ବୀର ହନୁମାନ

ଶ୍ରୀରାମ ବହୁତ ବିବ୍ରତ ହୋଇ ପଡିଥିଲେ । ତେଣୁ ବିଭୀଷଣ ତାଙ୍କୁ କ’ଣ କହିଲେ ସେ କଥା ସେ କିଛି ଠିକ୍ସେ ବୁଝି ପାରୁନଥିଲେ । କିଛି ସମୟ ପରେ ସେ କହିଲେ, “ବିଭୀଷଣ, ଯାହା କହିଲ ମୁଁ ବୁଝିପାରି ନାହିଁ । ଦୟାକରି ଆହୁରି ଥରେ ସେକଥା ସ୍ପଷ୍ଟ କରି କୁହ ।

                ବିଭୀଷଣ କହିଲେ, “ପ୍ରଭୂ, ଆପଣ ଅକାରଣରେ ଦୁଃଖ କରୁଛନ୍ତି । ଆପଣଙ୍କର ଲକ୍ଷ୍ୟ ହେଲା ମାତା ସୀତାଙ୍କୁ ଉଦ୍ଧାର କରିବା ଏବଂ ସେଥିପାଇଁ ରାକ୍ଷସମାନଙ୍କୁ ବଧ କରିବା । ବର୍ତ୍ତମାନ ପୁନର୍ବାର ଯୁଦ୍ଧପାଇଁ ପ୍ରସ୍ତୁତ ହୁଅନ୍ତୁ । ଏବେ ପ୍ରଥମ କର୍ତ୍ତବ୍ୟ ହେଉଛି ଆପଣ ବାନର ସେନାଙ୍କ ସହିତ କୁମାର ଲକ୍ଷ୍ମଣଙ୍କୁ ନିକୁମ୍ଭିଲା ପଠାନ୍ତୁ । ସେଠାରେ ଇନ୍ଦ୍ରଜିତର ଯଜ୍ଞ ଯଦି ସମାପ୍ତ ହୋଇଯିବ ତେବେ ତାକୁ ଜିତିବା ବଡ କଷ୍ଟକର ହୋଇ ପଡିବ । ବ୍ରହ୍ମା ତାକୁ ସେପରି ବର ଦେଇଛନ୍ତି । ପୁଣି ଯିଏ ତାର ଯଜ୍ଞରେ ବାଧା ଆଣିବ ସେ ତାର ଜୀବନ ନେବାକୁ ଚେଷ୍ଟାକରିବ । ଯଦି ଇନ୍ଦ୍ରଜିତର ମୃତ୍ୟୁ ହୋଇଯାଏ ତ ରାବଣର ଅର୍ଦ୍ଧେକ ବଳ ନଷ୍ଟ ହେବ ।”

                ଶ୍ରୀରାମ ଏଥର ସବୁକଥା ବୁଝିଗଲେ । ମନରେ ଧୈର୍ଯ୍ୟ ଧରି ପରିସ୍ଥିତି ଅନୁସାରେ ଇନ୍ଦ୍ରଜିତକୁ ବଧ କରିବାପାଇଁ ଲକ୍ଷ୍ମଣଙ୍କୁ ନିକୁମ୍ଭିଲାକୁ ପଠାଇଲେ । ବିଭୀଷଣ ତାଙ୍କୁ ମାର୍ଗଦର୍ଶନ କରାଇଲେ, ହନୁମାନ ମଧ୍ୟ ସେତେବେଳେ ତାଙ୍କ ସାଙ୍ଗରେ ରହିଥିଲେ । ଯୁଦ୍ଧକୁ ବାହାରି ଆସିବା ବେଳେ ଲକ୍ଷ୍ମଣ ତାଙ୍କର ବିଶେଷ କବଚ ଓ ଧନୁର୍ବାଣ ଧାରଣକରି ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ଆସିଲେ । ଦୂରରୁ ଦେଖିଲେ ଯଜ୍ଞ ଭୂମିକୁ ରାକ୍ଷସମାନେ ବ୍ୟୁହ କରି ଘେରି ରହିଛନ୍ତି । ବିଭୀଷଣ ଲକ୍ଷ୍ମଣଙ୍କୁ ସାବଧାନ କରି କହିଲେ, “ଯଜ୍ଞ ସମାପ୍ତି ପୂର୍ବରୁ ଯେପରି ତାକୁ ବଧ କରାଯାଏ । ତା ପୂର୍ବରୁ ଯେପରି ହେଉ ପଛେ ଏ ରାକ୍ଷସ ସେନାଙ୍କୁ ବଧକରି ବ୍ୟୁହ ଭାଙ୍ଗି ଦେବାକୁ ହେବ ଯଦ୍ୱାରା ଇନ୍ଦ୍ରଜିତକୁ ସିଧା ଦେଖି ହେବ ଏବଂ ତାକୁ ଆକ୍ରମଣ କରିବାକୁ ସହଜ ହେବ ।”

