ରୂପଧରଙ୍କ ଯାତ୍ରା

ରୂପଧର ସୁକେଶିନୀଙ୍କୁ କହିଲେ, “ଏବେ ମୋ ଅନୁଚରମାନେ ଘରକୁ ଫେରିବାକୁ ଚାହୁଁଛନ୍ତି । ତେଣୁ ଆମେ ଶୀଘ୍ର ଏଠାରୁ ବାହାରିବୁ । ତମେ ଆମକୁ ଏ ବିଷୟରେ ସାହାଯ୍ୟ କରିବ ।”

ସୁକେଶିନୀ କହିଲେ “ତୁମକୁ ଜବରଦସ୍ତି ରଖିବାକୁ ମୋର ମୋଟେ ଇଚ୍ଛା ନାହିଁ । ନିଜ ଦେଶକୁ ଫେରିବା ପୂର୍ବରୁ ତୁମେମାନେ ଅନ୍ୟ ଏକ ଦେଶକୁ ଯାଇ ଫେରିବ, ଯମରାଜଙ୍କର ନର୍କପୁରୀରେ ସାଂକେତିକ ନାମକ ଜଣେ ଜ୍ଞାନୀ ଥା’ନ୍ତି । ତୁମେ ଥରେ ତାଙ୍କ ସହିତ ଦେଖା କର ଓ ତାଙ୍କରି ପରାମର୍ଶରେ କାମ କର ।”

ରୂପଧର ହତାଶ ହୋଇ କହିଲେ, “ସୁକେଶିନୀ, ତୁମେ ଏ କ’ଣ କହୁଛ? ନର୍କପୁରୀକୁ ମୁଁ କିମିତି ବା ଯିବି? ନୌକା ନେଇ କ’ଣ କେହି କେବେ ନର୍କ ପୁରୀକୁ ଯାଇଛି?”

ତହୁଁ ସୁକେଶିନୀ ବୁଝାଇ କହିଲେ “ତମେ ନୌକା ଚଳାଇ ସେଠାକୁ ଯିବାକୁ ମୁଁ କହୁନାହିଁ । ତୁମେମାନେ ଯାଇ ନୌକାରେ ବସ; ଉତରା ପବନ ଆସି ତୁମ ନୌକାକୁ ନେଇ ସେଠାରେ ପହଁଚାଇ ଦେବ । ତୁମେ ସମୁଦ୍ର ତଟରେ ପହଁଚିଲେ ଦୂରରୁ ଏକ ପାହାଡ ଦେଖାଯିବ; ସେହି ପାହାଡ ପାଖରେ ଗୋଟିଏ ଅଗ୍ନି ନଦୀ ଓ ଗୋଟିଏ ଅଶ୍ରୁନଦୀ ଯାଇ ତପ୍ତବୈତରଣୀରେ ମିଶିଛନ୍ତି, ସେହି ପର୍ବତ ପାଖରେ ହାତେ ଲମ୍ବା ଓ ହାତେ ପ୍ରସ୍ଥର ଏକ ଗାତ ଖୋଳିବ । ସେହି ଗାତରେ ପୂଜା କରି ପିତୃଦେବତାଙ୍କର ତର୍ପଣ କରିବ । ପିଣ୍ଡ ଦେବ । ତା’ପରେ ପିତୃଦେବତାଙ୍କୁ ପ୍ରାର୍ଥନା କର, ଯେପରି ସେ ତୁମମାନଙ୍କୁ କୁଶଳରେ ନେଇ ଇଥାକାରେ ପହଁଚାଇ ଦେବେ । ତୁମେ ସେମାନଙ୍କୁ କଥା ଦିଅ କି ଦେଶରେ ଯାଇ ଭଲରେ ପହଁଚିଲେ ତୁମେ ସାଙ୍କେତିକଙ୍କୁ ଓ ପିତୃପୁରୁଷଙ୍କୁ ପୂଜା ଓ ବଳୀ ଦେବ । ଏଠାରେ ପୂଜାକରି ଗୋଟିଏ ଛେଳି ଓ ମେଣ୍ଢା ବଳୀ ଦିଅ । ବଳୀ ଦେବା ପରେ ଯମରାଜ ଓ ନର୍କବାସୀଙ୍କୁ ପ୍ରଣାମ କର । ତେବେ ଯାଇ ପିତୃଦେବତା ଓ ସାଙ୍କେତିକ ସେଠାକୁ ଆସିବେ । ଦେଖିବ ଯେ ସେମାନେ ତୁମକୁ ସାହାଯ୍ୟ ନ କରିବା ପର୍ଯ୍ୟନ୍ତ ଯେପରି ବଳୀ ସ୍ପର୍ଶ ନ କରନ୍ତି ।”

