ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ମହାଭାରତ

ହନୁମାନ କଦଳୀବନରେ ଭୀମଙ୍କର ପଥ ଅବରୋଧ କରିବା ପାଇଁ ସ୍ଥିର କଲେ । ରକ୍ତବର୍ଣ୍ଣର ମୁଖମଣ୍ଡଳ, ଉଜ୍ଜ୍ୱଳ ଆଖି, ତପ୍ତ କଂଚନ ବର୍ଣ୍ଣର ଶରୀର, ବିଶାଳ ଭୂଜାଧାରୀ ବୀର ହନୁମାନ ପଥର ଏଧାରରୁ ସେ ଧାର ଯାଏଁ ବ୍ୟାପୀ ହୋଇ ଶୋଇ ରହିଥାନ୍ତି । ଭୀମ ତାଙ୍କୁ ଦେଖି ପାଖକୁ ଆସି, ପୁଣିଥରେ ସିଂହନାଦ କଲେ । ଭୀମଙ୍କର ନିଜ ବଳ ଓ ଶକ୍ତି ଉପରେ ପୂର୍ଣ୍ଣ ଭରସା ଥିବାରୁ, ସେ ହନୁମାନଙ୍କୁ ଦେଖି ଆଦୌ ଭୟଭୀତ ହେଲେ ନାହିଁ ।

                ହନୁମାନ ଚକ୍ଷୁ ଉନ୍ମୀଳନ କରି ଅଳ୍ପ ହସି କହିଲେ, “ପୁତ୍ର, ମୁଁ ବୃଦ୍ଧ, ପୁଣି ଅସୁସ୍ଥ । କ୍ଳାନ୍ତି ବଶତଃ ଏଠାରେ ବିଶ୍ରାମ ନେଉଥିଲି । ତୁମେ ମୋର ନିଦ୍ରା କାହିଁକି ଭାଙ୍ଗିଲ ସେକଥା ମୁଁ ଜାଣି ପାରେ କି? ମୋ ପ୍ରତି ତ ତୁମର ଦୟା ଆସିବା ଉଚିତ୍ । ତୁମେ ମୋର ନିଦ୍ରା-ଭଗ୍ନ କରି କିଛିବି ଭଲ କାମ କଲ ନାହିଁ । ଏହି ବନରେ ଏକାକୀ ତୁମେ କେଉଁଆଡେ ଯାଉଛ? ଏହାର ଆଗକୁ ଥିବା ପ୍ରଦେଶ ଦେବତାଙ୍କ ନିବାସ ସ୍ଥଳୀ ଅଟେ । ସେଠାରେ ମନୁଷ୍ୟଙ୍କ ପ୍ରବେଶ ନିଷେଧ । ମୋର କଥା ମାନି, ଏଇଠାରୁ ଫେରିଯାଅ ।”

                ଭୀମସେନ ନିର୍ଭୟରେ କହିଲେ – “ମୁଁ କୁରୁବଂଶଜ କ୍ଷତ୍ରିୟ ଅଟେ । ମୋର ନାମ ଭୀମସେନ । ଏବେ ମୁଁ ଆପଣଙ୍କର ପରିଚୟଟା ଜାଣିପାରେ କି? ଏଠାରେ କାହିଁକି ଏପରି ଶୋଇ ରହିଛନ୍ତି? କାହିଁକି ଆପଣ ଏପରି ମର୍କଟରୂପ ଧାରଣ କରିଛନ୍ତି? ମୋର ପଥ ଏପରି ଅବରୋଧ କରନ୍ତୁ ନାହିଁ” ହନୁମାନ କହିଲେ “ମୁଁ ଏକ ମର୍କଟ । ତୁମେ ମତେ ପଥରୁ ହଟିବା ପାଇଁ ବାଧ୍ୟ ନ କରି ନୀରବରେ ଏ ସ୍ଥାନରୁ ଫେରିଯାଅ ।”

