ସାପ ମାନଙ୍କର କାହାଣୀ

       ଦିନେ କୌଣସି କାରଣ ପାଇଁ ରାଜାଙ୍କ ମନ ଭଲ ନଥିଲା । ଏହି ସମୟରେ ରାଜକୁମାରୀମାନେ ରାଜାଙ୍କୁ ପ୍ରଣାମ କରିବାକୁ ଆସି ଅନୁରୂପ କଥା କହିଲେ । ସାନ ଝିଅର କଥା ଶୁଣି ରାଜା ସେଦିନ ହଠାତ୍ ରାଗିଗଲେ । ସଂଗେ ସଂଗେ ମନ୍ତ୍ରୀଙ୍କୁ ଆଦେଶ ଦେଲେ, ମନ୍ତ୍ରୀବର! ମୋର ଏହି ହତଭାଗିନୀ ଝିଅକୁ ନେଇ ଯେକୌଣସି ଏକ ବ୍ୟକ୍ତିକୁ ବିବାହ କରାଇଦିଅ । ସେ ତା’ର ନିଜର କର୍ମଫଳ ନିଜେ ଭୋଗ କରିବ । ରାଜାଙ୍କ ଆଦେଶକୁ ମନ୍ତ୍ରୀ ଅମାନ୍ୟ କରିବ ବା କିପରି? ମନ୍ତ୍ରୀ ରାଜକନ୍ୟାକୁ ନେଇ ବରପାତ୍ର ଖୋଜିବା ଉଦ୍ଧେଶ୍ୟରେ ବାହାରିଲେ । କିଛି ସମୟପରେ ମନ୍ତ୍ରୀ ମନ୍ଦିରରେ ରହୁଥିବା ରାଜକୁମାରଙ୍କୁ ଭେଟିଲେ ଏବଂ ତାଙ୍କରି ସହିତ ରାଜକୁମାରୀଙ୍କୁ ବିବାହ କରାଇଦେଇ ଫେରିଆସିଲେ । ମନ୍ଦିରରେ ରହୁଥିବା ଏକ ବ୍ୟକ୍ତିକୁ ବିବାହ କଲେ ମଧ୍ୟ ରାଜକନ୍ୟାଙ୍କ ମନରେ ତିଳେ ମାତ୍ର ଦୁଃଖ ନଥାଏ । ରାଜକନ୍ୟା ମହାଆନନ୍ଦରେ ପତିଦେବଙ୍କର ସେବାରେ ଲାଗିପଡିଲେ । ସେ ସ୍ୱାମୀଙ୍କୁ ଭଗବାନ ରୂପରେ ମାନୁଥିଲେ । ବିବାହର କିଛିଦିନପରେ ସ୍ୱାମୀ, ସ୍ତ୍ରୀ ଉଭୟେ ସେହି ସ୍ଥାନ ଛାଡି ଅନ୍ୟ ଏକ ରାଜ୍ୟକୁ ଚାଲିଗଲେ । ଗୋଟିଏ ପୁଷ୍କରିଣୀ କୂଳରେ ଏକ ସୁନ୍ଦର କୁଡିଆଟିଏ ନିର୍ମାଣ କରି ସେଠାରେ ବସବାସ କଲେ । ରୋଗିଣା ରାଜକୁମାର ସେହି କୁଡିଆରେ ବିଶ୍ରାମ କରୁଥାଆନ୍ତି । ହଠାତ୍ ରାଜକୁମାରୀ ଦେଖିଲେ ରାଜକୁମାରଙ୍କ ପେଟ ମଧ୍ୟରୁ ଏକ ସାପ ପାଟି ବାଟେ ବାହାରକୁ ବାହାରି ଆସୁଛି । କୁଡିଆ ନିକଟରେ ଏକ ହୁଙ୍କା ଥାଏ । ସେହି ହୁଙ୍କାରୁ ମଧ୍ୟ ଆଉ ଗୋଟିଏ ସାପ ବାହାରକୁ ବାହାରି ଆସି ପବନ ଖାଉଥାଏ । ହୁଙ୍କାସାପଟି ରାଜକୁମାରଙ୍କ ସାପକୁ ଦେଖି ମନେ ମନେ ରାଗିଯାଇ କହିଲା, ତୁ ହେଉଛୁ ଏକ ଦୁଷ୍ଟ ଜୀବ । କାହିଁକି ରାଜକୁମାରଙ୍କ ପେଟରେ ରହି ତାଙ୍କୁ ଏତେ କଷ୍ଟ ଦେଉଛୁ? ରାଜକୁମାରଙ୍କ ସାପ କହିଲା, ତୁ ମୋତେ କାହିଁକି ଉପଦେଶ ଦେଉଛୁ? ଫୁଟୁଥିବା ତେଲ ନେଇ ତୋର ହୁଙ୍କାରେ ଢାଳିଦେଲେ ତୁ ମରିଯିବୁ । ହୁଙ୍କା ସାପଟି ଏହି କଥା ଶୁଣି ରାଗିଯାଇ କହିଲା, କାଞ୍ଜି ପାଣିରେ ସୋରିଷ ବାଟି ଯଦି ରାଜକୁମାରଙ୍କୁ ପିଇବାକୁ ଦିଆଯାଏ ତା’ହେଲେ ତୁ ମଧ୍ୟ ମୃତ୍ୟୁ ମୁଖରେ ପଡିବୁ । ତୋର ପୁଣି ଏତେ ବହପ?