ସକାଳ ହୋଇଗଲା । ରୂପଧର ସେମାନଙ୍କୁ ଉଠାଇ ସୁକେଶିନୀ କହିଥିବା କଥା ସବୁ କହିଲେ । ସେମାନେ ଘରକୁ ଯିବା ପାଇଁ ଖୁସି ହୋଇ ବସିଥିଲେ, ଏବେ ଯମରାଜଙ୍କ ନର୍କକୁ ଯିବା କଥା ପଡିବାରୁ ସେମାନେ ନିରୁତ୍ସାହିତ ହୋଇ ଅତ୍ୟନ୍ତ ଦୁଃଖରେ ଭାଙ୍ଗିପଡିଲେ । କେହି କେହି କାନ୍ଦିବାକୁ ଲାଗିଲେ ତ କେହି କେହି ମୂର୍ଚ୍ଛାଗଲେ । କିନ୍ତୁ ଅନ୍ୟ କୌଣସି ଉପାୟ ନଥିଲା । ତା’ପରେ ସମସ୍ତେ ନୌକାକୁ ଗଲେ । ସୁକେଶିନୀ ସେଠାରେ ଛେଳି ଓ ମେଣ୍ଢା ବଳୀ ପାଇଁ ଦେଇ ଚୁପ୍ଚାପ୍ ଚାଲି ଗଲେ । ସେମାନେ ପାଲ ଖୋଲିଦେଲେ । ଉତରା ପବନ ଯୋଗେ ନୌକା ଖୁବ୍ ଜୋର୍ରେ ଚାଲିଲା । ସୂର୍ଯ୍ୟାସ୍ତ ପରେ କ୍ରମେ ଅନ୍ଧକାର ଘନେଇ ଆସିଲା । ନୌକା ସେତେବେଳକୁ କୌଣସି ଏକ ଦେଶର ତଟରେ ଯାଇ ପହଁଚି ସାରିଥିଲା ।

ରୂପଧର ସୁକେଶିନୀଙ୍କ କହିବା ମୁତାବକ ସେହି ତିନିନଦୀର ସଂଗମସ୍ଥଳରେ ଏକ ବଡ ଗାତ ଖୋଳି ଅଗ୍ନି ଜାଳି ସେଠାରେ ଯଜ୍ଞ କଲେ । ଛାଗଳ ଓ ମେଷ ବଳୀ ଦେଲେ । ତା’ପରେ ପିତୃପୁରୁଷଙ୍କର ତର୍ପଣ କଲେ ଓ ସେମାନଙ୍କୁ ଧ୍ୟାନ କଲେ । ଅଳ୍ପ ସମୟ ମଧ୍ୟରେ ପିତୃପୁରୁଷମାନେ ଦଳଦଳ ହୋଇ ପୂଜାଭାଗ ଗ୍ରହଣ କରିବାକୁ ଆସି ଗଲେ, ସେ ଯମରାଜଙ୍କୁ ଓ ଅନ୍ୟମାନଙ୍କୁ ପ୍ରଣାମ କଲେ ଓ ପିତୃପୁରୁଷଙ୍କୁ କହିଲେ, “ମୁଁ ଯେତେବେଳ ପର୍ଯ୍ୟନ୍ତ ସାଙ୍କେତିକଙ୍କ ସହିତ ଆଲୋଚନା କରି ସବୁବିଷୟ ନ ଜାଣିଛି, ସେପର୍ଯ୍ୟନ୍ତ ଆପଣମାନେ କେହି ହେଲେ ବଳୀଭୋଜ୍ୟ ସ୍ପର୍ଶ ସୁଧା ବି କରିପାରିବେ ନାହିଁ ।”

