ମହେନ୍ଦ୍ର ମହାରଣା ଦେବପୁରୀରେ ରହୁଥିଲେ । ସେ ଅଳଙ୍କାର ବ୍ୟବସାୟ କରୁଥିଲେ । ଭିନ୍ନ ଭିନ୍ନ ପ୍ରକାର ରତ୍ନ ଚିହ୍ନିବାରେ ମଧ୍ୟ ତାଙ୍କର ବିଶେଷ ଦକ୍ଷତା ଥିଲା । ଜୀବନରେ ସେ ନ୍ୟାୟସଙ୍ଗତ ମାର୍ଗରେ ବେଶ କିଛି ଉପାର୍ଜନ କରିଥିଲେ ।
ଥରେ ସେ ତାଙ୍କ ସ୍ତ୍ରୀ ଲୀଳାବତୀଙ୍କୁ ନେଇ ତୀର୍ଥ ପର୍ଯ୍ୟଟନରେ ବାହାରିଲେ । ବାହାରିବା ବେଳେ ସେ ତାଙ୍କ ଗୁରୁଙ୍କୁ ପ୍ରଣାମ କରିବାକୁ ଗଲେ । ଗୁରୁ ଆଶୀର୍ବାଦ ଦେବାବେଳେ ହସି ହସି ତାଙ୍କୁ କହିଲେ, “ଦେଖ ବାପା, ତୀର୍ଥ ବୁଲିଲା ବେଳେ ହୃଦୟରେ ଭଗବାନଙ୍କ ଛଡା ଆଉ କିଛିବି ଆକର୍ଷଣ ଯେପରି ନ ରହେ । ଭଗବାନ ତ ତମକୁ ଯଥେଷ୍ଟ ଦେଇଛନ୍ତି । ତେବେ ମଣିଷର ଚରିତ୍ର ହେଲା, ଯେତେ ପାଇଲେ ମଧ୍ୟ ତା’ ମନ ଆହୁରି ପାଇବାକୁ ଆକୁଳି ବିକୁଳି ହେଉଥାଏ । ତମେ ସେପରି ସାଧାରଣ ଲୋକ ନୁହେଁ ବୋଲି ମୋର ବିଶ୍ୱାସ । ତେଣୁ ତମକୁ ସତର୍କ କରି ଦେଉଛି । ଟଙ୍କା ପଇସା, ଧନରତ୍ନ, ଏସବୁ ପ୍ରତି ମନ ଗଲେ ତୀର୍ଥ ଯାତ୍ରାର ପୁଣ୍ୟଫଳ ତୁମକୁ କେବେବି ମିଳିବ ନାହିଁ ।”
ମହେନ୍ଦ୍ର ଶ୍ରଦ୍ଧାଭରେ ଗୁରୁଙ୍କ ଉପଦେଶ ଶୁଣିଲେ ଓ ତାହା ମନେ ରଖିଲେ ।
ସାଧାରଣ ବାଟୋଇ ଭାବରେ ସେ ଓ ଲୀଳାବତୀ ଯାଉଥାନ୍ତି । ରାତିରେ ହାଟ ବଜାରରେ ନହେଲେ କୌଣସି ଧର୍ମଶାଳାରେ ସେମାନେ ବିଶ୍ରାମ କରୁଥାନ୍ତି ।
ଦିନେ ସେମାନେ ଏକ ନଦୀ ତୀରରେ ପହଁଚିବା ବେଳକୁ ଦୁଇ ପହର ବେଳ । ସେ ଦୁହେଁ ଗୋଟିଏ ବରଗଛ ତଳେ ବିଶ୍ରାମ କଲେ । ହଠାତ୍ ମହେନ୍ଦ୍ର ବୁଝିଲେ ଯେ ସେ ନଦୀର ନାମ ସୁବର୍ଣ୍ଣରେଖା । ସେପାରିରେ ଥିବା ପାହାଡର ନାମ ରତ୍ନଗିରି । ସେ ଚମକି ପଡିଲେ ଓ କୌତୁହଳୀ ହେଲେ । ନଦୀ ସେପାରି ପାହାଡରେ ଥରେ ଥରେ ଭିନ୍ନ ଭିନ୍ନ ପ୍ରକାର ରତ୍ନ ମିଳେ ବୋଲି ମହେନ୍ଦ୍ର ଜାଣିଥିଲେ । ସେ ବାରମ୍ବାର ସେ ଆଡେ ଦୃଷ୍ଟିପାତ କରି ନଦୀକୁ ସ୍ନାନ କରିବାକୁ ଗଲେ । ସ୍ନାନ ଶେଷ କରି ଗଛମୂଳକୁ ଆସି ସେ ଦେଖନ୍ତି, ଲୀଳାବତୀ ଶୋଇ ପଡିଛନ୍ତି । ତାଙ୍କ ପାଖରେ ଖଣ୍ଡିଏ ଉଜ୍ଜ୍ୱଳ ଚିଜ ପଡିଛି । ମହେନ୍ଦ୍ର ଚିଜଟିକୁ ଉଠାଇ ନେଇ ଦେଖିଲେ, ତାହା ଖଣ୍ଡିଏ ମୂଲ୍ୟବାନ ରତ୍ନ । ପ୍ରଥମେ ତାକୁ ସେ ନିଜ ଥଳୀରେ ପୁରାଇବାକୁ ମନ କଲେ । କିନ୍ତୁ ଗୁରୁଙ୍କ ଉପଦେଶ ମନେ ପଡିବାରୁ ସେ ତାହା ନ କରି ତଳେ ପକାଇ ଦେଲେ । ପୁଣି ଭାବିଲେ, ଲୀଳାବତୀ ତାକୁ ଦେଖିଲେ କାଳେ ଲୋଭ କରି ପାରନ୍ତି! ତେଣୁ ସେ ତାକୁ ବାଲିରେ ଲୁଚାଇ ଦେଲେ ।
କିଛି ସମୟ ପରେ ସେ ଦୁହେଁ ପୁଣି ବାଟ ଚାଲିଲେ । ସନ୍ଧ୍ୟାବେଳକୁ ମହେନ୍ଦ୍ର କହିଲେ, “ଆଜି ସେ ଗଛ ମୂଳରେ ତମ ପାଖରେ ଗୋଟାଏ ଚିଜ ପଡିଥିଲା ଯେ…”
ଲୀଳାବତୀ ମନେ ପକାଇ କହିଲେ, “ହଁ, ହଁ, ଖଣ୍ଡିଏ ରତ୍ନ ହୋଇଥିବ ପରା । ପକ୍ଷୀଟିଏ ତାକୁ ଥଂଟରେ ଧରି ଆସି ଗଛରେ ବସିଲା ବେଳେ ତାହା ଖସି ପଡିଥିଲା ।”
ମହେନ୍ଦ୍ର ଆଶ୍ଚର୍ଯ୍ୟ ହୋଇ ପଚାରିଲେ, “ତମେ ତାହା ଦେଖିଥିଲ? ତମର ସେଥିପ୍ରତି ଆଗ୍ରହ ହେଲା ନାହିଁ?”
ଲୀଳାବତୀ କହିଲେ “ଦେଖିଥିଲି ଓ ଭୁଲି ଯାଇଥିଲି । ରତ୍ନ ପ୍ରତି କେଉଁଠୁ ଆଗ୍ରହ ଆସନ୍ତା? ଆମେ ପରା ପୂଣ୍ୟ ଉଦ୍ଧେଶ୍ୟରେ ବାହାରିଛୁଁ! ପୂର୍ଣ୍ଣଠୁଁ ବଳି ମୂଲ୍ୟବାନ ରତ୍ନ ଆଉ କ’ଣ ବା ଅଛି?”
ମହେନ୍ଦ୍ର ମନେ ମନେ ଆହୁରି ବିସ୍ମିତ ଓ ଆନନ୍ଦିତ ହେଲେ ।