ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ବାସ୍ତବ ଓ କଳ୍ପନା

ରବିବାର । କାମକୁ ଯିବାକୁ ପଡିବ ନାହିଁ । ରମେଶ ଉପନ୍ୟାସ ଖଣ୍ଡିଏ ଧରି ବସିଗଲା । ମୁଗ୍ଧ ହୋଇ ପଢୁଛନ୍ତି । ବଡ ଚିତାକର୍ଷକ କାହାଣୀ । କେତେ କୌଶଳରେ ନାୟକ ଦୁର୍ଗର ପ୍ରାଚୀର ପରେ ପ୍ରାଚୀର ଅତିକ୍ରମ କରି ନଅର ସଂଲଗ୍ନ ଉଦ୍ୟାନ ଭିତରେ ନାୟିକା ରାଜକନ୍ୟାଙ୍କୁ ଭେଟିଛି ଓ ତାଙ୍କ ସହ ପୁଣି ଦୁର୍ଗ ବାହାରକୁ ଆସିଛି । ତା’ପରେ ଘୋଡାରେ ବସି ଓ ନାୟିକାକୁ ବସାଇ ପଳାଇ ଯାଉଛି । ଦୁର୍ଗମ ପଥ, ଅନ୍ଧକାର ରାତି । ଆଗକୁ କ’ଣ ଅଛି କିଏ କହିବ?

                ରମେଶ ଅଣନିଃଶ୍ୱାସୀ ହୋଇ ପରବର୍ତ୍ତୀ ଘଟଣାକୁ ଅପେକ୍ଷା କରିଥାଏ । ନାୟକ ନାୟିକାକୁ ଧରି ପଳାଇଯାଇ ପାରିବ ତ? ଘୋଡା ଯଦି ବାଟରେ ଝୁଂଟି ପଡିବ, ତେବେ କ’ଣ ହେବ? ଏହା ଭାବି ସେ ଅତ୍ୟନ୍ତ ଅଧୀର ହୋଇ ପଡୁଥାଏ ।

                ଚଟାଣ ଉପରେ ବସି ପୁଅ ସୁକୁମାର ଖେଳୁଥିଲା । ରୋଷେଇ ଘରେ ସ୍ତ୍ରୀ ସୁଷମା ରାନ୍ଧିବାରେ ବ୍ୟସ୍ତ ଥିଲେ । ସୁକୁମାର କେତେବେଳେ ଖେଳ ଛାଡି କାନ୍ଦିବାକୁ ଆରମ୍ଭ କରିଦେଇଥିଲା । ସୁଷମା ତା’ ସ୍ୱାମୀ ଉଦ୍ଧେଶ୍ୟରେ କହିଲା, “ହେଇଟି ଶୁଣୁଛ? ପୁଅକୁ ଟିକିଏ ଆଦର କର । ସିଏ କାହିଁକି କାନ୍ଦୁଛି ସେକଥା ବୁଝ ।”

                ରମେଶ ପାଖରୁ କିଛି ଉତ୍ତର ଶୁଣାଗଲା ନାହିଁ ।

ସୁକୁମାର ଆହୁରି ବେଶି ରଡି କରି କରି କାନ୍ଦିଲା ।

ସୁଷମା ପଚାରିଲା “ସେ କାହିଁକି କାନ୍ଦୁଛି?”

ରମେଶ ଉତ୍ତର ଦେଲା “ଭୟରେ! ଯେମିତି ପ୍ରଚଣ୍ଡ ମେଘ ଉଠାଇଛି, ଯେମିତି ସାଇଁ ସାଇଁ ପବନ, ଯେମିତି ଭୀଷଣ ଘଡଘଡି ହେଉଛି, ସେଥିରେ ମୋତେ ତ ଭାରି ଡର ଲାଗୁଛି । ପିଲାଟା ଡରିଗଲେ ସେଥିରେ ଆଶ୍ଚର୍ଯ୍ୟ ହେବାର କ’ଣ ଅଛି?”