ସମସ୍ତିଙ୍କୁ ପଛକୁ ଠେଲି ଜଣେ ସ୍ତ୍ରୀଲୋକ ଆଗକୁ ବଢିଲେ । ତାଙ୍କୁ ଦେଖି ରୂପଧର ହଠାତ୍ ଚମକି ପଡିଲେ । କାରଣ ସେ ତାଙ୍କର ଗର୍ଭଧାରିଣୀ ମା’ ଥିଲେ । ରୂପଧର ଘର ଛାଡି ଆସିବା ବେଳେ ତ ସେ ଜୀବିତ ଥିଲେ । ତେଣୁ ସେ ତାଙ୍କର ମୃତ୍ୟୁସମ୍ବାଦ ବିଷୟରେ ଅବଗତ ନଥିଲେ ।

ତାଙ୍କୁ ଦେଖି ରୂପଧରଙ୍କ ମନରେ ଦୟାଜାତ ହେଲା । ତଥାପି ମଧ୍ୟ ସେ ତାଙ୍କୁ ବଳୀ ଗ୍ରହଣ କରିବାକୁ ଅନୁମତି ଦେଲେ ନାହିଁ । ସାଙ୍କେତିକ ସୁନାର ବେତ ଧରି ତାଙ୍କ ପଛେ ପଛେ ଆସିଲେ । ସେ ରୂପଧରଙ୍କୁ ଚିହ୍ନିବା ପରେ କହିଲେ, “ପୁଅ, ଏହି ପିତୃଲୋକ ସୂର୍ଯ୍ୟାଲୋକରୁ ବଂଚିତ । ତୁମେ ଏଠାକୁ କିପରି ଆସିଲ? ମୋତେ ଟିକିଏ ଆଗକୁ ଯିବାକୁ ଦିଅ, ମୁଁ ବଳୀ ସ୍ୱୀକାର କରିବା ପରେ ତୁମର କୌଣସି ପ୍ରକାରରେ ସହାୟତା କରିପାରିବି ।”