                ଭୀମ ଏଥିରେ ନିଜର ବିରକ୍ତି ପ୍ରକାଶ କରି କହିଲେ “ତୁମେ ପଥରୁ ହଟି ନ ଗଲେ ମୁଁ ଆଉ ସ୍ଥିର ହୋଇ ରହିପାରିବି ନାହିଁ । ଆପଣଙ୍କୁ ବଳପୂର୍ବକ ଏଠାରୁ ହଟାଇଦେବି । ମୁଁ ମୋର ଲକ୍ଷ୍ୟ ହାସଲ ନ କରିବା ଯାଏଁ, ଏଠାରୁ ଫେରିଯିବାର କୌଣସି ପ୍ରଶ୍ନହିଁ ଉଠୁନାହିଁ । ଆପଣ ମତେ ଏପରି ବାଧା ଦିଅନ୍ତୁ ନାହିଁ, ମୁଁ ଚେତାବନୀ ଦେଉଛି ।”

                ହନୁମାନ ପ୍ରକାଶ କଲେ “ପୁତ୍ର ମୁଁ ବୃଦ୍ଧ । ମୋର ସ୍ୱାସ୍ଥ୍ୟର ଅବସ୍ଥା ଭଲ ନାହିଁ । ତେଣୁ ମୁଁ ଚଳତ୍ ଶକ୍ତି ହୀନ ହୋଇ ପଡିଛି । ଯଦି ପ୍ରକୃତରେ ତୁମର କେଉଁ ସ୍ଥାନକୁ ଯିବା ଜରୁରୀ ମନେ କରୁଛ, ତେବେ ମୋତେ ଡେଇଁ ଚାଲିଯାଅ ।”

“ମୁଁ ଜାଣେ, କାହାକୁ ଡେଇଁ, ଆଗକୁ ଯିବା ଏକ ଭୁଲ୍ କାମ ଅଟେ । ନହେଲେ ବୀର ହନୁମାନଙ୍କ ସମୁଦ୍ର ଲଙ୍ଘିବା ପରି, ମୁଁ କ’ଣ ତୁମକୁ ଡେଇଁ ଯାଇ ନ ଥାଆନ୍ତି? ସେ କାର୍ଯ୍ୟ ପ୍ରଥମରୁ ମୁଁ କରିସାରିଥାନ୍ତି ।” ଭୀମ ଏପରି କହିଲେ ।

ଭୀମଙ୍କ କଥାଶୁଣି ହନୁମାନ ଟିକେ ହସିଦେଇ ପଚାରିଲେ, “ଏଇ ହନୁମାନ ଜଣକ କିଏ? କାହିଁକି ତାଙ୍କୁ ସମୁଦ୍ର ଲଙ୍ଘନର ଆବଶ୍ୟକତା ପଡିଲା?”

“ମୋ ପରି, ହନୁମାନ ମଧ୍ୟ ବାୟୁଦେବଙ୍କ ପୁତ୍ର ଅଟନ୍ତି । ତେଣୁ ସେ ମୋର ଜ୍ୟେଷ୍ଠଭ୍ରାତା । ତାଙ୍କ ପ୍ରତି ମୋର ଗଭୀର ଭକ୍ତି ଓ ଶ୍ରଦ୍ଧା ରହିଛି । ଯେ କୌଣସି କାର୍ଯ୍ୟ ଆରମ୍ଭ କରିବା ସମୟରେ ମୁଁ ପ୍ରଥମେ ତାଙ୍କୁ ହିଁ ସ୍ମରଣ କରିଥାଏ । ଏହା ଅଫୁରନ୍ତ ଶକ୍ତିର ସଂଚାର କରେ । ପ୍ରଭୁ ଶ୍ରୀରାମଙ୍କ ପତ୍ନୀ ସୀତାଦେବୀଙ୍କୁ ଲଙ୍କାର ରାଜା ରାବଣ ଅପହରଣ କରି ନେଇଥିଲା । ସେହି ଦେବୀଙ୍କୁ ଠାବ କରିବା ପାଇଁ ମହାବଳୀ ହନୁମାନ ସମୁଦ୍ର ଲଙ୍ଘନ କରି ଲଙ୍କା ଯାଇଥିଲେ । ମୁଁ ମଧ୍ୟ ଠିକ୍ ତାଙ୍କପରି ପରାକ୍ରମୀ, ବଳଶାଳୀ ଓ ଶକ୍ତିବାନ ଅଟେ । ଆଉ ବେଶୀ ଯୁକ୍ତିତର୍କ ନ କରି ଧୀରେ ପଥରୁ ହଟିଯାଅ, ନଚେତ୍ ମୋର ଶକ୍ତିର ନମୁନା ଦେଖିବାକୁ ପାଇବ ।”

