ଯୁବରାଜ କହିଲେ, “ସୁବାହୁ! ଆଉ ଅଗ୍ରସର ହେବା ଆମ ପକ୍ଷରେ ବିପଜ୍ଜନକ । ସେ ଶତ୍ରୁ ସୈନିକମାନେ କୌଶଳ କରି ଆମକୁ ଏ ଦିଗରେ ଆଣିଥିବା ଅସମ୍ଭବ ନୁହେଁ । ବର୍ତ୍ତମାନ ତ ଆମେ ବହୁତ ବଡ ବିପଦର ସମ୍ମୁଖିନ!”
ସବୁକଥା ଶୁଣି ସୁବାହୁ କହିଲେ “ହଁ, ଯୁବରାଜ, ଭୁଲ୍ ହୋଇଗଲା । ଆମେ ପୁନର୍ବାର ଏ ରାସ୍ତାରେ ପଛକୁ ଫେରିବା ଠିକ୍ ହୋଇ ନାହିଁ ।” ଏତିକି କହି ସେ ଦୁହେଁ ଘୋଡା ବୁଲାଇଲେ । ତେବେ ଏଥର ସିଧା ରାଜପଥରେ ନ ଯାଇ ସେମାନେ ଅପନ୍ତରା ଭିତରକୁ ପଶିଗଲେ । ଶତ୍ରୁ ଦଳ ମଧ୍ୟ ସେମାନଙ୍କୁ ଧରିବା, ନିମନ୍ତେ ଅପନ୍ତରାରେ ପଶିଲେ ।
ସେ ପାହାଡିଆ ଭୂଇଁ ଉପରେ ଘୋଡା ଛୁଟାଇବା ଅବସ୍ଥାରେ ଯୁବରାଜ ବୁଝିପାରିଲେ, ଘୋଡା ଦୁଇଟି ଆଉ ବେଶି ସମୟ ସେମାନଙ୍କ ସେବା କରିପାରିବେ ନାହିଁ । ହୁଏତ ହଠାତ୍ ସେମାନେ ତଳେ ପଡିଯିବେ ।
ଯୁବରାଜ କହିଲେ “ସୁବାହୁ! ଏଥର ଘୋଡା ବାଦ୍ ଦେଇ ଆମକୁ ଆମ ଗୋଡ ଉପରେ ଭରସା ରଖି ଆତ୍ମରକ୍ଷା ଦିଗରେ ଚେଷ୍ଟା କରିବାକୁ ହେବ ।”
“ଯୁବରାଜ! ମୁଁ ବି ସେଇଆ ଭାବୁଥିଲି ।” ଏହା କହି ସୁବାହୁ ଓ ଯୁବରାଜ ଘୋଡାରୁ ଓହ୍ଲାଇ ପଡି ଦୌଡିବାକୁ ଲାଗିଲେ । ସଙ୍ଗେ ସଙ୍ଗେ ଶତ୍ରୁ ସୈନିକ ଦଳରୁ ମଧ୍ୟ କେତେଜଣ ଘୋଡା ଛାଡି ସେମାନଙ୍କ ପଛରେ ଦୌଡିଲେ । ସେମାନଙ୍କ ଭିତରୁ କେହି ଜଣେ ପାଟି କରି କହିଲା, “ଭାଇମାନେ! ଏ ରାସ୍ତାରେ ଦୌଡିବା ବିପଜ୍ଜନକ । ଚୋରା ଗାତରେ ଗୋଡ ପଶିଗଲେ ଜାଣ କଥା ସରିଲା । ପଥର ଫୋପାଡି ଏ ଦୁଇଜଣଙ୍କୁ ଆହତ କରିବା ଚାଲ ।”
ଏହି ଘଟଣା ପରେ ପଥରମାନ ସାଇଁ ସାଇଁ ହୋଇ ଯୁବରାଜ ଓ ସୁବାହାଙ୍କୁ ଅତିକ୍ରମ କରିଗଲା । ସେ ଦୁହେଁ ଦୌଡି ଦୌଡି ଯେଉଁଠି ଅନେକ ଫୁଟ ତଳେ ନଦୀ ପ୍ରବାହିତ ହୋଇଛି, ସେଠି ଆସି ପହଁଚିଲେ ।
ଯୁବରାଜ କହିଲେ “ସୁବାହୁ! ତମେ ନିଶ୍ଚୟ ସନ୍ତରଣ ଜାଣ! ତେବେ ଆସ । ଭାଗ୍ୟ ପରୀକ୍ଷା କରାଯାଉ ।” ଏତିକି କହି ସଙ୍ଗେ ସଙ୍ଗେ ସେ ଦୁହେଁ ଜଳସ୍ରୋତ ଭିତରକୁ ଲମ୍ଫ ଦେଲେ ।