ମାଙ୍କଡଟି ସକାଳ ହେବା ପରେ ବଣସାରା ବୁଲିଲା । ପାଚିଲା ଆମ୍ବଗୁଡିଏ ନେଇ ବସାକୁ ଫେରିଲା । ଖାଇବା ବେଳ ହେଲେ ଖାଇବ ବୋଲି ଆମ୍ବତକ ରଖିଦେଲା । ମାଙ୍କଡ ମଧ୍ୟ ଭାବୁଥିଲା ଯେ ସେ ଧର୍ମର ନିୟମ ମାନି କାମ କରିଚି । ଆମ୍ବଗୁଡିକ ରଖିଦେଇ ମାଙ୍କଡ ଶୋଇବାକୁ ଗଲା ।
ବୋଧିସତ୍ୱ ଶାଳ ବଣରୁ ଗୁଡିଏ କୁଶ ଆଣିଲେ । ସେ ଭାବିଲେ – ବେଳ ହେଲେ ମୁଁ କୁଶ ଖାଇବି । ତେବେ ଯଦି କେହି କିଛି ଖାଇବାକୁ ମାଗେ ତାକୁ କଣ ଦେବି? ସେ ତ ଆଉ କୁଶ ଖାଇବେନାହିଁ । କିଛି ଚାଉଳ ବା ରାଶି ମିଳିଥିଲେ ଭଲହୋଇଥାନ୍ତା । ସେସବୁ ତ ପାଇଲିନାହିଁ ।
ବୋଧିସତ୍ୱ ଟିକିଏ ଭାବିଲେ । ତା ପରେ କହିଲେ – “ହଁ, ଗୋଟିଏ କଥା କରାଯାଇପାରିବ । ଯଦି କେହି ଲୋକ ଆସି ମତେ ଖାଇବାକୁ ମାଗିବ ତେବେ ତାକୁ ମୋର ମାଂସ ଖାଇବାକୁ ଦେବି । ମୁଁ ଏ କଥା ସତ୍ୟ କରୁଚି ।
ବୋଧିସତ୍ୱ ସତ୍ୟ କରିବା ପରେ ଇନ୍ଦ୍ରଙ୍କର ଆସନ କମ୍ପି ଉଠିଲା । ସେ ବୁଝିପାରିଲେ – “ବୋଧିସତ୍ୱ ଆଜି ନିଜର ମାଂସ ଦାନକରିବେ ବୋଲି ସତ୍ୟ କରିଚନ୍ତି – ସେଥିପାଇଁ ମୋର ଆସନ କମ୍ପୁଚି ।” ତା ପରେ ଇନ୍ଦ୍ର ଗୋଟିଏ ବ୍ରାହ୍ମଣର ବେଶ ଧରିଲେ । ସେ ଆଗ ଓଧର ବସା ପାଖକୁ ଗଲେ ଓ ଡାକିଲେ ।
ଓଧ ବସାରୁ ବାହାରିଆସି ପଚାରିଲା – “ଗୋସେଇଁ ! ତୁମର କ’ଣ ଲୋଡା?”
ବ୍ରାହ୍ମଣ କହିଲେ – “ମୁଁ ଉପାସ କରିଥିଲି । ମତେ କ’ଣ ଖାଇବାକୁ ଦିଅ ।”
ଓଧ କହିଲା – “ମୋ ପାଖରେ ସାତଟି ମାଛ ଅଛି । ଆପଣ ତାକୁ ଖାଆନ୍ତୁ । ଆପଣଙ୍କ ଭୋକ ଚାଲିଯିବ ।”