ଉପକାରୀ ଇଗଲ୍

ଏହା କହି ବୁଢା ନିଜେ ଘୋଡା ଉପରେ ବସି ସେମାନଙ୍କୁ ଖୋଜିବାକୁ ଲାଗିଲା । ସେ ଯୁବକ ଓ ଯୁବତୀ ଦୁଇଜଣ କିଛି ବାଟ ଯିବାପରେ ଝିଅଟି ରାସ୍ତାରେ କାନ ଡେରି ବୁଢା ନିଜେ ଆସୁଥିବାର ଜାଣିବାକୁ ପାଇଲା । ତାପରେ ସେ ଝିଅଟି ଯୁବକକୁ କହିଲା ‘ଏଥର ଆମର ଖରାପ ବେଳ ଆସିଲା । କାରଣ ବୁଢା ନିଜେ ଆମକୁ ଧରିବାକୁ ଆସୁଛି ।’

ସାଙ୍ଗେ ସାଙ୍ଗେ ଝିଅଟି ଯୁବକକୁ ଗୋଟିଏ ହ୍ରଦ ଓ ନିଜକୁ ଗୋଟିଏ କଉ ମାଛରେ ପରିଣତ କରିଦେଲା । ମାତ୍ର ସେ ବୁଢା ସେ ହ୍ରଦ ନିକଟରେ ପହଁଚି କହିଲା ‘ଓଃ, ତାହେଲେ ତୁମେମାନେ ଏଇଠି ଅଛ । ମୁଁ ତୁମକୁ ଠିକ୍ ଚିହ୍ନି ପାରିଛି । ଏଥର ମୁଁ ତୁମକୁ ନ ଧରି ଛାଡି ଦେବି ନାହିଁ । ଏହା କହି ବୁଢାଟି ନିଜକୁ ଗୋଟିଏ ବାଳିଆ ମାଛରେ ପରିଣତ କରି ସେ ହ୍ରଦ ମଧ୍ୟକୁ ଡେଇଁ ପଡିଲା । ବାଳିଆ ମାଛଟି ସେ ହ୍ରଦରେ ପହଁରି ସେ କଉ ମାଛଟିକୁ ଗିଳିବାକୁ ଚେଷ୍ଟା କଲା ।

କଉ ମାଛଟି ତାର କଂଟାଥିବା ଲାଞ୍ଜକୁ ଏମିତି ଘୂରାଇବାକୁ ଲାଗିଲା ଯେ ବାଳିଆ ମାଛଟି ଯେତେ ଚେଷ୍ଟା କଲେ ମଧ୍ୟ କଉ ମାଛଟିକୁ ଗିଳି ପାରିଲା ନାହିଁ ।

କ୍ଳାନ୍ତହୋଇ ବାଳିଆ ମାଛଟି କୂଳକୁ ଯାଇ ନିଜ ରୂପ ଧାରଣ କଲା ଓ କଉମାଛଟି ମଧ୍ୟ ଗୋଟିଏ ବତକ ରୂପ ଧାରଣ କରି ହ୍ରଦରେ ପହଁରିବାକୁ ଲାଗିଲା ।

ସେ ବୁଢା ଏହା ଦେଖି କହିଲା ‘ଜାଣ ମୁଁ ଜଣେ ପ୍ରସିଦ୍ଧ ତାନ୍ତ୍ରିକ । ମୁଁ ତୁମକୁ ସବୁଦିନେ ଏଠାରେ ହ୍ରଦ ଓ ବତକ ରୂପରେ ରଖିଦେଇ ଯିବି । ତୁମେ ଯେତେ ଚେଷ୍ଟାକଲେ ମଧ୍ୟ ତୁମ ନିଜ ରୂପ କେବେବି ଆଉ ଧାରଣ କରି ପାରିବ ନାହିଁ ।’

ବତକଟି କହିଲା ‘ମୋତେ ମଧ୍ୟ କିଛି ତନ୍ତ୍ର ଜଣାଅଛି । ମୁଁ ମଧ୍ୟ ତୁମକୁ ଏଠି ଖଣ୍ଡେ ପଥରରେ ପରିଣତ କରି ଦେବି ଏବଂ ତୁମେ ସବୁଦିନେ ଏଠି ପଥର ହୋଇ ପଡିଥିବ ।

ଏହା ଶୁଣି ସେ ବୁଢାଟି ଭୟରେ ସେଠାରୁ ପଳାଇଗଲା ଓ ଠିକ୍ ମୁହୂର୍ତକ ପରେ ଯୁବକ ଓ ଯୁବତୀ ଦୁଇଜଣ ସେମାନଙ୍କ ନିଜରୂପ ଧାରଣ କରି ଯୁବକର ଘରକୁ ଗଲେ । ଯୁବକଟିର ଘର ପାଖ ଯେମିତି ହୋଇଛି ଝିଅଟି ଯୁବକକୁ କହିଲା ‘ମୁଁ ତୁମ ଘର ବାହାରେ ଅପେକ୍ଷା କରିଛି ତୁମେ ଘର ଭିତରକୁ ଯାଅ । ତୁମେ ଘରେ ପହଁଚି ସମସ୍ତଙ୍କ ସହିତ ଆନନ୍ଦରେ କଥାବାର୍ତ୍ତା ହେବ ତୁମର ଭାଇର ପୁଅକୁ ତୁମେ କଥା କହିବ ନାହିଁ କି ତାକୁ ମଧ୍ୟ ଛୁଇଁବ ନାହିଁ । ଯଦି ତୁମେ ତାକୁ ଛୁଇଁ ଦିଅ-ତେବେ ମୋ କଥା ପାଶୋର ହୋଇ ଯିବ ।’

