ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ବଳ ଓ ତେଜ

ଗୋବିନ୍ଦପୁରର ଜମିଦାର ଥରେ ତାଙ୍କ ଗୁମାସ୍ତାଙ୍କ ସହ କୌଣସି ଏକ ଦୂର ଗ୍ରାମରୁ ଫେରୁଥାନ୍ତି । ବାଟରେ ଗୋଟିଏ ଆମ୍ବ ବଗିଚା ପଡିଲା । ସେ ବାଟରେ ସେ ଜମିଦାର ତ ପୂର୍ବରୁ କେବେବି ଆସି ନଥିଲେ । ବଗିଚା ଆଡେ ଅନାଇ ସେ ମୁଗ୍ଧ ହୋଇ ଦଣ୍ଡେ ଠିଆ ହୋଇଗଲେ । ସବୁ ଗଛରେ ଆମ୍ବ ଫଳିଥାଏ । ସେସବୁର ପରିମାଣ ପ୍ରଚୁର । ଏସବୁ ଦେଖି ଜମିଦାର କହିଲେ, “ବାଃ, କେଡେ ଚମତ୍କାର ଆମ୍ବ ବଗିଚା!”

                ଏହି କଥାରେ ତାଙ୍କ ଗୁମାସ୍ତା ହସିଲେ ଓ କହିଲେ, “ଏଭଳି ଆମ୍ବ ବଗିଚା କ’ଣ କୌଣସି ସାଧାରଣ ଲୋକର ସମ୍ପତ୍ତି ହୋଇପାରେ? ଏହା ନିଶ୍ଚୟ କୌଣସି ରାଜା ଜମିଦାରଙ୍କର ହୋଇଥିବ ପରା!”

                ଜମିଦାର କହିଲେ, “ମୁଁ ମଧ୍ୟ ସେଇଆ ଅନୁମାନ କରୁଥିଲି । ଏ ବିରାଟ ଆମ୍ବ ବଗିଚା ସତରେ କାହାର? ମାଲିକର ଘର ନିଶ୍ଚୟ ଏହି ଗାଁରେ ହୋଇଥିବ । ନହେଲେ ତ ସବୁ ଲୁଟତରାଜ ହୋଇଯା’ନ୍ତା । ଗଛରେ ଏତେ ଫଳ କାହୁଁ ରହନ୍ତା!”

                ଗୁମାସ୍ତା କହିଲେ, “ହଜୁର! ଏ ବଗିଚା ଆପଣଙ୍କର । ଆପଣ ତ କେବେ ଏଆଡେ ଆସି ନାହାଁନ୍ତି, ଜାଣିବେ ବା କିପରି?”

ଏକଥା ଶୁଣି ସେ ଜମିଦାର ଅତ୍ୟନ୍ତ ଖୁସି ହୋଇ କହିଲେ “ସତେ? ଓଃ ହୋ, ଏଇ ଗାଁର ନାମ ପରା ଦେବଳା । ମୁଁ ଜାଣେ ଦେବଳାରେ ଆମର ଆମ୍ବ ବଗିଚା ଅଛି । ତେବେ ବାପା ସବୁ ବୁଝୁଥିଲେ । ତାଙ୍କ ପରେ ମୁଁ ଥରେ ଆସି ଦେଖିଯିବି ବୋଲି ଆଉ ଆସି ନାହିଁ ।”

ଗୁମାସ୍ତା ନିଜ ମତ ରଖିବାକୁ ଯାଇ କହିଲେ “ଆମ୍ବଗଛ ପାଇଁ ଏଠାକାର ମାଟି ଅତି ଉର୍ବର ବୋଲି ଜଣାଗଲା ।”

ଜମିଦାର ପଚାରିଲେ “ଆଛା, ତାହେଲେ ଏପରି କଥା! କିନ୍ତୁ ଏପରି ଫଳ ଭରା ଉଦ୍ୟାନକୁ କେହି ଜଗିବାକୁ ନାହିଁ, ଏହା କିପରି କଥା?”

“ହଜୁର, ଏ ଗାଁର ଦାମୋଦର ନାମକ ଯୁବକକୁ ମୁଁ ଏ ବଗିଚାର ତତ୍ତ୍ୱାବଧାରକ ରୂପେ ନିଯୁକ୍ତ କରିଛି । ସେ ଯେପରି ସାଧୁ, ଠିକ୍ ସେହିପରି ସଜାଗ । ତେଣୁ ଆମର ଭୟ କରିବାର କୌଣସି କାରଣ ହିଁ ନାହିଁ ।” ଗୁମାସ୍ତା ଏତକ କହିଲେ ।

ଜମିଦାର କହିଲେ “ଭୟ ନାହିଁ? କାହିଁ ତମର ସେ ଦାମୋଦର? ବର୍ତ୍ତମାନ ବି ତ ଯେ କୌଣସି ଲୋକ ଆମ୍ବ ଚୋରି କରିନେଇ ଯାଇପାରେ!”

ଗୁମାସ୍ତା ଏ କଥାର ସିଧାସଳଖ ଉତ୍ତର ଦେଇ ନପାରି ସେ ଖାଲି ଏତିକି କହିଲେ ଯେ, “ନିଶ୍ଚୟ କିଛି ଅତି ଜରୁରୀ କାମରେ ଦାମୋଦର କୁଆଡେ ଯାଇଥିବ । କିନ୍ତୁ ଯିବା ପୂର୍ବରୁ ସେ କିଛି ଗୋଟେ ବ୍ୟବସ୍ଥା କରିଯିବା ଉଚିତ୍ ଥିଲା ।”

ଏହା କହିବା ସଙ୍ଗେ ସଙ୍ଗେ ଗୁମାସ୍ତା ଏଣେ ତେଣେ ଅନାଇଲେ । ହଠାତ୍ ତାଙ୍କ ଆଖି ଜଣେ ବୁଢୀ ଉପରେ ପଡିଲା । ସେ ବୁଢୀଟି ଗୋଟାଏ ଗଛ ମୂଳରେ ବସି ଏମାନଙ୍କୁ ଅନାଇଥାଏ ।

ଏଭଳି ଦୃଶ୍ୟ ଦେଖି ସେ ଗୁମାସ୍ତା ଉତ୍ସାହିତ ହୋଇ କହିଲେ “ଦେଖୁଛନ୍ତି ହଜୁର? ସେ ବୁଢୀ ଦାମୋଦରର ମା ଅଟେ । ମୁଁ ଠିକ୍ ଅନୁମାନ କରିଥିଲି । ଦାମୋଦର ବଗିଚା ଛାଡି ଯୁଆଡେ ଗଲେ ବି ବଗିଚା ଉପରେ ଆଖି ରଖିବାର ବ୍ୟବସ୍ଥା ସେ ନିଶ୍ଚୟ କରି ଯାଇଥିବ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