ଅନ୍ଧକାର ଗାଢ ହୋଇ ଆସୁଛି । ବିଜୁଳି ଆଲୁଅରେ ଉପନ୍ୟାସର ନାୟକ ଅବଶ୍ୟ ବାଟ ଦେଖି ପାରୁଛି, କିନ୍ତୁ ବିଜୁଳି ଆଲୁଅ ତ ସୂର୍ଯ୍ୟାଲୋକ ବା ଚନ୍ଦ୍ରାଲୋକର ବିକଳ୍ପ ନୁହେଁ! ରାସ୍ତା ଟିକିଏ କମ୍ ଦୁର୍ଗମ ହୋଇଥିଲେ ଖୁବ୍ ଭଲ ହୋଇଥାନ୍ତା । ନାୟକ ପାହାଡିଆ ରାସ୍ତାରେ ନଯାଇ ନଈକୂଳ ରାସ୍ତା ଧରିପାରିଲା ନାହିଁ? ରମେଶ ବ୍ୟାକୁଳ ହୋଇ ପଡୁଥିଲା । ସେ ବହିକୁ ଟିକିଏ ବି ଛାଡିପାରୁ ନଥାଏ ।

ରୋଷେଇ ଛାଡି ସୁଷମା ଆସି ବଲ ବଲ କରି ରମେଶ ଆଡେ ଅନାଇଲା ।

“ଝରକା ବନ୍ଦ କରିଦିଅ! ସୁକୁମାର କାନ୍ଦିବା ବନ୍ଦ କରିଦେବ ।” ରମେଶ ଏତକ କହି ପୁଣି ବହିରେ ମନଦେଲା ।

ସୁଷମା କିଛି ନ କହି ଝରକା ବନ୍ଦ କରିବ କ’ଣ, କବାଟ ଖୋଲି ପୁଅକୁ ଟେକି ନେଇ ବାରନ୍ଦାରେ ଠିଆ କରାଇଦେଲା । ସୁକୁମାରର କାନ୍ଦଣା ହଠାତ୍ ବନ୍ଦ ହୋଇଗଲା । ସୁଷମା ଆସି ରମେଶ ଆଗରେ ଠିଆ ହେଲା । ରମେଶ ବହି ପଢୁଥାଏ । ପାଂଚମିନିଟ୍ ଗଲା । ଗୋଟିଏ ପରିଚ୍ଛେଦ ଶେଷ ହେଲା । ସେତେବେଳେ ଯାଇ ରମେଶ ମୁହଁ ଟେକି ସୁଷମାକୁ ଦେଖିଲା ଓ ହସି ପଚାରିଲା, “କ’ଣ କହୁଛ? ଆରେ, ଝରକା କବାଟ ସବୁ କ’ଣ ଖୋଲା? ସୁକୁମାର କାହିଁ?”

ସୁଷମା କିଛି କହିଲା ନାହିଁ । ରମେଶ ବାରନ୍ଦାକୁ ଅନାଇ ଦେଖିଲା, ବାହାରେ ସଫା ସୂର୍ଯ୍ୟାଲୋକ । ସୁକୁମାର ପବନରେ ଦୋହଲୁଥିବା ଫୁଲଟିଏ ଆଡେ ଅନାଇଛି ।

ରମେଶ ଲଜ୍ଜିତ ହୋଇ ବସିଲା ଓ କହିଲା, “ଆରେ, ଉପନ୍ୟାସରେ ଭୀଷଣ ଝଡ ଓ ଘଡଘଡିର ବର୍ଣ୍ଣନା ପଢୁ ପଢୁ ମୁଁ ଭାବିଲି ସତରେ ଝଡ ହେଉଛି । ଆଶ୍ଚର୍ଯ୍ୟ କଥା ତ!”


ଗପ ସାରଣୀ

ତାଲିକାଭୁକ୍ତ ଗପ