ସମୟ ପରେ ସମୟ ଗଡି ଚାଲିଲା । ସେଦିନର ବାଳକ ଯିଏକି ଆକବରଙ୍କୁ ପିଇବା ପାଇଁ ପାଣି ଦେଇଥିଲା, କ୍ରମେ ବିଦ୍ୟା ବୁଦ୍ଧିରେ ପାରଂଗମ ହୋଇ ଆଗ୍ରାରେ ଯାଇ ପହଁଚିଲେ । ଆଗ୍ରାରେ ପହଁଚିବା ପରେ ବିରବଲ ରାଜାଙ୍କୁ ଦେଖା କରିବା ପାଇଁ ବାହାରିଲେ । ରାଜ ଦରବାରରେ ପହଁଚି ଆକବରଙ୍କ ପ୍ରଦତ୍ତ ମୁଦ୍ରିକାକୁ ଆକବରଙ୍କୁ ଦେଖାଇଲେ । ବିରବଲ ଯେ ସେହି ମୁଦିଟିକୁ ଏତେ ଦିନ ପର୍ଯ୍ୟନ୍ତ ସାଇତି ରଖିଥିବେ, ଏହା ଦେଖି ରାଜା ଆଶ୍ଚର୍ଯ୍ୟ ହୋଇଗଲେ । ଖୁସିମନରେ ବିରବଲଙ୍କୁ ମନ୍ତ୍ରୀପଦରେ ଅଭିଷିକ୍ତ କଲେ ।
ବିରବଲ ତ’ ଯେମିତି ବିଦ୍ୟାବୁଦ୍ଧିରେ ପ୍ରବୀଣ ସେମିତି ମଧ୍ୟ ଚାଲାକ୍, ଚତୁର । ଦିନକୁ ଦିନ ତାଙ୍କର ଯଶ ଖ୍ୟାତି ବ୍ୟାପିବାକୁ ଲାଗିଲା । ସେ ମୁଖ୍ୟତଃ ତାଙ୍କର କୌତୁକିଆ କଥା, ଥଟ୍ଟା, ମଜା ପାଇଁ ଘରେ ଘରେ ପରିଚିତ ହେଲେ । ଦିନେ ଆକବରଙ୍କ ଦରବାରକୁ ପଡୋଶୀ ରାଜ୍ୟର ଜଣେ ପଣ୍ଡିତ ଆସି ପହଁଚିଲେ । ବିରବଲଙ୍କର ଚତୁରତା କଥା ତ’ ଚାରିଆଡେ ବ୍ୟାପି ଯାଇଥାଏ । ପଣ୍ଡିତ ଜଣକ ବିରବଲଙ୍କୁ କହିଲେ – “ତୁମେ ଯଦି ମୋ ଠାରୁ ବିଦ୍ୱାନ, ପଣ୍ଡିତ, ମହାଜ୍ଞାନୀ, ତା’ହେଲେ ମୋ ପ୍ରଶ୍ନର ଉତ୍ତର ତୁମେ ଦେଇପାରିବ କି? ମୁଁ ଜାଣିବାକୁ ଚାହେଁ ଯେ ଆପଣଙ୍କ ସହରରେ କେତେ କୁଆ ବାସ କରୁଛନ୍ତି?”
ପଣ୍ଡିତଙ୍କ ପ୍ରଶ୍ନ ଶୁଣି ବିରବଲ କହିଲେ, “ମହାଶୟ! ମୋତେ ଆପଣ ଗୋଟିଏ ଦିନ ସମୟ ଦିଅନ୍ତୁ । ମୁଁ ଆସନ୍ତା କାଲି ଏହାର ଉତ୍ତରଦେବି ।” ବିରବଲଙ୍କ କଥା ଶୁଣି ମହାରାଜ ମଧ୍ୟ ଚିନ୍ତାରେ ପଡିଗଲେ । ବିରବଲଙ୍କୁ କହିଲେ – “ବିରବଲ! ତୁମେ ମୋ ଦରବାରରେ ଥିବା ଚତୁର ମନ୍ତ୍ରୀମାନଙ୍କ ମଧ୍ୟରୁ ଜଣେ । କିନ୍ତୁ କୁଆ ମାନଙ୍କର ସଂଖ୍ୟା ଗଣିବା କିପରି ସମ୍ଭବ?” ରାଜାଙ୍କ କଥା ଶୁଣି ବିରବଲ କହିଲେ, “ମହାରାଜ! ଆପଣ ଆଦୌ ବ୍ୟସ୍ତ ହୁଅନ୍ତୁ ନାହିଁ । ମୁଁ କେବେବି ମୋ ରାଜ୍ୟର ସମ୍ମାନ ତଳେ ପକାଇ ଦେବି ନାହିଁ ।”