ଭୀମଙ୍କର ଏହି ଦର୍ପଭରା ବାଣୀରେ ହନୁମାନ ନ ହସି ଆଉ ରହିପାରିଲେ ନାହିଁ । ମାତ୍ର ନିଜକୁ ସମ୍ଭାଳି ନେଇ ଛଳନାରେ ସେ କହିଲେ, “ପୁତ୍ର, ମୋତେ ଏ ବୟସରେ ତୁମେ କାହିଁକି କଷ୍ଟ ଦେବ? ମୋର ଲାଙ୍ଗୁଡକୁ ଏଇ ଦିଗରୁ ଟିକେ ପାଖେଇ ନେଇ, ତା’ପରେ ତୁମ କାର୍ଯ୍ୟରେ ତୁମେ ଚାଲିଯାଅ ।”

ଭୀମ ବେଖାତିର ଭାବରେ ନିଜର ବାମହାତରେ ହନୁମାନଙ୍କ ଲାଙ୍ଗୁଡକୁ ପଥରୁ ହଟେଇବା ପାଇଁ ଚେଷ୍ଟା କଲେ । କିନ୍ତୁ ସେ ବିଫଳ ହେଲେ । ବିସ୍ମିତ ହୋଇ ସେ ଦୁଇହାତରେ ଲାଙ୍ଗୁଡ ଟେକିବା ପାଇଁ ସେ ଉଦ୍ୟମ କଲେ । ମାତ୍ର ହନୁମାନଙ୍କ ଲାଙ୍ଗୁଡକୁ ଟିକେ ହଲେଇବାକୁ ମଧ୍ୟ ସେ ସକ୍ଷମ ହେଲେ ନାହିଁ ।

ଏହି କାରଣରୁ ଭୀମ ସେତେବେଳେ ଖୁବ୍ ଲଜ୍ଜା ଅନୁଭବ କଲେ । ତେଣୁ ସେ ହାତଯୋଡି ହନୁମାନଙ୍କୁ କହିଲେ, “ମୋତେ କ୍ଷମା କରନ୍ତୁ, ମୁଁ ଆପଣଙ୍କୁ ଯେଉଁ ଗର୍ବ-ଅହଙ୍କାରପୂର୍ଣ୍ଣ କଥା କହିଛି, ତାହା ମନରୁ ପାଶୋରି ଦିଅନ୍ତୁ । ଆପଣ ନିଶ୍ଚୟ କେଉଁ ସିଦ୍ଧ ପୁରୁଷ ଅବା ଗନ୍ଧର୍ବ ଅଟନ୍ତି । ସାଧାରଣ ବାନର ତ ମୋଟେ ନୁହଁନ୍ତି । ମୁଁ ଆପଣଙ୍କୁ ମୋର ଗୁରୁଭାବେ ସ୍ୱୀକାର କରୁଛି । ଆପଣଙ୍କର କୌଣସି ଆପତ୍ତି ନ ଥିଲେ, ମତେ ଆପଣଙ୍କର ପ୍ରକୃତ ପରିଚୟ ପ୍ରଦାନ କରନ୍ତୁ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