ଚନ୍ଦ୍ରବର୍ମା ତାନ୍ତ୍ରିକ ବୋଲି ରାଜା ଶିବସିଂହଙ୍କ ଅନୁଚରମାନେ ଧରି ନେଇଥିଲେ । ଚନ୍ଦ୍ରବର୍ମା ଧୂସର ଦୁର୍ଗକୁ ଯିବାର ନକ୍ସା ବୁଢାଠୁଁ ନେଇ ନେଇଥିଲେ । ନାଗରିକମାନେ ଚନ୍ଦ୍ରବର୍ମାଙ୍କୁ ମହାତାନ୍ତ୍ରିକ ରୂପେ ସ୍ୱାଗତ କଲେ ।
ତୋରଣମାନ ଅତିକ୍ରମ କରି ଚନ୍ଦ୍ରବର୍ମା ଯେତେବେଳେ ରାଜଭବନ ପାଖରେ ଯାଇ ପହଁଚିଲେ, ସେତେବେଳେ ତାଙ୍କୁ ଭବନ ସାମ୍ନାରେ ରାଜା ଶିବସିଂହ, ମନ୍ତ୍ରୀ ଓ ଅମାତ୍ୟମାନେ ସ୍ୱାଗତ କଲେ ।
ରାଜା ଶିବସିଂହ କହିଲେ “ଚନ୍ଦ୍ରବର୍ମା! ତମେ ଏଡେ କମ୍ ବୟସରେ ଯେ ଏଡେ ବଡ ତାନ୍ତ୍ରିକ ହୋଇ ପାରିଛ, ଏହା କିଛି କମ୍ କଥା ନୁହେଁ । ତମେ ଆମ ରାଜ୍ୟ ସୀମାରେ ରହି ନାନା ଉପଦ୍ରବ କରୁଥିବା ଦୁଷ୍ଟ ତାନ୍ତ୍ରିକ ଶଙ୍ଖୁର ବିନାଶ ସାଧନ କରିଛ ବୋଲି ମୁଁ ଜାଣେ । ଏହା ଆମ ପକ୍ଷରେ ବିଶେଷ ସନ୍ତୋଷର କାରଣ ।”
ଶଙ୍ଖୁ ବିଷୟ ରାଜା ଶିବସିଂହଙ୍କ ମୁହଁରୁ ଶୁଣି ଚନ୍ଦ୍ରବର୍ମା ଆଶ୍ଚର୍ଯ୍ୟ ହେଲେ । ତେବେ ବାହାରକୁ ସେ ଭାବ ପ୍ରକଟ ନକରି ସେ କହିଲେ, “ତାନ୍ତ୍ରିକ ଶଙ୍ଖୁ ବାସ୍ତବିକ ଅତ୍ୟନ୍ତ ଦୁଷ୍ଟ ଓ ଦୁରାଚାରୀ ଥିଲା । ତେଣୁ ତାକୁ ହଟାଇ ଦେବାକୁ ହେଲା । ସେ ଲୋକଙ୍କୁ ନାନା ଭାବରେ ଯନ୍ତ୍ରଣା ଦେଉଥିଲା । ରାଜା ଓ ପ୍ରଜା ଉଭୟଙ୍କ ପାଇଁ ସେ କଂଟକ ସ୍ୱରୂପ ଥିଲା ।”
ରାଜା ଶିବସିଂହ କହିଲେ, “ତାନ୍ତ୍ରିକ ଶଙ୍ଖୁର ସେ ପାହାଡ ଉପରେ ତମ ମିତ୍ର କାଳକେତୁ ବାସ କରୁଛି । ତମ ବିଷୟରେ ସବୁ କଥା ମୁଁ ତାହାରି ଠାରୁ ଶୁଣିଛି । ତାହାରି ପରାମର୍ଶ ଅନୁସାରେ ମୁଁ ତୁମକୁ ସ୍ୱାଗତ କରିଛି । ତୁମକୁ ଧୂସର ଦୁର୍ଗକୁ ପଠାଇବାର ବ୍ୟବସ୍ଥା କରି ମୁଁ ମୋ କର୍ତ୍ତବ୍ୟ ସମାପନ କରିଛି । ମୋର ପୁରା ବିଶ୍ୱାସ, ଅନେକ ବର୍ଷ ଧରି ମୁଁ ପୋଷଣ କରିଥିବା ସ୍ୱପ୍ନ ତୁମ ଦ୍ୱାରା ସଫଳ ହେବ ।”
“ଧୂସର ଦୁର୍ଗ! ସେ ଆଉ ଏପରି ବିଶେଷ କଥା କ’ଣ!” ଏହା କହି ଚନ୍ଦ୍ରବର୍ମା ଟିକିଏ ହସି ଦେଲେ ।