ରୂପଧର ତାଙ୍କୁ ମଧ୍ୟ ବଳୀ ସ୍ପର୍ଶ କରିବାକୁ ଦେଲେ ନାହିଁ । ସାଙ୍କେତିକ ରୂପଧରଙ୍କୁ ଚାହିଁ କହିଲେ, “ତୁମେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ପାଇଁ ବ୍ୟସ୍ତ ହେଉଛ । ସତ କହିବାକୁ ଗଲେ ନିଜ ଦେଶହିଁ ଯଥାର୍ଥରେ ସ୍ୱର୍ଗ । କିନ୍ତୁ ଦେବତାମାନେ ତୁମଉପରେ ଭୀଷଣ ରାଗିଛନ୍ତି । ସେଥିପାଇଁ ତମେ ବହୁତ କଷ୍ଟ ପାଇଲ । ଆହୁରି ମଧ୍ୟ କଷ୍ଟ ପାଇବ । ବହୁତ କଷ୍ଟ ମଧ୍ୟ ଦେଇ ଯିବ ଓ ତା’ପରେ ତୁମେ ସ୍ୱଦେଶରେ ଯାଇ ପହଁଚିବ । ଫେରିବା ବାଟରେ ତ୍ରିନାପିଆ ନାମକ ଏକ ଦ୍ୱୀପ ପଡିବ । ସେଠାରେ ସୂର୍ଯ୍ୟ ଭଗବାନ୍ଙ୍କର ସମ୍ପର୍କିତ ପଶୁମାନେ ବାସ କରୁଛନ୍ତି । ତୁମେ ବା ତୁମର ଅନୁଚର ବଡ ସାବଧାନତାର ସହିତ ଯିବ । ସେମାନଙ୍କର କିଛିବି କ୍ଷତି କରିବ ନାହିଁ । କିଛି କ୍ଷତି ଯଦି କରିବ ତେବେ ଇଥାକା ତୁମ ପାଇଁ ସବୁଦିନ ଲାଗି ସ୍ୱପ୍ନ ହୋଇହିଁ ରହିଯିବ । ସେପରି ହେଲେ ତୁମେ ହୁଏତ ବଂଚିଯିବ, କିନ୍ତୁ ଅନ୍ୟ କୌଣସି ବ୍ୟକ୍ତିଙ୍କ ଏକ ନୌକାରେ ତୁମକୁ ଫେରିବାକୁ ହେବ । ତଥାପି ମଧ୍ୟ ତୁମର କଷ୍ଟ ଦୂର ହେବ ନାହିଁ । ତୁମ ଘରଟି ପୂର୍ଣ୍ଣ ହୋଇ ଶତୃମାନେ ରହିବେ ଓ ତୁମ ସ୍ତ୍ରୀଙ୍କୁ ବିବାହ କରିବା ପାଇଁ ମନ୍ତ୍ରଣା କରିବେ । ଯେପରି ହେଉ ତୁମେ ସେମାନଙ୍କୁ ମାରି ନିପାତ କରିବ । ତା’ପରେ ଦେବତାଙ୍କୁ ପୂଜା କରି ଯଜ୍ଞଭାଗ ଅର୍ପଣ କରିବ । ମୁଁ ତୁମକୁ ବୁଝାଇ ଦେବି ଯେ ଏସବୁ କିପରି କରିବାକୁ ହେବ । ହାତରେ ତୁମେ ଗୋଟିଏ ଆହୁଲା ଧରିଥା’ଅ ତୁମେ ସେହି ପର୍ଯ୍ୟନ୍ତ ଯାତ୍ରା କରିବ, ଯେଉଁଠାରେ ଲୋକମାନେ ଏପର୍ଯ୍ୟନ୍ତ ଲୁଣର ଉପଯୋଗ ଜାଣି ନାହାଁନ୍ତି ଓ ଏପର୍ଯ୍ୟନ୍ତ ସମୁଦ୍ରକୁ ଦେଖିନାହାଁନ୍ତି । ସେପରି ଲୋକଙ୍କୁ ଚିହ୍ନିବାର ଉପାୟ ମଧ୍ୟ ମୁଁ କହିଦେବି । ତୁମ ହାତରେ ଆହୁଲା ବା ବାଡି ଦେଖି ସେଭଳି ମଣିଷ ତୁମକୁ ପଚାରିବେ, “ମହାଶୟ, ଏହା କ’ଣ କୃଷି କରିବାର କୌଣସି ଏକ ଯନ୍ତ୍ର?” ଏପରି ପଚାରିବାମାତ୍ରେ ତୁମେ ହାତରେ ଥିବା ଆହୁଲାଟି ସେଇଠି ପୋତି ଦେଇ ବରୁଣଦେବଙ୍କୁ ସ୍ମରଣ କରିବ ଓ ସେଠାରେ ତାଙ୍କୁ ବଳୀ ଭୋଜ୍ୟ ଦେବ, ସେଠାରେ ତମେ ମେଣ୍ଢାଟିଏ, ଘୁଷୁରୀଟିଏ ଓ ମଇଁଷୀଟିଏ ବଳୀଦେବ; ତାପରେ ସ୍ୱଦେଶକୁ ଫେରିବ, ଏପରି କରିବା ଦ୍ୱାରା ତୁମେ ଦୀର୍ଘଦିନ ଧରି ଜୀବିତ ରହିବ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