       ସାପ ଦୁଇଟିଙ୍କର କଥା ରାଜକନ୍ୟା ଗଛ ଆଢୁଆଳରେ ରହି ଶୁଣୁଥାଏ । ତାକୁ ହଠାତ୍ ଦେଖିବା ମାତ୍ରେ ଦୁଇଟିଯାକ ସାପ ନିଜ ନିଜ ସ୍ଥାନକୁ ଚାଲିଗଲେ । ସେମାନଙ୍କଠାରୁ ଶୁଣିଥିବା କଥାର ସଦୁପଯୋଗ ରାଜକୁମାରୀ କଲେ । ସ୍ୱାମୀଙ୍କୁ ରକ୍ଷା କରିବାକୁ ଯାଇ ସେ ପ୍ରଥମେ କାଞ୍ଜି ପାଣିରେ ସୋରିଷ ବାଟି ପିଆଇ ଦେଲେ । ସଂଗେ ସଂଗେ ରାଜକୁମାରଙ୍କ ପେଟ ମଧ୍ୟରେ ଥିବା ସାପଟି ମରିଗଲା । ଏହାପରେ ରାଜକୁମାରୀ ତେଲ ଗରମ କରି ହୁଙ୍କାରେ ଢାଳିଦେବାରୁ ହୁଙ୍କା ଭିତରର ସାପଟି ମଧ୍ୟ ମରିଗଲା । ଏହାପରେ ରାଜକୁମାର ଏବଂ ରାଜକୁମାରୀ ହୁଙ୍କାଟିକୁ ଖୋଳିବାରୁ ସୁନା ମୋହର ଭର୍ତି ହୋଇଥିବା ଦୁଇଟି କଳସ ପାଇଲେ । ଖୁସି ମନରେ ସ୍ତ୍ରୀ ସହିତ ନିଜ ରାଜ୍ୟକୁ ଫେରିଗଲେ । ନିଜ ଭାଗ୍ୟ ଯୋଗୁଁ ରାଜକନ୍ୟା ଆନନ୍ଦରେ କାଳାତିପାତ କଲେ ।

       କାହାଣୀଟି କହିସାରି ପ୍ରକାରକର୍ଣ୍ଣ କହିଲେ, ଆମ୍ଭମାନଙ୍କର ଏହି କୁଆକୁ ମାରିବା ଉଚିତ୍ ନୁହେଁ । ଏହା ମାଧ୍ୟମରେ ହିଁ ଆମ୍ଭେ ଶତ୍ରୁର ଦୁର୍ବଳତା ସଂପର୍କରେ ଜାଣିପାରିବା । ଯଦି ଆମେ ଏହାକୁ ସାହାଯ୍ୟ ନକରିବା ସାପ ଦୁଇଟିଙ୍କ ପରି ଶେଷରେ ଧ୍ୱଂସ ହୋଇଯିବା । ଅରିମର୍ଦ୍ଧନ ପ୍ରକାରକର୍ଣ୍ଣଙ୍କ କଥା ଶୁଣିସାରିବା ପରେ ସେ କୁଆମନ୍ତ୍ରୀ ସ୍ଥିରଜୀବିଙ୍କୁ ଆଶ୍ରୟ ଦେବାକୁ ଚାହିଁଲେ । ମାତ୍ର ରାଜାଙ୍କର ଏହି କାର୍ଯ୍ୟକୁ ରକ୍ତାକ୍ଷ ପସନ୍ଦ କଲେ ନାହିଁ । ସେ ପୁନର୍ବାର ସତର୍କ କରାଇବାକୁ ଯାଇ କହିଲେ, ଆପଣମାନେ ନିଶ୍ଚେ ଦିନେ ନା ଦିନେ ଦେଖିବେ ଏହି କୁଆ ହିଁ ଆମ୍ଭମାନଙ୍କର ବିନାଶର କାରଣ ହେବ । ଅରିମର୍ଦ୍ଧନ କିନ୍ତୁ ରକ୍ତାକ୍ଷଙ୍କ କଥାରେ କର୍ଣ୍ଣପାତ କଲେ ନାହିଁ । ସେ ସ୍ଥିରଜୀବିଙ୍କୁ ସସମ୍ମାନେ ଗୁମ୍ଫା ମଧ୍ୟକୁ ନେଇଗଲେ । ଯିବା ସମୟରେ ସ୍ଥିରଜୀବି ହଠାତ୍ କାନ୍ଦିପକାଇ କହିଲେ, ମୁଁ ଏପରି ଏକ ଜୀବନ ବଂଚିବାକୁ ଚାହେଁ ନାହିଁ । ଏପରି ବଂଚିବା ଅପେକ୍ଷା ଅଗ୍ନିକୁ ଡେଇଁ ଆତ୍ମହତ୍ୟା କରିବା ଶତଗୁଣେ ଶ୍ରେୟସ୍କର । ତଥାପି ମଧ୍ୟ ରକ୍ତାକ୍ଷ ତା’ର କଥାକୁ ବିଶ୍ୱାସ କଲେ ନାହିଁ । କୁଆର ଛଳନା ପୂର୍ଣ୍ଣ କଥା ଶୁଣି ବିଜ୍ଞ ରକ୍ତାକ୍ଷ କହିଲେ, “ହେ! ସ୍ଥିରଜୀବି ମୁଁ ଯାହା ଅନୁମାନ କରୁଛି, ତୁମେ କପଟ କଥା କହିବାରେ ଧୂରନ୍ଧର । ପର ଜନ୍ମରେ ତୁମେ ଯଦି ପେଚା ହୋଇ ଜନ୍ମନିଅ ତା’ହେଲେ ମଧ୍ୟ ଏହି ଜନ୍ମର କୁଆ ଜାତି ପ୍ରତି ଆଦର ଭାବ ପୋଷଣ କରିବ । ଏ ସଂପର୍କରେ ରକ୍ତାକ୍ଷ ଏକ କାହାଣୀର ଅବତାରଣା କଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