ଯୁବକଟି ଯେମିତି ଘରେ ଯାଇ ପହଁଚିଛି ଘରେ ସମସ୍ତେ ଯୁବକଟିକୁ ଦେଖି ଖୁବ୍ ଆନନ୍ଦିତ ହେଲେ । ଠିକ୍ ଏଇ ସମୟରେ ସେ ଯୁବକଟିର ମା ତା ଭାଇର ପୁଅକୁ ଆଣି ଯେମିତି ତା କୋଳକୁ ଦେଲା ସେ ତାକୁ କୋଳକୁ ନେବାକୁ ମନା କଲା ମାତ୍ର ମା ଆନନ୍ଦରେ ତା କୋଳରେ ପୁଅଟିକୁ ଛାଡିଦେଲା ଯୁବକଟି ଯେମିତି ତା ଭାଇପୁଅକୁ ଛୁଇଁ ଦେଇଛି ତାର ସେ ଝିଅଟି କଥା ସବୁ ପାଶୋର ହୋଇଗଲା ଏପରିକି ସେ ଝିଅଟିକୁ ବାହାରେ ଛାଡି ଦେଇ ଆସିଥିବା କଥା ମଧ୍ୟ ଭୁଲିଗଲା । ସେ ଝିଅଟି ଅନେକ ସମୟ ଅପେକ୍ଷା କରି ଶେଷରେ ଯୁବକଟିର କଥା ଜାଣିପାରି ଅନ୍ୟ ଜଣେ ସ୍ତ୍ରୀଲୋକ ଘରେ ଆଶ୍ରୟ ନେଲା ।

ଇତି ମଧ୍ୟରେ ସେ ଯୁବକଟିର ବାପା ଯୁବକଟିର ବିଭାଘର ପାଖ ଗାଁର ଜଣେ ସୁନ୍ଦରୀ ଝିଅ ସହିତ କରାଇଦେଲା । ବିଭାଘର ପରେ ପୁଅବୋହୂ ଘରକୁ ଫେରି ଖାଇ ବସିଲେ । ଥାଳିରେ ବଢା ହୋଇଥିବା ଗୋଟିଏ ପିଠାକୁ ସେ ଯୁବକ ଜଣଙ୍କ ଯେମିତି ଭାଙ୍ଗି ଦେଇଛି ସେଥିରୁ ଦୁଇଟି ଚଢେଇ ଫର୍କିନା ଉଡିଗଲେ । ଯୁବକ ଘରର ଲୋକ ଏହା ଦେଖି ତାଙ୍କ ପୁଅ ବୋହୂକୁ କିଏ ଗୁଣି କରିଛି ବୋଲି ଭାବି ଜଣେ ଗୁଣିଆ ଖୋଜିବାକୁ ଲାଗିଲେ । ଏହି ସମୟରେ ସେ ଝିଅଟି ଯୁବକର ଘର ପାଖରେ ପହଁଚି ନିଜକୁ ଜଣେ ତାନ୍ତ୍ରିକ ବୋଲି ପରିଚୟ ଦେଲା । ଏହା ଶୁଣି ଯୁବକର ମା’ ସେ ଝିଅଟିକୁ ତା ପୁଅ ବୋହୂ ରହୁଥିବା ଘରକୁ ନେଇଗଲା । ଝିଅଟି ସେ ଯୁବକ ପାଖରେ ପହଁଚି ଗୋଟିଏ କାଗଜରେ ଗୋଟିଏ ହ୍ରଦ ଓ ତା ମଧ୍ୟରେ ଗୋଟିଏ ବତକ ପହଁରୁଥିବା ଚିତ୍ର ଆଙ୍କି ଯୁବକଟିକୁ ଦେଖାଇଦେଲା । ଯୁବକଟି ଯେମିତି ସେ ଚିତ୍ରଟିକୁ ଦେଖିଛି ତାର ପୂର୍ବ କଥା ସବୁ ମନେ ପଡିଗଲା ଓ ଝିଅଟିକୁ ତାର ବାପ ମା’ ସାଙ୍ଗରେ ଚିହ୍ନା କରାଇ ଦେଲା । ଯୁବକର ବାପ ମା’ ଯେତେବେଳେ ଜାଣିଲେ ଯେ ସେ ଝିଅଟି ଜଣେ ତାନ୍ତ୍ରିକଠାରୁ ତାଙ୍କ ପୁଅର ଜୀବନ ରକ୍ଷା କରିଛି ସେମାନେ ସେ ଝିଅଟିକୁ ତାଙ୍କ ପୁଅ ସାଙ୍ଗରେ ବିବାହ କରାଇ ଦେଲେ । ଯୁବକଟି ସେ ଝିଅକୁ ବିବାହ କରି ଅତ୍ୟନ୍ତ ସୁଖରେ ରହିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