ସେତିକି ବେଳେ ମନ୍ତ୍ରୀ ରାଜାଙ୍କ କାନରେ କିଛି କହିଲେ । ରାଜା ରାଜଭବନରୁ ଅତିଥିଶାଳା ଆଡେ ଅଗ୍ରସର ହେଉ ହେଉ କହିଲେ, “ଚନ୍ଦ୍ରବର୍ମା! ତମେ ଅନେକ ଦୂର ପଥ ଅତିକ୍ରମ କଲଣି । ଥକି ଯାଇଥିବ । ଭୋଜନ କରି ବିଶ୍ରାମ ନିଅ । ତା’ପରେ ସବୁ କଥା ଧୀରେ ସୁସ୍ଥେ କରାଯିବ ।”
ଚନ୍ଦ୍ରବର୍ମାଙ୍କ ରହିବା ସକାଶେ ସୁନ୍ଦର ବ୍ୟବସ୍ଥା କରାଯାଇଥିଲା । ସେ ସ୍ନାନ କରିବା ପରେ ତାଙ୍କୁ ନାନା ପ୍ରକାର ସୁଖାଦ୍ୟ ପରଶି ଦିଆଗଲା । ଶୋଇବା ସକାଶେ ଦୁଗ୍ଧଫେନ ନିଭ ଶଯ୍ୟା ପ୍ରସ୍ତୁତ ହୋଇ ରହିଥାଏ ।
କିନ୍ତୁ ଚନ୍ଦ୍ରବର୍ମାଙ୍କ ଆଖିକୁ ନିଦ ଆସିଲା ନାହିଁ । ପାହାଡ ଉପରେ ଥିବା କାଳକେତୁ ଓ କାପାଳିନୀ ତାଙ୍କ ବିଷୟରେ ରାଜାଙ୍କୁ ଅନେକ କଥା ଜଣାଇଛନ୍ତି । ଧୂସର ଦୁର୍ଗରେ ପହଁଚିବାକୁ ସେ ସକ୍ଷମ, ଏକଥା ବି କାଳକେତୁ ରାଜାଙ୍କୁ କହିଛି । କିନ୍ତୁ ଏସବୁ ଖବର ଦେବା ପଛରେ କାଳକେତୁର ଉଦ୍ଧେଶ୍ୟ କ’ଣ ହୋଇପାରେ?
ଚନ୍ଦ୍ରବର୍ମା ସ୍ଥିର ଚିତ୍ତରେ ଏକଥା ଭାବିବାକୁ ଲାଗିଲେ ଓ କ୍ରମେ କାଳକେତୁର ଉଦ୍ଧେଶ୍ୟ ତାଙ୍କ ଆଗରେ ସ୍ପଷ୍ଟ ହୋଇ ଉଠିଲା ।
ଚନ୍ଦ୍ରବର୍ମା ଯଥାଶୀଘ୍ର ନିଜ ରାଜ୍ୟ ପୁନରାଧିକାର କରନ୍ତୁ, କାଳକେତୁ ନିଶ୍ଚୟ ଏହା ଚାହେଁ । ସେ ଦିଗରେ ସୈନ୍ୟ ସଂଗ୍ରହ ଓ ଅନ୍ୟାନ୍ୟ ବନ୍ଦୋବସ୍ତ ପାଇଁ ପ୍ରଚୁର ଧନ ଆବଶ୍ୟକ । ଧୂସର ଦୁର୍ଗରୁହିଁ ସେ ଧନ ମିଳିବ । ସେଇଥି ପାଇଁ କାଳକେତୁ ରାଜା ଶିବସିଂହଙ୍କୁ ତାଙ୍କ ବିଷୟରେ ଏତେ ଉତ୍ସାହଜନକ କଥା କହିଛି ।
ଚନ୍ଦ୍ରବର୍ମା ଏହି ସବୁ ବିଚାରରେ ଡୁବି ରହିଥିବା ବେଳେ ଜଣେ ସେବକ ଆସି ତାଙ୍କୁ ଅଭିବାଦନ କରି କହିଲା କି ରାଜା ଓ ମନ୍ତ୍ରୀ ତାଙ୍କୁ ମନ୍ତ୍ରଣା ପ୍ରକୋଷ୍ଠରେ ଅପେକ୍ଷା କରିଛନ୍ତି । ଚନ୍ଦ୍ରବର୍ମା ତତ୍କ୍ଷଣାତ୍ ସେମାନଙ୍କୁ ଭେଟିବାକୁ ଚାଲିଲେ ।
