ଶିବ ପୁରାଣ

ଶିବ ତ ସେତେବେଳେ ତପସ୍ୟାରେ ମଗ୍ନ ଥା’ନ୍ତି । ତେଣୁ ଶିବଙ୍କର ଗଣମାନେ ତାଙ୍କୁ ପହରା ଦେଉଥା’ନ୍ତି । ହିମବାନ୍ ଓ ମେନକାଙ୍କୁ ଦେଖି ରୁଦ୍ରଗଣ ତାଙ୍କୁ ଶିବଙ୍କ ନିକଟକୁ ଯିବାକୁ ଅନୁମତି ଦେଲେ । ହିମବାନ୍ ଓ ମେନକା ଶିବଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ କରି ଭକ୍ତିପୂର୍ବକ ପୁଷ୍ପାଞ୍ଜଳି ଅର୍ପଣ କଲେ । ତା’ପରେ ହାତ ଯୋଡି ସେ ଦୁହେଁ ଠିଆ ହୋଇ ରହିଲେ । ଶିବ ଆଖି ଖୋଲିଲେ ଓ ହିମବାନ୍ଙ୍କୁ କହିଲେ, “ହିମବାନ୍, ତୁମେ ଅତ୍ୟନ୍ତ ପବିତ୍ର ବୋଲି ମୁଁ ତୁମରି ଦେଶର କୈଳାସ ପର୍ବତକୁ ମୋର ତପସ୍ୟାର ଆସନ ଭାବରେ ବାଛି ନେଇଛି ।”

ହିମବାନ କହିଲେ “ମହାତ୍ମା, ଆପଣ ଏଠାରେ ତପସ୍ୟା କରୁଛନ୍ତି, ଏହା ତ ମୋ ପାଇଁ ବଡ ସୌଭାଗ୍ୟର କଥା । ଏଠାରେ ଆପଣଙ୍କ ତପସ୍ୟା ପାଇଁ ଯେପରି କୌଣସି ପ୍ରକାର ବାଧାବିଘ୍ନ ନ ଆସେ, ସେଥିପାଇଁ ମୁଁ ସଦା ତତ୍ପର ।”

ତାଙ୍କ କଥା ଶୁଣି ଶିବ କହିଲେ, “ହିମବାନ୍, ତୁମ ଭକ୍ତିରେ ମୁଁ ଖୁବ୍ ପସନ୍ନ ହୋଇଛି । କ’ଣ ବର ମାଗୁଛ ଏବେ ମାଗ ।”

ତହୁଁ ହିମବାନ୍ ପ୍ରାର୍ଥନା କରି କହିଲେ “ପ୍ରଭୁ, ମୋର କନ୍ୟା ପାର୍ବତୀ ଆପଣଙ୍କର ସେବା କରିବା ପାଇଁ ଆଗ୍ରହ ପ୍ରକାଶ କରୁଛି । କୃପାକରି ସେଥିଲାଗି ଅନୁମତି ପ୍ରଦାନ କରନ୍ତୁ ।”

ଏପରି କଥା ଶୁଣି ଶିବ କହିଲେ, “ସ୍ତ୍ରୀମାନେ ତପସ୍ୱୀର ପରିଚର୍ଯ୍ୟା କରିବା ତ ଉଚିତ୍ ହେବ ନାହିଁ । ଯଦି ତମେ ଚାହଁ ତ ତମେ ଆସି ମୋର ସେବା ପରିଚର୍ଯ୍ୟା କରିପାର ।”

ତାଙ୍କ କଥା ଶୁଣି ହିମବାନ୍ କହିଲେ, “ମହାତ୍ମା, ମୋର କନ୍ୟା ପାର୍ବତୀ ସାଧାରଣ ଝିଅ ନୁହେଁ । ସ୍ୱୟଂ ମହାଶକ୍ତିଙ୍କ ବରଦାନରୁ ସେ ଜନ୍ମ ହୋଇଛି । ଆପଣଙ୍କ ପରି ବୈରାଗୀ ତପସ୍ୱୀଙ୍କର ତପସ୍ୟାରେ ତା’ପରି ସାଧ୍ୱୀ କେବେ ବି ବିଘ୍ନ ଘଟାଇ ନ ପାରେ । ତେଣୁ ତା’ର ସେବା ଆପଣ ସ୍ୱୀକାର କରନ୍ତୁ ।” ଶିବ ହିମବାନଙ୍କ ପ୍ରାର୍ଥନା ସ୍ୱୀକାର କଲେ ।

ସତୀଦେବୀଙ୍କ ଦେହ ତ୍ୟାଗ ପରେ ଶିବ କୈଳାସ ଉପରେ ଗଭୀର ତପୋମଗ୍ନ ଥା’ନ୍ତି । ତପସ୍ୟାର ତେଜ ଯୋଗୁଁ ତାଙ୍କ ଲଲାଟରୁ ଘର୍ମ ବହିର୍ଗତ ହୋଇ ତା’ର ଗୋଟିଏ ବିନ୍ଦୁ ପୃଥିବୀ ଉପରେ ଝରି ପଡିଲା । ସେଇ ବିନ୍ଦୁରୁ ଏକ ପୁତ୍ର ଉତ୍ପନ୍ନ ହେଲା । ତା’ର ନାମ ଆଜାନୁବାହୁ ଥିଲା । ତା’ର ଶରୀର ଥିଲା ସ୍ଥୁଳ ଓ ଗୌରବର୍ଣ୍ଣ ବିଶିଷ୍ଟ । ପୃଥିବୀ ମାତା ତାକୁ କୋଳରେ ନେଇ ଶିବଙ୍କୁ ଦେଖାଇଲେ ।

