ବଡ କିଏ?

ତର୍କାନନ୍ଦ କହିଲେ “କାହିଁକି ନୁହେଁ? ସମଗ୍ର ବିଶ୍ୱ ତ ତର୍କରେ ପୂର୍ଣ୍ଣ । ଏପରିକି ସୂର୍ଯ୍ୟ ଚନ୍ଦ୍ର, ଗ୍ରହ, ନକ୍ଷତ୍ର, ସମସ୍ତେ ତର୍କଶାସ୍ତ୍ର ଅନୁସାରେହିଁ ଭ୍ରମଣ କରୁଛନ୍ତି । ମୁଁ ମୋର ଦୁଇ ଶିଷ୍ୟଙ୍କ ସହିତ ସେହି ଗ୍ରାମକୁ ଯିବି । ମୋ ସହିତ ଆପଣ ଏପରି କୌଣସି ବ୍ୟକ୍ତିକୁ ପଠାନ୍ତୁ ଯିଏକି ମୋତେ ସେହି ଗ୍ରାମଟି ଦେଖାଇ ଦେବ । ଅଳ୍ପଦିନ ମଧ୍ୟରେ ସେମାନେ ଚତୁର ଓ ବିବେକୀ ହୋଇଯିବେ । ଶୁକ୍ରାଚାର୍ଯ୍ୟ ଓ ବୃହଷ୍ପତିଙ୍କ ପରି ଜ୍ଞାନୀ ହୋଇଯିବେ ।”

ଜମିଦାର ତାଙ୍କ କଥାକୁ ସ୍ୱୀକାର କଲେ । ତା’ପରେ ସେ ନିଜର ଦୁଇ ଶିଷ୍ୟଙ୍କୁ ଧରି ମାୟାମୟୀ ଗ୍ରାମରେ ଯାଇ ପହଁଚିଲେ । ସେହି ଗ୍ରାମଟିର ପ୍ରାକୃତିକ ସୌନ୍ଦର୍ଯ୍ୟ ବଡ ଶାନ୍ତିପୂର୍ଣ୍ଣ । ଅନତିଦୁରରେ ସମୁଦ୍ର । ଚାରିଆଡେ ବିସ୍ତୀର୍ଣ୍ଣ ସବୁଜ ଧାନ କ୍ଷେତ, ଫୁଲଫଳରେ ଭରା ବୃକ୍ଷରାଜି । କିଛି ଦୂରରେ ଏକ ଛୋଟ ଜଙ୍ଗଲ ଓ ପାହାଡ ଥାଏ; ସବୁ ସୁନ୍ଦର ଭାବରେ ଘେରି ରହିଥାଏ ।

ଏପରି ସୁନ୍ଦର ଦୃଶ୍ୟ ଦେଖି ତର୍କାନନ୍ଦ ସ୍ୱାମୀଙ୍କ ଶିଷ୍ୟମାନେ କହିଲେ, “ଗୁରୁଦେବ, ଏତେ ସୁନ୍ଦର ଗ୍ରାମର ଲୋକମାନେ ବୋକା ବା ଭୋଲା ସ୍ୱଭାବର ଲୋକ ହୋଇଥିବେ ବୋଲି ମନରେ ବିଶ୍ୱାସ ହେଉନାହିଁ ।”

ଗୁରୁ ଏଥିରେ ଅଳ୍ପ ଚିଡି ଯାଇ କହିଲେ, “ତେବେ ତୁମେ କ’ଣ କହୁଛ? ଦେବାନ୍ କ’ଣ ମିଛ କହିଲେ? ତୁମେମାନେ ଯାଇ ସେମାନଙ୍କ ସହିତ କଥାବାର୍ତ୍ତା କରି ଗ୍ରାମ ମଧ୍ୟରେ ଥିବା ବିରାଟ ବରଗଛ ମୂଳରେ ସେମାନଙ୍କୁ ଏକପ୍ରିତ କରାଅ ।”

ଦୁଇ ଶିଷ୍ୟ ଗ୍ରାମଯାକ ବୁଲି ପ୍ରତ୍ୟେକ ଘରକୁ ଯାଇ ଲୋକମାନଙ୍କୁ ଏକାଠି ହେବାକୁ କହିଲେ । ସେମାନେ କହିଲେ, “ତର୍କାନନ୍ଦସ୍ୱାମୀ କୋଡିଏ ବର୍ଷ ହିମାଳୟରେ କଟାଇଛନ୍ତି ଓ ଦଶବର୍ଷ ବିନ୍ଧ୍ୟ ପର୍ବତମାଳାରେ ଏକାକୀ ରହି ଆସିଛନ୍ତି । ତର୍କଶ୍ରୀ ନାମକ ବିଖ୍ୟାତ ଋଷିଙ୍କ ନିକଟରୁ ସେ ତର୍କଶାସ୍ତ୍ର ଶିଖି ଆସିଛନ୍ତି । ସେ ତର୍କଶାସ୍ତ୍ର ଉପରେ ଏକ ପ୍ରବଚନ ଦେବେ । ତେଣୁ ଆପଣମାନେ ତାଙ୍କର ଅମୃତମୟ ବାଣୀ ଶୁଣିବାକୁ ବରଗଛ ନିକଟକୁ ଆସନ୍ତୁ ।”