ଚନ୍ଦ୍ରବର୍ମାଙ୍କୁ ଦେଖିବା ମାତ୍ରେ ରାଜା ଶିବସିଂହ କହିଲେ, “ଚନ୍ଦ୍ରବର୍ମା! ଧୂସର ଦୁର୍ଗରେ ଥିବା ଧନରାଶି ପ୍ରତି ମୋର କୌଣସି ଲୋଭ ନାହିଁ । ଏକଥା ତୁମକୁ ପ୍ରଥମରୁ କହିଦେବା ଉଚିତ୍ ବୋଲି ମୁଁ ମନେ କରେ ।”
ଚନ୍ଦ୍ରବର୍ମା ଖାଲି ମୁଣ୍ଡ ହଲାଇଲେ ।
ରାଜା ପୁଣି କହିଲେ, “ଧୂସର ଦୁର୍ଗ ପ୍ରତି ତେବେ ମୋର ଏତେ ଆକର୍ଷଣ କାହିଁକି, ସେ ପ୍ରଶ୍ନ ତୁମ ମନରେ ଉଠିବା ତ ସ୍ୱାଭାବିକ । ଏ ପ୍ରଶ୍ନର ଉତ୍ତରରେ ତୁମକୁ ଯାହା କହିବି, ତାହା ବି ବିଚିତ୍ର ଲାଗିପାରେ । କିନ୍ତୁ ମୋ କଥା ସତ । ସେ ଧୂସର ଦୁର୍ଗ ସମୁଦ୍ର କୂଳରେ ଅବସ୍ଥିତ ବୋଲି ତୁମେ ଜାଣ ତ?”
ଚନ୍ଦ୍ରବର୍ମା କହିଲେ “ହଁ, ତାହା ପଶ୍ଚିମ ସମୁଦ୍ର କୂଳରେ ବୋଲି ମୁଁ ଜାଣେ । ଗତ ହଜାରେ ବର୍ଷ ହେଲା ତାକୁ କେହିବି ଦେଖି ନାହାଁନ୍ତି, ଏକଥା ବି ମୁଁ ଜାଣେ ।”
ମନ୍ତ୍ରୀ ରାଜାଙ୍କ ଆଡକୁ ଅର୍ଥପୂର୍ଣ୍ଣ ଦୃଷ୍ଟିରେ ଅନାଇଲେ । ରାଜା କହିଲେ, “କେହି ଦେଖି ନାହାଁନ୍ତି, ଏକଥା ସତ ହୋଇପାରେ । ଆଚ୍ଛା, ସମୁଦ୍ର ଜଳ ସେ ଦୂର୍ଗକୁ ସ୍ପର୍ଶ କରୁଥିବା କଥା ସତ କି?”
ଚନ୍ଦ୍ରବର୍ମା କହିଲେ “ମୁଁ ତ ସେଇଆ ଶୁଣିଛି!”
“ଆମ ପୂର୍ବପୁରୁଷମାନଙ୍କର ବିଶ୍ୱାସ ଥିଲା କି ଦୁର୍ଗ ସନ୍ନିକଟବର୍ତ୍ତୀ ସମୁଦ୍ର ଭିତରେ ବଡ ବଡ କଂସା ପାତ୍ର ଭିତରେ ଜଣେ ତାନ୍ତ୍ରିକ କେତେକ ଅଦ୍ଭୁତ ପ୍ରାଣଙ୍କୁ ବନ୍ଦୀ କରି ରଖିଛି । ମୋ ପିତା ସେ ପାତ୍ର ହାସଲ କରିବା ନିମନ୍ତେ ଅନେକ ଚେଷ୍ଟା କରିଥିଲେ, କିନ୍ତୁ ସଫଳ ହେଲେ ନାହିଁ । ତୁମ ବନ୍ଧୁ କାଳକେତୁର ଶକ୍ତି ବହୁତ । ସେ ସ୍ୱେଚ୍ଛାରେ ବିଶାଳ ନାଗସାପ ରୂପ ନେଇପାରେ । ମୁଁ ଯେତେବେଳେ ଧୂସର ଦୁର୍ଗରେ ପହଁଚିବା ସ୍ୱପ୍ନ ପାଶୋରି ଦେବାକୁ ବସିଥିଲି, ସେତିକି ବେଳେ ତୁମ କଥା କହି କାଳକେତୁ ମୋ ମନରେ ପୁନର୍ବାର ଆଶାର ସଂଚାର କଲା । ମୋ ମନରେ ବର୍ତ୍ତମାନ ଗୋଟାଏ ଧାରଣା ଦସ୍ତଙ୍ଘ ହୋଇଛି । ତାହାହେଲା, ତୁମ ଦ୍ୱାରା ନିଶ୍ଚୟ କାର୍ଯ୍ୟ ସିଦ୍ଧି ହେବ ।”