେ ।”
ବାସନ୍ତୀ କହିଲା “ନାଁ ନାଁ ତାଙ୍କ ଅବସ୍ଥା ଆହୁରି ଖରାପ ହୋଇପାରେ ତୁମକୁ ଦେଖି ତ ଭୟରେ ଚିତ୍କାର କରୁ କରୁ ସେ ତାଙ୍କର ବାକ୍ଶକ୍ତି ହରାଇଲେ । ଏବେ ତୁମକୁ ଦେଖିବା ମାତ୍ରେ ସେ ହୁଏତ ଭୟରେ ମୂର୍ଚ୍ଛା ହୋଇଯିବେ ଓ ମରିଯିବେ । ମୁଁ ତୁମ ପାଇଁ ମୋ ବାପାଙ୍କୁ ହରାଇବି । ଭାବି ଦେଖ ତେଣିକି ମୋ ଦୁଃଖର ଆଉ କୌଣସି ସୀମା ରହିବ ନାହିଁ ।” ତୁମେ ଏଇଠୁ ମନ୍ତ୍ର କର ।
“ବାସନ୍ତୀ କିଛି ଭୟ କରନାହିଁ ତୁମେ କେବଳ ଦେଖ ।” ବିନୟ ଏହା କହି ଭିତରକୁ ଗଲା ଓ ମନ୍ତ୍ରଟି ମନେ ମନେ କହିଲା । ସେହି ମନ୍ତ୍ରର ପ୍ରଭାବ ଯୋଗୁଁ କନକ ଦାସ ବିନୟକୁ ଦେଖିବା ମାତ୍ରେ ଅତି ଆନନ୍ଦରେ ତାକୁ ଆଲିଙ୍ଗନ କଲେ । ବିନୟ ବାସନ୍ତୀ ଆଡକୁ ଚାହିଁ କିଛି ଇସାରା କଲା, “ଦେଖିଲ ତ?” କନକ ଦାସ କହିଲେ, “ବାବା ବିନୟ, ମୋର କିମିତି ମଥା ଖରାପ ହୋଇଯାଇଥିଲା ମୁଁ ତାହା ଜାଣେନାହିଁ, ତୁମକୁ ସେଦିନ ଏପରି ଅଜବ ଭାବରେ ମୁଁ କିପରି ଦେଖିଲି । ଏହା ତ ସାଧାରଣ ଭାବରେ ଆଦୌ ସମ୍ଭବ ନୁହେଁ । ଭୟରେ ମୋର ଆଉ ବାକ୍ସ୍ଫୁର୍ତି ହେଲା ନାହିଁ । ଏବେ ଉପଲବ୍ଧି କରୁଛି ତୁମକୁ ଜ୍ୱାଇଁ ଭାବରେ ପାଇ ମୁଁ ପ୍ରକୃତରେ ଧନ୍ୟ ।”
ଏସବୁକଥା ଶୁଣି ବିଜୟ କେବଳ ଅଳ୍ପ ହସିଲା ।