କିନ୍ତୁ ଲୋକମାନେ ପ୍ରଥମକରି ତର୍କଶାସ୍ତ୍ର ଶବ୍ଦଟି ଶୁଣୁଛନ୍ତି । ତେଣୁ ସେମାନେ ସଭିଏଁ ଆଶ୍ଚର୍ଯ୍ୟ ହୋଇ ବରଗଛ ମୂଳକୁ ଆସି ଗଦା ହେଲେ । ଏତେ ଗୁଡିଏ ଲୋକ ଦେଖି ତର୍କାନନ୍ଦ ସ୍ୱାମୀ ବଡ ଆନନ୍ଦିତ ହେଲେ । ସେ ବରଗଛ ତଳେ ଆସନ ଜମାଇ ବସିଗଲେ । ତାଙ୍କର ଜଣେ ଶିଷ୍ୟ ତାଙ୍କ କାନରେ କହିଲା, “ଗୁରୁଦେବ, ମନେ ହେଉଛି ଏହି ଲୋକମାନଙ୍କ ମଧ୍ୟରେ କିଛି ଦୁଷ୍ଟାମୀ ଓ ଗର୍ବ ରହିଛି । ଆପଣଙ୍କ କଥା ଯଦି ସେମାନଙ୍କୁ ଭଲ ନ ଲାଗିବ ତେବେ ସେମାନେ ଆମକୁ ଗୋଡେଇ ଗୋଡେଇ ପିଟିବେ । ତେଣୁ ବରଂ ଆପଣ ସେମାନଙ୍କୁ କ୍ଷମା-ଭିକ୍ଷା ଓ କ୍ଷମା-ଗୁଣ ବିଷୟରେ କିଛି କହନ୍ତୁ ।”

“ଠିକ୍ କଥା, ତୁମ କଥା ଯଥାର୍ଥ । ଦିନେ ନା ଦିନେ ତୁମେହିଁ ମୋର ପ୍ରଧାନ ଶିଷ୍ୟ ହେବ ।” ଏହା କହି ସେ ଶିଷ୍ୟର ପ୍ରଶଂସା କଲେ । ତା’ପରେ ସେ ଜନତାଙ୍କୁ କହିଲେ, “ସମସ୍ତ ପ୍ରକାର ଜନ୍ମ ମଧ୍ୟରୁ ଉତ୍ତମ ଜନ୍ମ ହେଉଛି ମାନବ ଜନ୍ମ । ସମସ୍ତ ଗୁଣ ମଧ୍ୟରେ ଉତ୍ତମ ଗୁଣ ହେଉଛି କ୍ଷମା । ଏହାଠାରୁ ଉତ୍ତମ ଧର୍ମ ଆଉ ଅଧିକ କିଛି ନାହିଁ ।”

ସେତେବେଳେ ଶ୍ରୋତାମାନଙ୍କ ମଧ୍ୟରୁ ଜଣେ ଉଠିପଡି କହିଲେ, “ମହାଶୟ, ମୋ ଘରେ ଚୋରୀ କରିବା ବେଳେ ମୁଁ ଚୋରକୁ ଧରିଲି । ଏବଂ ତାକୁ କ୍ଷମା କରି ଦେଇ ଛାଡି ଦେଲି । ମୋର ଏହି ଗୁଣଟି ଉତ୍ତମ ନା ନୁହେଁ?”

ଅନ୍ୟ ଜଣେ ବ୍ୟକ୍ତି ଉଠିପଡି କହିଲେ, “ମୋ ଘରେ ମଧ୍ୟ ଜଣେ ଚୋରକୁ, ଚୋରୀ କରିବା ବେଳେ ଧରିଲି । ତାକୁ ମୁଁ କହିଲି, “ଯାହାସବୁ ଚୋରୀ କରିଛୁ ନେଇଯା ।” ଏଇଟା ଭଲ ଗୁଣ ନୁହେଁ?”

ତାଙ୍କ କଥା ଶେଷ ନ ହେଉଣୁ ଆଉ ଜଣେ ଠିଆ ହୋଇ ପଡି କହିଲେ, “ମୋ ଘରେ ଜଣେ ଚୋରକୁ ମୁଁ ଧରିବା ମାତ୍ରେ ତା’ର ଅତିଥିସତ୍କାର କଲି । ଭଲ କରି ଖୁଆଇ ପିଆଇ କହିଲି, “ତୁମର ଯାହା ଇଚ୍ଛା ନେଇ ପାର ।” ଆଚ୍ଛା ମହାଶୟ ମୋର କ୍ଷମା ଗୁଣ କ’ଣ ସେ ଦୁଇଜଣଙ୍କଠାରୁ ଶ୍ରେଷ୍ଠ ନୁହେଁ?”

ଏସବୁ ଶୁଣି ତର୍କାନନ୍ଦ ସ୍ୱାମୀ କହିଲେ, “ତୁମମାନଙ୍କଠାରୁ ଅଧିକ କ୍ଷମାଗୁଣ ସେ ଚୋରର ଅଛି । ତୁମମାନଙ୍କର ଭୋଳା ସ୍ୱଭାବ । ତୁମର ସୌଭାଗ୍ୟ ଯେ ଚୋର ତୁମର କିଛିବି କ୍ଷତି ନ କରି ଚାଲିଯାଇଛି । ଏବେ ତୁମେମାନେ ସୁସ୍ଥରେ ଥାଅ ।”

ଏତିକି କହି ସେ ତାଙ୍କର ଦୁଇ ଜଣ ଶିଷ୍ୟଙ୍କୁ ଧରି ସେଠାରୁ ପ୍ରସ୍ଥାନ କଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