ଶିବ ଭୂଦେବୀଙ୍କୁ କହିଲେ, “ତମେ ଧନ୍ୟ । ମୋର ଶରୀରନିର୍ଗତ ଘର୍ମ ବିନ୍ଦୁରୁ ଜାତ ଏହି ବାଳକ ତୁମ ଯୋଗୁଁ ଯଶସ୍ୱୀ ହେବ । ତା’ର ନାମ ଭୌମ ହେବ ।”

ଭୌମ କ୍ରମେ ବଡ ହେଲା । ଘୋର ତପଶ୍ଚର୍ଯ୍ୟା କରିବା ଉଦ୍ଧେଶ୍ୟରେ ସେ କାଶୀରେ ପହଁଚିଲା ଓ ତପସ୍ୟା କଲା । ତା’ର ତପସ୍ୟାରେ ମୁଗ୍ଧ ହୋଇ ବିଶ୍ୱେଶ୍ୱର ତାକୁ ଗ୍ରହମଣ୍ଡଳରେ ସ୍ଥାନ ଦେଲେ ।

ଶିବଙ୍କ ତପସ୍ୟା କାଳରେହିଁ ଗଙ୍ଗା ପୃଥିବୀ ଉପରକୁ ଅବତରଣ କରିଥିଲେ । ଦେବୀ ଗଙ୍ଗାଙ୍କ ପ୍ରଥମ ବେଗକୁ ପୃଥିବୀ ଧାରଣ କରିପାରିବ ନାହିଁ ବୋଲି ଶିବ ତାଙ୍କୁ ଜଟାରେ ଧାରଣ କଲେ ଓ ପରେ ସେ ଧୀର ଗତିରେ ପୃଥିବୀ ଉପରେ ପ୍ରବାହିତ ହେବାକୁ ଲାଗିଲେ ।

ଏଣେ ଠିକ୍ ସେହି ସମୟରେ କଶ୍ୟପଙ୍କ ଦ୍ୱିତୀୟ ପତ୍ନୀ, ଦିତିଙ୍କ ଗର୍ଭରୁ ମହାଶକ୍ତିଶାଳୀ ହିରଣ୍ୟାକ୍ଷ ଓ ହିରଣ୍ୟକଶିପୁ ନାମରେ ଦୁଇ ଦୈତ୍ୟ ଜନ୍ମ ନେଲେ । ସେମାନେ ସ୍ୱର୍ଗ, ମର୍ତ୍ୟ ଓ ପାତାଳ ତିନିପୁରକୁ ଆକ୍ରମଣ କରି ସମସ୍ତଙ୍କୁ ପରାଜିତ କରି ଦଖଲ କଲେ । କି ମାନବ କି ଦେବତା ସମସ୍ତଙ୍କ ଉପରେ ସେମାନେ ଅକଥନୀୟ ଅତ୍ୟାଚାର କଲେ । ତେଣୁ ବାଧ୍ୟ ହୋଇ ଶ୍ରୀବିଷ୍ଣୁ ବରାହ ଓ ନୃସିଂହ ରୂପ ଧରି ସେମାନଙ୍କୁ ମାରିଲେ । ତେଣୁ ଦିତି ପୁତ୍ରଶୋକରେ ବ୍ୟାକୁଳ ହେଲେ । ତେଣୁ ସେ ଶାନ୍ତ ହେବା ପାଇଁ କଶ୍ୟପଙ୍କ ଅନୁଗ୍ରହରୁ ସେ ପୁଣି ଗର୍ଭଧାରଣ କଲେ । ଇନ୍ଦ୍ର ବୁଝିପାରିଲେ ପୁଣି ଏକ ପ୍ରବଳ ପ୍ରତାପଶାଳୀ ଶତୃ ଜନ୍ମ ହେବାକୁ ଯାଉଛି । ତେଣୁ ସେ ତାଙ୍କର ଅସ୍ତ୍ର ମହାବଜ୍ରକୁ ଦିତିଙ୍କ ପେଟ ଭିତରେ ଥିବା ଛୁଆକୁ ମାରିବା ପାଇଁ ପଠାଇଲେ  । ବଜ୍ର ସେହି ଗର୍ଭସ୍ଥ ଶିଶୁକୁ ଅଣଚାଶ ଖଣ୍ଡ କରି କାଟି ପକାଇଲା ସିନା କିନ୍ତୁ ଜଣେ ପରିବର୍ତ୍ତେ ଅଣଚାଶ ଜଣ ଜୀବନ୍ତ ଶିଶୁ ସେଥିରୁ ରୂପ ନେଲେ । ସେମାନେ ପରେ ମରୁତ୍ଗଣ ରୂପରେ ବା ଅଣଚାଷ ବାୟୁ ରୂପରେ ଦେବତାଙ୍କ ସହ ଅବସ୍ଥାନ କଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