“ଗୁମାସ୍ତା ବାବୁ! ଏ ବୁଢୀ କି ଆଖି ରଖିବ? ଏହାକୁ ପୁଣି ଡରିବ ବା କିଏ? ଇଏ କ’ଣ କାହାକୁ ବାଧା ଦେଇ ପାରିବ?” ଜମିଦାର ଏହା କହି ସେ ବୁଢୀ ଆଡେ ଅଗ୍ରସର ହେଲେ । ଠିକ୍ ସେତିକିବେଳେ ଖୁବ୍ ତୀକ୍ଷ୍ନ ଶିଙ୍ଘ ଥିବା ଗୋଟାଏ ବଳଦ ତାଙ୍କ ପାଖଦେଇ ଚାଲିଗଲା ।
ଏସବୁ ଦେଖି ଜମିଦାର ସେ ବୁଢୀକୁ ପଚାରିଲେ, “ମାଉସୀ, ଏ ବଳଦ କ’ଣ ବିନ୍ଧେ?”
ତତ୍ପରେ ସେ ବୁଢୀ ଉତ୍ତର ଦେଲା, “ପୁଅ ସେ କାହାକୁ ବିନ୍ଧିଦେବ କି ନାହିଁ ତା ତ ମୁଁ କହିପାରିବି ନାହିଁ । କିନ୍ତୁ ଏ ତା’ ଅଧିକାରରେ ଯେତିକି ଜମି ଅଛି, କେବଳ ସେଇଥିରୁହିଁ ସେ ଘାସ ଖାଏ । ଅନ୍ୟ କାହା ଜମିରେ ପଶି ସେ ମୋଟେ ଘାସ ଖାଏ ନାହିଁ । କ’ଣ ପୁଅ ମୋ କଥା ବୁଝୁଛୁଟି?”
ତାଙ୍କ କଥା ଶୁଣି ସେ ଜମିଦାର କାବା ହୋଇଗଲେ । ସେ ଏଥର ଏ ବୁଢୀ କଥାର ମର୍ମ ବୁଝିଲେ । ବୁଢୀ ସେମାନେ ମନ୍ଦ ଉଦ୍ଧେଶ୍ୟରେ ବଗିଚା ଭିତରେ ପ୍ରବେଶ କରିଛନ୍ତି ବୋଲି ସନ୍ଦେହ କରି ଏକଥା କହିଛି । ବୁଢୀ ଚେତାଇ ଦେଲା କି ଅନଧିକାର ପ୍ରବେଶ ମୋଟେ ଭଲ ନୁହେଁ । ଅନ୍ୟର ସମ୍ପତ୍ତି ଉପରେ ଲୋଭ କରିବା ଭଲ ନୁହେଁ ।
ଜମିଦାର ବଗିଚା ଭିତରୁ ବାହାରି ଆସିବା ବେଳେ ଗୁମାସ୍ତାଙ୍କୁ କହିଲେ, “ବାସ୍ତବିକ, ଖାଲି ଦେହର ବଳ ଦେଇ ଯେ କିଛି ଜିନିଷ ରକ୍ଷା କରାହୁଏ, ତାହା ନୁହେଁ, ଶବ୍ଦର ବଳ ବି କିଛି କମ୍ ନୁହେଁ । ନିଜର ତେଜ ଦେହର ବଳଠୁଁ ବି ଯଥେଷ୍ଟ ବେଶି କାମ ଦେଇ ପାରେ । ଏ ବୁଢୀର ତେଜ ଅଛି ।”
“ହଁ, ତା’ଛଡା ଦାମୋଦରକୁ ଏଠିକା ଲୋକେ ଖୁବ୍ ଶ୍ରଦ୍ଧା ବି କରନ୍ତି । ତା’ ହେପାଜତରେ ଥିବା ବଗିଚାର କେହି କେବେବି ଏତେ ସହଜରେ କ୍ଷତି କରିବ ନାହିଁ ।” ଗୁମାସ୍ତା ଏହା କହିଲେ ।
ଏଥୁଅନ୍ତେ ସେ ଦୁହେଁ ବଗିଚା ବାହାରେ ଯାଇ ଦାମୋଦରକୁ ଭେଟିଲେ । ଦାମୋଦର ଦେଖିବା କ୍ଷଣି ସେମାନଙ୍କୁ ଓଳିଗି ହେଲା । ଏହାପରେ ଜମିଦାର ତାକୁ କିଛି ଟଙ୍କା ଦେଇ କହିଲେ, “ଏତକ ରଖ ତମେ ତମ ଗାଁ ପାଇଁ ଖର୍ଚ୍ଚ କରିବ ।”