ତା’ପରେ ଲକ୍ଷ୍ମଣଙ୍କ ଆଦେଶରେ ବାନର ସେନା ଓ ଭଲ୍ଲୁକ ସେନା, ଇନ୍ଦ୍ରଜିତର ରାକ୍ଷସ ସେନା ଉପରେ ଅଚାନକ ଭାବେ ଆକ୍ରମଣ କଲେ । ଫଳରେ ଚାହୁଁଚାହୁଁ ଘମାଘୋଟ ଯୁଦ୍ଧ ଲାଗିଲା । ଏସବୁ ଦେଖି ଇନ୍ଦ୍ରଜିତ ଯଜ୍ଞ ଛାଡି ଉଠି ଠିଆ ହେଲା ଓ ନିଜ ରଥ ଉପରେ ବସି ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇଗଲା ।

ଦୂରରୁ ଦେଖାଗଲା ସେହି ଯଜ୍ଞ ଭୂମିରେ ଏକ ବିରାଟ ଦ୍ରୁମ ଯାହାର ଦେହ ଅଗ୍ନିର ଶିଖା ଯୋଗୁଁ କଳା ପଡିଯାଇଥାଏ । ଇନ୍ଦ୍ରଜିତ ସେହିଠାରେ ଭୂତବଳୀ ଦିଏ ଓ ସେଠାରୁ ଅଦୃଶ୍ୟ ହୋଇ ଯାଇ ଯୁଦ୍ଧ କରେ ।

ଦୁଇପକ୍ଷ ବିପରୀତ ଦିଗରୁ କ୍ରମେ ନିକଟରୁ ନିକଟତର ହୋଇ ଆସିଲେ । ଲକ୍ଷ୍ମଣ ଇନ୍ଦ୍ରଜିତକୁ ଯୁଦ୍ଧକୁ ଆହ୍ୱାନ କଲେ । ଇନ୍ଦ୍ରଜିତ ଦେଖିଲା ଲକ୍ଷ୍ମଣଙ୍କ ନିକଟରେ ବିଭୀଷଣ ଠିଆ ହୋଇଛନ୍ତି । ତେଣୁ ସେ ରାଗରେ ତମତମ ହୋଇ କହିଲା, “ହେ ବିଭୀଷଣ, ତୁମେ କି ପ୍ରକାର ରାକ୍ଷସ? ଯିଏ କି ରାକ୍ଷସ ମାନଙ୍କ ବିନାଶ ପାଇଁ ଚେଷ୍ଟା କରିଛି । ଲଙ୍କା ତୁମର ନିଜ ସ୍ଥାନ । ତୁମେ ତ ମୋ ପିତାଙ୍କର କନିଷ୍ଠ ଭ୍ରାତା । ତଥାପି ମଧ୍ୟ ତମେ ମୋ ବିରୁଦ୍ଧରେ ଯୁଦ୍ଧ କରିଛ? ଏବେ ମୁଁ ବୁଝିଲି । ତମେ ବିଧର୍ମୀ । ତୁମ ଚେତନାରେ କ’ଣ କୁଳମର୍ଯ୍ୟାଦାର କୌଣସି ସ୍ଥାନ ନାହିଁ । ତମେ ନିଜର ସ୍ୱଜନ ପରିଜନଙ୍କୁ ଛାଡି ଦେଇ ଶତ୍ରୁର ଦାସତ୍ତ୍ଵ ସ୍ୱୀକାର କଲ? ଏହାଠାରୁ ଅଧିକ ଲଜ୍ଜାର କଥା ଆଉ କ’ଣ ବା ହୋଇପାରେ? ତୁମେ କ’ଣ ଏତିକି ବି ଜାଣି ନାହଁ ଯେ ନିଜ ଘରେ ଦରବାର ସହ ରହିବା ଓ ପରଘରେ ଗୌରବହୀନ ହୋଇ ରହିବାରେ ପାର୍ଥକ୍ୟ କ’ଣ? ତୁମେ ମୋର ନିଜ ଲୋକ । ତଥାପି ମଧ୍ୟ ମୋ ଯଜ୍ଞରେ ବିଘ୍ନ ଆଣିବା ପାଇଁ ତମେହିଁ ଶେଷକୁ ଷଡଯନ୍ତ୍ର କଲ? ଏତେ ହୀନ ବୁଦ୍ଧି ମୁଁ ତୁମଠାରୁ କେବେବି ଆଶା କରି ନଥିଲି ।”


ଗପ ସାରଣୀ

ତାଲିକାଭୁକ୍ତ ଗପ